Latest Odisha News

BREAKING NEWS

କେଉଁଠି ଜାଳୁଛି, କେଉଁଠି ଢାଳୁଛି: ଆଜିଠୁ ସପ୍ତାହେ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଏବେ ମିଶ୍ରିତ ପାଗ ଅନୁଭବ ହେଉଛି। କେଉଁଠି ନିଆଁ ବର୍ଷା ହେଉଥିବା ବେଳେ କେଉଁଠି ବର୍ଷା ଦେଇଛି ତାତିରୁ ଆଶ୍ୱସ୍ତି। ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ସପ୍ତାହେ ଯାଏଁ ତାତିରୁ ବର୍ଷା ଆଶ୍ୱସ୍ତି ଆଣିବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଆସନ୍ତା ୧୦ ଏବଂ ୧୧ ତାରିଖ ରାଜ୍ୟରେ ବର୍ଷ ସମ୍ଭାବନା ରହିଥିବା ବେଳେ, ଆଗାମୀ ସପ୍ତାହେ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଁଭାଁ ବର୍ଷ ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା,ଏବଂ ୪୦ ରୁ ୫୦ କିମି ଝଟକା ପବନ ହେବାର ସମ୍ଭାବନା ରହିଛି। ସେହିପରି ୧୦ ଏବଂ ୧୧ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୨ ଏବଂ ୧୩ ତାରିଖରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ଏହା ପ୍ରଭାବରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେପଟେ ଏବେବି ତତଲା କଡାଇରେ ଭାଜି ହେଉଛି ଅଧା ଓଡ଼ିଶା। ଗତକାଲି ୪୦ ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ୭ ସହର। ୪୨.୭ ଡିଗ୍ରୀ ସହ ଅନୁଗୋଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ବୌଦ୍ଧ ୪୧.୮, ଝାରସୁଗୁଡ଼ା ୪୧.୬, ଟିଟିଲାଗଡ଼ ୪୧.୫, ସୋନପୁର ୪୧.୪, ହୀରାକୁଦ ୪୦.୩, ସମ୍ବଲପୁର ୪୦ ଡିଗ୍ରୀ ତାତି ରେକର୍ଡ କରିଥିଲା।

Comments are closed.