ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୨
ନାଜେମ ।
ଏହା ଗୋଟିଏ ଶ୍ରଦ୍ଧା ନାମ। କହିବାକୁ ଗଲେ ଆମ ପୃଥିବୀର ଏକ ପ୍ରଜାତି ବିଶେଷ ହିସାବରେ ଏହା ହେଉଛି ପ୍ରଥମ ତଥା ଇତିହାସ ଦୃଷ୍ଟିରୁ ପ୍ରଥମ ପ୍ରାମାଣିକ ବ୍ୟକ୍ତିଗତ ଶ୍ରଦ୍ଧା ନାମ ।
ସେ ସମୟର ଅର୍ଥାତ୍ ଆଜକୁ ପ୍ରାୟ ସାଢେ ତିନି ହଜାର ବର୍ଷରୁ ଅଧିକ କାଳ ତଳର ପ୍ରଚଳିତ ଭାଷା ଅନୁସାରେ ନାଜେମର ଦୁଇଟି ଅର୍ଥ, ସେଥିରୁ ଗୋଟିଏ ହେଉଛି “ପ୍ରିୟ” ଆଉ ଆରଟି ହେଉଛି “ତାରା”। ଯେ କୌଣସି ଶ୍ରଦ୍ଧା ନାମରେ ଏଇ ଦୁଇଟି କଥା ସାଧାରଣତଃ ରହିଥାଏ । ନାମଟି ଯେହେତୁ ଶ୍ରଦ୍ଧାରେ ରଖାଯାଇଛି ତେଣୁ ଏହି ନାମ ସଂଲଗ୍ନ ଚରିତ୍ରଟି ସବୁବେଳେ ପ୍ରିୟବାଚକ ହେବା ସ୍ୱାଭାବିକ । ସେହି ପରି ଆମେ ଯାହାକୁ ଶ୍ରଦ୍ଧାରେ ଗୋଟିଏ ନାମ ବିଧାନ କରି ଡାକିଥାଆନ୍ତି ସେ ଅସଲରେ ଆମର ଆଖିର ତାରା ସଦୃଶ ଆଉ ଆମେ ତାହାକୁ ଲୋଡିଥାଉ ।
ନାଜେମ ବୋଲି ଶ୍ରଦ୍ଧାରେ ସେହି ପ୍ରଜାତିରୁ ଜଣକୁ ଡାକିବା କଥାରୁ ଅନ୍ତତଃ ପ୍ରଥମେ ଆମକୁ ଏତିକି ପରିଷ୍କାର ଭାବରେ ଜଣାପଡିବ ଯେ ସେହି ପ୍ରଜାତି ବିଶେଷ ମଣିଷର ଆଖପାଖରେ ବେଶ୍ ଭଲଭାବରେ ରହୁଥିଲା । ବେଶ୍ ପରିଚିତ ଥିଲା । ପରିଚିତ ଆଉ ପ୍ରିୟ ହୋଇନଥିଲେ ଜଣେ ଆଉ ଜଣକୁ ଏମିତି ଶ୍ରଦ୍ଧା ନାମରେ ଡାକିବା ଭଳି ଏମିତି ଶ୍ରଦ୍ଧା କରିବ କାହିଁକି ?
ଘଟଣାକୁ ଅଧିକ ରହସ୍ୟମୟ ନକରି ଏବେ କୁହାଯାଉ ଯେ, ନାଜେମ୍ ହେଉଛି ଗୋଟିଏ ପୁଷିର ଡାକ ନାମ । ଗୋଟିଏ ପୁଷିକୁ ଜଣକ ଦ୍ୱାରା ଏମିତି ନାଜେମ ବୋଲି ଗୋଟିଏ ନାମରେ ଚିହ୍ନିତ କରାଯିବା,ଯାହା ଟିକିଏ ଆଗରୁ କୁହାଯାଇଛି, ତାହା ହେଉଛି ପ୍ରାମାଣିକ ଭାବରେ ପ୍ରଥମ । ସାଢେ ତିନି ହଜାର ବର୍ଷ ତଳେ ଗୋଟିଏ ପୁଷି ସର୍ବପ୍ରଥମେ ନିଜକୁ ଏମିତି ଗୋଟିଏ ନାଆଁରେ ଡକାଯାଇଛି ବୋଲି ଶୁଣିଥିଲା ।
ଇତିହାସ ସମ୍ମତ ଭାବରେ କୁହାଯାଇଛି ଯେ ପୁଷିମାନେ ସର୍ବ ପ୍ରଥମେ ମିଶରୀୟ ସଭ୍ୟତାରେ ଗୃହପାଳିତ ଜୀବ ଆକାରରେ ଦେଖାଯାଇଥିଲେ । ଏମାନେ କହିବାକୁ ଗଲେ ଆଫ୍ରିକୀୟ ବ୍ୟାଘ୍ର ପ୍ରଜାତିର ଏକ ବିବର୍ତ୍ତନ । ବିଜ୍ଞାନର ଭାଷାରେ ପୁଷିର ନାଆଁ ହେଉଛି,”ଫେଲିସ୍ ସିଲଭେସ୍ତ୍ରିସ୍ ଲିବିକା” । ମିଶରୀୟ ସଭ୍ୟତାରେ କୃଷକ ତାହାର ଅନେକ ପରିଶ୍ରମ ପରେ ଉତ୍ପାଦିତ ଶସ୍ୟକୁ ସଂଗ୍ରହ କରି ସଂରକ୍ଷିତ କରି ରଖିବା ବେଳେ କେତେଗୁଡିଏ ସମସ୍ୟାର ସମ୍ମୁଖୀନ ହେଉଥିଲା । ସେଥିଭିତରୁ ଯାହା ତାହାର ପ୍ରମୁଖ ସମସ୍ୟା ଥିଲା ତାହା ହେଉଛି, ତାହାର ଏତେ ପରିଶ୍ରଲବ୍ଧ ଉପଜକୁ ମୂଷାମାନେ ଖାଇଯାଉଥିଲେ । ମୂଷାମାନଙ୍କ କବଳରୁ ଖାଦ୍ୟକୁ ଅଧିକ ସମୟ ସୁରକ୍ଷିତ କରି ଏକ ସଞ୍ଚୟ ଆକାରରେ ରଖିବା ତାହା ପାଇଁ କଷ୍ଟକର ହୋଇପଡୁଥିଲା । ସେତିକିବେଳେ ସେ ଦେଖିଲା ଏଇ ଭଳି ପୁଷି ପ୍ରଜାତିର କିଛି ଜୀବ ହଠାତ୍ କେଉଁଠୁ ଦେବତା ଭଳି ଆବିର୍ଭାବ ହୋଇ ତାହାର ସଂଚିତ ଖାଦ୍ୟଶସ୍ୟକୁ ମୂଷାମାନଙ୍କ କବଳରୁ ରକ୍ଷା କରୁଛନ୍ତି । ସେମାନେ ମୂଷାମାନଙ୍କୁ ମାରି ଖାଇଦେଉଛନ୍ତି । ତେଣୁ ମିଶରୀୟ ସଭ୍ୟତା ର କୃଷକ ନିଜର ଗୃହରେ ତଥା ତାହାର ଶସ୍ୟାଗାରର ପରିସରରେ ଏହି ପୁଷି ପ୍ରଜାତିର ଉପସ୍ଥିତି ଅଧିକରୁ ଅଧିକ କାମନା କରୁଥିଲା । ତେଣୁ ସେହି ଅଂଚଳରେ ନିଜର ସଂଚିତ ଖାଦ୍ୟକୁ ସୁରକ୍ଷିତ କରି ରଖିବା ପାଇଁ ସେମାନେ ପୁଷିକୁ ଗୃହପାଳିତ କରି ରଖିବାକୁ ଆଗ୍ରହୀ ହୋଇଥିଲେ ।
ପୁଷିକୁ ଏକ ଗୃହପାଳିତ ପ୍ରଜାତି ଆକାରରେ କିନ୍ତୁ ସର୍ବପ୍ରଥମେ ପ୍ରାମାଣିକ ଭାବରେ ଆବିଷ୍କାର କରିଛନ୍ତି ଫରାସୀ ପ୍ରତ୍ନତତ୍ତ୍ୱବିତ୍ ମାନେ । ସେମାନେ ସାଇପ୍ରସ୍ ଦ୍ୱୀପରେ ଗୋଟିଏ କବରର ସନ୍ଧାନ ପାଇଛନ୍ତି । ସେହି କବରରେ ନିଜର ପ୍ରଭୁଙ୍କ ସହ ଏକାଠି ଶାୟିତ ହୋଇଛି ଗୋଟିଏ ପୁଷି । ଏହି କବରର ସମୟକାଳ ହେଉଛି ଖ୍ରୀପୂ ୧୧୫୦୦ ଅର୍ଥାତ୍ ଆଜକୁ ପ୍ରାୟ ସାଢେ ନଅ ହଜାର ବର୍ଷ ତଳର କଥା । ଗୋଟିଏ କବରରେ ଏକାଠି ମଣିଷ ଏବଂ ପୁଷି କୁ ଦେଖାଯିବା ଭଳି ଘଟଣାରୁ ପୁଷି ସେତେବେଳେ ଗୃହପାଳିତ ଥିବା କଥା ସ୍ପଷ୍ଟ ।
ସେ ଯାହାହେଉ ମିଶରୀୟ ସଭ୍ୟତାରେ ପୁଷି ଗୃହପାଳିତ ଜୀବ ହୋଇ ଉଠିବା ଭଳି ଘଟଣା ପଛରେ ନିଜର ଖାଦ୍ୟ ସଂଚୟକୁ ସୁରକ୍ଷିତ କରି ରଖିବା ପ୍ରମୁଖ କାରଣ ଆକାର ରହିଥିଲା ଏବଂ ଖାସ୍ ଏଇଥି ପାଇଁ ମିଶରୀୟମାନେ ପୁଷି ପ୍ରତି ସବୁବେଳେ ନିଜର କୃତଜ୍ଞତାବୋଧକୁ ପ୍ରକାଶ କରୁଥିଲେ । ପୁଷି ପ୍ରତି ସେମାନଙ୍କର କୃତଜ୍ଞତା ବୋଧ କେବଳ ସେମାନଙ୍କର ଗୃହାଙ୍ଗନରେ ପରିଦୃଶ୍ୟ ହେଉଥିଲା ଏକଥା ନୁହଁ । ଏହା ସେମାନଙ୍କର ଗୃହାଙ୍ଗନରୁ ସେମାନଙ୍କର ସଂସ୍କୃତିକୁ ବିସ୍ତାରିତ ହୋଇଯାଇଥିଲା । ସେମାନେ ସେତେବେଳେ କହିବାକୁ ଗଲେ ଦୁଇଜଣ ମାର୍ଜାର-ଦେବୀଙ୍କୁ ଆରାଧନା କରୁଥିଲେ । ସେଥିରୁ ଜଣେ ହେଉଛନ୍ତି ଅତ୍ୟନ୍ତ ଦୟାବତୀ ଆଉ ଆର ଜଣକ ଅତ୍ୟନ୍ତ କୁଟିଳା । ଏହି ଦୁଇ ମାର୍ଜାର-ଦେବୀଙ୍କର ସେଇ ଆରାଧନା ଅତ୍ୟନ୍ତ ନିଷ୍ଠାପର ଏବଂ ମହାଆଡ଼ମ୍ବର ରେ ପାଳିତ ହୋଇ ଆସିଥିଲା । ମିଶରୀୟ ସଭ୍ୟତାରେ ସେହି ଦୁଇ ପ୍ରମୁଖ ମାର୍ଜାର-ଦେବୀ ହେଉଛନ୍ତି ଦେବୀ “ବାସ୍ତ” ଯିଏ ଅତ୍ୟନ୍ତ ଦୟାଶୀଳା ଏବଂ ଆର ଜଣକ “ସେଖମତ୍” ଯିଏ ଅତ୍ୟନ୍ତ ନିଷ୍ଠୁର ପ୍ରକୃତିସଂପର୍ଣ୍ଣା । ମିଶରୀୟ ମାନେ ସେତେବେଳେ ବିଶ୍ୱାସ କରୁଥିଲେ ସେମାନେ ଆଖପାଖରେ ଯେତେ ପୁଷି ଦେଖାଯାଉଛନ୍ତି ସେମାନେ ଏହି ପ୍ରବଳପ୍ରତାପୀ ମାର୍ଜାର-ଦେବୀ ବାସ୍ତ ଏବଂ ସେଖମତ୍ ଙ୍କ ଅନୁଚର । ଦେବୀଙ୍କ ନିର୍ଦ୍ଦେଶମତେ ସେମାନେ ମଣିଷକୁ ସହାୟ ହେବାପାଇଁ ଏଠାରେ ଉପସ୍ଥିତ ହୋଇଛନ୍ତି । ମାର୍ଜାର-ଦେବୀଙ୍କ ଖାସ୍ ଅନୁଚର ହୋଇଥିବା କାରଣରୁ ସେମାନେ ଏହି ମାର୍ଜାର-ପ୍ରଜାତି ପ୍ରତି ଅତ୍ୟନ୍ତ ଶ୍ରଦ୍ଧା ଆଉ ପବିତ୍ର ଦୃଷ୍ଟିରେ ସମ୍ମାନ ପୋଷଣ କରୁଥିଲେ । ସେମାନଙ୍କ ପୁଷିକୁ ହତ୍ୟା କରିବା ନିଷିଦ୍ଧ ଥିଲା । ଯଦି ଦୁର୍ଘଟଣାବଶତଃ କେଉଁଠି ଗୋଟିଏ ପୁଷି ମରିବା ଭଳି ଘଟଣା ଘଟୁଥିଲା ତେବେ ଏହି ଦୁର୍ଘଟଣାର କାରଣ ଯେଉଁ ଲୋକଟି ହୋଇଥାଏ ତାହାକୁ ଅନ୍ୟ ମାନେ ପିଟିପିଟି ମାରିଦେବାଭଳି କଥା ଦେଖାଯାଇଛି । ତେଣୁ ମିଶରୀୟ ସଭ୍ୟତା ରେ ପୁଷିମାନଙ୍କୁ ଯଥାସମ୍ଭବ ଗୃହପାଳିତ କରି ରଖିବା ଭଳି ପ୍ରୟାସ କରାଯାଉଥିଲା । ଗୃହପାଳିତ ଜୀବ ଆକାର ରେ ରହିଥିବା ବେଳେ ସେମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ପୁଷି ର ନାକ ଆଉ କାନରେ ସୁନ୍ଦର ସୁନ୍ଦର ଗହଣା ପିନ୍ଧାଉଥିଲେ ,ବେକରେ ଦାମିକା ବହୁମୂଲ୍ୟର ପଟି ବାନ୍ଧୁଥିଲେ । ସେସମୟର ଗୋଟିଏ ପ୍ରଚଳନରୁ ପୁଷି ଆଉ ମଣିଷର ସଂପର୍କର ନିବିଡତାକୁ ବୁଝାଯାଇପାରେ । ଯଦି ଗୋଟିଏ ଗୃହପାଳିତ ପୁଷିର ମୃତ୍ୟୁ ହେଉଥିଲା ତେବେ ଏହାର ଶୋକପାଳନ ଉଦ୍ଦେଶ୍ୟରେ ଗୃହପ୍ରଭୂ ନିଜର ଆଖି ଉପର ଭ୍ରୂଲତାକୁ ଖିଅର କରି ପରିଷ୍କାର କରିଦେଉଥିଲା । ଏହା ଛଡା ମିଶରୀୟ ସଭ୍ୟତାରେ ପୁଷି ମାନଙ୍କୁ ପ୍ରଚୁର ପରିମାଣରେ “ମମି” ଆକାରରେ ସଂରକ୍ଷିତ କରାଯାଇଛି ଏବଂ ସେମାନଙ୍କୁ ମହାସମାରୋହରେ ଭୂସମାହିତ କରାଯାଇଛି।
ଏହି ଭଳି ପୁଷିମାନଙ୍କୁ ନେଇ ବିପୁଳ ଆୟୋଜନ ଭିତରେ କୌଣସି ପୁଷିର କେଉଁଠି ବ୍ୟକ୍ତିଗତ ଉଲ୍ଲେଖର ସେମିତି ସୂଚନା ମିଳେନାହିଁ । ମିଶରୀୟମାନେ ପୁଷି ପ୍ରଜାତି ଯେଉଁ ସର୍ବନାମରେ ଡାକୁଥିଲେ ତାହା ହେଉଛି, “ମାଉ” । ମାଉ ବୋଲି ଏମିତି ସେମାନଙ୍କୁ ଡକାଯାଉଥିବା ପଛର କାରଣ ସମସ୍ତ ପାଇଁ ସହଜ,ମାଉ ଅର୍ଥାତ୍ ଯିଏ ମିଆଁଉ କରିଥାଏ ।
ଯେଉଁ ପୁଷିକୁ ନାଜେମ୍ ବୋଲି ଡକାଯାଉଥିଲା ସେ ହେଉଛି ମିଶରର ଶାସକ ଫାରୋହ ତୁତମସ୍ ତୃତୀୟ (୧୪୭୯ -୧୪୨୫ ଖ୍ରୀପୂ)ସମୟର ଗୋଟିଏ ପୁଷି । ଫାରୋହ ତୁତମସ୍ ତୃତୀୟ ଙ୍କର ଜଣେ ପରିଚାରକର ସମାଧିଗୃହରୁ ଏହି ଉଲ୍ଲେଖ ଟି ମିଳିଛି । ଫାରୋହ ଙ୍କର ସେହି ପରିଚାରକ ର ନାଆଁ ହେଉଛି, ପୁଇମର । ପୁଇମର୍ ର ସମାଧି ର ଭିତର କାନ୍ଥରେ ଉଲ୍ଲେଖ ରହିଛି ଯେ ସେ ତାହାର ପୁଷି ନାଜେମ୍ କୁ ଅତ୍ୟନ୍ତ ଭଲ ପାଉଥିଲା । ଏବଂ ଏପରି ଏଇ ଉଲ୍ଲେଖ ହିଁ ନାଜେମ୍ କୁ ପୃଥିବୀପୃଷ୍ଟରେ ଏକ ବିଖ୍ୟାତ ପୁଷି ହିସାବରେ ସବୁଦିନ ପାଇଁ ରଖିଦେଇଛି।
ନାଜେମ ଭଳି ଆଉ ଗୋଟିଏ ପୁଷିର ନାଆଁ ଆମର ସ୍ମରଣରେ ରହିଥାଉ । ସେହି ପୁଷି ନାମଟି ହେଉଛି ମୁଏଜା ।
ମୁଏଜା ତାଙ୍କର ଅତ୍ୟନ୍ତ ପ୍ରିୟ ଥିଲା ।
ଅନେକ ସମୟରେ ନିଜର ଅନୁଗତ ମାନଙ୍କୁ ପ୍ରବଚନ ଦେଲା ବେଳେ ତାଙ୍କର କୋଳରେ ନିଶ୍ଚିନ୍ତ ଶୋଇଥାଏ ସେ । ଏମିତି କି ଦିନେ ସେ ଯେତେବେଳେ ନିଜର ପ୍ରବଚନ ଦେବାପାଇଁ ବାହାରନ୍ତି ସେ ଦେଖନ୍ତି ତାଙ୍କର ପୋଷାକ ର ଗୋଟିଏ ହାତ ଉପରେ ବେଶ୍ ଆରାମ ରେ କୁଣ୍ଡଳିମାରି ଶୋଇଛି ମୁଏଜା । ସେ ମୁଏଜା ନିଦ ଯେମିତି ନଭାଙ୍ଗିବ ସେମିତି ଅତି ସନ୍ତର୍ପଣରେ ନିଜର ସେହି ପୋଷାକକୁ ମୁଏଜା ଶୋଇଥିବା ହାତ ଅଂଶକୁ କାଟି ଦେଇ ଅବଶିଷ୍ଟ ପୋଷାକ କୁ ପିନ୍ଧି ବାହାରକୁ ଯାଇଥିଲେ ସେଦିନ ।
ମୁଏଜା ତାଙ୍କର ଅତ୍ୟନ୍ତ ପ୍ରିୟ ଥିଲା ।
ସେ ପୟଗମ୍ବର । ପୟଗମ୍ବର ମହମ୍ମଦ ।
Comments are closed.