ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୦
ଗୋଟିଏ ବିଶେଷ ଯନ୍ତ୍ରକୁ କେନ୍ଦ୍ରକରି ଆଜିର କଥା । ଭାରି ଅଦ୍ଭୁତ ଲାଗିବ ଯେତେବେଳେ ଆମକୁ କୁହାଯିବ ଯେ,ଏଇ ଯନ୍ତ୍ରଟି ଅସଲରେ ସୁଖ ପ୍ରସବ ପାଇଁ ଉଦ୍ଭାବନ କରାଯାଇଥିଲା। ସୁଖ ପ୍ରସବ ମାନେ ଏହା କୌଣସି ମାନବେତର ସ୍ତନ୍ୟପାୟୀ ପ୍ରାଣୀର ସୁଖ ପ୍ରସବ ନିମନ୍ତେ ଉଦ୍ଦିଷ୍ଟ ନଥିଲା ।
ମଣିଷର ସୁଖ ପ୍ରସବ ନିମନ୍ତେ ୧୯୬୫ ମସିହାରେ ଏହି ଯନ୍ତ୍ରଟିର ପାଟେଣ୍ଟ ହୋଇଥିଲା।
ଅସଲରେ ଯନ୍ତ୍ରଟିଏ କେମିତି ସୁଖ-ପ୍ରସବରେ କାହାର ସହାୟକ ହେବ ସେକଥା ଆମକୁ ଆଚମ୍ବିତ କରିପାରେ । ଗର୍ଭଯନ୍ତ୍ରଣାର ସଠିକ ସମୟ ଆସିଲେ ଉପଯୁକ୍ତ ଔଷଧ ପ୍ରୟୋଗରେ ଗର୍ଭବତୀ ନାରୀର ପେଟର ସଂକୋଚନକୁ ତୀବ୍ର ଏବଂ ସ୍ଥିର କରି ପ୍ରସବ-କର୍ମଟିକୁ ସହଜ କରାଯାଇଥାଏ। ପ୍ରସବ ପ୍ରସଙ୍ଗ ବିଚାରକୁ ଆସିଲେ ସାଧାରଣତଃ ଆମ ଭିତରେ ସବୁବେଳେ ଗୋଟିଏ ଗଭୀର ଆବେଗର ଧାରଣା ରହିଥାଏ ଯେ ମାତୃଗର୍ଭରେ ଶିଶୁଟି ଅତ୍ୟନ୍ତ ସୁରକ୍ଷିତ ଆଉ ତାହାର ଆଧାରରେ ଆମେ ମାଆ ଆଉ ସନ୍ତାନର ନିବିଡତାକୁ ଆକଳନ କରିଥାଉ। ମାତ୍ର ଚିକିତ୍ସାଶାସ୍ତ୍ର ଅନୁସାରେ ମାତୃଗର୍ଭରେ ସନ୍ତାନଟି ରହିବା କଥାଟି ସତ ନୁହଁ। ମାଆର ଶରୀର ଗର୍ଭରେ ଥିବା ସନ୍ତାନର ଶରୀରକୁ ଏକ ବହିର୍ଗତ ପଦାର୍ଥ ବୋଲି ବିବେଚନା କରୁଥାଏ ଆଉ ସବୁ ସମୟରେ ତାହାକୁ ଯେମିତି ନିଜର ଶରୀରରୁ ଏକ ବର୍ଜ୍ୟବସ୍ତୁ ଆକାରରେ ବାହାର କରି ଦେବାକୁ ଚାହୁଁଥାଏ । ଅନ୍ୟ ପକ୍ଷରେ ଗର୍ଭସ୍ଥ ଶିଶୁ ମାତୃଗର୍ଭରେ ନିଜର ସ୍ଥିତିକୁ ଜାହିର କରିବାପାଇଁ ବଦ୍ଧ ପରିକରଥାଏ।
ଆଉ ଉପଯୁକ୍ତ ସମୟ ଆସିଲେ ସେ ସହଜରେ ମାଆର ଶରୀରରୁ ବାହାରିଆସିଥାଏ। ଯେଉଁ ଭ୍ରୁଣମାନେ ନିଜର ମାତୃଗର୍ଭରେ ରହିପାରିବା ଭଳି ସାମର୍ଥ୍ୟକୁ ସାବ୍ୟସ୍ତ କରିପାରନ୍ତି ନାହିଁ ସେମାନଙ୍କୁ କାଳରେ ବାହାରି ଆସିବାକୁ ପଡେ। ଏହା ସବୁ ଅକାଳରେ ଗର୍ଭପାତ ଭଳି ଘଟଣା ପଛର ଚିକିତ୍ସା ଶାସ୍ତ୍ରର କଥା ।
ମାଆ ଆଉ ତାହାର ସନ୍ତାନର ନିବିଡତାକୁ ଗୋଟିଏ କଥାରେ ସଠିକ ବୁଝାଯାଇ ପାରେ। ତାହା ହେଉଛି ମାଆର ଗର୍ଭଯନ୍ତ୍ରଣା। କହିବାକୁ ଗଲେ ନାରୀର ଶରୀରରେ ଗର୍ଭଯନ୍ତ୍ରଣାଠାରୁ ଅଧିକ କଷ୍ଟକର ଯନ୍ତ୍ରଣା ଆଉ କିଛି ନାହିଁ। ଗର୍ଭଯନ୍ତ୍ରଣା ଏତେ କଷ୍ଟକର ଯେ ପ୍ରସବ ସମୟରେ ଗୋପନାଙ୍ଗରେ ଯଦି କୌଣସି ଅସ୍ତ୍ରୋପଚାରର ଆବଶ୍ୟକ ପଡେ ତେବେ ଡାକ୍ତରମାନେ ବିନା ନିଶ୍ଚେତକରେ ସେଇ କାମଟି ସେତେବେଳେ କରିଥାନ୍ତି । ଏଇ ଗୋଟିଏ କଥାରୁ ଗର୍ଭଯନ୍ତ୍ରଣାର ତୀବ୍ରତାକୁ ବୁଝିହେବ ଆଉ ଏତେ ବଡ ଯନ୍ତ୍ରଣାର ଫଳଶ୍ରୁତି ହିସାବରେ ମାଆ ତାହାର କୋଳରେ ଯେଉଁ ନବଜାତକକୁ ଦେଖିଥାଏ ତାହା ସହିତ ତେଣୁ ତାହାର ଏକ ଗଭୀର ମମତାବୋଧ ଓ ନିବିଡତା ଶେଷ ଯାଏଁ ପ୍ରତିଷ୍ଠିତ ହୋଇଥାଏ । ମାଆର ତାହାର ସନ୍ତାନ ସହ ଗର୍ଭବାସରୁ ପ୍ରସବ ଯାଏଁ ଯେଉଁ ଗଭୀର ଶାରିରୀକତା ରହିଥାଏ ତାହା ତାହାର ଅନୁଭବରେ ଜୀବନର ଶେଷ ଯାଏଁ ରହିଥାଏ। ପିତା ଜଣକ ଦୁର୍ଭାଗ୍ୟକୁ ସେଇ ଭଳି ନିବିଡ ଅନୁଭବରୁ ବଞ୍ଚିତ ।
ବର୍ତ୍ତମାନ ସମୟରେ ଅନେକେ ଗର୍ଭଯନ୍ତ୍ରଣାକୁ ଧାରଣ କରିବାକୁ ଅନିଛୁକ । ସେମାନେ ତେଣୁ ସୁଖ ପ୍ରସବ ନିମନ୍ତେ ନିର୍ଦ୍ଧାରିତ ଅସ୍ତ୍ରୋପଚାର ବିକଳ୍ପ ବା ସିଜରିଆନ୍ ( ଯଦିଓ ଗୋଟିଏ ଗପ ପ୍ରଚଳିତ ଯେ ବିଶିଷ୍ଟ ରୋମାନ ସମ୍ରାଟ ଜୁଲିଅସ୍ ସିଜର୍ ଏଇଭଳି ଏକ ଅସ୍ୱାଭାବିକ(?) ପଦ୍ଧତିରେ ପୃଥିବୀରେ ସର୍ବପ୍ରଥମେ ଜନ୍ମଗ୍ରହଣ କରିଥିଲେ ଆଉ ତାଙ୍କର ନାଆଁ ଅନୁସାରେ ଏହାକୁ ସିଜେରିଆନ୍ ପଦ୍ଧତି ବୋଲି କୁହାଯାଉଛି । ମାତ୍ର ଏଇ ଗପରେ ସେମିତି ସତ୍ୟତା ନାହିଁ। ଏ ବିଷୟରେ ପରେ କେବେ ।) ପଦ୍ଧତିକୁ ଗ୍ରହଣ କରିନେଉଛନ୍ତି। ଏହା ଦ୍ୱାରା ଉଭୟେ କର୍ମଜୀବୀ ସ୍ୱାମୀ ସ୍ତ୍ରୀ ସେମାନଙ୍କର ଛୁଟି ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାକୁ ସୁନ୍ଦର ଭାବରେ ତଥା ଯୋଜନାବଦ୍ଧ ଭାବରେ ପରିକଳ୍ପନା କରି ସନ୍ତାନ ଜନ୍ମ ଦିଗରେ ଅଗ୍ରସର ହେଉଛନ୍ତି । ଏମିତି କହିଲେ ଆଗଭଳି ସନ୍ତାନ ଜନ୍ମକୁ ଯେମିତି ଜଣେ ନାରୀ ଏକେଲା ତାହାର ଏନ୍ତୁଡିଶାଳରେ ଭୋଗୁଥିଲା ସମକାଳରେ ଆଉ ସେପରି ହେଉନାହିଁ । ଗର୍ଭଧାରଣର ପ୍ରାକ୍ କାଳରୁ ଆରମ୍ଭ ପ୍ରସବ ପରବର୍ତ୍ତି ପିଲାର ଡାଇପର୍ ପରିବର୍ତ୍ତନ ତଥା ତାହାର ଦେଖାଶୁଣା ଯାହାକୁ ବେବିସିଟିଙ୍ଗ୍ ବୋଲି କୁହାଯାଏ ସେ ପର୍ଯ୍ୟନ୍ତ ସବୁକଥା କୁ ଉଭୟେ ସ୍ୱାମୀ ଆଉ ସ୍ତ୍ରୀ ଏକ ଯୌଥ-ପ୍ରକଳ୍ପ ଭାବରେ ବିବେଚନା କରୁଛନ୍ତି। ଏବେ ତେଣୁ ଗର୍ଭଧାରଣ ଆଉ ଅକସ୍ମାତ ଘଟଣା ହୋଇ ରହିନାହିଁ।
ଏଇଠି ପ୍ରାୟତଃ ଗୋଟିଏ ବାସନ ମଜାମଜି ଯନ୍ତ୍ର ବା ଡିସୱାସର୍ ଭଳି ଦେଖାଯାଉଥିବା ଯନ୍ତ୍ରଟି ଅସଲରେ ପ୍ରସବ-କର୍ମକୁ ସୁଖକର କରିବା ପାଇଁ ଉଦ୍ଦିଷ୍ଟ ଏକ ଯନ୍ତ୍ର । ଏଥିରେ ପ୍ରସବକାଳୀନ ଗର୍ଭବତୀ ମହିଳାକୁ ଭର୍ତ୍ତି କରି ଘୁରାଇବାର ବ୍ୟବସ୍ଥା ଥିଲା । ସେଇ ଘୁରାଇବା ବ୍ୟବସ୍ଥା ଫଳରେ ଯେଉଁ କେନ୍ଦ୍ରରୁ ଦୂରକୁ ଯାଉଥିବା ଶକ୍ତି ଅର୍ଥାତ୍ ସେଣ୍ଟ୍ରିଫ୍ୟୁଗାଲ୍ ଫୋର୍ସ ବଳରେ ଗର୍ଭବତୀ ନାରୀର ପ୍ରସବ କର୍ମଟି ତ୍ୱରାନ୍ୱିତ ହେଉଥିଲା ।
ଆଉ ଥରେ କହୁଛି ଏଇ ବିଶେଷ ସୁଖ-ପ୍ରସବ ଯନ୍ତ୍ରଟି ୧୯୬୫ ମସିହାରେ ପେଟେଣ୍ଟ ହୋଇଥିଲା । ଯନ୍ତ୍ରଟି ପେଟେଣ୍ଟ ହୋଇଥିଲା ମାନେ ତାହାର ଅର୍ଥ ହେଉଛି ଏହି ଯନ୍ତ୍ର ଟି ବିଶେଷଜ୍ଞ ଙ୍କ ଦ୍ୱାରା ପରୀକ୍ଷିତ ହୋଇ ସଫଳ ଆଉ କାର୍ଯ୍ୟକ୍ଷମ ବୋଲି ପ୍ରମାଣପତ୍ର ପାଇଥିଲା।
ଏଇ ଯନ୍ତ୍ରଟି କିନ୍ତୁ ବାଣିଜ୍ୟିକ ସଫଳତା ପାଇନାହିଁ ,ଏକଥା ଆମ ସମସ୍ତେ ଏବେ କହିପାରିବା ।
ଗୀତାର ଏକ ପ୍ରସିଦ୍ଧ ଶ୍ଳୋକ ଅଛି ଯେଉଁଠି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି,ଈଶ୍ୱର ସମସ୍ତ ଶରୀରରେ ବିଦ୍ୟମାନ, ହୃଦଦେଶରେ ଅଛନ୍ତି ଅର୍ଜୁନ ଆଉ ସେ ସବୁ ପ୍ରାଣୀଙ୍କୁ ଯନ୍ତ୍ରାରୂଢ କରି ମାୟାରେ ଘୁରାଉଛନ୍ତି।
ଈଶ୍ୱରଙ୍କ ମାୟାରେ ଘିରିଘିରି ହୋଇ ଘୁରିବୁଲିବା ଚଳିବ ମାତ୍ର ଆଉ କେଉଁ ଯନ୍ତ୍ର ? ନା ନା ।
Comments are closed.