ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୮
ଆମ ଗାଈଆଳ ପିଲା ଶୁକ୍ରା ଭାରି ଚଗଲା। ଗୋଠଧରି ଗଲାବେଳେ କାହା ବାଡିରୁ ପିଜୁଳି, କାକୁଡି ଅଣ୍ଟିରେ ନେଇଥିବ କୋଉ ଖଞ୍ଜରେ ଯେ ବୁଝିହବନି। ତା’ ସହିତ କିଏ ପିଠା ଖଣ୍ଡେ, ମୁଢିମୁଠେ ଦେଲେ ଗାମୁଛା କୋଣରେ ବାନ୍ଧିବ। ପାଣି ପାଇଁ ନଈ କି ତଳସାହିର କେମ୍ପିଗଡିଆ ଅଛି। ତାଛଡା ଜଳ ଜମିରେ ପାଣି ସଦା ବହୁଥାଏ ଧିରେ କେବେ ପୁଣି, ଜୋରରେ। ଯୋଉଠି ମନପାଇଲା ପିଇଲେ ହେଲା।
ଖରାଦିନେ ଆମ୍ବ, ପଣସ , ଜାମୁ ,ଚାରକୋଳି ଅଛି , ତାଳ, ନଡିଆ ଅଛି। କୋଉଠୁ କେମିତି କ’ଣ ଆଣିବ ତା’କୁ ଜଣା ସବୁ। ‘ପେଟ ପୋଷ, ନାହିଁ ଦୋଷ’ ନ୍ୟାୟରେ ସେ ନିୟମିତ ଅଭ୍ୟାସ ଜାରି ରଖିଥାଏ। ବଡ ପଡିଆରେ ବୁଢା ବରଗଛ ଅଛି । ତାହାରି ଛାଇରେ ବଂଶୀ ବଡ ସୁନ୍ଦର ବଜାଏ। ମୟୂରପଙ୍ଖ ସହ ପୀତବସନ, କଠଉ ଆଉ ମକର କୁଣ୍ଡଳ ଅଭାବ ଯାହା । ଅମାନିଆ ଗାଈ ବଶୀଭୂତ ହୁଅନ୍ତି ସେଇ ସୁରରେ। ନହଲେ ଛାଟ ପଡେ ବେଶ୍। କାଞ୍ଜିଆହୁଦା ଯିବାଠାରୁ ମାଡ ଭଲ। ଓଲେଇଙ୍କ ବେକରେ ବନ୍ଧାଯାଇଥାଏ ଭାରି କାଠ। ବଡ କଷ୍ଟ । ତାଳବରଡା ପଖିଆ କି ଝାମ୍ପି ବର୍ଷାରୁ ରକ୍ଷା କରେ ତା’କୁ। ଖରାକୁ ସେ ଖାତିର କରେନା। ପାଖରେ କାଜୁ ବଗିଚା। ତା’ ସେପାଖରୁ ଜଙ୍ଗଲ ଆରମ୍ଭ। ଦିନବେଳେ ବି ଡର ଲାଗେ। କେବେ କେମିତି ଛେଳି ହଜିଯାଏ, ଲୋକେ କୁହନ୍ତି ହେଟା ନେଇଗଲା।
ଶୁକୁରାଟା ସାହସୀ। ତା’ର ଜାହିରା, ତା’ର ଦେବତା , ତା’ର ମାରାଂବୁରୁ ରକ୍ଷା କରିବ ତା’କୁ। ଆଉ ସେଇ ବିଶ୍ୱାସରେ ଏକା ଜଗେ ଏତେ ବଡ ଗୋଠକୁ, ଚଉଦ, ପନ୍ଦର ବର୍ଷର ପିଲାଟା। ଦିନେ ବୁଢା ଖରାବେଳେ ଭୟମିଶା ଆଶଙ୍କାରେ ଦୌଡି ଦୌଡି ଗୋରୁଗାଈଙ୍କୁ ଛାଡି ଧଇଁସଇଁ ହୋଇ ଆସି ପହଞ୍ଚିଲା ଗାଁ ମୁଣ୍ଡରେ।
‘ କି ରେ କ’ଣ ହେଲା’ , ପଚାରିଲେ ବେଣୁ ଦଦେଇ।
‘ବାଘ’ ,ଉତ୍ତର ଦେଲା ସେ ।
‘କୋଉଠି ମ , ମିଛୁଆ ।
ଅଭୟାରଣ୍ୟରେ ବାଘ ହଜିଲେଣି, କହିଲା କ’ଣ ନା’ ବିଡିବିଡି ହେଲେ ଦଦେଇ।
ଏଥର ଜୁଟିଗଲେ କିଛି ଲୋକ। ବୁଝୁ ବୁଝୁ ଜଣାପଡିଲା ପଚାଗନ୍ଧ ସହ ମଣିଷର ହାଡ,କଙ୍କାଳକୁ ଶାଗୁଣା, କୁକୁର ଟଣାଭିଡା କରୁଚନ୍ତି। ବାଘ ହେଣ୍ଟାଳ ଶୁଭିଲା ତ ଶୁକୁରା ଦୌଡିଲା ଗାଁ ଆଡକୁ। ଦେଖଦେଖ କହି ଦୌଡିଲେ କିଛି। କ୍ଷିତୀଶ ପଟ୍ଟନାୟକ ସାଇକେଲ ଖଣ୍ଡେ ଧରି ପାଖ ଥାନାକୁ ଗଲେ। ଥାନାବାବୁ ଆସିଲେ। ସରଜମିନ ତଦନ୍ତ ପରେ କହିଲେ, ‘ଏସବୁ କିଛି ନୁହଁ। ମୁଣ୍ଡ ଏଥିରେ ପଶାଅନା କେହି । ଜୀବଜନ୍ତୁଙ୍କ ଶବ ମ । ବାଘଫାଗ ନୁହେଁ କି ମଣିଷ ନୁହେଁ, ଏସବୁ ଭୁୁୁୁତ,ପ୍ରେତର କାରସାଦି ।’
ଗାଁ ଲୋକେ ଭାବିଲେ ଗୁଣିଆ ଡାକି କିଳି ଦେଲେ ସବୁ ଯିବ। ଭୁତ, ପ୍ରେତର କାମ, ନ ହୋଇଥିଲେ ଥାନାବାବୁ ଆଉ କୁହନ୍ତେ କି ?ହୋଇଥିବ ବୋଧହୁଏ କହି ଅନେକେ ତୁୁୁନି ରହିଲେ । ସେଦିନ ହାଟ ପାଳି ଥିଲା। ଅନେକ ପୁରୁଖା ଲୋକ ଗାଁରେ ନଥିଲେ। କିଏ ଆଉ କ’ଣ କରିବ। କେଜାଣି ସେ ଶବଟିର କ’ଣ ହେଲା ! ପୂଜାପାଶା ସହ ଯାଗଯଜ୍ଞ ହେଲା। ଗୁଣିଆ ଆସିଲା, ଅଜଣା ମନ୍ତ୍ର ବୋଲି ସୋରିଷ ଫିଙ୍ଗି ଆଉ ଗାଁ ଦୁଇମୁଣ୍ଡରେ ହାତେ ଲମ୍ବ ଲୁହାକିଳା ପୋତି ସବୁ କୁଦୃଷ୍ଟିକୁ ବାହାରକୁ ପଠେଇଦେଲା। ଅନିଚ୍ଛା ସତ୍ତ୍ବେ ବୋଉ,ବାପା ଯୋଗ ଦେଇଥିଲେ ଏଥିରେ।
ଦିନରେ ତ ବଣ ଆଡକୁ କେହି ଆଉ ଗଲେନି,ସେଆଡକୁ ରାତିରେ ଅନେଇବା ମନା ହୋଇଗଲା। କିଛିଦିନ ଗୋଠ ଗଲାନି ଆଉ। କେତେ ଆଉ ନଡା, ଘାସ ନିଜେ ଆଣିକି ଖୁଆଇବେ ଲୋକେ। ଶୁକୁରା ସହିତ ଆଉ ଟିକିଏ ବଡ ପିଲା ରଙ୍ଗାକୁ ମିଶେଇ ଗୋଠ ଛଡାଗଲା। ଦୁହିଁଙ୍କୁ ଏଥର ନଈ ପଠା ଆଡକୁ ଟିକିଏ ନେବାକୁ କହି ପରୀକ୍ଷା ନିରୀକ୍ଷା କରାଗଲା। ଧନୁ ତୀର ସହ ଗାଈ ଗୋରୁଙ୍କୁ ଧରି ଦୁହେଁ ଗଲେ। ଭିତରେ ଭୀଷଣ ଡର, ଟିକିଏ ଖସ୍ କଲେ ଅତଡା ଖସୁଥିଲା ଛାତିରୁ।
ବଇଁଶୀ ଶୁଭୁନଥିଲା ଆଉ। ବୟସ୍କ ଲୋକଙ୍କ ଭିତରୁ କେହି ତଦାରଖ କରି ଆସୁଥିଲେ ଏ ଦୁହିଁଙ୍କୁ। ବଣବୁଦା ବୁଲି କୋଳିଖିଆ, ଚାଷଜମିରୁ ମାଛଧରା, ହିଡମୂଳରୁ କଙ୍କଡାଗାତ ଅଣ୍ଡଳା, ଗଡିଆରୁ କୁଜିଗେଣ୍ଡା ଖୋଜା ସବୁ ଗଲା। ହଜିଗଲା ଦିନସାରାର ମଉଜ ମଜଲିଶ । ସନ୍ଧ୍ୟାର ଅନେକ ପୂର୍ବରୁ ଘରବାହୁଡା ହେଉଥିଲା। ସଞ୍ଜର ତବତଭାତରେ ମାଛ ପୋଡା,କଙ୍କଡା ଝୋଳ,ଗେଣ୍ଡା ଭଜା , ହିଡମିଚା, ମଦରଙ୍ଗା ଶାଗ କିଛି ମିଳିଲାନାହିଁ ଶୁକୁରାକୁ। ତା’ମାଆ ,ବାପା ତାଙ୍କ କାମରୁ ଫେରି ରନ୍ଧାବଢା ସହ ନିଜକାମରେ ବ୍ୟସ୍ତ ରହୁଥିଲେ। ଶୁକୁରା ନେଉଥିଲା ତରକାରୀ ପାଇଁ ଯାହା, ଡର ଖାଇଗଲା ସେସବୁକୁ । ଆଉ ଜମୁନଥିଲା ଭାତଖିଆ। ସକାଳ ପଖାଳକୁ ଲୁଣ, ମରିଚ ସହ ଖାଇ ଆସିବାକୁ ପଡୁଥିଲା ଗାଁକୁ । ହେତ୍ କି ସମୟ ଆସିଲା ଯେ ମଉଜ ଟିକକ ନେଇଗଲା, ଶୁକୁରା କହେ ମନକୁ ମନ।
ନିଧି ସାହୁ ପ୍ରତିଦିନ ବୁଲାକୁକୁରଙ୍କୁ ଖାଇବାକୁ ଦିଏ ବଳକା ରୋଟି, ଭାତ; ଏଥିରେ କାଳେ ଶନିଦଶା କଟେବୋଲି କହିହୁଏ । ଏଇ କୁକୁରଗୁଡାକ ଜଗନ୍ତି ଗାଁକୁ। ବିପଦରେ ସାହା ଭରସା । ସମସ୍ତଙ୍କୁ ନାମ ଦେଇ ଡାକେ ବଡ ସରାଗରେ। ସତେ ଯେମିତି ପୁଅ,ଝିଅ କି ବନ୍ଧୁ ବାନ୍ଧବ। ଆଉ ନାମ ଅନୁସାରେ ବଡ କଥା ମାନନ୍ତି ତା’ର।
ବୋଉ ଏମିତି ଗଗରା ଥୋଇ ବାରଣ୍ଡାରେ ଲଥକରି ବସିଲା ଅଗଣାକୁ ଦୁଇ ଗୋଡ ଲମ୍ବେଇକି, ଖରା ବାଧିଲାକି ଆଉ?
‘ଆଣ୍ ତ ରେ ଗ୍ଲାସ’, ମୋତେ କହିଲା।
ଦେଲି ମୁଁ।
ପିଇଲା ପାଣି।
ଏମିତିରେ ସେ ଗାଧୋଇ ପୂଜାକଲାପରେ ପାଣି ପିଏ। କେଜାଣି ଶୋଷ ଲାଗୁଥିବ। କାନିରେ ମୁହଁ ପୋଛି କହିଲା,’ଆମ ଇନ୍ଦୁର ପିନ୍ଧାଲୁଗା ନିଧିଆ ସାହୁର ବୁଲାକୁକୁର ପାଇଲେ କୋଉଠୁ? ଟାଣି ଓଟାରି ଖେଳୁଚନ୍ତି ,ନଈରୁ ଫେରିବା ବାଟର ଗଡାଣି ପାଖରେ। ‘ ପୁରୁଣା ଲୁଗା କାହାକୁ ଦେଇଥିବ, ସେ ପିନ୍ଧିପିନ୍ଧି ଛିଣ୍ଡିଗଲେ ଫୋପାଡି ଦେଇଥିବ, ଏତକ ମନରେ ଭାବିଲି। ଉତ୍ତର ଦେବାକୁ ମନ କହିଲାନି। ବାପା କହୁଥିଲେ, ଦିଦି ଯୋଉଠି ଥିବ, ଭଲରେ ଥିବ। ଆସିବ ସେ ଦିନେ ଆମ ପାଖକୁ। ସେଇଦିନକୁ ଆମେ ସବୁ ଅପେକ୍ଷା କରିଚୁ । ଆଉ ଏ ବୋଉ କହୁଚି କ’ଣ ସେ ବୁଝୁ ତା’ କଥା।
ହେଣ୍ଟିଦେଲି ସିନା ବୋଉରକଥା,ମନ ମାନୁ ନଥିଲା ଆଦୌ । ଧାଇଁଲି,ନଈଆଡକୁ। କୁଆଡକୁ ନଜର ନାହିଁ, ଆଶା ,ଆଶଙ୍କା ଭିତରେ ନାକ ସିଧା , ଏକବାରେ ଗଡାଣି ପାଖକୁ।
Comments are closed.