Latest Odisha News

ସ୍ୱଳ୍ପ ଗଳ୍ପ : ଗଧର ପିଠିରେ ରକ୍ତଦାଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୫

ଗଧର ପିଠିରେ ରକ୍ତଦାଗ

ସେ ଇଜିପ୍ଟର ଖଲିଫା। ନାଆଁ ଅଲ-ହକିମ୍ ବି-ଅମର ।

ତାଙ୍କର ମୁଣ୍ଡଦୋଷ ଥିଲା। ଆଉ ସେଇଥିପାଇଁ ଲୋକେ ତାଙ୍କୁ ପରୋକ୍ଷରେ କହୁଥିଲେ ହକିମ୍ ପାଗଳା।

ହକିମ କହିଲେ ବୈଦ୍ୟଙ୍କୁ ବୁଝାଏ । ମାତ୍ର ଇଏ ଜଣେ ଖଲିଫା ଥିଲେ। ପୟଗମ୍ବର ମହମ୍ମଦଙ୍କ ଦେହାବସାନ ପରେ ଇସଲାମ୍ ଧର୍ମର ମୂଲ୍ୟବୋଧ ତଥା ତାହାର ପ୍ରଚାର ପ୍ରସାର ପାଇଁ ଖିଲାଫତ ବ୍ୟବସ୍ଥାର ସୃଷ୍ଟି ହୋଇଥିଲା। ତାହା ଅନୁସାରେ ଖଲିଫା ମାନେ ଇସଲାମ ଧର୍ମର ଧର୍ମଗୁରୁ ହିସାବରେ ସମସ୍ତ ଧାର୍ମିକ ପ୍ରବନ୍ଧନର ପରିଚାଳନା କରୁଥିଲେ। ଏଇ ହକିମ୍ ପାଗଳା ଥିଲେ ସେମିତି ଜଣେ ଖଲିଫା,ସେମିତି ଅସୁଖ ଦୂର କରିବାପାଇଁ କୌଣସି ଉପଚାର ପ୍ରଦାନ କରିବା ଭଳି କୌଣସି ହକିମ୍ ନୁହଁ।

ତଥାପି ସେ ଜନସାଧାରଣକୁ ଆଧ୍ୟାତ୍ମିକ ଉନ୍ନତି ପାଇଁ କେତେଗୁଡିଏ କଥାକୁ ମାନିବାପାଇଁ ନିର୍ଦ୍ଦେଶ ନାମା ପ୍ରଦାନ କରିଥିଲେ।

ତାଙ୍କର ପ୍ରିୟ ଗଧଟି ମୁକତ୍ତମ ପାହାଡର ପାଦଦେଶରେ ଥିବା ଏକ ପରିତ୍ୟକ୍ତ ବାମ୍ଫୀ ନିକଟରେ ଯେତେବେଳେ ସେଦିନ ଏକେଲା ଠିଆ ହୋଇଥିବାର ଦେଖାଯାଇଥିଲା ସଭିଏଁ ତାହାପରେ କୁହାକୁହି ହେଲେ ପରମକରୁଣାମୟ ଆଲ୍ଲାତାଲ୍ଲା ତାଙ୍କୁ ନିଶ୍ଚୟ କେଉଁଠି ଲୁଚାଇ ଦେଇଛନ୍ତି।

ଇଏ ହେଉଛି ୧୦୨୧ ଖ୍ରୀଷ୍ଟାବ୍ଦର କଥା।

ମୂଳ ଇସଲାମଠାରୁ ଅଲଗା, ଆରବିକ୍ ଭାଷା କହୁଥିବା ଗୋଟିଏ ଆଧ୍ୟାତ୍ମବାଦୀ ଦଳ ଯେଉଁମାନେ ସେତେବେଳେ ଲେବାନନ ଆଉ ସିରିଆରେ ରହୁଥିଲେ ସେମାନେ ମୁଖ୍ୟତଃ ହମଜା ଇବନ୍ ଅଲି ଇବନ ଅହମଦ ଙ୍କର ବାଣୀ ଏବଂ ନୀତି ଏବଂ ପ୍ରଖ୍ୟାତ ଗ୍ରୀକ୍ ଦାର୍ଶନିକ ପ୍ଲାଟୋ ,ଆରିଷ୍ଟୋଟଲ୍ ଏବଂ ପିଥାଗୋରସ୍ ଆଦିଙ୍କୁ ଅନୁସରଣ କରୁଥିଲେ ଆଉ ସେମାନଙ୍କୁ ଡ୍ରୁଜ୍ ବୋଲି କୁହାଯାଉଥିଲା।

ଇସଲାମଠାରୁ ଅଲଗା ହୋଇଯାଇଥିବା ସ୍ୱତନ୍ତ୍ର ଜ୍ଞାନର ଅଧିକାରୀ ବୋଲି ମନେ କରୁଥିବା ଏଇ “ଏସୋଟେରିକ” ଦଳ ଅର୍ଥାତ୍ ଡ୍ରୁଜ୍ ମାନଙ୍କ ତରଫରୁ କୁହାଗଲା ଯେ ପୃଥିବୀର ଶେଷ ଦିନ ଅର୍ଥାତ୍ ଯାହାକୁ
” ମାହଦି ” ବୋଲି କୁହାଯାଏ ସେଇଦିନ ହିଁ ହକିମ୍ ପାଗଳାଙ୍କୁ ଆଲ୍ଲାତାଲ୍ଲା ତାଙ୍କର ଲୁଚାଇ ରଖିଥିବା ସ୍ଥାନରୁ ପୃଥିବୀକୁ ଶାସନ କରିବାପାଇଁ ଫେରାଇ ଦେବ। ଆଉ ତାଙ୍କର ସେଇ ଶାସନର ଠିକ୍ ପରେ ପରେ ତ ଆଲ୍ଳାତାଲ୍ଲାଙ୍କ ସର୍ବଶେଷ ବିଚାର ବା ଡେ ଅଫ୍ ଜଜମେଣ୍ଟ ର ଆରମ୍ଭ ହେବ।

ଖଲିଫା ହକିମ ପାଗଳାଙ୍କର ଜନସାଧାରଣଙ୍କ ଉଦ୍ଦେଶ୍ୟ ଜାରି କରିଥିବା ନିର୍ଦ୍ଦେଶନାମା ଭିତରେ ପ୍ରମୁଖ ଥିଲା : ଅଙ୍ଗୁର ଏବଂ ତରଭୁଜ ଭକ୍ଷଣ ନିଷେଧ। ଚେସ୍ ଖେଳ ନିଷେଧ ।

କାଏରୋ (ସମ୍ପ୍ରତି କାହିରା) ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସେ ରାତିରେ କାମ କରିବା ଆଉ ଦିନରେ ଶୋଇବା ପାଇଁ ବିଧିବଦ୍ଧ ଘୋଷଣାନାମା ଜାରି କରିଥିଲେ ।

କୁକୁରମାନଙ୍କର ଭୁକିବା କାରଣରୁ ତାଙ୍କର ନିଦରେ ବ୍ୟାଘାତ ଘଟିବା ଯୋଗୁ ସେ ସହରର ସମସ୍ତ କୁକୁରଙ୍କୁ ହତ୍ୟା କରିଥିଲେ । ଆଉ କୁକୁର ପାଇଁ କାଏରୋ ସହରରେ ଶକ୍ତ ପ୍ରତିବନ୍ଧ ରହିଥିଲା।

ଖାଲି କୁକୁର ନୁହଁ ଥରେ ଦଳେ ନାରୀ ଏକତ୍ର ଉଚ୍ଚଗଳାରେ କଥାହେଉଥିବା ଶୁଣି ସେ ବିରକ୍ତ ହୋଇ ସେମାନଙ୍କୁ ଏକତ୍ର ଗୋଟିଏ ସ୍ନାନାଗାରର ଗରମପାଣିରେ ସିଝାଇ ହତ୍ୟା କରିଥିଲେ। ଅବଶ୍ୟ କୁକୁରମାନଙ୍କ ଭଳି ସେ କାଏରୋକୁ ଗୋଟିଏ ନାରୀବିହୀନ ସହର ହେବାକୁ ନିର୍ଦ୍ଦେଶ ଦେଇ ନଥିଲେ। ସେ ପ୍ରଚଣ୍ଡ ନାରୀବିଦ୍ୱେଷୀ ଥିଲେ । ନାରୀମାନଙ୍କୁ ନିଜର ଘରୁ ବାହାରକୁ ଯିବା ନିଷେଧ ଥିଲା। ଏଇ କଥାକୁ ହୁଏତ କାର୍ଯ୍ୟକାରୀ କରିବା ପାଇଁ ସେ ନାରୀମାନଙ୍କର ଜୋତା ବା ଚପଲ ତିଆରିକୁ ସଂପୂର୍ଣ୍ଣ ଭାବରେ ନିଷିଦ୍ଧ କରିଥିଲେ।

ସହରର ଯେଉଁ ବ୍ୟବସାୟୀମାନେ ସାଧାରଣ ଲୋକଙ୍କୁ ଠକାଇଥିବାର ଅଭିଯୋଗ ଆସୁଥିଲା ସେହି ଅସାଧୁ ବ୍ୟବସାୟୀ ପ୍ରତି ତାଙ୍କର ଏକ ଅଦ୍ଭୁତ ଦଣ୍ଡବିଧାନ ରହିଥିଲା। ତାଙ୍କର ପ୍ରିୟ କ୍ରୀତଦାସ ମାସୁଦ ସେହି ଅସାଧୁ ବ୍ୟବସାୟୀର ଗୁହ୍ୟ ମୈଥୁନ କରୁଥିବ ଆଉ ସେ ସ୍ୱୟଂ ସେଇ ବ୍ୟବସାୟୀର ମୁଣ୍ଡପାଖରେ ଛିଡା ହୋଇ ଏଇ ଭଳି ଦଣ୍ଡାଦେଶକୁ ପ୍ରତ୍ୟକ୍ଷ କରୁଥିବେ।

ଖଲିଫା ହକିମ୍ ପାଗଳା କିନ୍ତୁ ଜଣେ ନାରୀକୁ ପ୍ରଚଣ୍ଡ ଶ୍ରଦ୍ଧା କରୁଥିଲେ। ସେ ଥିଲା ତାଙ୍କର ଭଉଣୀ ସିତ୍ ଅଲ-ମୁଲ୍କ ।

ମୁକତ୍ତମ ପାହାଡର ପାଦଦେଶରେ ଥିବା ଏକ ପରିତ୍ୟକ୍ତ ବାମ୍ଫୀ ନିକଟରେ ସେଦିନ ହକିମଙ୍କ ଗଧ ଟି ଏକେଲା ଠିଆହୋଇଥିବାର ଖବର ପାଇବା ପରେ ସିତ୍ ଅଲ୍-ମୁଲ୍କ ସର୍ବପ୍ରଥମେ ପରିଚାରକ ମାନଙ୍କ ନିକଟରୁ କେବଳ ଏତିକି ମାତ୍ର ଜାଣିବାକୁ ଚାହିଁଥିଲା।

ଗଧର ପିଠିରେ ରକ୍ତଦାଗ।

ସମସ୍ତ ପବିତ୍ର ରକ୍ତ ସମ୍ପର୍କକୁ ଛିନଛତ୍ର କରିଦେଇ ଭାଇ ଟିଏ ଯେତେବେଳେ ଅପ୍ରତିରୋଧ୍ୟ ପରାକ୍ରମୀ ପୁରୁଷ ପାଲଟି ଯାଏ ତାହାର ରକ୍ତ ତ ଆମର ଭାରବାହୀ ଜୀବନରେ ଛିଟକି ପଡି ଅସହଜ ଦାଗ ହୋଇ ଚିରକାଳ ରହିଯିବା ଥୟ।

ଗଧର ପିଠିଠାରୁ ଭାରବାହୀ ପ୍ରତୀକ ଆଉ କ’ଣ ଅଛି ଆମର ଜୀବନବୋଧରେ ?

Comments are closed.