Latest Odisha News

BREAKING NEWS

ସାହିତ୍ୟ ସବୁବେଳେ ସମାଜକୁ ପ୍ରଭାବିତ କରେ : ଜ୍ଞାନୀ ଦେବାଶିଷ ମିଶ୍ର

ଓଡ଼ିଶା ସାହିତ୍ୟରେ ଜଣେ ଉଚ୍ଚକୋଟୀର ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଜ୍ଞାନୀ ଦେବାଶିଷ ମିଶ୍ର । କବିତା ଓ ସମାଲୋଚନା ସାହିତ୍ୟ ତଥା ସମ୍ପାଦନା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ତାଙ୍କ କବିତାର ଲାଳିତ୍ୟ ପାଠକଙ୍କୁ ଯେତିକି ବିମୁଗ୍ଧ କରେ, ସମାଲୋଚନାର ଦିଗ ଗବେଷକଙ୍କୁ ସେତିକି ଆଗ୍ରହୀ କରେ ।

ତଥାପି ଜୀବନ, ଦାଗ, ପୟରେ ନଲାଗଇ ଧୂଳି, ତରା ଓ ଫଜେରା, ଅଭିନୟରେ ଜୀବନଚର୍ଯ୍ୟା, ସମୟ ସହ କେଇପାଦ’ ଅଞ୍ଚଳ ଓ ସାହିତ୍ୟ’ ଆଳାପ, ଅନ୍ୱେଷା, କ୍ରାନ୍ତିର କୁମ୍ଭକାରପ୍ରଭୃତି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା ।ତାଙ୍କର ଅନବଦ୍ୟ ସାରସ୍ୱତ ସେବା ପାଇଁ ବହୁ ଅନୁଷ୍ଠାନ ଓ ସାହିତ୍ୟ ସଂସଦ ତରଫରୁ ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ।

ଲେଖକ ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

 

 

ସାହିତ୍ୟ ଜୀବନର ଆରମ୍ଭ କିପରି ହୋଇଥିଲା ?

ପିଲାଟିଦିନରୁ ପାଠପଢ଼ା ପ୍ରତି ଆଗ୍ରହ, ବାପାଙ୍କର ବୃତ୍ତିଗତ ଜୀବନ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନ ଭ୍ରମଣ ଓ ପ୍ରତ୍ୟକ୍ଷ ଅନୁଭୂତି ହିଁ ସାହିତ୍ୟ ରଚନା ପାଇଁ ଉତ୍ସାହିତ କରିଥିଲା। ବାପାଙ୍କର କବିତା ଲେଖା ପ୍ରତି ରୁଚି ରହିଥିଲା। ଘରକୁ ଅନେକ ଶିଶୁ ପତ୍ରିକା ଆସୁଥିଲା। ପଢ଼ିବା ଓ ଶୁଣିବା ଭିତରେ ଲେଖିବା ପ୍ରତି ଆଗ୍ରହ ସୃଷ୍ଟି ହେଲା। ଅଧିକ ଲେଖା ଅପେକ୍ଷା, ଲେଖାର ନିରନ୍ତରତା ଉପରେ ମୁଁ ବିଶ୍ବାସ ରଖେ।

ଆପଣ କବିତା, ସମାଲୋଚନା ଓ ସମ୍ପାଦନା କ୍ଷେତ୍ରରେ ସକ୍ରିୟ। ତେବେ ଗଳ୍ପ ବା ଉପନ୍ୟାସ ଲେଖିବା ପାଇଁ କାହିଁକି ଆଗ୍ରହୀ ହେଲେ ନାହିଁ ?

ଗଳ୍ପ ଉପନ୍ୟାସ ପାଇଁ ଆଗ୍ରହୀ ହେଲିନାହିଁ ନୁହେଁ, ପ୍ରତ୍ୟେକ ବ୍ୟକ୍ତି ନିଜକୁ ପ୍ରକାଶ କରିବାପାଇଁ ଏମିତି ଗୋଟିଏ ମାଧ୍ୟମ ଖୋଜନ୍ତି, ଯେଉଁଟି ତାଙ୍କୁ ସହଜବୋଧ ହୋଇଥାଏ। ହୁଏତ ମୋତେ କବିତାର କ୍ଷେତ୍ରଟି ସେଇ ଧରଣର ଲାଗିଥାଇପାରେ। କଦବା କ୍ବଚିତ୍ ଗପ ହୁଏତ ଲେଖିଛି ପ୍ରକାଶିତ ବି ହୋଇଛି କିନ୍ତୁ ସେସବୁ ସଂଖ୍ୟା ଦୃଷ୍ଟିରୁ ଆଦୌ ଉଲ୍ଲେଖନୀୟ ନୁହେଁ। ଏକଥା ବି ସ୍ୱୀକାର କରିବି, ଗପ ବା ଉପନ୍ୟାସ ଲେଖିବା ପାଇଁ ଲୋଡ଼ା ପଡ଼େ ଯେଉଁ ଧୈର୍ଯ୍ୟ, ଅଧ୍ୟବସାୟ ନିଷ୍ଠା ଓ ସମୟ ହୁଏତ କବିତା ଓ ସମାଲୋଚନାର ହାତ ଧରି ବାଟ ଚାଲୁଚାଲୁ, ସେତିକି ସମୟ ମୁଁ ତିଆରି କରି ପାରିନାହିଁ। କବିତା ଲେଖିବାରେ ମୁଁ ନିଜକୁ ସହଜ ମନେକରେ। ସାହିତ୍ୟ ବିଭିନ୍ନ ଆଙ୍ଗିକ ମଧ୍ୟରୁ କବିତା ଏକ ସୂକ୍ଷ୍ମକଳା, ସ୍ୱତଃ ପ୍ରବୃତ ଭାବେ ମୁଁ କବିତାରେ ନିଜକୁ ପ୍ରକାଶ କରିପାରେ। ନୟାଗଡ଼ କଲେଜ, ବାଣୀବିହାର ଓ ଶାନ୍ତିନିକେତନ ପଢ଼ିବାବେଳେ ସମାଲୋଚନା ଲେଖିବାରେ ଆଗ୍ରହ ସୃଷ୍ଟି ହେଲା। ଶିକ୍ଷକତାକୁ ଆଧାରକରି ବୃତ୍ତିଗତ ଜୀବନ ନିର୍ଧାରଣ ହୋଇଥିବାରୁ ସାହିତ୍ୟର ବିକାଶଲାଗି ସମ୍ପାଦନା କାର୍ଯ୍ୟରେ ହାତ ଦେଇଛି।

ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ କେମିତି ?

ଓଡ଼ିଆ ସାହିତ୍ୟର ପରମ୍ପରାଟି କାବ୍ୟ ଓ କବିତା ଦୃଷ୍ଟିରୁ ହିଁ ସମୃଦ୍ଧ। ଗୀତିମୟତା ହିଁ ଆମ ସାହିତ୍ୟିକ ପରମ୍ପରାକୁ ବଞ୍ଚେଇ ରଖିଛି। ଏମିତି ବି ସମୟ ଆସିଛି କବିତା ସମାଜ ସହ, ଜାତୀୟତାବୋଧ ସହ ପ୍ରସଙ୍ଗ ସହ ସଂପୃକ୍ତ ହୋଇଛି ମାତ୍ର କ୍ରମଶଃ ଆଧୁନିକତା, ବୌଦ୍ଧିକତା, ଛନ୍ଦହୀନତା କବିତାର ପ୍ରଭାବକୁ ସାଧାରଣ ଜୀବନଠାରୁ ଦୂରେଇ ନେଇଛନ୍ତି। କବିତା ହେଉ କି ଗଳ୍ପ ଉପନ୍ୟାସ, ସାହିତ୍ୟ କଦାପି ସମାଜକୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରେନାହିଁ। ସମ୍ବେଦନଶୀଳ ମଣିଷ ସାହିତ୍ୟ ରଚନା କରେ, ପୁନଶ୍ଚ ସାହିତ୍ୟ ମଣିଷକୁ ସମ୍ବେଦନଶୀଳ କରାଏ। ଏମିତି ଚକ୍ରାକାର ଗତିରେ ସାହିତ୍ୟ ନିରନ୍ତର ଭାବେ ସମାଜକୁ ପ୍ରଭାବିତ କରୁଥାଏ।

ଆପଣଙ୍କ କବିତା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ୟ କ’ଣ ?

କବିତା ଏକ ଆବେଗ। ଆବେଗ ପରିପ୍ରକାଶରେ ଯଦି କୋମଳତା ନରହିଲା, ତେବେ ପାଠକ ତାକୁ ଆଦରରେ ଗ୍ରହଣ କରିବ କାହିଁକି!

ସମାଲୋଚନା ପୁସ୍ତକ ପାଇଁ କାହିଁକି ଆଗ୍ରହୀ ହେଲେ ?

ସମାଲୋଚନା ଗୋଟିଏ କୃତିକୁ ଆଉଥରେ ନିରେଖି ଦେଖିବାର ସୁଯୋଗ ପ୍ରଦାନ କରିଥାଏ। ସେଥିରେ ଅନ୍ତରାଳରେ ଲୁଚିଯାଇଥିବା ଅନେକ ପ୍ରସଙ୍ଗକୁ ସାମ୍ନାକୁ ଆଣିବାକୁ ପ୍ରୟାସ ରହିଥାଏ। ତେଣୁ ସମାଲୋଚନା ଓ ସମ୍ପାଦନା ପ୍ରତି ଗୋଟିଏ ସ୍ୱାଭାବିକ ଆଗ୍ରହ ଆରମ୍ଭରୁ ଥିଲା, ଯାହା ହୁଏତ ବୃତ୍ତିଗତ ଦାୟରେ ଅଧିକ ସାମ୍ନାକୁ ଆସିଛି। ମାତ୍ର ମୋର ମନେହୁଏ, ବୃତ୍ତି ଯାହା ବି ହେଉ ନା କାହିଁକି, ସମାଲୋଚକୀୟ ଦୃଷ୍ଟିଭଙ୍ଗୀଟି ପ୍ରତ୍ୟେକ ବ୍ୟକ୍ତି ଭିତରେ ରହିଥାଏ। ପ୍ରତ୍ୟେକ ସଚେତନ ପାଠକ ଗୋଟିଏ ନିଜ ଭିତରେ ଗୋଟେ ସମାଲୋଚକୀୟ ଦୃଷ୍ଟିଭଙ୍ଗୀ ନେଇ ବଞ୍ଚୁଥାଏ। ଅଧ୍ୟୟନ ଓ ଅଧ୍ୟାପନା କାଳରେ ଯେଉଁଠି ଅଭାବ ଅନୁଭୂତ ହୋଇଛି ସେ ଦିଗଟିକୁ ଆଲୋଚନା ମାଧ୍ୟମରେ ସାମ୍ନାକୁ ଆଣିବା ଦିଗରେ ପ୍ରୟାସ କରିଛି।

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକକୁ ଅଧିକ ସର୍ଜନଶୀଳ କରିବାରେ ସହାୟକ ହୁଏ କି ?

ଆପଣ କୋଉଥିରୁ ପ୍ରେରଣା ପାଉଛନ୍ତି, ସେଇଟା ଆପଣଙ୍କ ବ୍ୟକ୍ତିଗତ ପ୍ରସଙ୍ଗ। ଜଣେ ମଞ୍ଚରେ ସଂଯୁକ୍ତ ହୋଇ ରହିଲେ ପୁଲକିତ ହୁଏ, ଜଣେ ହୁଏତ ମଞ୍ଚଠୁ ବହୁତ ଦୂରରେ ଥାଇ ମଧ୍ୟ ସେଇ ସମାନ ପୁଲକ ପାଇପାରେ। କୈଣସି ବାହ୍ୟ ପ୍ରଭାବ ଯଦି ଆପଣଙ୍କର ଭିତର ଜଗତକୁ ପ୍ରଭାବିତ କରୁଚି ତେବେ ତାହା ଅନାବଶ୍ୟକ ବୋଲି ମୋର ମନେହୁଏ। ପୁରସ୍କାର, ସ୍ବୀକୃତି ଏସବୁ ଆସନ୍ତି- ଯାଆନ୍ତି, କିନ୍ତୁ ମନେରହେ ଆପଣଙ୍କର କୃତିତ୍ବ ହିଁ। ତେଣୁ ସର୍ଜନଶୀଳ ଲେଖକଟିଏ ହୁଏତ ଏଥିରୁ ପ୍ରେରଣା ପାଉଥାଇପାରେ କଦବା କ୍ବଚିତ୍ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପାଉଥାଇପାରେ। ମାତ୍ର ପୁରସ୍କାର ପାଇଲେ ହିଁ ଜଣେ ଲେଖାଲେଖି କରିବ ବା ପୁରସ୍କାର ପାଇଲା ବୋଲି ଜଣେ ଅଧିକ ସଂଖ୍ୟକ ଲେଖାଲେଖି କଲା, ଏ ଯୁକ୍ତି ଗ୍ରହଣ କରିହୁଏ ନାହିଁ।

ସମ୍ପ୍ରତି ସାହିତ୍ୟ ସହ ସାମାଜିକ ଗଣମାଧ୍ୟମ ଓତଃପ୍ରୋତ ଭାବରେ ଜଡି଼ତ। ତେବେ ସାମାଜିକ ଗଣମାଧ୍ୟମରେ ଚାଲିଥିବା ସାହିତ୍ୟର ତର୍କ ବିତର୍କକୁ ଆପଣ କେତେଦୂର ଗ୍ରହଣ ଯୋଗ୍ୟ ବୋଲି ଭାବନ୍ତି ?

ସମୟ ଅନୁସାରେ ସାହିତ୍ୟର ଶୈଳୀ ଓ ବିଷୟବସ୍ତୁରେ ପରିବର୍ତ୍ତନ ଆସିବା ସହ ପରିବେଷଣର ମାଧ୍ୟମ ମଧ୍ୟ ବଦଳେ। ଶିଳାଲେଖରୁ ତାମ୍ରପଟା, ତାଳପତ୍ରରୁ କାଗଜ ଯାଏଁ ଏ ପରିବର୍ତ୍ତନ ଲକ୍ଷ୍ୟ କରିଛେ ଆମେ। ଏବେ କାଗଜରୁ ଡିଜିଟାଲ୍ ଆଡ଼କୁ ଆମ ସାହିତ୍ୟ ମୁହେଁଇଛି। ଏ ପରିବର୍ତ୍ତନକୁ ମଧ୍ୟ ସ୍ବାଗତ କରାଯାଉ। ସାମାଜିକ ଗଣମାଧ୍ୟମଗୁଡି଼କରେ ଚାଲିଥିବା ତର୍କ-ବିତର୍କ ସାହିତ୍ୟ ସମ୍ପର୍କିତ ହେଲେ ଗ୍ରହଣୀୟ, କିନ୍ତୁ ସାହିତ୍ୟକୁ ନେଇ ବ୍ୟକ୍ତିଗତ ଆକ୍ରୋଶ ରହିବା ଏବଂ ଅମୂଳକ ଯୁକ୍ତି ଗ୍ରହଣଯୋଗ୍ୟ ନୁହେଁ।

ଆପଣଙ୍କ ବୃତ୍ତି ଆପଣଙ୍କ ସାହିତ୍ୟ ସାଧନାରେ କେତେଦୂର ସହାୟକ ହୋଇଛି ?

ନିଶ୍ଚିତ ଭାବେ ଅନେକ ସାହାଯ୍ୟ କରିଛି। ସାମ୍ବାଦିକତା ପ୍ରତି ବିଶେଷ ଆଗ୍ରହ ଥିଲେ ମଧ୍ୟ ଅଧ୍ୟାପନା ସହିତ ଜଡ଼ିତ ହେବା ପରଠାରୁ ମୁଁ ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲେଇବାକୁ ସବୁବେଳେ ଚେଷ୍ଟା କରିଆସିଛି। କେତେ ସଫଳ ବା ବିଫଳ ହୋଇଛି ତାହା ମୋର ଅଧ୍ୟାୟୀମାନେ ହିଁ କହିପାରିବେ। ବୃତ୍ତିଗତ ଜୀବନ ଦାୟରେ ପଢ଼ାପଢ଼ି ଓ ଲେଖାଲେଖି ଅଧିକ ହୋଇଛି ବୋଲି ମୁଁ ସ୍ବୀକାର କରିବି।

 ଓଡ଼ିଆ ସାହିତ୍ୟର ଯାତ୍ରାରେ କିଛି ପରିବର୍ତ୍ତନ ଆସିବାର ଆବଶ୍ୟକତା ଅଛି ବୋଲି ଆପଣ ଭାବନ୍ତି କି ?

ସାହିତ୍ୟର ଯାତ୍ରା ଓ ପରିସର ଅତ୍ୟନ୍ତ ବ୍ୟାପକ। ଏପର୍ଯ୍ୟନ୍ତ ଅନେକ କାମ ହୋଇପାରିନାହିଁ। ଅନେକ ପ୍ରାଚୀନ ଗ୍ରନ୍ଥର ଶୁଦ୍ଧ ସଙ୍କଳନଟିଏ ମଧ୍ୟ ଉପଲବ୍ଧ ହୁଏନାହିଁ। ସାହିତ୍ୟର ଇତିହାସ ଭିତ୍ତିକ ଭ୍ରାନ୍ତିଗୁଡି଼କ ମଧ୍ୟ ସମୟେ ସମୟେ ଆମ ଛାତିର ଘା ହୋଇ ଏବେ ବି ରହିଛନ୍ତି। ଆଉ ଗୋଟିଏ କଥା, ସାହିତ୍ୟରେ ବୌଦ୍ଧିକ ଚିନ୍ତନର ବିକାଶକୁ ମୁଁ ଗ୍ରହଣକରେ କିନ୍ତୁ ବୌଦ୍ଧିକତା ଆଳରେ ଦୁର୍ବୋଧ୍ୟତାର ପ୍ରବେଶ ଟିକେ ଅଡ଼ୁଆ ଲାଗେ। ସାହିତ୍ୟିକମାନେ କମ୍ ଲେଖିଲେ ଚଳିବ କିନ୍ତୁ ଅଧିକ ପଢ଼ିବାରେ ଅଭ୍ୟାସ ରଖନ୍ତୁ। ଯାହା ତାହା ଲେଖିଦେଇ ନିଜର ଓ ପାଠକର ସମୟ ନଷ୍ଟ ନ କରନ୍ତୁ।

Leave A Reply

Your email address will not be published.