ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୩
ପ୍ରେମପତ୍ର ମାନେ ଏକଦା ଥିଲେ ।
ଥିଲେ ବା ଏକଦା ବୋଲି ଏମିତି ପ୍ରାକ୍-ଭାଷ ପ୍ରେମପତ୍ର ସହିତ ଯୋଡିବା ବେଳକୁ ମନ ବିଷାଦରେ ଭରିଯାଉଛି କାରଣ ସମସାମୟିକ ପ୍ରେମପତ୍ର(?) ମାନ ସଂକ୍ଷିପ୍ତ-ବାର୍ତ୍ତା-ବାହକ ବା ଏସ୍ଏମ୍ଏସ୍ ର ଆଧିପତ୍ୟରୁ ଏବେ ସଂକ୍ଷିପ୍ତରୁ ସଂକ୍ଷିପ୍ତତର । ଆଉ ଯାହା ହେଉନା କାହିଁକି ପ୍ରେମପତ୍ରମାନ କେବେହେଲେ ସଂକ୍ଷିପ୍ତ ବା ସୂଚନାଧର୍ମୀ ହେବା ଉଚିତ ନୁହଁ । ସୂଚନାପ୍ରବାହର ଏଇ ସମକାଳରେ ପ୍ରେମପତ୍ର ଏବେ କରୁଣ ରୁ କରୁଣତର । ଠିକ୍ ସେହିଭଳି ଗୋଟିଏ ପ୍ରେମପତ୍ର ସହିତ ଏକାକୀ କିଛିକାଳ ବଂଚିବା ଭଳି ଉଲ୍ଲସିତ ବାସ୍ନାଯୁକ୍ତ ଗୋପନୀୟ ଅବସର ଆଜି ଆଉ ଆମପାଖରେ ନାହିଁ । ପ୍ରେମପତ୍ର ବା ପ୍ରେମ-ସନ୍ଦେଶର ଯଦି ତତକ୍ଷଣାତ୍ ପ୍ରତ୍ୟୁତ୍ତର ଦିଆଯାଏ ଅବା ଦିଆଯାଇପାରିବା ବା ଅନ୍ୟପକ୍ଷର ପ୍ରାପ୍ତି ସ୍ୱୀକାର ସୂଚନା ଆଦିକୁ ଜାଣିବା ଭଳି ପ୍ରଯୁକ୍ତି ଯଦି ଆମପାଖରେ ଉପଲବ୍ଧ ଥାଏ ତେବେ ସେ ଆଉ କେଉଁ ପ୍ରକାର ପ୍ରେମପତ୍ର ?
ଆଜିର ପ୍ରେମପତ୍ର ସେଦୃଷ୍ଟିରୁ ସଂକ୍ଷିପ୍ତ ଆଉ କହିବାକୁଗଲେ ଏକପ୍ରକାର ସମୟ-ନିର୍ଘଣ୍ଟରେ ପରିଣତ ହୋଇଯାଉଛି ।
ସେ ଯାହାହେଉ ଏଇଠି କିନ୍ତୁ ପ୍ରେମ ଅଛି ,ଏଇଠି ପତ୍ର ବି ଅଛି, ହେଲେ ଏଇଠି ସାଧାରଣତଃ ପ୍ରେମପତ୍ର ବୋଲି ଯାହାକୁ କୁହାଯାଏ ବା ଯାହା ସହିତ ଆମର ଏକଦା ବେଶ୍ ପରିଚିତି ଥିଲା ସେମିତି କିଛି ନାହିଁ ।
ଏମିତି ଗୋଟିଏ ପ୍ରହେଳିକାରୁ ଏଇ ଲେଖାର ଆରମ୍ଭ ହେଉ ।
ଅଦ୍ଭୁତ ନହେଲେ ପ୍ରେମ କଥା କାହିଁ ?
ଜଣେ ଅଜବ ତୀରନ୍ଦାଜ ଇରୋସ୍ । ସେଇଥିପାଇଁ ତ ସେ ତୀରନ୍ଦାଜୀ ର ଦେବତା।
ତାଙ୍କର ତୁଣୀରରେ ସର୍ବଦା ମହଯୁଦ ରହିଥାଏ ଦୁଇ ପ୍ରକାର ଭିନ୍ନ ଭିନ୍ନ କିସମର ତୀର ।
ଗୋଟିଏ ପ୍ରକାର ତୀର ସୁନାରେ ତ ଆର ଟି ସୀସାରେ ତିଆରି ।
ଏଇ ଭଳି ଦୁଇ ପ୍ରକାର ତୀର ର ବ୍ୟବହାର ପାଇଁ ଦୁଇଟି ଭିନ୍ନ ପରିପ୍ରେକ୍ଷ୍ୟ ର ନିର୍ମାଣ ଇରୋସ୍ ଆପେ କରିଥାଆନ୍ତି ।
ସେଇ ଦୁଇଟିଯାକ ପ୍ରେମର ପରିପ୍ରେକ୍ଷ୍ୟ ।
ଇରୋସ୍ ଯେତେବେଳେ କାହାକୁ ପ୍ରେମରେ ଅଧିର କରିଦେବାକୁ ଚାହାଁନ୍ତି ସେ ତାଙ୍କର ସୁନା ର ନିର୍ମିତ ତୀରକୁ ନିଜ ତୁଣୀରରୁ ବାହାର କରି ତାହା ଉପରକୁ ନିକ୍ଷେପ କରିଥାଆନ୍ତି ।
ସେଇଥିପାଇଁ ତ ପ୍ରେମରେ ପଡିଥିବା ଏବଂ ଏହିଭଳି ଶରାଘାତ ଭୋଗୁଥିବା ସେଇ ଚରିତ୍ର ଟି ର ମନ ସୁନା ଭଳି ସୁନ୍ଦର ହୋଇଯାଏ ।
ମାତ୍ର ଇରୋସ୍ ସବୁ ପ୍ରେମକୁ ସମାନ ଆଉ ସୁନ୍ଦର କରିବାକୁ ଚାହାଁନ୍ତି ନାହିଁ । ସବୁ ପ୍ରେମ ସମାନ ଆଉ ସମାନ ଭାବରେ ସୁନ୍ଦର ହେଲେ ପୃଥିବୀରେ ତ ଆଉ ପ୍ରେମ ବୋଲି କିଛି ରହିବ ନାହିଁ । ସେଇଭଳି ହେଲେ ପ୍ରେମ ଆମର ନିତ୍ୟ ପ୍ରୟୋଜନୀୟ ବ୍ୟବହାରଯୋଗ୍ୟ ଆବଶ୍ୟକତା ପାଲଟି ଯିବ, ଆମର ଖାଦ୍ୟ,ବସ୍ତ୍ର ଆଉ ବାସଗୃହ ଭଳି ।
ସେଇଥିପାଇଁ ପ୍ରେମ କୁ ଅସମାନ ଆଉ ଭିନ୍ନ ଭିନ୍ନ ପୃଷ୍ଟଭୂମୀ ଦେବାକୁ ହୁଏ ଆଉ ତାହାରି ଫଳରେ ପ୍ରେମ ତାହାର ସୁନ୍ଦର ପଣରେ ପ୍ରତିଷ୍ଠିତ ହୁଏ ।
ସେହି ଉଦ୍ଦେଶ୍ୟରେ ଇରୋସ୍ ତାଙ୍କର ତୁଣୀରରୁ ସୀସାରେ ତିଆରି ତୀରଟିକୁ ବାହାର କରି କାହା କାହା ଉପରକୁ ବି ନିକ୍ଷେପ କରିଥାନ୍ତି।
ସୀସାରେ ତିଆରି ସେଇ ତୀର ର ଆଘାତରେ ଆମର ମନ ଅସୁନ୍ଦର ହୋଇଯାଏ । ଆମର ମନ କଠିନ ହୋଇଯାଏ । କଠିନ ମନଟିଏ ଆଉ ଯାହା ହେଉନା କାହିଁକି ପ୍ରେମ କରିବାକୁ ଅସମର୍ଥ ।
ସେହି ଭଳି ପଥର ହୋଇଯାଇଥିବା କୌଣସି ମନ ନିକଟରେ ଆମେ ବାରଂବାର ପ୍ରେମ ନିବେଦନ କରି ବିଫଳ ହୋଇଥିବାର କଥା ଆମ ସମସ୍ତଙ୍କର ନିଶ୍ଚୟ ମନେ ଥିବ।
ଯେଉଁମାନେ ପ୍ରେମରେ ସଫଳ ସେମାନଙ୍କର ମନଗହୀରରେ ବି ଅପସୃୟମାନ ନକ୍ଷତ୍ର ର ଆଲୋକ ଭଳି କିଛି ବିଫଳତା ତଥାପି ମିଞ୍ଜିମିଞ୍ଜି କରୁଥାଏ ।
ସେ ସମୟର କଥା । ସେତେବେଳେ ଆପୋଲୋ ହେଉଛନ୍ତି ସବୁଠୁ ବଡ ଦେବତା ଆଉ ତାଙ୍କର ତୁଳନାରେ ଆମର ଏଇ ପ୍ରେମ-ତୀରନ୍ଦାଜ ଇରୋସ୍ କାହିଁ କେତେ ଛୋଟ ।
ଥରେ ଆପୋଲୋ ଆଉ ଇରୋସ୍ ଙ୍କର ମଧ୍ୟରେ ମନୋମାଳିନ୍ୟ ଘଟିଲା ।
ଜଣେ ଛୋଟ ଦେବତା ଜଣେ ବଡ ଦେବତାର କ’ଣ ବା କ୍ଷତି ଆଉ କରିପାରିବ ? କେବଳ ଏତିକି ମାତ୍ର ସେ କରିପାରିବ ,କୌଣସି ବଡ ଦେବତା ଭିତରେ ସାମାନ୍ୟ ବିଭ୍ରମ ର ସୃଷ୍ଟି କରିପାରିବା ଭଳି ଛୋଟମାପର ବଦମାସୀ ।
ଯେହେତୁ କୌଣସି ଦେବତାର ମନକୁ କଠୋର କରିବା ବିଧିସଙ୍ଗତ ନୁହଁ ତେଣୁ ଇରୋସ୍ ନିଜର ସୁବର୍ଣ୍ଣ ତୀରକୁ ନିକ୍ଷେପ କରିଥିଲେ ଆପୋଲୋଙ୍କ ଶରୀର ଉପରକୁ । ଆଉ ଏହି ଶର ର ପ୍ରଭାବରେ ଆପୋଲୋ ଦାଫନେ ବୋଲି ଜଣେ କୁମାରୀ ଦେବୀଙ୍କ ପ୍ରେମରେ ପଡିଗଲେ ।
ଦାଫନେ ହେଉଛନ୍ତି ଝରଣାର ଦେବୀ । ନଦୀ ଦେବତା ପେନିଅସ୍ ଙ୍କ ଅଲିଅଳୀ କନ୍ୟା ।
ଆପୋଲୋଙ୍କ ବାରଂବାର ପ୍ରେମ ନିବେଦନ ରେ ଅତିଷ୍ଠ ହୋଇପଡିଥିଲେ ଦାଫନେ । ନିଜର ପିତା ନଦୀଦେବ ପେନିଅସ୍ ଙ୍କୁ ଗୁହାରି କଲେ କେଉଁଭଳି ସେ ଏଇ ପ୍ରେମଜଂଜାଳରୁ ମୁକ୍ତ ହେବେ ।
ପ୍ରେମରେ ପଡିଲେ ଗୋଟିଏ ବାହ୍ୟ ନିୟନ୍ତ୍ରଣ କେଉଁଠୁ ନା କେଉଁଠୁ ସବୁବେଳେ ଆମକୁ ପହରା ଦେଉଥାଏ ।
ଦାଫନେ ଏକଥା ଭଲଭାବରେ ଜାଣନ୍ତି ।
ଜାଣନ୍ତି ଯେ ପ୍ରେମରେ ଥରେ ପଡିଗଲେ କୁକୁଳୁଳୁ ଝରଣାର ଅବାରିତ ପ୍ରବହମାନତାକୁ ସେ ଚିରତର ହରାଇ ବସିବେ ।
ପିତା ନଦୀ ଦେବ ନିଜର ଅଲିଅଳୀ କନ୍ୟାକୁ ଆପୋଲୋଙ୍କ ପ୍ରେମରୁ ରକ୍ଷା କରିବାର ଗୋଟିଏ ଉପାୟ ପ୍ରଦାନ କରିଥିଲେ । ଉପାୟ ଟି ଥିଲା ଗୋଟିଏ ମନ୍ତ୍ର । ସେହି ମନ୍ତ୍ରଟି ପାଠ କଲା ପରେ ଆଚମ୍ବିତ ଘଟଣା ଟି ଘଟିଯିବ ।
ଦାଫନେ ମନ୍ତ୍ର ପାଠ କଲେ । ଆଉ ତାହାପରେ ହଠାତ୍ ନଦୀକୂଳରେ ପାଲଟି ଗଲେ ଗୋଟିଏ ସୁନ୍ଦର ଗଛ ଯାହାର ପତ୍ର ମାନ ଥିଲା ସୁନେଲି
ରଂଗର ।
ଯେଉଁ ପର୍ଯ୍ୟନ୍ତ ପ୍ରେମରୁ ରକ୍ଷାପାଇବା ଭଳି ଛଦ୍ମବେଶରେ ଥିବା ସେଇ ଗଛ ପୁନର୍ବାର ମନ୍ତ୍ରପାଠ କରି ଝରଣା ପାଲଟି ଯାଇନାହିଁ ସେ ପର୍ଯ୍ୟନ୍ତ ସେ ଆମ ସାମ୍ନାରେ ରହିଛି ଆଉ ତାହାର ପତ୍ରମାନ ସେମିତି ସୁନେଲି ରଂଗର ହୋଇ ଅଛନ୍ତି ।
ଆମର ପ୍ରିୟ ଖାଦ୍ୟକୁ ପ୍ରେମପୂର୍ଣ୍ଣ କରିବା ପାଇଁ ରୋଷେଇ ବେଳେ ଆମେ ସେହି ସୁବର୍ଣ୍ଣ ପତ୍ରକୁ ତୋଳି ଆଣି ସେଥିରେ ପକାଇଥାଉ ଆଉ ପ୍ରେମର ବାସ୍ନାରେ ବିଭୋର ହୋଇଯାଉ ।
ସେହି ପ୍ରେମପତ୍ରର ଆମେ ଗୋଟିଏ ନାଆଁ ଦେଇଛୁ ତାହା ହେଉଛି,ତେଜପତ୍ର ।
Comments are closed.