Latest Odisha News

ଫୁରସତର ଜୀବନ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସମ୍ଭ “ଏଇ କଥାକୁ” …… 

ଆପଣଙ୍କ ଚାରିପଟେ ଟିକିଏ ଆଖି ବୁଲାନ୍ତୁ ଦେଖିବେ ସାରା ଦୁନିଆ ଯେମିତି ଆପଣଙ୍କ ଜୀବନକୁ ସରଳ, ସହଜ ଓ ସ୍ୱଚ୍ଛନ୍ଦ କରିବାକୁ ତତ୍ପର । ବିଜ୍ଞାପନ ର ବାହାସ୍ଫୋଟକୁ  ବା ସରକାରୀ ଘୋଷଣାକୁ ଲକ୍ଷ୍ୟ କରନ୍ତୁ, ବଜାରର ନୂଆ ନୂଆ ଖାଦ୍ୟ ପଦାର୍ଥ ବା ଦରକାରୀ ସାମଗ୍ରୀଗୁଡିକୁ ଅନୁଧ୍ୟାନ କରନ୍ତୁ, ସବୁ ଯେମିତି ଆପଣଙ୍କ ଜୀବନକୁ ଆରାମଦାୟକ କରିବା ପାଇଁ ବଦ୍ଧପରିକର । ଆଜି ସବୁଠିଁ  କେବଳ ‘ମେକ ଇଟ ଇଜି ପଲିସୀ’ । ଉଜ୍ଜଳା ଗ୍ୟାସ ଯୋଜନା ଦ୍ୱାରା ମହିଳା ମାନଙ୍କୁ ଆରାମ, ପାଞ୍ଚ ଟଙ୍କିଆ ଖାଦ୍ୟ ଯୋଜନାରେ ଭୋକିଲାଙ୍କୁ ଆରାମ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏମିତି କେତେ ଯେ ଯୋଜନା, ସେଗୁଡିକର ହିସାବ ରଖିବା ବି କଷ୍ଟକର, ହେଲେ ସଭିଙ୍କ ଲକ୍ଷ୍ୟ ଜନସାଧାରଣଙ୍କୁ ଆରାମ  ପହଞ୍ଚେଇବା ।

ଏ ତ ହେଲା ସରକାରୀ ଉଦ୍ୟମ, ବେପାର ବଣିଜର ଦୁନିଆ ବି ସେହି ମହାର୍ଘ ଉଦ୍ଦେଶ୍ୟ ନେଇ ତିଆରି ହେଇଛି ଯେମିତି । ଦୁଇ ମିନିଟରେ ପ୍ରସ୍ତୁତ ହେଇ ପାରୁଥିବା ଚଟପଟା ଖାଦ୍ୟ, ଖାଲି ପାଣି ମିଶାଇ ଦେଇ ପ୍ରସ୍ତୁତ ହେଇ ପାରୁଥିବା ଖାଦ୍ୟ ପୁଡିଆ, ବିନା ପରିଶ୍ରମରେ ଚକମକ କରି ବାସନ ସଫା କରିବା ସାମଗ୍ରୀ, ନିର୍ଦ୍ଧିଷ୍ଟ ଅବଧି ଭିତରେ ଘରେ ଖାଦ୍ୟ ନ ପହଞ୍ଚିଲେ ଖାଦ୍ୟର ମୂଲ୍ୟ ଦେବାକୁ ପଡିବ ନାହିଁ, ଇତ୍ୟାଦି ଇତ୍ୟାଦି ପ୍ରତିଶୃତିରେ ଆଜି ବେପାର ଦୁନିଆ ହାଉଯାଉ ।

ଗାଡି ଡ୍ରାଇଭ କଲାବେଳେ ଗିଅର ବଦଳେଇବା ପ୍ରକ୍ରିୟା ଏବେ ପୁରୁଣା କାଳିଆ ହେଇ ଗଲାଣି, ଆଜିର ଗାଡି ଗୁଡିକ ଅଟମେଟିକ । ସେମିତି ଆପଣଙ୍କ ସ୍ମାର୍ଟ ଫୋନ ହେଉ ବା ଆପଣଙ୍କ ପ୍ରିୟ ସାମାଜିକ ମିଡ଼ିଆ ହେଉ, ସବୁବେଳେ କିଛି ନା କିଛି ନୂଆ ସୁବିଧା ସେଗୁଡିକରେ ଯୋଡ଼ା ହେଇ ଚାଲିଛି । ଆଜି ଏ ସବୁଥରେ ସାମାନ୍ୟ କମି ଲକ୍ଷ୍ୟ କଲେ ବ୍ୟବହାରକାରୀ ମାନେ ଫେରି ଅନେଇବେ ନାହିଁ ଯେ ।

ଜୀବନର ସବୁ ଦିଗକୁ ସ୍ୱଚ୍ଛନ୍ଦମୟ ଓ ଆରାମଦାୟକ କରିବାର ପ୍ରଚେଷ୍ଠା ମଣିଷ ଜାତି ପାଇଁ କିଛି ନୂଆ କଥା ନୁହେଁ । ମଣିଷ ଜାତି ସୃଷ୍ଟି ହେଲା ଦିନରୁ ଏ ପ୍ରକ୍ରିୟା ଜାରି ରହିଛି ଆଦିମ ମଣିଷ ଯେତେବେଳେ ନିଆଁର ବ୍ୟବହାର ଶିଖିଥିଲା, ଅସ୍ତ୍ରଶସ୍ତ୍ରର ବ୍ୟବହାର ଶିଖିଥିଲା ଅଥବା ପ୍ରଥମେ ଚକ ଆବିଷ୍କାର କରିଥଲା, ସବୁରି ପଛରେ ଥିଲା କଠିନ କାର୍ଯ୍ୟକୁ ସରଳ କରିବାର ଇଚ୍ଛା, ଅଳ୍ପ ପରିଶ୍ରମରେ ଅଧିକ ସୁଫଳ ପାଇବାର ଆଶା ।

 

ସେହି ଯୁଗରୁ ଆଜି ପର୍ଯ୍ୟନ୍ତ ମଣିଷ ତାର ଶକ୍ତି ଓ ବୁଦ୍ଧି ଖଟାଇ କେତେ କେତେ ଆବିଷ୍କାର ଓ ଉଦ୍ଭାବନ କରି ଆସିଛି, ତାର ହିସାବ ନାହିଁ, ହେଲେ ସବୁ ପ୍ରଚେଷ୍ଠା ପଛରେ ରହିଛି ଜୀବନକୁ ସ୍ୱଚ୍ଛନ୍ଦମୟ କରିତୋଳିବାର ଇଚ୍ଛା । ଅବଶ୍ୟ ଆଧୁନିକ ଅସ୍ତ୍ରଶସ୍ତ୍ରସବୁ ଜୀବନକୁ ସୁଖମୟ କରିବା ପରିବର୍ତ୍ତେ ମଣିଷ ଜାତିକୁ ଧ୍ୱଂସ ଆଡକୁ ଠେଲି ନେବାର କାରଣ ହୋଇଛନ୍ତି । କିନ୍ତୁ ଏହି ଅସ୍ତ୍ରଶସ୍ତ୍ର ବ୍ୟବହାରକାରୀ  ଭାବୁଛି, ଶତୃ ସଂହାର କରି ସିଏ ଶାନ୍ତି ଆଡକୁ ବାଟ କାଢ଼ିବ । ଯଦି ନିରାପଦ ସ୍ଥାନରେ ରହି ସୁଇଚ ଟାଏ ଚିପି ଦେଇ ଶତୃର ପ୍ରଭୂତ କ୍ଷତି ଘଟାଇ ହେଉଛି ତେବେ ନିଜ ସୈନ୍ୟଙ୍କୁ ବିପଦ ମୁହଁକୁ ପଠାଇବାର କି ବା ଆବଶ୍ୟକତା ? ଏଣୁ ଅତ୍ୟାଧୁନିକ ଅସ୍ତ୍ର ମାନ ସୈନିକର ଜୀବନକୁ ସ୍ୱଚ୍ଛନ୍ଦମୟ କରିବାର ଉଦ୍ଦେଶ୍ୟ ନେଇ ଗଢା ହେଉଛି ।

 

ନୂତନ ଉପାୟ ଦ୍ୱାରା ଜୀବନକୁ ସହଜ କରିବାର ଇଚ୍ଛା ମଣିଷ ଜାତି ପାଇଁ ଅତି ପୁରୁଣା ହେଲେ ବି ବିଭିନ୍ନ ସମୟରେ ସାଧୁ, ସନ୍ଥ ଓ ମନୀଷୀ ମାନେ ସାଧନା ବିହୀନ ସୁଖର କାମନା କୁ କ୍ଷତିକାରକ ବୋଲି ମଣିଷକୁ ଚେତେଇ ଦେଇ ଆସିଛନ୍ତି । ଏ ଜୀବନରେ ମଣିଷ ଯାହା ଖୋଜୁଛି ତାହା ହାସଲ କରିବାକୁ ହେଲେ ଯଥାଯୋଗ୍ୟ ପରିଶ୍ରମ କରିବାକୁ ହୁଏ । ଯଦି ବିନା ଶ୍ରମରେ ବା ନିର୍ବିଘ୍ନରେ କୌଣସି ଜିନିଷ ହାସଲ ହୋଇଗଲା ତେବେ ତାର ପ୍ରକୃତ ଆନନ୍ଦ ମଣିଷ ଉଠାଇ ପାରେ ନାହିଁ ଓ ଅଚିରେ ତାହାକୁ ହାତଛଡା କରିଦିଏ । ତେଣୁ ବିଶ୍ୱର ସବୁ ସଂସ୍କୃତିରେ ଏହା ଉପରେ ଉପଦେଶ ମାନ ରହିଛି ଯେମିତି, କଷ୍ଟ କଲେ କୃଷ୍ଣ ମିଳେ, ଆରାମ ହାରାମ ହୈ, ଇଜି କମ ଇଜି ଗୋ (ଅନାୟାସରେ ମିଳିଥିବା ଜିନିଷ ସହଜରେ ଚାଲି ଯାଏ) ଇତ୍ୟାଦି  ।

ଆଜିର କଥା କିନ୍ତୁ ଅଲଗା । ଯଦି ସହଜରେ କିଛି ମିଳିଗଲା ତେବେ କଷ୍ଟ କରିବୁ କିଆଁ ? ସବୁ ଉତ୍ତର ଯଦି ଗୁଗୁଲରେ ମିଳି ଯାଉଛି ତେବେ ପରିଶ୍ରମ କରି ମନେ ରଖିବା କଣ ଦରକାର ? ଇଣ୍ଟରନେଟରେ ସହଜରେ ଉପଲବ୍ଧ ତଥ୍ୟକୁ ନ ଉତାରି ପ୍ରୋଜେକଟ କାମ, ଗବେଷଣା ସନ୍ଦର୍ଭ ଇତ୍ୟାଦି ଲେଖିବା ପାଇଁ ରାତି ଉଜାଗର ରହିବୁ କିଆଁ ? ଅତୀତରେ ଯେଉଁ ମଣିଷ ଚିଠିଟିଏ ପଠେଇବା ପରେ ଠିକଣା ଜାଗାରେ ତାହା ପହଞ୍ଚିବ ବୋଲି ସାତ ଦିନ ଅପେକ୍ଷା କରି ପାରୁଥିଲା, ସେ ଆଜି ଇଣ୍ଟରନେଟର ବେଗ ଟିକିଏ ମନ୍ଥର ହେଇ ଗଲେ ସେବା ପ୍ରଦାନକାରୀ ସଂସ୍ଥାକୁ ଭର୍ତ୍ସନା କରୁଛି, ତାର ମୂଲ୍ୟବାନ ସମୟ ନଷ୍ଟ ହେଇଗଲା ବୋଲି ।

ଆଜିର ମଣିଷ ପୁଣି ରୋବଟ ତଥା କୃତ୍ରିମ ଧିଶକ୍ତି ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହେବାରେ ଲାଗିଛି । କାରଣ ଏହାଦ୍ୱାରା ଶାରୀରିକ ପରିଶ୍ରମରୁ ନିବୃତ୍ତି ମିଳିବା ସାଙ୍ଗେ ସାଙ୍ଗେ ମଣିଷକୁ ନିଜ ମସ୍ତିଷ୍କ ବି ଖଟାଇବାକୁ  ପଡିବ ନାହିଁ । ହେଲେ ମଣିଷ ଏତେ ଫୁରସତ ପାଇବା ପରେ କରିବ କଣ ?

ସେ ହୁଏତ ଅଧିକ ସମୟ ଅନ୍ୟର ଛିଦ୍ର ଖୋଜିବାରେ, ଗୁଜବ ରଟନାରେ ଅଥବା ଭଣ୍ଡ ଜ୍ଞାନ ପରିବେଷଣରେ ବିତାଇବ । କଥାରେ ଅଛି ପରା, “ଅଳସୁଆର ମସ୍ତିଷ୍କ ସୈତାନର କର୍ମଶାଳା” ।

(ମୋବାଇଲ : ୯୪୩୭୦୮୯୬୫୫)

Comments are closed.