ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୪
ଆଦ୍ୟକାଳଟି ଯାହା ଥିଲା ଏତେକାଳ ପରେ ସେ ବିଷୟକୁ ପଢିଲେ ଆମକୁ ତାହା ନିଶ୍ଚୟ ଭାରି ଅଦ୍ଭୁତ ଲାଗିବ ।
ଆମର ସ୍ମୃତିରେ ଏଇଠି ଫୁଟବଲ୍ କହିଲେ ଫୁଟବଲର ଧାରାବିବରଣୀର କଥା ମନେ ପଡେ ଆଉ ମନେପଡନ୍ତି ଆକାଶବାଣୀ କଟକର ଦୁଇ ପ୍ରସିଦ୍ଧ କଣ୍ଠ ଶ୍ରୀଯୁକ୍ତ ଗୋପାଳ ଚୌଧୁରୀ ଏବଂ ଶ୍ରୀଯୁକ୍ତ ବିଜନ ପାତ୍ର ।
ବିଶ୍ୱର ଫୁଟବଲ ଖେଳର ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ଆୟୋଜନ ୨୦୨୨ ର ଫିଫା ବିଶ୍ୱକପ୍ ସମ୍ପ୍ରତି କାତାରରେ ଆୟୋଜିତ ହେଉଅଛି ।
ଫୁଟବଲର ଖେଳର ଆଦ୍ୟକାଳର କଥା ।
ସେତେବେଳେ ଫୁଟବଲ୍ ଖେଳ ଦେଖିବାକୁ ଯେଉଁମାନେ ସମବେତ ହେଉଥିଲେ ସେମାନେ ଅନ୍ତତଃ ପକ୍ଷ ପ୍ରତିପକ୍ଷରେ ସେମିତି ବିଭାଜିତ ହୋଇ ରହୁ ନଥିଲେ । ତାହା ଫଳରେ ଆଜି ପରି କୌଣସି ଗୋଲ୍ ଭଳି ଗୋଟିଏ ଲକ୍ଷ୍ୟ ସାଧିତ ହୋଇଗଲେ ସେମାନେ ବିଜୟ ଉଲ୍ଲାସ ରେ ବିହ୍ୱଳ ହୋଇ ପଡୁନଥିଲେ । ସେମାନେ ଫୁଟବଲ୍ ଖେଳ ଦେଖିବାକୁ ଯିବା ପଛରେ ଉଦ୍ଦେଶ୍ୟ ଥିଲା ଅଦ୍ଭୁତ କିଛି ଘଟଣାକୁ ଦେଖିବା ଏବଂ ସେହି ଅଦ୍ଭୁତ ଘଟଣା ସହ ନିଜକୁ ସମ୍ପୃକ୍ତ କରିବା ।
ଆଦ୍ୟକାଳରେ ଫୁଟବଲ୍ ଖେଳର ସର୍ବନ୍ୟୁନ ଅଦ୍ଭୁତ ପଣଟି ଥିଲା “ଗୋଲ୍” ହେବା ଭଳି ଘଟଣା ଘଟିବା । ପରେ ଫୁଟବଲ୍ ଖେଳର ବିବର୍ତ୍ତନରେ ସେହି “ଗୋଲ୍” ଘଟିବା ଫୁଟବଲ୍ ଖେଳର ଏକମାତ୍ର ନିୟନ୍ତ୍ରକ ଶକ୍ତି ହିସାବରେ ପ୍ରତିଷ୍ଠିତ ହୋଇଯାଇଛି ।
ଆରମ୍ଭରେ ତ ଫୁଟବଲ୍ ଖେଳରେ କୌଣସି ନିୟମ ନଥିଲା । ଏହା କେବଳ ଏକ ଆନନ୍ଦର ସାମୁହିକ ଖେଳ ଥିଲା । କ୍ରମଶଃ ଏହା ଖେଳରୁ ଗୋଟିଏ ସୁସଂହତ “ଗେମ୍ ” ରେ ପରିଣତ ହୋଇଗଲା । ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ଗ୍ରୀକ୍ ମାନଙ୍କର ଏଥେନ୍ସ ରେ ପ୍ରଚଳିତ ଲୋକପ୍ରିୟ ” ଏପିସ୍କାଇରସ୍ ” ଭଳି ଗୋଟିଏ ପ୍ରକାର ର “ବଲ୍” ଖେଳ ରୁ ଆରମ୍ଭ ଆଉ ଆଜିର ଫୁଟବଲ୍ ଖେଳ ,ଏହା ଭିତରର ବିବର୍ତ୍ତନର ଇତିହାସକୁ ତର୍ଜମା କଲେ ଆମେ ଯେଉଁ ପ୍ରମୁଖ କଥାଟି ହୃଦୟଙ୍ଗମ କରିପାରିବା ତାହା ହେଉଛି, ଏହି ବ୍ୟାପକ କାଳଖଣ୍ଡରେ ଫୁଟବଲ୍ ଖେଳ ଏକ ସ୍ୱାଭାବିକ ସୁନ୍ଦରପଣରୁ ଏକ ଶୃଙ୍ଖଳା ରେ ପରିଣତ ହୋଇଯାଇଛି । ଏହା ଭିତରେ ଏଇ ଖେଳ ବା “ପ୍ଲେ” ଗୋଟିଏ କ୍ରୀଡା ବା ” ଗେମ୍” ରେ ପରିଣତ ହୋଇଯାଇଛି ।
ଫୁଟବଲ୍ ଖେଳରୁ ଅଦ୍ଭୁତପଣର ସନ୍ଧାନରେ ନିରନ୍ତର ପ୍ରୟାସରେ ରହିଛନ୍ତି ତାହାର ଉନ୍ମାଦପ୍ରାୟ ଦର୍ଶକଗଣ ।
ଫୁଟବଲ ଖେଳ ଉଦ୍ଦେଶ୍ୟରେ ପ୍ରଥମ ବିଧିଦଦ୍ଧ କ୍ଲବ୍ ଇଂଲଣ୍ଡର ସେଫିଲ୍ଡ ଠାରେ ୧୮୫୭ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ହୁଏ । ପ୍ରଥମ ପର୍ଯ୍ୟାୟ ରେ ଖେଳ ପାଇଁ ଯେଉଁ ଦୁଇଟି ଦଳ ବାଛିବାର ପ୍ରକ୍ରୀୟା ସ୍ଥିର କରାଯାଇଥିଲା ତାହା ଗୋଟିଏ ଶବ୍ଦରେ କହିଲେ ଅଦ୍ଭୁତ । ସେଫିଲ୍ଡ କ୍ଲବ୍ ର ସଦସ୍ୟମାନେ ସେଦିନ ସ୍ଥିର କରିଥିଲେ ଯେ,ଆଗାମୀ ଯେଉଁ ଫୂଟବଲ୍ ଖେଳ ହେବ ସେଥିରେ ଯେଉଁ ଦୁଇ ଟି ଦଳ ରହିବେ ସେମାନଙ୍କ ଭିତରୁ ଗୋଟିଏ ହେବ ବିବାହିତମାନଙ୍କ ଦଳ ଏବଂ ଆରଟି ଅବିବାହିତମାନଙ୍କର ଦଳ । ତେଣୁ ପ୍ରାଥମିକ ଭାବରେ ସେଫିଲ୍ଡ କ୍ଲବର ପରିସରରେ ଯେଉଁ ଦୁଇ ଦଳ ଫୁଟବଲ ଖେଳୁଥିଲେ ତାହା ଥିଲା ବିବାହିତ ଏବଂ ଅବିବାହିତ ମାନଙ୍କର ଦଳ ।
ଫୁଟବଲ୍ ଖେଳ ଆଜି ଯେଉଁ ନିୟମରେ ପରିଚାଳିତ ହୁଏ ତାହା ପ୍ରଥମରେ ନଥିଲା । ପ୍ରଥମରେ ଥିଲା ଗୋଟିଏ ଗୋଲାକାର ହାଲୁକା ପଦାର୍ଥ ଏବଂ ତାହାକୁ ହାତରେ ଫୋପାଡି ଆଉ ହାତରେ ଧରି ଖେଳ ଚାଲିଥିଲା । ତାହାପରେ ସେହି ଖେଳରେ ହାତ ସହିତ ପାଦର ବ୍ୟବହାର କରାଗଲା । ହାତରେ ଫୋପଡା ଯାଇ ଖେଳାଯାଉଥିବା ଗୋଲାକାର ହାଲୁକା ପଦାର୍ଥ ବା “ବଲ୍” ଟି ତାହାପରେ କ୍ରମଶଃ ପ୍ରମୁଖ ଭାବରେ ଏକ ଗୋଇଠା ଖେଳ ବା “କିକିଙ୍ଗ୍ ଗେମ୍” ରେ ପରିଣତ ହୋଇଗଲା । ଏହି ଖେଳଟି ଗୋଇଠା-ଖେଳ ରେ ପରିଣତ ହୋଇଗଲା ପରେ ଖେଳରେ ଯେମିତି ହିଂସକ ଉତ୍ତେଜନା କୌଣସି ରକ୍ତପାତ ର ପରିବେଶ ସୃଷ୍ଟି ନକରେ ସେଇଥିପାଇଁ ଅର୍ଥାତ୍ ଖେଳ କୁ ଏକ ସୁସଂହତ ଖେଳ ବା ଗେମ୍ ରେ ପରିଣତ କରିବାପାଇଁ କ୍ରମଶଃ ସେଥିରେ କିଛି ନିୟମର ଅନୁଜ୍ଞା ଯୋଡିବା ଆବଶ୍ୟକ ହେଉଥିଲା ।
ଫୁଟବଲ୍ ଖେଳିବାବେଳେ ହାତଟି ମୁକ୍ତ ଥିଲେ କୌଣସି ଖେଳାଳୀ ସାମ୍ନାରେ ଥିବା ଆଉ ଜଣେ ଖେଳାଳୀକୁ ହୁଏତ ଖେଳ-ଉତ୍ତେଜନାବଶତଃ କିଛି ପରିମାଣରେ ଆଘାତ କରିବାର ସମ୍ଭାବନା ସବୁବେଳେ ରହିଥାଏ । ସେହି ବିଷୟରେ ୧୮୫୭ ର ସେଫିଲ୍ଡ କ୍ଲବ୍ ବିଶେଷ ଭାବରେ ଚିନ୍ତିତ ଥିଲା ।
ଫୁଟବଲ୍ ଖେଳ ତ ସ୍ଥିର,ବଲ୍ ଫୋପଡାଫୋପଡିର ଖେଳ ହୋଇ ଆଉ ରହିନାହିଁ । ହାତ,ପାଦ ଆଉ ଦୌଡ ତାହା ସହିତ ଜଡିତ ହୋଇଯାଇ ଏହି ଖେଳକୁ କ୍ରମଶଃ ଏକ ଗତିଶୀଳତା ର ରୂପ ପ୍ରଦାନ କରି ଅଛନ୍ତି । ତେଣୁ ଏଇ ଭଳି ଏକ ଗତିବାହୀ ଖେଳରେ ଖେଳାଳୀର ହାତକୁ ବାନ୍ଧିଦେଲେ ବସ୍ତୁତଃ ତାହା ଖେଳର ଗତିଶୀଳତା କୁ ବ୍ୟାହତ କରିବ ,ଏଇ କଥା ସେଫିଲ୍ଡ କ୍ଲବର ପରିଚାଳକମାନଙ୍କୁ ବେଶ୍ ଚିନ୍ତିତ କରିଥିଲା ।
ତଥାପି ଖେଳ ସମୟରେ ଖେଳାଳୀର ହାତକୁ ବାନ୍ଧି ପାରିବାର ଉପାୟ ଅବଶେଷରେ ସେମାନେ ସ୍ଥିର କରିପାରିଥିଲେ । ଫୁଟବଲ ଖେଳର ଆଦ୍ୟ ନିୟମମାନଙ୍କ ଭିତରେ ସେଇଟି ଅନ୍ୟତମ ପ୍ରମୁଖ ନିୟମ ଥିଲା ।
ଫୁଟବଲ ଖେଳର ପରିଚାଳକ ହିସାବରେ ଯେଉଁ ସର୍ବମାନ୍ୟ ନାମଟି ଏଠାରେ ଆମର ସ୍ମୃତିକୁ ସର୍ବପ୍ରଥମେ ଆସେ ତାହା ଶ୍ରୀଯୁକ୍ତ ଶ୍ୟାମାକାନ୍ତ ପଟ୍ଟନାୟକ । ଆମର ଫୁଟବଲ୍ ଖେଳ ଦେଖିବା ଦିନର ସବୁ ଗୁରୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ର ସମ୍ମାନୀତ ରେଫରୀ ସେ । ଦେଖିବାକୁ ଶୀର୍ଣ୍ଣକାୟ ଏବଂ ବେଶ୍ ଲମ୍ବା । ଖେଳପଡିଆ ଭିତରେ ଅସମ୍ଭବ କଠୋର ।
ସେଦିନର ଫୁଟବଲ୍ ଖେଳରେ ସେଫିଲ୍ଡ କ୍ଲବର କର୍ମକର୍ତ୍ତାମାନେ ସତରେ କ’ଣ ଖେଳାଳୀମାନଙ୍କ ହାତକୁ ଖେଳସମୟତକ ବାନ୍ଧି ରଖିବାର ନିର୍ଣ୍ଣୟ କରିଥିଲେ ?
ସେମାନଙ୍କର ନିଷ୍ପତ୍ତି ଅନୁସାରେ ସବୁ ଖେଳାଳୀମାନେ ଫୁଟବଲ୍ ଖେଳ ସରିବା ଯାଏଁ ନିଜର ହାତର ମୁଠାରେ ଗୋଟିଏ ବିଶେଷ ପଦାର୍ଥ ଧରି ରଖିବା ଅପରିହାର୍ଯ୍ୟ ଥିଲା । ଆଉ ଖେଳ ସରିବା ପରେ ଖେଳାଳୀମାନଙ୍କୁ ନିଜ ନିଜର ହାତମୁଠାରୁ ସେହି ବିଶେଷ ପଦାର୍ଥ କୁ କ୍ଲବ୍ ର କର୍ମକର୍ତ୍ତାଙ୍କ ନିକଟରେ ଫେରସ୍ତ ଦେବାକୁ ହେଉଥିଲା ।
ଖେଳ ସମୟତକ ଫୁଟବଲ୍ ଖେଳାଳୀ ମାନଙ୍କର ହାତମୁଠାରେ ରହୁଥିବା ସେହି ବିଶେଷ ପଦାର୍ଥ ଟି ଥିଲା ହାଫ୍-କ୍ରାଉନ୍ ପରିମାଣ ବିଶିଷ୍ଟ ଗୋଟିଏ ଗୋଟିଏ ବ୍ରିଟିଶ ମୁଦ୍ରା ।
ଆଜି ବି ଖେଳ ଶେଷଯାଏଁ ବର୍ତ୍ତମାନ ସମୟର ଚର୍ଚ୍ଚିତ ଫୁଟବଲ୍ ଖେଳାଳୀ ଖ୍ରୀଷ୍ଟିଆନ ରୋନାଲ୍ଡୋ ଆଉ ଲଓନାର୍ଦୋ ମେସିମାନେ ଖେଳ ଶେଷଯାଏଁ ନିଜର ହାତମୁଠାରେ ଧରି ରଖୁଛନ୍ତି ଗୋଟିଏ ଗୋଟିଏ ସୁବର୍ଣ୍ଣ ର ଅପରୂପ କୁହୁକ କାଠି ଆଉ ସେଇଥିପାଇଁ ତ ଫୁଟବଲ୍ ଖେଳର ସମସ୍ତ ଯାଦୁ ପୃଥିବୀମୟ ଏବଂ ଅବ୍ୟାହତ ରହିଛି ।
Comments are closed.