Latest Odisha News

ସ୍ୱଳ୍ପ ଗଳ୍ପ : ଏମିତି ଏକ ଯୁଦ୍ଧ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୭ 

 

ଏହି ଯୁଦ୍ଧ ଟି ସମ୍ପର୍କରେ ତେଣୁ କେବଳ ଗୋଟିଏ ବାକ୍ୟ କହିଲେ ଯଥେଷ୍ଟ ହେବ । ଏହି ଯୁଦ୍ଧଟି ପୃଥିବୀରେ ସ୍ୱାଭାବିକ ଭାବରେ ସଞ୍ଚାଳିତ ହୋଇଥିବା ସବୁଠାରୁ ଅସ୍ୱାଭାବିକ ଯୁଦ୍ଧ ।

୧୯୩୨ ମସିହା ନଭେମ୍ବର ମାସ ର ୨ ତାରିଖଠାରୁ ଆରମ୍ଭ ହୋଇଥିବା ଏଇ ଯୁଦ୍ଧଟି ପୃଥିବୀର ଯୁଦ୍ଧ ଇତିହାସରେ ସେମିତି ସ୍ମରଣୀୟ ଯୁଦ୍ଧ ହିସାବରେ ଉଲ୍ଲେଖ ତଥା ପ୍ରତିଷ୍ଠା ଅର୍ଜନ କରି ନଥିଲେ ବି ଏଥିରେ ନିହିତ ଥିବା ବୈଚିତ୍ର୍ୟ କଦାପି ବିସ୍ମରଣ ହେବନାହିଁ ।

ପ୍ରାୟ ଗୋଟିଏ ସପ୍ତାହ ଧରି ଚାଲିଥିବା ଏହି ଯୁଦ୍ଧର କାହାଣୀଟି ଆମେ ଜାଣିଥିବା ଅନ୍ୟ ସମସ୍ତ ଯୁଦ୍ଧ କାହାଣୀ ଭଳି ରଚିତ ହୋଇନାହିଁ। ପୃଥିବୀର ଅନ୍ୟ ସମସ୍ତ ଯୁଦ୍ଧ କଥା ବିଜୟୀମାନଙ୍କଦ୍ୱାରା ରଚିତ ହୋଇଥିଲେ ହେଁ ଏଇ ବିଶେଷ ଯୁଦ୍ଧର ବିବରଣୀ ପରାଜିତମାନଙ୍କ ଦ୍ଵାରା ହିଁ ଲିପିବଦ୍ଧ କରି ରଖାଯାଇଛି । କହିବା କଥା ହେଉଛି ଏଇଠି ଏଇ ଯୁଦ୍ଧରେ ଯେଉଁମାନେ ବିଜୟୀ ସେମାନେ ଆଉ ଯାହା ହେଉ ପଛକେ କଦାପି ଦିଧାଡି ଲେଖିପାରିବେ ନାହିଁ । ଦୁଃଖର କଥା ସେମାନଙ୍କର ଅକ୍ଷର ଜ୍ଞାନ ନାହିଁ ।

ଏହି ଯୁଦ୍ଧର ଯେଉଁମାନେ ବିଜୟୀ ଯଦି ସେମାନଙ୍କ ଭଳି ପ୍ରଜାତିର ଅକ୍ଷରବୋଧ ରହି ଥାଆନ୍ତା ତାହାହେଲେ ଏହି ବ୍ୟାପ୍ତ ଚରାଚର, ସୁଦୂର ଦିଗବଳୟ,ଅନନ୍ତ ଆକାଶ ର ପ୍ରତ୍ୟକ୍ଷ ମନୋହର ବୃତ୍ତାନ୍ତ ଆମ ସାମ୍ନାରେ ନିଶ୍ଚୟ ରହିଥାଆନ୍ତା । ସେ ଦୃଷ୍ଟିରୁ ଦେଖିଲେ ସେମାନଙ୍କର ଅକ୍ଷରବୋଧ ନଥିବା ବସ୍ତୁତଃ ଆମର ସାହିତ୍ୟ ପ୍ରତି ଅପରିସୀମ କ୍ଷତି ,ଏକଥାକୁ ଭାବି ବସିଲେ ଆଜି କୌଣସି ଲାଭ ନାହିଁ । ସେଥିପାଇଁ ପରମାତ୍ମାଙ୍କ ସହ ଯେଉଁ ଜବାଲସୁଆଲ୍ କରିବାର ଥିଲା ତାହାର ସମୟ ବେଶ୍ ଅନେକ କାଳରୁ ଅନ୍ତର୍ହିତ ହୋଇ ସାରିଛି ।

ସେ ଯାହାହେଉ ୧୯୩୨ ସାଲ ର ନଭେମ୍ବର ୨ ତାରିଖଠାରୁ ଆରମ୍ଭ ହୋଇଥିବା ସେଦିନର ସେଇ ଯୁଦ୍ଧର ବିବରଣୀ ସେହି ଯୁଦ୍ଧର ବିଜୟୀମାନଙ୍କ ଦ୍ୱାରା ଲେଖା ହୋଇଥିଲେ ଯେ ଅଧିକ କିଛି ଗୌରବାବହ ଭିନ୍ନ ଉପାଦାନ ଆମକୁ ମିଳିଥାନ୍ତା ଏକଥା ନୁହଁ । ଏଇ ପ୍ରସଙ୍ଗଟି ଏଇଥିପାଇଁ ଉଠୁଛି,କାରଣ,ଆମେ ସବୁବେଳେ ମନେକରୁ ଯେ ,ସବୁ ଯୁଦ୍ଧ ବା ଇତିହାସ ବିଜୟୀ ମାନଙ୍କ ଦ୍ୱାରା ରଚିତ। ଯଦି ଯୁଦ୍ଧରେ ପରାଜିତ ମାନଙ୍କ ଦ୍ୱାରା ଏହା ରଚନା କରାଯାଇଥାନ୍ତା ତେବେ ଏହା ନିଶ୍ଚୟ ଭିନ୍ନ ପ୍ରକାରର ହୋଇଥାଆନ୍ତା । ତେଣୁ ସାଧାରଣତଃ କୁହାଯାଏ,ଶିକାରୀ ବଦଳରେ ଯଦି ବାଘକର୍ତ୍ତୃକ ଇତିହାସ ବା ଯୁଦ୍ଧ ର ଲେଖନ ହୁଏ ତେବେ ତାହା ଆମେ ଯାହା ଜାଣିଛୁ ତାହାଠାରୁ ସ୍ୱତନ୍ତ୍ର ହେବ ନିଶ୍ଚୟ ।

ଏଇ ଯୁଦ୍ଧର ବିବରଣୀକୁ ବିଜୟୀ ଲେଖୁ କି ପରାଜିତ ଲେଖୁ ,ଏଥିରେ ଅଧିକ କିଛି କାହାର ଆତ୍ମପକ୍ଷରେ କହିବାର ନାହିଁ ।

ସେଦିନ ରାଷ୍ଟ୍ରର ପ୍ରତିପକ୍ଷରେ ଅର୍ଥାତ୍ ସେଦିନ ଯୁଦ୍ଧରେ ଯେଉଁ ଶତ୍ରୁସୈନ୍ୟ ଉପସ୍ଥିତ ଥିଲେ ସେମାନେ ଅତ୍ୟନ୍ତ ଦୁର୍ଦ୍ଦାନ୍ତ । ସଂଖ୍ୟାରେ ସେମାନେ ଯଥେଷ୍ଟ ଅଧିକ । ଏକ ଆନୁମାନିକ ହିସାବରେ ସେମାନଙ୍କ ସଂଖ୍ୟା ପ୍ରାୟତଃ କୋଡିଏ ହଜାରରୁ ଅଧିକ ଥିଲା । ସେମାନେ ବେଶ୍ ଦୀର୍ଘକାୟ ,ଉଚ୍ଚତାରେ ହାରାହାରି ଛଅ ଫୁଟରୁ ଅଧିକ । ଆଖିମାନ ସେମାନଙ୍କର ସବୁବେଳେ ଧୂସର ଲାଲ । ଦେଖିବାକୁ ବିକଟ, ଭୟଙ୍କର । ସେମାନେ କିନ୍ତୁ କୌଣସି ଅସ୍ତ୍ରଶସ୍ତ୍ର ଧରିବାକୁ କେବେ ଉଚିତ ମନେ କରନ୍ତି ନାହିଁ । ବାହାରର ଅସ୍ତ୍ରଶସ୍ତ୍ର ତାଙ୍କର ସବୁବେଳେ ଅପସନ୍ଦ । ତେଣୁ ଅସ୍ତ୍ରଶସ୍ତ୍ର କହିଲେ ସେମାନଙ୍କ ପାଖରେ କେବଳ ଗୋଟିଏ ପଦାର୍ଥ ରହିଥାଏ । ସେମାନଙ୍କ ପାଖରେ ଗୋପନରେ ଥାଏ କିଛି ଧାରୁଆ ନଖ । ଏକଦା ଛତ୍ରପତି ଶିବାଜୀ ମହାରାଜ ତାଙ୍କର ପ୍ରତିଦ୍ୱନ୍ଦୀ ଆଫଜଲ୍ ଖାଁକୁ ବାଘନଖୀ ବୋଲି ଏକ ଗୋପନ ଅସ୍ତ୍ରରେ ହତ୍ୟା କରିଥିବା ଭଳି ଏମାନେ ସବୁବେଳେ ଆବଶ୍ୟକ ପଡିଲେ ନିଜର ସେହି ଧାରୁଆ ଗୋପନ ନଖ ସଦୃଶ ଅସ୍ତ୍ର ରେ ନିଜର ଶତ୍ରୁ ଉପରେ ଆଘାତ କରିଥାନ୍ତି ।

ସେଦିନ ରାଷ୍ଟ୍ର ବିପକ୍ଷରେ ଉପସ୍ଥିତ ସେହି ବିଶାଳ ସୈନ୍ୟବାହିନୀ ଯଥେଷ୍ଟ ଆଗରୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥିଲା । ଏମିତି କହିଲେ ସେହି ବିଶେଷ ପ୍ରଜାତି ଭାରି ଯୁଦ୍ଧପ୍ରିୟ ,କହିବାକୁ ଗଲେ ସବୁବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି । ଆଉ ସବୁବେଳେ ସେମାନେ ନିଜର ଦେହକୁ ଆବୃତ କରି ରଖିଥାନ୍ତି ବେଶ୍ ମୋଟା ପକ୍ଷୀର ପରରେ ତିଆରି ଏକ ସୁରକ୍ଷା ଆବରଣର ପୋଷାକରେ ।

ଶତ୍ରୁପକ୍ଷର ଦୌରାତ୍ମରେ ଯେତେବେଳେ ସାଧାରଣ ଲୋକେ ଅତିଷ୍ଠ ହୋଇପଡିଲେ ସେତେବେଳେ ସେମାନେ ତାହାର ବିହିତ ପ୍ରତିକାର ପାଇଁ ରାଷ୍ଟ୍ର ନିକଟରେ ଫେରାଦ ହୋଇଥିଲେ । ଏପରି କରିବା ବ୍ୟତିତ ସେମାନଙ୍କର ଆଉ କୌଣସି ଉପାୟ ନଥିଲା ।

ସେମାନେ ନିଜର ଦେହରୁ ରକ୍ତନିଗାଡି ଯାହା ଯାହା ଶସ୍ୟ ଉତ୍ପାଦନ କରୁଥିଲେ ,ପକ୍ଷୀପର ର ସୁରକ୍ଷା ପୋଷାକ ପିନ୍ଧି ଏହି ଶତ୍ରୁଦଳ ତାହାକୁ ଘଡିକରେ ଲୁଣ୍ଠନ କରିନେଉଥିଲେ । ସେମାନଙ୍କର ଏହି ଅମାନୁଷିକ ତ ନିଶ୍ଚୟ , ଏହି ଅପରିଣାମଦର୍ଶୀ ଶସ୍ୟ-ଲୁଣ୍ଠନ କାମ କେବଳ ରାତିର ଗାଢ ଅନ୍ଧକାରରେ ହେଉଥିଲା ସେକଥା ନୁହଁ ,ଦିନରେ ବି ପ୍ରତ୍ୟକ୍ଷ ସୂର୍ଯ୍ୟାଲୋକରେ ସେମାନେ ନିଜର ଏହିଭଳି ଅପକର୍ମ କରିବାରୁ ନିବୃତ୍ତ ନଥିଲେ ।

କଥିତ ରାଷ୍ଟ୍ରଟି ହେଉଛି ଅଷ୍ଟ୍ରେଲିଆ,ଏଇଠି ।

ଏହି ଭଳି ବିପଦରୁ ନିଜର ପ୍ରଜାଙ୍କୁ ରକ୍ଷା କରିବା ପାଇଁ ବ୍ୟାପକ ଆଲୋଚନା ପରେ ପରବର୍ତ୍ତି ପଦକ୍ଷେପ ନେବା ପାଇଁ ଅଷ୍ଟ୍ରେଲିଆର ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ସାର୍ ଜର୍ଜ ପିଅର୍ସ ସ୍ୱୟଂ ନେତୃତ୍ୱ ନେଇଥିଲେ । ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ସ୍ୱୟଂ ଏହି ଯୁଦ୍ଧର ସଞ୍ଚାଳନ କରିବା ପାଇଁ ସାମ୍ନାକୁ ଆସିବା ପଛରେ ସେସମୟର ସେଠିକାର ଜନତାଙ୍କ ବିଶେଷ ଚାପ ରହିଥିଲା । ଜନତା ତରଫରୁ ଏହିଭଳି ଚାପର କାରଣ ହେଉଛି ,ଶତ୍ରୁ ପକ୍ଷର ଲୋକମାନେ ପକ୍ଷୀପରର ପୋଷାକ ପିନ୍ଧି ଏଠାରେ ଯେଉଁମାନଙ୍କର ଶସ୍ୟ ଲୁଣ୍ଠନ କରୁଥିଲେ ବା ଯେଉଁ ଅଞ୍ଚଳରେ ସେମାନଙ୍କର ଏହି ଭଳି ଅପକର୍ମ ଅବ୍ୟାହତ ରଖୁଥିଲେ,ସେଠାରେ ବା ସେହି ଅଞ୍ଚଳରେ ଅଷ୍ଟ୍ରେଲିଆ ତରଫରୁ ୧୯୧୪ ର ପ୍ରଥମ ବିଶ୍ୱଯୁଦ୍ଧ ରେ ଯୋଗଦାନ କରି ନିଜର ଅବସରରେ ରହିଥିବା ଯୁଦ୍ଧଫେରନ୍ତାମାନଙ୍କର ବସତି ଥିଲା । ତେଣୁ ଏହି ପ୍ରାକ୍ତନ ସୈନିକଙ୍କୁ ସୁରକ୍ଷା ଦେବାପାଇଁ ସାଧାରଣ ଜନତାଙ୍କ ତରଫରୁ ଚାପ ପଡିଥିଲା।

ତେଣୁ ପ୍ରତିରକ୍ଷା ମନ୍ତ୍ରୀ ସାର୍ ପିଅର୍ସଙ୍କ ନିର୍ଦ୍ଦେଶ କ୍ରମେ ସେ ସମୟରେ ଅଷ୍ଟ୍ରେଲୀୟ ସେନାର ଜଣେ ଦକ୍ଷ ମେଜର ଜି ପି ତବଲ୍ୟୁ ମେରେଡିଥ୍ ଏହି ଯୁଦ୍ଧକୁ ପ୍ରତ୍ୟକ୍ଷ ନିୟନ୍ତ୍ରଣ କରିଥିଲେ । ମେଜର ମେରେଡିଥଙ୍କ ନେତୃତ୍ୱରେ ରୟାଲ୍ ଅଷ୍ଟ୍ରେଲିଆନ୍ ଆର୍ଟିଲାରି ତରଫରୁ ” ସେଭେନଥ୍ ହେଭି ଆର୍ଟିଲାରୀ” ବାହିନୀ ଏହି ଯୁଦ୍ଧ କ୍ଷେତ୍ରକୁ ଯାଇଥିଲା ।

ଯୁଦ୍ଧ ଆରମ୍ଭ ହେଲା ପରେ ଜଣା ପଡିଲା ଯେ ଶତ୍ରୁପକ୍ଷକୁ ପରାସ୍ତ କରିବା ସେତେ ସହଜ ନୁହଁ । ମେସିନ ଗନର ଶବ୍ଦ ଶୁଣିଲା ମାତ୍ରକେ ଦେଖା ଗଲା ସେମାନେ ଗୋଟିଏ ନିର୍ଦ୍ଦିଷ୍ଟ ରଣନୀତି ଅନୁସାରେ ଯୁଦ୍ଧ କରୁଛନ୍ତି । ମେସିନ ଗନର ଶବ୍ଦ ଶୁଣିବା ମାତ୍ରକେ ସେମାନେ ଏକତ୍ର ହୋଇ ରହିଥିବା ସ୍ଥାନରୁ ତତକ୍ଷଣାତ୍ ଭିନ୍ନ ଭିନ୍ନ “ଫର୍ମେସନ୍” ରେ ଯଥାସମ୍ଭବ ଭାଗ ଭାଗ ହୋଇଯାଉଛନ୍ତି ,ଯାହା ଫଳରେ ଏହି ଦକ୍ଷ “ଆର୍ଟିଲେରି ” ବାହିନୀକୁ ନିଜର ଲକ୍ଷ୍ୟସ୍ଥଳ ବା ଟାର୍ଗେଟ୍ କୁ ସ୍ଥିର କରିବା ଏବଂ ସେହି ଅନୁସାରେ ନିଜର ସୈନ୍ୟବାହିନୀକୁ ଉପଯୁକ୍ତ ସ୍ଥାନରେ “ଡିପ୍ଲୟମେଣ୍ଟ” କରିବା କଷ୍ଟକର ହୋଇ ପଡୁଥିଲା । ତେଣୁ ପ୍ରଥମ ଦିନର ଯୁଦ୍ଧ ଶେଷ ବେଳକୁ ଦେଖାଗଲା ଏପଟରୁ ମେସିନ-ଗନ୍ ରୁ ଯଥେଷ୍ଟ ରାଉଣ୍ଡ ର ଗୁଳି ଫାୟାର୍ କରାଯାଇଛି ମାତ୍ର ଶତ୍ରୁପକ୍ଷ ତରଫରୁ ମୃତାହତ ଅତ୍ୟନ୍ତ ନଗଣ୍ୟ ।

ଯୁଦ୍ଧର ତୃତୀୟ ଦିନରେ ମେଜର୍ ମେରେଡିଥ୍ ନିଜର ପରିକଳ୍ପନାରେ କିଛି ପରିବର୍ତ୍ତନ କରିଥିଲେ । ସେ ସିଧା ସଳଖ ଯୁଦ୍ଧ ବଦଳରେ ଶତ୍ରୁପକ୍ଷର ଗୋପନ ସ୍ଥାନକୁ ଖୋଜି ସେଇଠି ସେମାନଙ୍କ ଉପରେ ଗୁଳି ବର୍ଷଣ କରିବାକୁ ଚାହିଁଥିଲେ । ମାତ୍ର ମେଜର ମେରେଡିଥ୍ ଙ୍କ ଏହି ଭଳି “ଆମ୍ବୁସ୍” ର ଯୋଜନା ସଫଳ ହେଲାନାହିଁ । ସେଇଠି ଅର୍ଥାତ୍ ଶତ୍ରୁପକ୍ଷର ଗୋପନ ସ୍ଥାନରେ ଆମ୍ବୁସ୍ କଲାବେଳେ ଭାଗ୍ୟ ମେଜର ଙ୍କ ସହ ନଥିଲା । ସେଇଠି ଫାୟାର୍ କଲାବେଳେ ଦେଖାଗଲା ଅନେକ ମେସିନ-ଗନ୍ କୌଣସି ଅଲୌକିକ କାରଣବଶତଃ ଜାମ୍ ହୋଇଯାଇଛି । ବନ୍ଧୁକରୁ ତେଣୁ ଗୁଳି ବାହାରୁ ନାହିଁ । ଅନ୍ୟ ପଟରେ ସେହି ଶତ୍ରୁ ପକ୍ଷର କୌଣସି ଏକ ବିପଦପୂର୍ଣ୍ଣ ସ୍ଥାନରୁ ପଳାୟନ କରିବା ଦକ୍ଷତା ବିଶ୍ୱବିଦିତ । ତାହାପରେ ମେଜର୍ ମେରେଡିଥ୍ ମେସିନ-ଗନ୍ ସବୁକୁ କେତୋଟି ଟ୍ରକ୍ ର ଉପରେ ରଖି ଶତ୍ରୁପକ୍ଷ ଉପରକୁ ଟିକିଏ ଉଚ୍ଚାସ୍ଥାନରୁ ଗୁଳିମାଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହା କୌଣସି ସୁଫଳ ପ୍ରଦାନ କରିନଥିଲା । ଯୁଦ୍ଧକ୍ଷେତ୍ରରେ ଶତ୍ରୁପକ୍ଷର ସ୍ପିଡ୍ ଆଗରେ କାହିଁ କେଉଁଠି ପଛରେ ପଡିଯାଇଥିଲା ମେଜର୍ ମେରେଡିଥ୍ ଙ୍କ ଗୁଳିବର୍ଷକ ଟ୍ରକ୍ ।

ସାତ ଦିନର ଏହିଭଳି ବିଫଳତା ପରେ ମେଜର ମେରେଡିଥ୍ ନିଜେ ନିଷ୍ପତ୍ତି ନେଇ ଥିଲେ,ଆଉ ନୁହଁ । ନିଜର ପରାଜୟକୁ ଏକତରଫା ଭାବରେ ସ୍ୱୀକାର କରି ଯୁଦ୍ଧକ୍ଷେତ୍ରରୁ ସେ ଏକତରଫା ଭାବରେ ସୈନ୍ୟବାହିନୀକୁ ଫେରାଇ ନେଇଥିଲେ । ଆଉ ସେତେବେଳେ ତାଙ୍କର ଆଧିକାରିକ ବୟାନ ଥିଲା , ଯଦି ଆମର ସେନାବାହିନୀଙ୍କ ପାଖରେ ଏଇ ପକ୍ଷୀ ମାନଙ୍କର ଭଳି ବୁଲେଟ-ଧାରଣକାରୀ କ୍ଷମତା ରହିଥାଆନ୍ତା ତାହାହେଲେ ଆମେ ପୃଥିବୀର ଯେ କୌଣସି ସୈନ୍ୟବାହିନୀର ସାମ୍ନା କରିବାକୁ ସମର୍ଥ ହୋଇପାରନ୍ତୁ ।

ଏଇ ପକ୍ଷୀମାନଙ୍କ ଭଳି ?

ଠିକ୍ ସେଇଠି ହିଁ ରହିଛି ଏଇ ଯୁଦ୍ଧର ବୈଚିତ୍ର୍ୟ ଆଉ ସମସ୍ତ ଅସ୍ୱାଭାବିକତା । ଏଇଠି ଶତ୍ରୁପକ୍ଷର ଲୋକମାନେ ନିଜର ସୁରକ୍ଷା ପାଇଁ ଯେଉଁ ପକ୍ଷୀପର ର ପୋଷାକ ପିନ୍ଧୁଥିଲେ ତାହା ସେମାନଙ୍କର ଈଶ୍ୱରଦତ୍ତ ପୋଷାକ । ସେମାନେ ପକ୍ଷୀ ପ୍ରଜାତିର ହେଲେ ମଧ୍ୟ ସେମାନେ ଉଡିପାରନ୍ତି ନାହିଁ । ସେମାନେ ଏମୁ, ଏମୁ ପକ୍ଷୀ ।

ବିଜୟୀ ମଣିଷର କଥା ଇତିହାସରେ ଅଛି ,ଅନେକ ଭାବରେ ଅଛି,ମାତ୍ର ତାହା ସହିତ ସେତିକିବେଳେ ଏହି ପରାଜୟର କଥା ଆମର ସ୍ମରଣ ରେ ରହିବା ଉଚିତ୍, ଅର୍ଥାତ୍ ୨ ନଭେମ୍ବର ୧୯୩୨ ଦିନ ରୁ ସପ୍ତାହେ ଯାଏଁ ” ଦି ଗ୍ରେଟ୍ ଏମୁ ୱାର୍ ” ରେ ମଣିଷ ଆଉ ପକ୍ଷୀ ଭିତରେ ଏକ ଯୁଦ୍ଧ ଘଟିଥିଲା ଆଉ ସେଥିରେ ଦୟନୀୟ ଭାବରେ ହାରିଯାଇଥିଲା ମଣିଷ।

Comments are closed.