ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୮
ଲୋକେ ବିଶ୍ୱାସ କରନ୍ତି, ଇକ୍ୱେଡରର ଆଣ୍ଡେସରେ ଥିବା ଭିଲକାବାମ୍ବା ବୋଲି ଗୋଟିଏ ସହରରେ ରହିଛି ସେହି ଚର୍ଚ୍ଚିତ ଦୀର୍ଘଜୀବୀର ଉପତ୍ୟକା।
ସ୍ଥାନୀୟ ଭାଷା ଅନୁସାରେ ଭିଲକାବାମ୍ବାର ଆକ୍ଷରିକ ଅର୍ଥ ହେଉଛି, ଏମିତି ଏକ ସହର ଯେଉଁଠି ବୁଢାଏ ବସିଛନ୍ତି ପାଟିରେ ସେମାନଙ୍କର ଅବଶିଷ୍ଟ ରହିଛି ଅଳ୍ପ କେତୋଟି ଦାନ୍ତ ।
ସଭ୍ୟତାର ଆରମ୍ଭରୁ ଆମେ ଯେତେ ମିଛ କହିଆସୁଛୁ ସେସବୁ ଭିତରେ ଆମର ପ୍ରମୁଖ ମିଛଟି ହେଉଛି,ଆମର ବୟସ ବିଷୟ ମିଛ। ଆମକୁ କେତେ ବୟସ ହେଲା ବୋଲି ଯଦି କିଏ ପଚାରି ବସେ ତେବେ ଆମେ ଆମର ବୟସକୁ ଯେତିକି ସହଜରେ କମାଯାଇ ପାରିବ ସେତିକି କମ୍ କରି ଆମେ ଆମର ମିଛ ବୟସ କହିଥାଉ । ଏହି ଭଳି ମିଛ ପ୍ରସ୍ତୁତ କରିବା ପଛରେ ବୟସ ବଢିବା କାରଣରୁ ମୃତ୍ୟୁଭୟ ତ ନିଶ୍ଚିତ ରହିଛି,ତାହା ଛଡା ରହିଛି ନିଜକୁ ତରୁଣ ପ୍ରତିପାଦିତ କରି ପୃଥିବୀର ସମସ୍ତ ଇନ୍ଦ୍ରୀୟ ଗ୍ରାହ୍ୟ ସୁଖର ଆମେ ତଥାପି ଯେ ଦାବୀଦାର ରହିଛୁ ସେଇ କଥାକୁ ବଳିଷ୍ଠ ଭାବରେ ଜାହିର କରିବା । ତାହାଛଡା ଯୁଦ୍ଧରେ ଆଉ ପ୍ରତିପକ୍ଷ ଅସମ-ଲିଙ୍ଗ ସାମ୍ନାରେ ତାରୁଣ୍ୟର ପ୍ରାଧାନ୍ୟ, ସବୁବେଳେ ଆମକୁ ମିଛ-ତରୁଣ ଆକାରରେ ସଜାଇବାକୁ ପ୍ରରୋଚିତ କରିଥାଏ।
ନିଜ ବୟସକୁ ନେଇ ମିଛ କହିବା ଯେତେବେଳେ ଆମର ନିରବଚ୍ଛିନ୍ନ ଅଭ୍ୟାସ,ତେଣୁ ସେହି କାରଣରୁ ଆମେ ସବୁବେଳେ ଏମିତି ଗୋଟିଏ ସ୍ଥାନର ସନ୍ଧାନରେ ରହିଥାଉ ଯେଉଁଠି ଆମକୁ ତରୁଣ ହେବା ଭଳି ମିଛ ଆଉ କହିବାକୁ ପଡିବ ନାହିଁ, ଯାହାର ସ୍ପର୍ଶରେ ଆମେ ସ୍ୱାଭାବିକ ଭାବରେ ତରୁଣ ପାଲଟି ଯିବା । ତରୁଣ କହିଲେ ଆମେ ମନେକରୁ ତାହା ବୟସର ଏମିତି ଗୋଟିଏ ବିନ୍ଦୁ ଯେଉଁଠାରୁ ବୟସ ଆଉ ବଢିବାର ନାହିଁ ।
ସେହି ଭଳି ଗୋଟିଏ ସ୍ଥାନକୁ ଆମେ ଦୀର୍ଘଜୀବୀର ଉପତ୍ୟକା ବୋଲି କହିବା ।
ଇକ୍ୱେଡରର କେନ୍ଦ୍ରାଞ୍ଚଳରେ ସ୍ଥିତ ଆଣ୍ଡେସ୍ ଉପତ୍ୟକାରେ ରହିଛି ଭିଲକାବାମ୍ବା ବୋଲି ଗୋଟିଏ ସହର । ସେହି ଉପତ୍ୟକାର ସହର ଦୀର୍ଘଜୀବୀ ର ଉପତ୍ୟକା ହିସାବରେ ଆବିଷ୍କୃତ ହେବାର ଘଟଣାଟି କିନ୍ତୁ ସେତେ ପୁରୁଣା ନୁହଁ । ୧୯୭୦ ମସିହାରେ ଦଳେ ଗବେଷଣାରତ ବୈଜ୍ଞାନିକଙ୍କ ଦୃଷ୍ଟିକୁ କିଛି ବିସ୍ମୟକାରୀ ତଥ୍ୟ ଆସିଥିଲା । ଭିଲକାବାମ୍ବା ସହରରେ ବୃଦ୍ଧଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ପରିସଂଖ୍ୟାନଗତ ଆଧାରରେ ଜଣାଯାଇଥିଲା ଯେ ସେଠିକାର ୮୧୯ ଜଣ ବାସିନ୍ଦାଙ୍କ ମଧ୍ୟରୁ ଅନ୍ତତଃ ୯ ଜଣଙ୍କର ବୟସ ଶହେ ବର୍ଷରୁ ଉର୍ଦ୍ଧ୍ୱ । ଜନସଂଖ୍ୟାର ଆନୁପାତିକ ହାରକୁ ଦେଖିଲେ ଏହି ସହରରେ ବଞ୍ଚି ରହିଥିବା ବୃଦ୍ଧଙ୍କ ହାର ସେତେବେଳର ପୃଥିବୀରେ ଥିବା ବୃଦ୍ଧଙ୍କ ଜନସଂଖ୍ୟା ହାରର ପ୍ରାୟ ୩୫୦ ଗୁଣ ଅଧିକ । ଏହି ଅସ୍ୱାଭାବିକ ତଥ୍ୟ ସମସ୍ତଙ୍କୁ ଏହି ସହର ପ୍ରତି ଆକୃଷ୍ଟ କରିଥିଲା । ଖାଲି ସେତିକି ନୁହଁ ସେଇଠି ଶହେ ବର୍ଷ ରୁ ଉର୍ଦ୍ଧ୍ୱ ଯେଉଁ ନଅ ଜଣ ସେତେବେଳେ ଥିଲେ ସେମାନଙ୍କର ବୟସ ଶହେରୁ ଅଳ୍ପ ଅଧିକ ନଥିଲା । ଜଣକର ବୟସ ୧୪୦ ବର୍ଷ ହେଉଥିବା ବେଳେ ତାହାର ତଳକୁ ତଳକୁ କାହାର କାହାର ୧୩୨,୧୨୩, ୧୦୫ ବର୍ଷ ବି ହୋଇଥିଲା । ଏହି ସବୁ ଶତାୟୁମାନେ ସ୍ୱାଭାବିକ ଭାବରେ ନିଜ ନିଜର କ୍ଷେତରେ କାମ କରୁଥିଲେ । ନିହାତି ସୁସ୍ଥ ସବଳ ଥିଲେ । ଏଇ ସବୁ ତଥ୍ୟ ବୈଜ୍ଞାନିକମାନଙ୍କ ଦୃଷ୍ଟିକୁ ଆସିବାପରେ ଏହି ବିଶେଷ ସହର ପ୍ରତି ସମସ୍ତଙ୍କର ବିଶେଷ କୌତୁହଳ ସୃଷ୍ଟି ହୋଇଥିଲା । ପରେ ବିଶେଷ ଅଧ୍ୟୟନରେ ଜଣା ପଡିଲା ଯେ ,ସେଇଠି ଶହେ ବର୍ଷ ବୟସରୁ ଉର୍ଦ୍ଧ୍ୱ କେବଳ ୯ ଜଣ ଅଛନ୍ତି ,ଏକଥା ଠିକ୍ ନୁହଁ । ଜଣା ପଡିଲା ସେଇଠି ଆହୁରି ଏମିତି ୧୪ ଜଣ ଅଛନ୍ତି ଯେଉଁମାନଙ୍କର ବୟସ ଶହେ ବର୍ଷରୁ ବେଶ୍ ଅଧିକ ।
ଭିଲକାବାମ୍ବା ତାହାପରେ ବୈଜ୍ଞାନିକ ଏବଂ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ର ହୋଇଗଲା । ବୈଜ୍ଞାନିକମାନେ ସେହି ସହରର ଜଳବାୟୁ,ଲୋକମାନଙ୍କର ନିୟମିତ ଖାଦ୍ୟ ଅଭ୍ୟାସ, ଦୈନନ୍ଦିନ ଚଳଣି,ଘଟୁଥିବା ଅସୁଖର ଏବଂ ତାହାର ସଫଳ ଉପଚାରର ସ୍ୱରୂପ,ସେମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କରେ ଆବେଗର ପରିମାଣ,କୌଣସି ଘଟଣା ଘଟିବାପରର ପ୍ରତିକ୍ରିୟାର ସମୟ, ସେଠିକାର କଳାତ୍ମକ ସୃଜନକର୍ମ ଆଦି ପାରିପାର୍ଶ୍ୱିକ ତଥା ମନସ୍ତାତ୍ତ୍ୱିକ ଦିଗର ଟିକିନିଖି ବିଶ୍ଳେଷଣ କରୁଥିଲେ ,ଯେଉଁଥିରୁ କି ସେମାନେ ଗୋଟିଏ ସ୍ଥିର ସିଦ୍ଧାନ୍ତରେ ପହଞ୍ଚି ପାରିବେ ଅଧିକ ସମୟ ବଞ୍ଚି ରହିବା ପଛରେ ଥିବା ସମସ୍ତ ଗୋପନ ରହସ୍ୟ ଅସଲରେ କ’ଣ । ଏହି ଅଞ୍ଚଳକୁ ଆଧାର କରି ଅନୁଧ୍ୟାନ କରାଯାଉଥିଲା ଯେ ଦୀର୍ଘ ଜୀବନ ଲାଭ କରିବାକୁ ହେଲେ ଜଣକୁ ବିଶ୍ୱାସସର୍ବସ୍ୱ ହେବାକୁ ପଡିବ ନା ହେବାକୁ ପଡିବ ବିଚାର ସର୍ବସ୍ୱ । ଏଇଭଳି ଦୀର୍ଘଜୀବନକୁ ନେଇ ଅନେକ ଅନୁଦଘାଟିତ ପ୍ରଶ୍ନର ଉତ୍ତରମାନଙ୍କୁ ସେଇଠି ଖୋଜିବାରେ ବ୍ୟସ୍ତ ରହିଥିଲେ ସେମାନେ ।
ଅନ୍ୟପକ୍ଷରେ ପର୍ଯ୍ୟଟକମାନେ ଏମିତି ଏକ ସହରକୁ ଆସି ତାହାର ସ୍ପର୍ଶରେ ନିଜକୁ ଅଧିକ ଦୀର୍ଘଜୀବୀ କରିପାରିବାର ଇଚ୍ଛାକୁ ଫଳବତି କରିପାରିବେ ବୋଲି ଭାବୁଥିଲେ । ସେମାନେ ତେଣୁ ଜଳବାୟୁ ପରିବର୍ତ୍ତନ ପାଇଁ ଭିଲକାବାମ୍ବାକୁ ନିଜର ପ୍ରଥମ ପସନ୍ଦ ହିସାବରେ ମନେ କରୁଥିଲେ । ବୈଜ୍ଞାନିକ ଆଉ ପର୍ଯ୍ୟଟକମାନଙ୍କର କ୍ରମଶଃ ସମାଗମ ବଢିବା ଫଳରେ ଏହି ସହର ଯେତିକି ଯେତିକି ଗୋଟିଏ ଦୀର୍ଘଜୀବୀର ଉପତ୍ୟକା ଆକାରରେ ବିକଶିତ ହେବାକୁ ଲାଗିଲା ସେତିକି ସେତିକି ଏହି ସହର ପ୍ରତି ଅନ୍ୟମାନଙ୍କର ବ୍ୟବସାୟିକ ଦୃଷ୍ଟି ପଢିବାକୁ ଲାଗିଥିଲା ।
ଭିଲକାବାମ୍ବା ଦୀର୍ଘଜୀବୀର ଉପତ୍ୟକା ହିସାବରେ ବାହାରେ ସମସ୍ତଙ୍କ ଆଗରେ ନିଜର ଗୋଟିଏ ନୂତନ ପରିଚିତି ପାଇଥିଲା ସତ ମାତ୍ର ତାହାକୁ ନେଇ ଅଧ୍ୟୟନ ରତ ବୈଜ୍ଞାନିକ ମାନେ ଦୀର୍ଘ ଜୀବନ ଲାଭ କରିବାର ଗୋପନ ରହସ୍ୟ ହିସାବରେ ଯେଉଁ ଯେଉଁ ହାଇପୋଥେସିସ୍ ମାନ ନିର୍ମାଣ କରିଥିଲେ ତାହାର ସେଇଠି କୌଣସି ନିଷ୍କର୍ଷଯୋଗ୍ୟ ପରୀକ୍ଷଣ କରିବାକୁ ସଫଳ ହୋଇନଥିଲେ ।
ଭିଲକାବାମ୍ବା ୧୯୭୦ ମସିହାରେ ଦୀର୍ଘଜୀବୀର ଉପତ୍ୟକା ର ଆଖ୍ୟା ପାଇଥିଲା। ଏବେବି ତାହା ଅବ୍ୟାହତ ରହିଛି।ମାତ୍ର ତାହାକୁ ନେଇ ଦୀର୍ଘ ଜୀବନର ଯେଉଁ ଗୋପନସୂତ୍ରାବଳି କୁ ଆବିଷ୍କାର କରିବା ଭଳି ସମସ୍ତ ଉତ୍ସାହ ରହିଥିଲା ତାହା ଆଉ ନାହିଁ । ଏ ଘଟଣାର ଠିକ୍ ତିନିବର୍ଷ ପରେ ଅର୍ଥାତ୍ ୧୯୭୩ ରେ ସେଥିରେ କହିବାକୁ ଗଲେ ଗୋଟିଏ ଦୀର୍ଘ ପୂର୍ଣ୍ଣଚ୍ଛେଦ ପଡିଯାଇଛି ।
ବୈଜ୍ଞାନିକମାନେ ଭିଲକାବାମ୍ବାକୁ ନେଇ ନିଜର ବୈଚାରିକ ଅଧ୍ୟୟନ କଲାବେଳେ ଭୁଲିଯାଇଥିଲେ ଗୋଟିଏ ଅତ୍ୟନ୍ତ ସରଳ
ସତ୍ୟ । ସେହି ସତ୍ୟଟି ଆଗରୁ ଉଲ୍ଲେଖ କରାଯାଇଛି ,ମଣିଷ ନିଜ ବୟସକୁ ନେଇ ଅଭ୍ୟାସଗତ ଭାବରେ ମିଛୁଆ । ଭିଲକାବାମ୍ବାର ବୟସ୍କ ଲୋକେ ମିଛ କହିଛନ୍ତି,ସେମାନଙ୍କର ବୟସ ଯାହା ତାହାଠାରୁ ଯଥେଷ୍ଟ ଅଧିକ ବୋଲି ସେମାନେ ପ୍ରକାଶ କରିଛନ୍ତି । ୧୯୭୩ରେ ହଠାତ୍ ଜଣା ପଡିଲା ଯେ ସେଠିକାର ଯେଉଁ ବୟସ୍କ ଜଣକ ୧୯୭୦ ମସିହାରେ ନିଜର ବୟସକୁ ୧୨୨ ବର୍ଷ ବୋଲି କହିଥିଲା ସେହି ବ୍ୟକ୍ତି ଠିକ୍ ତିନିବର୍ଷ ପରେ ତାହାର ବୟସ ୧୩୪ ବର୍ଷ ବୋଲି କହୁଛି । ସେହି ଗୋଟିକ ଘଟଣାରୁ ସେଠିକାର ଲୋକମାନଙ୍କର ପ୍ରକୃତ ବୟସକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ଆଉ ତାହାପରେ ଏହିପରି ବୟସକୁ ନେଇ ଅନେକ ବିସଙ୍ଗତିମାନ ସାମ୍ନାକୁ ଆସିବାରେ ଲାଗିଲା । ଦେଖାଗଲା ଯେ ଏଇ ତିନି ବର୍ଷ ଭିତରେ ଅର୍ଥାତ୍ ୧୯୭୦ ରୁ ୧୯୭୩ ମସିହା ମଧ୍ୟରେ ସେଠିକାର ଲୋକମାନଙ୍କର କହିବା ଅନୁସାରେ କାହାର କାହାର ବୟସ ସାତ ବର୍ଷ ରୁ ଦଶ ବର୍ଷ ଯାଏଁ ବଢିଯାଇଅଛି । ତାହାପରେ ଯେତେବେଳେ ସେଠିକାର ବସ୍ତୁସ୍ଥିତିକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଗଲା ଦେଖାଗଲା ଯେ,ସେଠାରେ ଶହେ ବର୍ଷ ବୟସର ପାଖାପାଖି କେହି ଜଣେ ବି ନାହାଁନ୍ତି । ସେଠିକାର ଲୋକଙ୍କ ବାସ୍ତବ ବୟସ ପୃଥିବୀର ଅନ୍ୟ ଯେ କୌଣସି ସାଧାରଣ ରାଷ୍ଟ୍ରର ଜନସଂଖ୍ୟାର ସମାନୁପାତିକ ହାର ସହିତ ପ୍ରାୟତଃ ସମାନ ।
ଏମିତି ମିଛକୁ ସେହି ଅଞ୍ଚଳ ଉପରେ ଅଧ୍ୟୟନ କରୁଥିବା ବିଦ୍ୱାନ ମାନେ ଜାଣିପାରିଲେ ନାହିଁ କିପରି ?
ବୈଜ୍ଞାନିକମାନେ ଏବଂ ଜନସଂଖ୍ୟାର ପରିସଂଖ୍ୟାନବିତମାନେ ଭିଲକାବାମ୍ବାର ଲୋକମାନଙ୍କ ବୟସକୁ ବିଚାର ନେଲାବେଳେ ପ୍ରାମାଣିକ ଭାବରେ ସେଠିକାର ଚର୍ଚ୍ଚର ନଥିକୁ ଗ୍ରହଣ କରିଥିଲେ । ଖ୍ରୀଷ୍ଟଧର୍ମରେ ନୂତନ ଶିଶୁର ମସ୍ତକ ଉପରେ ପବିତ୍ର ଜଳ ସିଞ୍ଚନ କରି ତାହାକୁ ଶୁଦ୍ଧିକରଣ କରିବା ସହିତ ତାହାକୁ ଚର୍ଚ୍ଚ ଭିତରକୁ ପ୍ରବେଶର ଅନୁମତି ପ୍ରଦାନ କରାଯାଇଥାଏ । ଖ୍ରୀଷ୍ଟଧର୍ମରେ ଜଣକର ଜୀବନର ଏହି ଆଦ୍ୟ ଉତ୍ସବକୁ ବାପଟିଜିମ୍ ବୋଲି କୁହାଯାଏ । ବାପଟିଜିମର କଥା ଏଇଠି ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି ସେହି ବିଶେଷ ସମୟରେ ଚର୍ଚ୍ଚର ଖାତାରେ ସେହି ଶିଶୁର ନାଆଁ ଏବଂ ଜନ୍ମତାରିଖ ଲେଖାଯାଇଥାଏ । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ବାପଟିଜିମର ରେକର୍ଡ ଜଣକର ଜନ୍ମ ତାରିଖକୁ ଜାଣିବା କ୍ଷେତ୍ରରେ ସବୁଠୁ ପ୍ରାମାଣିକ । ତାହାହେଲେ ଭିଲକାବାମ୍ବାରେ ସେଇ ରେକର୍ଡ କୁ ନେଇ ବୟସର ଅନୁଧ୍ୟାନ କଲାବେଳେ ତ୍ରୁଟି ଆସିଲା କେଉଁଠୁ ?
ସେଠିକାର ବାସିନ୍ଦାଙ୍କ ମଧ୍ୟରେ ଗୋଟିଏ ଅଜବ ପ୍ରବଣତା ରହିଥିଲା । ସେଠାରେ ଅନେକ କ୍ଷେତ୍ରରେ ଜେଜେବାପା, ବାପା ଆଉ ପୁଅର ନାଆଁ ସମାନ । ଏହି ସମାନ ନାଆଁ ଥିବା କାରଣରୁ ଗବେଷକ ମାନେ ବାପାର ବୟସ କେତେ ଆଉ ଜେଜେବାପାର ବୟସ କେତେ ଏହାକୁ ନେଇ ତ୍ରୁଟି କରିଛନ୍ତି । ଯିଏ ତେଣୁ ଉପସ୍ଥିତ ରହିଛି ତାହାର ନାଆଁ ଆଗରେ ସବୁଠୁ ଅଧିକ ବୟସଟି ଲେଖାହୋଇଥିବା ଭଳି ପ୍ରତୀୟମାନ ହେଉଛି । ତାହାଛଡା ଏହି ଅଞ୍ଚଳରୁ ତରୁଣମାନେ ବ୍ୟାପକ ଭାବରେ ଅନ୍ୟତ୍ର କର୍ମ ସନ୍ଧାନରେ ବାହାରିଯାଇଛନ୍ତି । ତେଣୁ କହିବାକୁ ଗଲେ ଏଇଠି କେବଳ ଅନେକ ଅଶିକ୍ଷିତ ଆଉ ପରିଣତ ବୟସର ଲୋକେ ଉପସ୍ଥିତ ରହିଛନ୍ତି । ତେଣୁ ଏଇ ଅଞ୍ଚଳରେ କେବଳ ବୟସ୍କମାନେ ଅଛନ୍ତି ଆଉ ନିଜର ବୟସକୁ ବାସ୍ତବଠାରୁ ଅଧିକ ବୋଲି କହି ନିଜର ଅତୀତକୁ ଅଧିକ ଅତୀତ ଭାବରେ ଦେଖୁଛନ୍ତି ।
ଦୀର୍ଘଜୀବୀର ଉପତ୍ୟକା ରହିଛି ।
ସାଇନବୋର୍ଡରେ ତଥାପି ଅଛି : ଇଏ ହେଉଛି ଦୀର୍ଗଜୀବୀର ଉପତ୍ୟକା ,ଯେଉଁଠି ଜୀବନ ସହ ବୟସ ଆଉ ବୟସ ସହ ଜୀବନ ଏକାଠି ମିଶିଯାଇଛନ୍ତି ।
ସେଠିକି ଲୋକେ ଏବେ ବି ପର୍ଯ୍ୟଟନରେ ଯାଆନ୍ତି । ସେଇଠି ଗୋଟିଏ ଝରଣାକୁ ଯୌବନର ଝରଣା ବୋଲି କୁହାଯାଏ । ସେଇଠି ସେମାନେ ଗଧୁଆପାଧୁଆ କରି ଫେରି ଆସନ୍ତି ସାଥିରେ ତାଙ୍କର ଥାଏ ଜାର୍-ଭର୍ତ୍ତି ସେହି ଝରଣା ର ଜଳ ।
ଭିଲକାବାମ୍ବା ସବୁବେଳେ ଅଛି । ସବୁବେଳେ ଥାଏ । ଆମ ଭିତରେ ଥାଏ । ସିଏ ଗୋଟିଏ ସତସତିକା ମିଛ ବା ମିଛିମିଛିକା ସତ ତ !
Comments are closed.