Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : କାୱାଗୋଇଙ୍କ ଘଣ୍ଟା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୦

ଘଣ୍ଟାଟି ବନ୍ଦ ହୋଇ ଗଲା। ଚିରଦିନ। ବନ୍ଦ ହେଲା ବେଳକୁ ସମୟ ଯାହା ସବୁଦିନ ପାଇଁ ସ୍ଥିର ହୋଇ ରହିଯାଇଛି ସେଥିରେ,ତାହା ସକାଳ ୮ ଟା ବାଜି ୧୫ ମିନିଟ୍ । ସେଦିନର ତାରିଖ ଅଗଷ୍ଟ ମାସର ୬ , ମସିହା ୧୯୪୫ । ଏହା ସହିତ ସେହି ବନ୍ଦ ଘଣ୍ଟାରେ ଯେଉଁ ଅବିସ୍ମରଣୀୟ ତଥ୍ୟ ସଂଗୁପ୍ତ ହୋଇ ରହିଯାଇଛି ତାହା ହେଉଛି ,ଠିକ୍ ସେହି ନିର୍ଦ୍ଦିଷ୍ଟ ସମୟରେ ବିଶ୍ୱ ଇତିହାସର ପ୍ରଥମ ଆଣବିକ ବୋମା ପଡିଥିଲା ଜାପାନର ହିରୋସିମା ବୋଲି ଗୋଟିଏ ସହରରେ ଏବଂ ଏହି ଆଣବିକ ବୋମାର ବିସ୍ଫୋରଣ ସହ ସେହି ଘଣ୍ଟାର ଅସଲ ମାଲିକ ଆକିତୋ କାୱାଗୋଇ ବି ସେଇ ଘଣ୍ଟା ସହିତ ସେଇ ନିର୍ଦ୍ଦିଷ୍ଟ ସମୟରୁ ବନ୍ଦ ହୋଇ ରହିଗଲେ ଇତିହାସ ପୃଷ୍ଟାରେ ଆଗାମୀ ସମସ୍ତ କାଳ ପାଇଁ କେବଳ ନାଆଁଟିଏ ହୋଇ ।

ସେହି ନିର୍ଦ୍ଦିଷ୍ଟ ସମୟଟି ବିଶ୍ୱ ଇତିହାସର କୌଣସି ମାହେନ୍ଦ୍ର କ୍ଷଣ ନଥିଲା। ଚାରିଆଡ ଧୂଆଁ ଆଉ ସେହି ଧୂଆଁର କୁହେଳୀରୁ ଉଠି ଆସୁଥିଲେ କିଛି ବର୍ତ୍ତି ଯାଇଥିବା ହତଭାଗ୍ୟ ଚରିତ୍ର ଯେଉଁମାନେ ତାହାପରଠାରୁ ଏକ ଚରମ ଅମାନବିକତାର କ୍ଷତକୁ ନିଜ ଶରୀରରେ ବୋହିଚାଲିଲେ ନିଜର ସାରା ଜୀବନକାଳ ଆଉ ତାହାପରେ ତାଙ୍କର ବଂଶଧରମାନେ ଏହି ପରମାଣବିକ ଅଭିଶାପରେ ବି ଅଭିଶପ୍ତ ହୋଇ ବଞ୍ଚିରହିଲେ। ସବୁକିଛି ଛିନଛତ୍ର। ସେହି ଧ୍ୱଂସସ୍ତୁପରେ ସବୁକିଛି ଅଚାନକ ପାଲଟି ଗଲା ଗୋଟିଏ ଗୋଟିଏ ସିଲହଟ୍। ଧ୍ୱଂସର ସ୍ଥାପତ୍ୟ ।

ବଡ କରୁଣ ସେ ଦୃଶ୍ୟ। ବଡ କରୁଣ ସେ ସିଲହଟ-ମାଳା। ଇତିହାସରେ ଜଳଜଳ ହୋଇ ଏମିତି ନିର୍ମମ ଅସହ୍ୟ ଦିଶୁଛି ସେଇ ଚିତ୍ରାବଳୀ ଯେ ଯେତେ ଜୋର୍ କରି ବୁଜିରଖିଲେ ବି ଆଖିରୁ ମାନବତାର ଲୁହ ଝରଝର ଝରିଯିବ ନିଶ୍ଚେ।

ଜଣେ ଇଞ୍ଜିନିୟରଙ୍କ କଥା ବଖାଣ କରିବାକୁ ଇଚ୍ଛା ।

ସମସ୍ତେ କିନ୍ତୁ ତାଙ୍କ ଭଳି ଭାଗ୍ୟବାନ ନଥିଲେ। ତାଙ୍କର ନାଆଁ ସୁତମୋ ୟାମାଗୁଚି। ବିଖ୍ୟାତ ମିଶୁବିଶି କମ୍ପାନୀରେ ସେ ଜଣେ ଇଂଜିନିୟର। ବୟସ ମାତ୍ର ଅଣତିରିଶ ବର୍ଷ। କାର୍ଯ୍ୟ ଉପଲକ୍ଷେ ସେ ସେଇଦିନ ଅର୍ଥାତ୍ ଅଗଷ୍ଟ ୬ ତାରିଖ ୧୯୪୫ ଦିନ ହିରୋସିମାରେ ଥିଲେ। ସେଦିନର ସେହି ଆଣବିକ ବୋମାମାଡର ଯାହାକୁ ଏପିସେଣ୍ଟର ବା କେନ୍ଦ୍ର ବୋଲି କୁହାଯାଉଥିଲା ସେହି ସ୍ଥାନଠାରୁ ମାତ୍ର ଦୁଇମାଇଲ୍ ଦୂରରେ ସେ ସେହି ବୋମାମାଡ ସମୟରେ ଥିଲେ।ବୋମାମାଡ ଫଳରେ ତାଙ୍କର ଦେହ ର ଉପରଭାଗ ନିହାତି କୁତ୍ସିତ ଭାବରେ ଜଳିଯାଇଥିଲା,ଆଂଶିକ ଦୃଷ୍ଟିହୀନ ଓ ସମ୍ପୂର୍ଣ୍ଣ ବଧୀର ହୋଇଯାଇଥିଲେ ସେ।ନିଜ ଦେହସାରା ରେଡିଏସନର ପ୍ରବଳ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସେ ତାହାପରଦିନ ନିଜ ଘର ଅଭିମୁଖେ ତୁରନ୍ତ ଯାତ୍ରା କରିଥିଲେ। ନିଜ ଘରେ ରହି ଟିକିଏ ସାଷ୍ଟାମ ହେଲାବେଳକୁ ୟାମାଗୁଚିଙ୍କୁ ଆଉ ଏକ ଆଶ୍ଚର୍ଯ୍ୟ ଅପେକ୍ଷା କରିଥିଲା।

ଠିକ୍ ହିରୋସୀମାର ତିନିଦିନ ପରେ ଦ୍ୱିତୀୟ ବୋମାମାଡ ହେଲା ନାଗାସାକି ବୋଲି ଆଉ ଏକ ସହରରେ। ହିରୋସିମାର ବୋମାମାଡଠାରୁ ତାହା ଅଧିକ ଭୟଙ୍କର ଥିଲା। ପ୍ରାୟ ସତୁରି ହଜାର ଲୋକ ଏଥିରେ ପ୍ରାଣତ୍ୟାଗ କରିଥିଲେ ଆଉ ପୁରା ନାଗାସାକି ସହରଟି ଧ୍ୱସ୍ତ ହୋଇଯାଇଥିଲା ଏଥିରେ। ସେହି ବିଭିଷିକାଟିକୁ ନାଗାସାକି ସହରର ସେସମୟର ମେୟରଙ୍କର ଗୋଟିଏ ବାକ୍ୟରୁ ବେଶ୍ ବୁଝିହେବ।ସେ କହିଥିଲେ,”ଏହାପରେ କୌଣସି କୀଟପତଙ୍ଗଙ୍କ ଶବ୍ଦ ବି ଆଉ ଶୁଭୁନାହିଁ।”

ହିରୋସିମାର ବୋମାମାଡରୁ ବର୍ତ୍ତି ଯାଇଥିବା ଆମର ସେହି ଅଣତିରିଶ ବର୍ଷ ବୟସର ତରୁଣ ଇଂଜିନିୟର ସୁତମୁ ୟାମାଗୁଚି ନିଜର ବୋମା-କ୍ଷତକୁ ଝାପସା ଦୃଷ୍ଟିରେ ଦେଖୁଦେଖୁ କହିଥିଲେ,”ମୋ ପଛରେ ତ ଖାଲି ବୋମା ଗୋଡାଇଛି।”

କହିବା ବାହୁଲ୍ୟ ୟାମାଗୁଚିଙ୍କ ନିଜ ଘର ଥିଲା ନାଗାସାକି ସହରରେ ଆଉ ସେ ଦ୍ୱିତୀୟ ଥର ବୋମାମାଡରୁ ବି ବର୍ତ୍ତି ଯାଇଥିଲେ। ୟାମାଗୁଚି ଆଉ ତାଙ୍କର ପତ୍ନୀ ଉଭୟେ ଦେହସାରା ମଲାଟ ମଡା ହେଲା ପରି ବ୍ୟାଣ୍ଡେଜ୍ ମଡେଇ ହୋଇ ବେଶ୍ ଦୀର୍ଘକାଳ ବଞ୍ଚି ରହିଥିଲେ। ପ୍ରାଣତ୍ୟାଗ କଲା ବେଳକୁ ୟାମାଗୁଚିଙ୍କ ବୟସ ହୋଇଥିଲା ତେୟାନବେ ଆଉ ତାଙ୍କର ପତ୍ନୀଙ୍କୁ ଯେତେବେଳେ ଅଠାଅଶି ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।

ହିରୋସିମା ବୋମାମାଡ ଘଟଣାର ଠିକ୍ ତିନିଦିନ ପରେ ଅର୍ଥାତ୍ ନାଗାସାକିରେ ଦ୍ୱିତୀୟ ବୋମାମାଡ ପରେ ଆମେରିକାର ରାଷ୍ଟ୍ରପତି ହାରି ଏସ୍ ଟ୍ରୁମାନ୍ ପ୍ରଥମେ ଆଣବିକ ବୋମାମାଡ ସମ୍ପର୍କରେ ବେତାର ଭାଷଣରେ କହିଥିଲେ:

“ଭଗବାନଙ୍କୁ ଅଶେଷ ଧନ୍ୟବାଦ,ଏହା ଆମର ଶତ୍ରୁମାନଙ୍କ ବଦଳରେ ଆମ ପାଖରେ ହିଁ ରହିଥିଲା। ଆମେ ଭଗବାନଙ୍କୁ ପ୍ରାର୍ଥନା କରିବା,ସେହି ପରମମୟ ସବୁବେଳେ ଏହାକୁ ତାଙ୍କ ନିର୍ଦ୍ଦେଶିତ ପଥରେ ତାଙ୍କର କାମନାକୁ ଚରିତାର୍ଥ କରିବା ପାଇଁ ସହାୟ ହେବେ।”

ଭଗବାନଙ୍କ ନିର୍ଦ୍ଦେଶିତ ପଥ ଓ ଭଗବାନଙ୍କ ଅନ୍ତର୍ନିହିତ କାମନାକୁ ସବୁବେଳେ ସଠିକ ବୁଝିପାରିବାର କ୍ଷମତା ବିଶ୍ୱର ସବୁଠାରୁ ଶକ୍ତିଧର ମାର୍କିନ ମୁଲକ ପାଖର ରହିଥିବ ବୋଲି ଆମେ ଧରିନେବାକୁ ସବୁବେଳେ ବାଧ୍ୟ।

ଆକିତୋ କାୱାଗୋଇ ଜଣେ ସୈନିକ ଥିଲେ। ହିରୋସିମାରେ କାର୍ଯ୍ୟରତ ଥିଲେ ସେତେବେଳେ। ବୋମାମାଡ ଯୋଗୁ ସେ ଯେଉଁଠି ଥିଲେ ସେଠିକାର କାନ୍ଥ ମାଡିବସିଥିଲା ତାଙ୍କ ଉପରେ। ତାଙ୍କୁ ଜୀବିତ ଆକାରରେ ଉଦ୍ଧାର କରାଗଲା। ନିଜର ବନ୍ଦ ହାତବନ୍ଧା ଘଡିଟିକୁ ସେ ଉପହାର ଦେଇଥିଲେ ଏକ ମ୍ୟୁଜିଅମକୁ ଯାହା ସେହି ଐତିହାସିକ କୁକ୍ଷଣର ସଠିକ ମୁହୂର୍ତ୍ତକୁ ଧାରଣ କରିଥିଲା ନିଜ ଭିତରେ।

କାୱାଗୋଇ କିନ୍ତୁ ୟାମାଗୁଚିଙ୍କ ପରି ଦୀର୍ଘଜୀବୀ ନଥିଲେ। ହିରୋସିମା ଘଟଣା ପରେ ଆଉ ମାତ୍ର ଦଶବର୍ଷ ସମୟ ଏକ ହାସପାତାଲ ରେ କାଟିବା ଭଳି ବଞ୍ଚିବା ବଞ୍ଚି ରହିଥିଲେ ସେ।

Comments are closed.