Latest Odisha News

ସ୍ୱଳ୍ପ ଗଳ୍ପ : ଠେକୁଆକୁ ଜନ୍ମଦେଉଥିବା ଜଣେ ମାତା ମେରି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୮

ଇଂଲଣ୍ଡର ସରେ ଅଞ୍ଚଳ । ୧୭୨୬ ମସିହାର ବର୍ଷ ଶେଷ ଆଡ଼କୁ ପ୍ରାୟ ତିନିମାସ ଧରି ବିଶେଷ ଚର୍ଚ୍ଚାରେ ରହିଥିଲା ଗୋଟିଏ ନାଆଁ ।

ସମସ୍ତେ ଆଶ୍ଚର୍ଯ୍ୟଚକିତ ହେବା ସହ ତାହାକୁ ମାତା ମେରି ବୋଲି ଡାକୁଥିଲେ ।

ସେ ମେରି ଟଫ୍ଟ । ବୟସ ପଚିଶ । ଦେଖିବାକୁ ଖୁବ୍ ସୁନ୍ଦର । ଭାରି ଶାନ୍ତ । ଭାରି ସୁଧାର ତାହାର ଖୁଣ କହିଲେ ଥିଲା ଗୋଟିଏ । ସେ ମାତ୍ରାଧିକ କଳ୍ପନା ପ୍ରବଣ । ଯେତେବେଳେ ଜଣେ ନିଜର କଳ୍ପନାକୁ ତାହାର ଯଥାର୍ଥ ବୋଲି ବିବେଚନା କରି ବସେ ସେତେବେଳେ ନିଶ୍ଚିତ ଭାବରେ କିଛି ନା କିଛି ଅଘଟଣ ଘଟିଥାଏ ଆମର ଏଇ ପାର୍ଥିବ ଜଗତରେ ।

ସେତେବେଳେ ଯାଏଁ ସେ ମେରି ଟଫ୍ଟ ଥିଲା । ମାତା ମେରି ହୋଇ ନଥିଲା ।

୧୭୨୬ ମସିହା ସେପ୍ଟେମ୍ବର ମାସରୁ ସେହି ଆଚମ୍ବିତ ଘଟଣାଟି ଘଟିଥିଲା । ଦିନେ ଏକେଲା ନିଜ ଘର ଭିତରେ ଥିବାବେଳେ ମେରି ହଠାତ୍ ଖୁବ୍ ଜୋରରେ ଚିତ୍କାର କରି ଉଠିଲା । ଏହା ପ୍ରସବ ଜନିତ ଯନ୍ତ୍ରଣାର ଅତ୍ୟନ୍ତ କାତର ଶବ୍ଦ। ମେରି ଏକେଲା ରହୁଥିଲା । ମେରିର ଚିତ୍କାର ଶୁଣି ପାଖ ପଡୋଶୀ ମାନେ ଘର ଭିତରକୁ ଯାଇ ଦେଖିଥିଲେ,ମେରିର ଶରୀରରୁ ବାହାରି ଆସିଛି କେତେଗୁଡିଏ ପଶୁ ଶରୀରର ଅଂଶ,ଯେମିତି ଗୋଟିଏ ଘୁଷୁରୀର ବ୍ଲାଡର୍,ବିରାଡିର ପଞ୍ଝା ଆଉ ଗୋଟିଏ ଅର୍ଦ୍ଧ ବିକଶିତ,ମୃତ ଠେକୁଆ ଶାବକ। ରକ୍ତ ଜୁଡୁବୁଡୁ ମେରି ଆଉ ତାହା ନିକଟରେ ଏଇଭଳି ପ୍ରସବକୁ ଦେଖି ପଡୋଶୀମାନେ ଅତ୍ୟନ୍ତ ଆତଙ୍କିତ ହୋଇଉଠିଥିଲେ । ପାଖାପାଖି ଅଞ୍ଚଳରେରେ ରହୁଥିବା ଜଣେ ପ୍ରସୂତିବିତ୍ ଙ୍କୁ ସେମାନେ ତୁରନ୍ତ ଡାକି ଆଣିଥିଲେ । ଜନ୍ ହାୱାର୍ଡ ନାମକ ସେହି ଅଞ୍ଚଳର ଜଣାଶୁଣା ପ୍ରସୁତିବିତ୍ ତାହାପରେ ମେରି ଟଫ୍ଟର ଚିକିତ୍ସା କରିଥିଲେ।

ସେଦିନ କିନ୍ତୁ ରାତି ସାରା ମେରିର ଶରୀରରୁ ସେହିଭଳି ପ୍ରସବ ଜାରି ରହିଥିଲା। ପ୍ରସବରେ ଥିଲା ସେହିଭଳି ପଶୁ ଅଂଶ ଆଉ ମୃତ ଠେକୁଆ ଶାବକ ।

ମେରି ଟଫ୍ଟର ସେଇଭଳି ଠେକୁଆ ପ୍ରସବ ପରବର୍ତ୍ତି ପ୍ରାୟ ମାସେ ଯାଏଁ ଅବ୍ୟାହତ ରହିଥିଲା । ଏବଂ ପ୍ରସୂତିବିତ୍ ଜନ୍ ହାୱାର୍ଡ ମେରିର ସେହି ସବୁ “ଷ୍ଟିଲ୍ ବର୍ଣ୍ଣ” ବା ପ୍ରସବ ବେଳକୁ ମୃତ ଠେକୁଆ ଶାବକ ସବୁକୁ ଅଲଗା ଅଲଗା କାଚଜାର୍ ଭିତରେ ଆଲକହଲ ରେ ସଂରକ୍ଷିତ କରି ଇଉରୋପର ଭିନ୍ନ ଭିନ୍ନ ଅଞ୍ଚଳରେ ଥିବା ପ୍ରସିଦ୍ଧ ଡାକ୍ତରମାନଙ୍କ ନିକଟକୁ ବିଧିବଦ୍ଧ ପରୀକ୍ଷା ପାଇଁ ପଠେଇଥିଲେ । ସେମାନଙ୍କ ନିକଟକୁ କାଚଜାର୍ ରେ ଏଇଭଳି ସଂରକ୍ଷିତ ଠେକୁଆ ଶାବକ ମାନଙ୍କୁ ପଠାଇବା ବେଳେ ସେ ଗୋଟିଏ ଗୋଟିଏ ଚିଠିରେ ବିସ୍ତାରରେ ଲେଖିଥିଲେ କେଉଁଭଳି ସେ ମେରି ଟଫ୍ଟର ପ୍ରସବ କରାଇଛନ୍ତି ଆଉ କେଉଁଭଳି ମେରିର ଜରାୟୁରୁ ବାରଟି ଅର୍ଦ୍ଧ ବିକଶିତ ଠେକୁଆ ଶାବକ ଜନ୍ମ ନେଇଛନ୍ତି ଏବଂ ସେ ନିଜେ ଜାଣନ୍ତି ନାହିଁ ଯେ ଏଇଭଳି ଆଉ କେତେ ଠେକୁଆ ଶାବକ ମେରିର ଜରାୟୁରେ ରହିଛନ୍ତି । ତେଣୁ ଏହିଭଳି ଗୋଟିଏ ପ୍ରକ୍ରିୟାର ଉପଯୁକ୍ତ ଗବେଷଣା ଭିତ୍ତିକ ଯାଞ୍ଚ ହେବା ଦରକାର ।

ମେରିର କିନ୍ତୁ ସେଇ ମାସ ସାରା ନିୟମିତ ଠେକୁଆ ପ୍ରସବ ଚାଲିଥାଏ । ସବୁ ପ୍ରସବ ଅର୍ଦ୍ଧ ବିକଶିତ ଆଉ ମୃତ ଠେକୁଆ ଶାବକ ।

ତାହା ପରେ ମେରି ପ୍ରସିଦ୍ଧ ହୋଇଯାଇଥିଲା। ତାହାର ଏହି ଭଳି ଗର୍ଭବାସକୁ ଲୋକେ ବାଇବେଲ୍ ର ମେରି ଙ୍କ ସହ ଯୋଡି ସେଥିରୁ ଏକ ଧାର୍ମିକ ଅର୍ଥ ବାହାର କରିବାରେ ଲାଗିଥିଲେ ।

କିନ୍ତୁ ମେରିର ଏହି ଭଳି ଅଦ୍ଭୁତ ଠେକୁଆ ପ୍ରସବକୁ କିଛି ଲୋକ ବି ସନ୍ଦେହ କରୁଥିଲେ । ଦଳେ ବୈଜ୍ଞାନିକ ତେଣୁ ମେରିକୁ ପରୀକ୍ଷା କରିବା ପାଇଁ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ଆସି ସରେ ଅଞ୍ଚଳରେ ପହଁଚିଥିଲେ । ସେମାନେ ଆସି ପରୀକ୍ଷା କରିବା ସହ ଏକ ଜଟିଳ ସର୍ଜରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହି କାହାଣୀର ଉପସଂହାର ଆପଣମାନେ ହୁଏତ ଅନୁମାନ କରିପାରିଥିବେ । ଯେଉଁ କାହାଣୀର ଉପସଂହାର ଆମର ଅନୁମାନ ମୁତାବକ ହୋଇଥାଏ କାହାଣୀ ଦୃଷ୍ଟିରୁ ସେଇଟି ବିଫଳ ।

ମେରି ଟଫ୍ଟର ଏଇ ଠେକୁଆ ପ୍ରସବ କାହାଣୀ ତାହାପରେ ସ୍ଥଗିତ ରହିଛି । ମେରି ନିକଟକୁ ନିୟମିତ ଠେକୁଆ ଶାବକ ସରବରାହ କରୁଥିବା ଜଣେ ବ୍ୟକ୍ତିର ସ୍ୱୀକାରୋକ୍ତି ସଂଗ୍ରହ କରାଯାଇଛି । ଇଂଲଣ୍ଡର ପ୍ରଖ୍ୟାତ ବ୍ରାଇଡୱେଲ୍ କାରାଖାରକୁ ପଠାଯାଇଛି ମେରିକୁ ଏଇ ଅଭିଯୋଗରେ ଯେ ସେ ଇଂଲଣ୍ଡବାସୀଙ୍କୁ ଏମିତି ମିଛ ପ୍ରସବର ଅଭିନୟରେ ପ୍ରତାରଣା କରିଛି। ସେହି କାରାଗାରର ଅଧିବାସୀ ମାନଙ୍କର ଦାବୀ ରହିଛି ଯେ,ଏହି ଠେକୁଆ-ମାତା ମେରିକୁ ସର୍ବସାଧାରଣରେ ପ୍ରଦର୍ଶନ କରାଯାଉ । ମାତ୍ର କାରାଗାରର ଅଧିବାସୀ ମାନଙ୍କର ସେହି ଦାବୀକୁ କାରାଗାର କର୍ତ୍ତୃପକ୍ଷ ଭାନିନେଇ ନାହାଁନ୍ତି ।

ମେରି ଟଫ୍ଟର ସେହି ମିଛପ୍ରସବରେ ସହାୟତା କରିଥିବା ଚିକିତ୍ସକ ଜନ ହାୱାର୍ଡ ବୈଜ୍ଞାନିକ ଦଳ ସରେ ଅଞ୍ଚଳରେ ପହଞ୍ଚିବା ପରଠାରୁ ହଠାତ୍ କୁଆଡେ ନିରୁଦ୍ଦିଷ୍ଟ ହୋଇ ଯାଇଛନ୍ତି । ତାଙ୍କର କଳ୍ପବିଜ୍ଞାନ ଗଳ୍ପ ପ୍ରତି ବିଶେଷ ଝୁଙ୍କ ଥିଲା । ସଂଭବତଃ ସେଇ ଭଳି କିଛି କାହାଣୀ ରଚନା କରିବା ପାଇଁ ସେ କେଉଁ ଏକ ଏକାନ୍ତ ଓ ପରିବେଶ ର ସଂଧାନରେ ରହିଛନ୍ତି ।

ସତ କହିଲେ, ମେରିର କୌଣସି ପୁରୁଷବନ୍ଧୁ ନଥିଲେ । ସେ ପୁରୁଷମାନଙ୍କୁ ଘୃଣା କରୁଥିଲା । ତେଣୁ ସେହିଭଳି ଏକ ଗଭୀର ଘୃଣାର କାରଣରୁ ସେ ଜଣେ ନାରୀ ହିସାବରେ ନିଜ ଶରୀରରୁ ବାଇବେଲୀୟ ସଂସର୍ଗ ରହିତ ସମ୍ପର୍କରୁ ମଣିଷ ଭିନ୍ନ ଅନ୍ୟ କିଛିକୁ ଜନ୍ମ ଦେବାକୁ ଚାହୁଁଥିଲା ।

ଠେକୁଆଠାରୁ ଅଧିକ କୋମଳ, ଅଧିକ ନୀରିହ ଆଉ ଦ୍ୱିତୀୟ ବିକଳ୍ପ କ’ଣ ?

Comments are closed.