ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ
ସେ ସବୁବେଳେ ଭାବେ ସେ ଯାହାକୁ ବାହା ହେବ ସେ ହେବ ତା’ର ହୃଦୟଶ୍ୱେରୀ । ତା’ର ଡାର୍ଲିଙ୍ଗ୍…! ଏଇ ଶବ୍ଦଟା ପ୍ରତି କେବଳ ଅଧିକାର ରହିବ ତା’ର ପତ୍ନୀର । ତା’ର ପିଲାମାନଙ୍କୁ ପାଠପଢ଼ାଇବ । ଭଲ ଜୀବନ ଦେବ… ସାହେବ କରିବ । ଅନ୍ୟ ସାହେବ ପିଲାଙ୍କ ପରି ତା’ ପିଲାବି ସୁଟ୍ବୁଟ୍ ପିନ୍ଧି ଇଂରାଜୀ ମାଧ୍ୟମ ସ୍କୁଲ୍ରେ ପଢ଼ିବ, କଲେଜ ଯିବ… ତା’ପରେ… ତା’ପରେ… ଆକାଶରେ ଉଡ଼ିବ… ଢେର ଢେର ସ୍ୱପ୍ନ ସେ ଦେଖୁଥିଲା ନିଜ ସଂପର୍କରେ । ଈଶ୍ୱରର ଶ୍ରେଷ୍ଠ ଗୁଣ ଥିଲା ଗୀତଗାଇବା । ଯାହା ପାଇଁ ଈଶ୍ୱର ତା’ର ସାଙ୍ଗମାନଙ୍କ ସହ ବେଶୀ ବିଶ୍ୱସ୍ତ । ତା\’ର ସାଙ୍ଗର ଲାଇଟ୍ ବ୍ୟାଣ୍ଡ ପାର୍ଟିରେ ଗୀତଗାଏ । ବାହାଘର ବରଯାତ୍ରୀ ସହ ସେ ଯାଏ ଗୀତ ଗାଇଗାଇ । ଖୁବ୍ ଭଲ ଗୀତ ଗାଏ ବୋଲି ସଭିଏଁ କହନ୍ତି । ତା’ର ନିଜସ୍ୱ ସ୍ୱପ୍ନ ତା’ କଣ୍ଠର ଗୀତଟିଏ କ୍ୟାସେଟ୍ ହେଉ… । ମାତ୍ର ସବୁ ସପନକୁ ରାତି କାହିଁ!!
ଯେବେ ବାହାଘର ଋତୁ ଥାଏ ରିକ୍ସାଟଣା ସଂଧ୍ୟାପୂର୍ବରୁ ସାରିଦିଏ । ଗୀତ ଅଭ୍ୟାସ କରେ । ମହମଦ୍ ରଫି, କିଶୋରକୁମାର କୁମାରସାନୁ, ସୋନୁ ନିଗମ ଆଦିଙ୍କର ଗୀତକୁ ପୁରା କପିକରି ଗାଇପାରେ । ଜଣାପଡ଼େନି ତା’ ଆଉ କେହି ଗାଉଛି ବୋଲି । ଗୀତ ଗାଇଲା ବେଳେ ସେ ଭୁଲିଯାଏ ନିଜକୁ, ନିଜର ଅସ୍ତିତ୍ୱ ବିଷୟରେ, ଗୀତ ତା’ର ପ୍ରାଣ ହୋଇଯାଏ । ସେ ଗୀତ ଭିତରେ ହଜିଯାଏ ଗୀତ ଗାଇଗାଇ କଣ୍ଠ ପଡ଼ିଯାଏ ମାତ୍ର ସେ ବିଭୋର ହେଉଥାଏ ଖୁସିରେ ଉଚ୍ଛୁଳି ପଡ଼ି । ମନେପଡ଼େ ତା’ର ସେଦିନ ଯେଉଁଦିନ ଗାଁ ଛାଡ଼ିବାକୁ ପଡ଼ିଥିଲା ସମସ୍ତଙ୍କୁ । କେଉ ଦୁଃଖରେ ନୁହେଁ ବାଧ୍ୟରେ । ବାପାର କ୍ରମବର୍ଦ୍ଦିଷ୍ଣୁ ନିଶାପାଣି ପୁରା ପରିବାରକୁ ହତାଶ କରିଦେଇଥିଲା । ଦାଦାଠାରୁ ଆରମ୍ଭ କରି ଗାଁର ଯେ କେହି ବାପାକୁ ତା’ର ପିଟୁଥିଲେ । ବାପା ପ୍ରତିଦିନ ମଦ ପିଇ ମାତାଲ୍ ହୋଇ କଳିଝଗଡ଼ା କରୁଥିଲା ସଭିଙ୍କ ସହ । ପ୍ରତିଦିନ ଗୋଟେ ତ୍ରସ୍ତ ଅପେକ୍ଷା ଓ ଭୟ, ବୋଉ ଓ ସାନ ଭଉଣୀଙ୍କୁ ଆତଙ୍କିତ କରୁଥିଲା । କ\’ଣ କରିବେ । ଈଶ୍ୱର ଥିଲା ଯାଏ ଗୋଟେ ଆଶ୍ରା ଥିଲା।
ସେ କଟକ ପଳାଇ ଆସିବା ପରେ ସାହସ ଯୁଟାଇ ପାରିନଥିଲେ ବାପାକୁ ସମ୍ଭାଳିବାକୁ । ଦାଦା ଓ ତାଙ୍କ ପୁଅ ଠାରୁ ଖୁଡ଼ୀମାନଙ୍କର ଦେଖାଇ ସେଖାଇ କହିବାକୁ ବୋଉ ତା\’ର ସହିପାରୁ ନଥିଲା । ପ୍ରତ୍ୟେହ କଳିଝଗଡ଼ାରେ ଆକ୍ତାମାକ୍ତା ସାନଭଉଣୀ କାନ୍ଦିକାନ୍ଦି କହିଥିଲା ଈଶ୍ୱର ଆଗରେ ପ୍ରାର୍ଥନା କଲାପରି – ଭାଇ ଆମକୁ ଏଠୁ ନେଇଯା… ସତକୁ ସତ ଈଶ୍ୱର ସମସ୍ତଙ୍କୁ ନେଇ ଆସିଲା କଟକ । ବାପାକୁ ରିହାବ୍ ସେଣ୍ଟର ପଠାଇଲା । ସେ ମାତ୍ର ଦଶଦିନରୁ ବାରଦିନ ରହେ ସ୍ଥିର ତା’ପରେ ଯେଉଁ କଥାକୁ ସେଇ କଥା । ଧିରେଧିରେ ଏଠି ଗୁରୁତ୍ୱ ଦେବା ବନ୍ଦ କରିଦେଲେ ସେ ଘଟଣାମାନଙ୍କୁ, ଯାହା ସେମାନଙ୍କୁ ବ୍ୟଥିତ କରୁଥିଲା । ବୋଉକୁ ତା’ର କୌଶଳ ଜଣାଥିଲା, ବାପାର ପକେଟ୍ରୁ ଟଙ୍କା କାଢ଼ିରଖିଦିଏ କହେ, କିଏ କାଢ଼ି ନେଲା । ବାପାଙ୍କୁ ତା’ର ଜଣାଥାଏ ନିଶାରେ ଥିଲେ ମଧ୍ୟ ମାତ୍ର ସୁଖପାଇଲା ପରି ହସିହସି ଈଶ୍ୱର ଆଗରେ ଫେରାଦ କରେ – – ଦେଖ ଦେଖ ତୋ’ ବୋଉର କାରସାଦିକୁ । ଶଳା ମୋ’ ପକେଟ୍ରୁ ଟଙ୍କା କାଢ଼ି ନେଉଛି ମୁଁ ମଦ ପିଉଛି ବୋଲି । କଉଚି କ’ଣନା ଆଉ କିଏ କାଢ଼ିନେଲା… ମୁଁ କ’ଣ ବୁଡ଼୍ବକ୍… ହାଁ… ନାଇନାଇ ତୁ କହ । ତୁ ତ ମୋ’ ବାପା, ତୁ କହ, ତୋ’ ବୋଉ ଯାହା କରୁଛି କ’ଣ ଠିକ୍ କରୁଛି??
ଈଶ୍ୱର ହସେ ନିରୁତା ହସ । ସବ୍ଜାନତା ମଣିଷ ରୂପି ତା’ ବାପା ଯେ ଜୀବନକୁ ବୁଝିନି ଆଜିଯାଏ ସଠିକ୍ କରି ଜୀବନ ଉପାନ୍ତରେ ମଧ୍ୟ । ଈଶ୍ୱର ବେଶୀ ପାଠ ପଢ଼ିନଥିଲା ମାତ୍ର ସେ ଅନେକ ଜିନିଷକୁ ବୁଝିପାରେ । ସେ ଅନ୍ୟମାନଙ୍କ କଥାରେ ବିଶ୍ୱାସ କରି କାହା ଦ୍ୱାରା ପ୍ରଭାବିତ ହୁଏନି । ତାକୁ କାହା ନା’ରେ ଖରାପ କଥା ହେବାକୁ ଭଲଲାଗେନି । ସେ ଓଲଟା ରାଗେ ତା’ ବୋଉ ଉପରେ କାହା ନାଁ’ରେ ଗପିଲେ । ବୋଉ ଚିଡ଼େ – “କହେ ସବୁ ତ ଭଲ । ସମସ୍ତେ ଭଲ । କେବଳ ମୁଁଇ ଲୋକଟା ଖରାପ ନୁହେଁ?? ବାଃ ବାରେ ପୁଅ… ତୁ ମୋରି ମୁହଁଟା ଖାଲି ଚୋପ୍କରି ଶିଖିଛୁ…
ଯା’…” ଈଶ୍ୱର ସମ୍ଭାଳି ନେଇଛି ତା’ର ଛୋଟ ପରିବାରକୁ । ସବୁ ବୋଝକୁ ନିଜକୁ କାନ୍ଧକୁ ନେଇ ନିଜେ ବୟସ୍କ ପାଲଟିଯାଇଛି ଦାୟିତ୍ୱ ବୋଧରେ । ପାର୍ବଣ ସନ୍ଧ୍ୟା ଥିଲା!! କନକ ଆକାଶରେ ପାର୍ବଣର ଋତୁର ଥାଏ ଭିନ୍ନ ମହକ । ଚାରିଆଡ଼େ ସାଜସଜ୍ଜା, ଲୁଗାପଟା କିଣା, ଉତ୍ସାହ, ଉଦ୍ଦିପନା, ଭାଇଚାରା… କୋଳାହଳ ଭିତରେ ଆସନ୍ତି ମା’ ଦୁର୍ଗା । ଚାନ୍ଦି ଆଉ ସୁନାରେ ଅପରୂପା ହୋଇ । ଶରତର କାଶତଣ୍ଡି ଗହଳ ମହାନଦୀ ଆଉ କାଠଯୋଡ଼ିର ପିଠାରେ… ଈଶ୍ୱର । ବିଭୋର ହୋଇଯାଏ ସେଇ ରାସ୍ତା ଦେଇ ରିକ୍ସାରେ ଗରାଖ ନେଇ ଗଲାବେଳେ । ସେ ବାସ୍ନାହୀନ କାଶତଣ୍ଡିରୁ ମହମହ ବାସ୍ନା ଆଘ୍ରାଣ କରିପାରେ । ତାକୁ ଲାଗେ ସତେକି ଧରିତ୍ରୀମାତା ଚାନ୍ଦିର ଅଳଙ୍କାର ମଣ୍ଡିତ ଏଇ ବିତର୍କିତ ଅପରାହ୍ନରେ ଶରତର କାଶତଣ୍ଡି ଆଃ! କି ଚମତ୍କାର… ସେ ଗୀତଗାଏ “ରୂପା ଶଗଡ଼ିରେ ସୁନାକନିଆ… ରୂପାଜହ୍ନ ପରି… ତା\’ର ଗ୍ରହକ ଖୁସିରେ ତା’ ହାତରେ ଦଶ ପଚାଶ ଗୁଞ୍ଜି ମଧ୍ୟ ଦିଅନ୍ତି । ଖୁସିରେ ଗଦ୍ଗଦ୍ ହୋଇଉଠେ
ଈଶ୍ୱର ଯଦି କେବେ କିଏ ତା’ର ଗୀତର ପ୍ରଶଂସା କରେ । ଗୁଣ କେବଳ ଗୁଣିଆ ଚିହ୍ନେ ।
– “ଗୀତ କେହି ଗାଆନ୍ତି?? କେଉଠୁ ଶିଖିଚ??” ଯେ କହିଥିଲା ପ୍ରଥମ କରି ସେ ଅଦିତି ମିଶ୍ର ହିଁ ଥିଲା । ଛଅଫୁଟ ପାଖାପାଖି ଖୁବ୍ ଲମ୍ବା ଝିଅ । ଯାହାର ଚୁଟି ଗୁଡ଼ାକ କଟାଥିଲା ପୁଅପିଲାଙ୍କ ପରି ନାକରେ ବଡ଼ ସୁନାର ତାରକଷିକାମ ବାଲା ନାକଫୁଲ ବେଶ୍ ଚମତ୍କାର ଦିଶୁଥିଲା । ସେ ହାତରେ ଗୋଟେ ଖାତା ଧରିଥିଲା । କାନ୍ଧରେ ଖଣ୍ଡେ ସୂତାବ୍ୟାଗ୍ ମଧ୍ୟ ଓହଳାଇଥିଲା । ସେ ସଂଭବତଃ ଚିତ୍ର ଆଙ୍କୁଥିଲା ।
Comments are closed.