ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

କଳା ପ୍ରଜାପତି

ଦୁଃଖ ଏକ କଳା ପ୍ରଜାପତି । ପ୍ରତିଶ୍ରୁତିରେ ଉଡ଼େ , ପ୍ରେମରେ ପଡ଼େ , ଫୁଲ ଯାଏଁ ଯାଉ କି ନଯାଉ ପବନର ମାଡ଼ରେ ଡେଣା ଝଡିପଡ଼େ । କେତେ ଅଦ୍ଭୁତ ଦେଖ ! ଲାର୍ଭାର ଖୋଳପାରେ ଭୟାନକ ଲାଗୁଥିବା ପ୍ରଜାପତିଟି ତାର ମଞ୍ଜୁଳ ଡେଣାରେ ପ୍ରେମର ରଙ୍ଗ ନେଇ ଖେଦିଯାଏ କାନ୍ଥ, ବାଡ଼ , ବୁଦା , ଗଛ , ବହିଥାକ , ଶାଳଗ୍ରାମ ପିଣ୍ଡି ଯାଏଁ । ସେ ଯାଇପାରେ ଦୁଃଖ ପରି ସୁଖର ଡେଣାକୁ ପୋଷାକ ପରି ପିନ୍ଧିଦେଇ । ଯେଉଁ କନ୍ଦିରୁ ଝରି ଆସେ ଦୁଃଖର ରସ ସେଇଠି ସେଇ ସଙ୍ଗେ ସଙ୍ଗେ ହୁଏତ ମୁହଁ ଓହଳେଇ ସୁଖ ଯାଇଥାଏ ନତୁବା ସୁଖ ସଜେଇ ହେଉଥାଏ ନିଜ ପ୍ରଖରତାରେ ଦୁଃଖର କରୁଣ ରସକୁ ଶୋଷି ନେବାର ସୂକ୍ଷ୍ମ ଚକ୍ରାନ୍ତରେ ।

ଦୁଃଖକୁ କଳାରଙ୍ଗରେ ଫୁଟେଇ ହୁଏ ଯେହେତୁ ସୁଖମାନଙ୍କର ହାଲ୍କା ପଦପାତ ଉକୁଟି ଦିଶେ ସେହି ଗାଢ଼ ପୃଷ୍ଠଭୂମିରେ । ହଳଦୀ ରଙ୍ଗର ଖୁସି , ଗୋଲାପି ରଙ୍ଗର ଅନୁରାଗ , ଉଜ୍ଜ୍ଵଳ ରଙ୍ଗର ଆନନ୍ଦ , ସୁନେଲି ରଙ୍ଗର ଆଶା , ଆକାଶି ରଙ୍ଗର ବ୍ୟାପ୍ତି , ନୀଳ ରଙ୍ଗର ପ୍ରଶାନ୍ତି ଭଳି ଯେତେ ଯେତେ ସୁଖକର ଉପଲବ୍ଧି ସବୁ ହାଲ୍କା ରଙ୍ଗର ହାଲ୍କା ସୁଖର ହାଲ୍କା ଅବଧି ପରି ଚିକ୍ ଚିକ୍ । ତୁମ ପଢ଼ା ଟେବୁଲର ଅଧା ପଢ଼ା ହୋଇ ରହି ଯାଇଥିବା ବହିର ପ୍ରଚ୍ଛଦ ପୃଷ୍ଠାରେ କଳା ରଙ୍ଗର ପ୍ରଜାପତି ଦେଖି ତୁମେ ଯେତିକି ଲୁହ ଲୁହ ହୋଇଥିଲ ପ୍ରେମରେ ଅବିକଳ ସେହି ପ୍ରଜାପତିକୁ ରେଫ୍ରିଜରେଟର ଟ୍ରେରୁ ଜୀବନ୍ତ ଆବିଷ୍କାର କରି ମୁଁ ବି କମ୍ ବିହ୍ଵଳ ହୋଇନଥିଲି ରୋଷେଇଶାଳରେ। ତୁମେ ନିଶ୍ଚୟ ଗୀତ ଭଳି ଗୁଣୁଗୁଣେଇ କହିଥିବ ,ପ୍ରେମ ଏବେ ବାୟୁମଣ୍ଡଳରେ । ମୁଁ କିନ୍ତୁ ନିଜକୁ ନିଜେ ଶୁଣେଇଲା ପରି ଗମ୍ଭୀର ହୋଇ କହିଲି, ପ୍ରେମ ଜୀଇଁ ଉଠେ କ୍ରିମେଟରିଅମରେ ଯଦି ଆବାମିକାର ସଂହତି ଓ ସମନ୍ୱୟ ସମାନୁପାତୀ ହୋଇ ପାଦ ବଢାଉଥାଏ ।

ହୃଦୟର ମାଟି ଉପରେ ସେହି ଯେଉଁ ବଢ଼ନ୍ତା ଗଛ ଯାହାର ଫୁଲ , ପତ୍ର , ଫଳ ଲୁଟି ନେଇଛନ୍ତି ସୈତାନମାନେ ଦେବତାର ଛଦ୍ମବେଶରେ ସେଇଠି ବନ୍ଧୁକ ପ୍ରାୟ ଦିଶୁଥିବା ଗଛର ବେକରେ ବସିଛି ଏକ ପ୍ରଜାପତି ସବୁଜିମାର ଆକର୍ଷଣରେ । ଏମିତି ଏକ ଚିତ୍ର ଆଙ୍କିଥିଲି କେବେ କେଉଁ ଅତୀତରେ ଯେତେବେଳେ ଏମିତି ଚିଠିଟେ ତୁମ ପାଖକୁ ଲେଖିବି ବୋଲି ଭାବି ନଥିଲି ମନରେ । ନାଁ .. ଏ ପ୍ରଜାପତି କୌଣସି ପ୍ରତୀକ ନୁହେଁ । ମୋତେ ଲାଗେ ବିଭିନ୍ନ ଅନୁଭବର ବିଭିନ୍ନ ରଙ୍ଗ ଯେମିତି ତୁମ ଆଡ଼କୁ ଉଡିବାକୁ ଚାହୁଁଛନ୍ତି ସେ ପ୍ରଜାପତିର ଚଞ୍ଚଳତାରେ । ଦୁଃଖ ଭିତରୁ ଡେଣା ଝାଡ଼ି ବାହାରୁଥିବା ପ୍ରଜାପତି କହିଦେଇଯାଏ ଦୁଃଖର ନିବିଡ଼ ଅନୁଭବ ହିଁ ଡେଣା କଅଁଳାଏ । ଯେତେ ଯେତେ ଦୁଃଖ , ସେତେ ସେତେ ପାଖର ତୁମେ , ସେତିକି ଅନ୍ତରଙ୍ଗ । ତୁମ ସତୀର୍ଥପଣିଆର ନିବିଡ଼ତାରେ ଦେଖ କେତେ ପରିଚ୍ଛନ୍ନ ଦୁଃଖବେଳେ ଗଢିଥିବା ମୋ ବିଶ୍ୱାସର ସଂସାର । ଚିତ୍ରରେ କଳା ରଙ୍ଗର ଦୁଃଖକୁ ବାଜିମାତ କରି ହୃଦୟ କଡ଼ରୁ ଉଦୟ ହେଉଥିବା ଚେନାକ ନୀଳ ରଙ୍ଗ ତୁମର । ନିଅ ଏବଂ ଅଧିକରୁ ଅଧିକ ମୋତେ ଭଲ ପାଉଥାଅ ।
ତୁମର “ମୁଁ”