Latest Odisha News

ପୁରୁଣା ଡବଲ ମର୍ଡର ମାମଲାରେ ପାଞ୍ଚ ଜଣଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏକ ଦଶନ୍ଧି ତଳେ ଘଟିଥିବା ଡବଲ ମର୍ଡର ମାମଲାରେ ବ୍ରହ୍ମପୁରର ଏକ ଅଦାଲତ ଜଣେ ବ୍ୟକ୍ତି ଓ ତାଙ୍କ ଚାରି ପୁଅଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ପାଟପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଗୁଲା ସ୍ୱାଇଁ ଓ ତାଙ୍କ ପୁଅ ରାଜୀବ ସ୍ୱାଇଁଙ୍କୁ ୨୦୧୩ ଡିସେମ୍ବର ୨୮ ତାରିଖରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଗାଁ ପୋଖରୀ ନିକଟରୁ ଉଭୟଙ୍କ ମୃତଦେହ ମିଳିଥିଲା। ଏହି ଘଟଣା ପରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ଅଧିକ ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରାଜଜ ୧୯ ଜଣ ସାକ୍ଷୀଙ୍କ କଥା ଶୁଣିବା ପରେ ଏବଂ ପୁଲିସ ଦେଇଥିବା ପ୍ରମାଣ ଯାଞ୍ଚ କରିବା ପରେ ଧନୁ ସ୍ବାଇଁ ଓ ତାଙ୍କ ୪ ପୁଅ କାର୍ତ୍ତିକ ସ୍ୱାଇଁ, ଅମିନ ସ୍ୱାଇଁ, ଭଗବାନ ସ୍ୱାଇଁ ଓ ସରୋଜ ସ୍ୱାଇଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଗୁରୁବାର କୋର୍ଟ ରାୟ ଶୁଣାଇ ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହି ମାମଲାରେ ଅଭିଯୁକ୍ତ ଥିବା ୩ ଜଣ ମହିଳାଙ୍କୁ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଦୋଷମୁକ୍ତ କରାଯାଇଛି।

Leave A Reply

Your email address will not be published.