Latest Odisha News

ସ୍ୱଳ୍ପ ଗଳ୍ପ : ଜଣେ ଅପରାଜିତ ରାଜକନ୍ୟା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୬

ବାସ୍ତବ ଜଗତର ରାଜକନ୍ୟାରୁ ସେ ଯେତେବେଳେ କାହାଣୀ ଜଗତର ଗୋଟିଏ ରାଜକନ୍ୟା ପାଲଟି ଗଲେ ସେତେବେଳେ ସେ ଅଧିକରୁ ଅଧିକ ସୁନ୍ଦର ଦିଶୁଥିଲେ। ରାଜକନ୍ୟାମାନଙ୍କୁ କାହାଣୀରେ ଅପରୂପା ଆଉ ଚିରକିଶୋରୀ କରି ରଖିବା ଭଳି ଆମର ଦୂର୍ବାର ଆକର୍ଷଣର କାରଣରୁ ପରେ ତାଙ୍କର ବୟସ ସବୁବେଳେ ଉଣେଇଶରୁ ଆଉ ଅଧିକ ହେଲା ନାହିଁ ।

ସବୁଠୁ ବଡ କଥା ହେଉଛି ବାସ୍ତବରେ ନିଜର ଶେଷ ଯାଏଁ ଅପରାଜେୟ ହୋଇ ରହିଥିବା ଏହି ରାଜକନ୍ୟାକୁ କାହାଣୀର ପରିସରରେ ପରାଜିତ ହେବାକୁ ପଡିଥିଲା। ଆମର ଅଭିଳାଷ, ସୁନ୍ଦରପଣ ନିରଙ୍କୁଶ ହୋଇ ନରହୁ। ଏହା ସବୁବେଳେ ପୁରୁଷତନ୍ତ୍ରର ଆଧିକାରିକ ଆଧିପତ୍ୟ ଏବଂ ଲକ୍ଷ୍ମଣଗାରର ସୁରକ୍ଷାବଳୟରେ ରହି ଝଲମଲ କରୁଥାଉ। ସେଇଥିପାଇଁ ତ ଏହି ରାଜକନ୍ୟାର ପିତାମାତା ଆଉ ସମକାଳର ଜନସାଧାରଣ ଚାହୁଁଥିଲେ ଯେ,ସେ ଆଉ ଏମିତି ଅପରାଜେୟର ଶିରୋପା ମଥାରେ ବାନ୍ଧି ସମାଜର ପଟଳରେ ଉପସ୍ଥିତ ନରହୁ ।

ଢେର୍ ହେଲା,ରାଜକନ୍ୟା ଏଥର ପରାସ୍ତ ହୁଅନ୍ତୁ।

ରାଜକନ୍ୟାଙ୍କର ଏମିତି ଅପରାଜିତ ରହିବା ଦ୍ୱାରା ପୃଥିବୀର ସମସ୍ତ ସ୍ୱାଭାବିକତା ବ୍ୟାହତ ହେଉଛି,ତେଣୁ ସେ ପରାସ୍ତ ହୁଅନ୍ତୁ,ଅବନତ ହୁଅନ୍ତୁ ଆଉ ପୃଥିବୀ ସ୍ୱାଭାବିକ ସନ୍ତୋଷରେ ଆତଯାତ ହେଉଥାଉ। ଏଇଭଳି ଧାରଣା ପୋଷଣ କରି ସମସ୍ତେ ସେହି ଯୁଦ୍ଧଟିକୁ ପ୍ରତ୍ୟକ୍ଷ କରିବା ପାଇଁ ଉପସ୍ଥିତ ହୋଇଥିଲେ।

କାହାଣୀର ଏଇ ପୂର୍ବକାଳ । ପ୍ରଖର ବାସ୍ତବତାର ଆବର୍ତ୍ତିତ ହେଉଛନ୍ତି ସମସ୍ତ
ଚରିତ୍ର ।

ରାଜକନ୍ୟା ଦେଖିବାକୁ ଖୁବ୍ ସୁନ୍ଦର । ମଙ୍ଗୋଲ ରମଣୀମାନେ ଏମିତିରେ ତ ଦେଖିବାକୁ ସବୁବେଳେ ସୁଦର୍ଶନା। ମାତ୍ର ତାଙ୍କର ଅତ୍ୟଧିକ ପୁରୁଷାଳି ପ୍ରକୃତି ଏବଂ ପେଶୀବହୁଳ ଶରୀର ର ଗଢଣ ସମସ୍ତଙ୍କ ଆଖିରେ ପଡୁଥିଲେ ବି ରାଜକନ୍ୟାଙ୍କର ଇଏ ଯେ ଗୋଟିଏ ଖୁଣ ସେକଥା କହିବାର ସାହସ କାହାର ନଥିଲା।

ଆକର୍ଷଣ ଆଉ ଭୟ ଉଭୟ ଏକାଠି ରାଜୁତି କରୁଥିଲେ ସେତେବେଳେ।

ଯୁଦ୍ଧଟି ଗୋଟିଏ କୁସ୍ତିଯୁଦ୍ଧ।

ପ୍ରତିପକ୍ଷରେ ସେଇଠି ଉପସ୍ଥିତ ଥିଲେ ଯେଉଁ ରାଜକୁମାର ସେ ଦେଖିବାକୁ ଅତ୍ୟନ୍ତ ସୌମ୍ୟଦର୍ଶନ। ସମ୍ଭାବ୍ୟ ବିଜୟ ପାଇଁ ତାଙ୍କର ଆତ୍ମବିଶ୍ୱାସ ପ୍ରବଳ । ସେ ସେଇଥିପାଇଁ ତ ନିଜ ସହିତ ସାଥିରେ ଏକ ସହସ୍ର ଉତ୍ତମ ପ୍ରଜାତିର ମଙ୍ଗୋଲୀୟ ଘୋଡା ଧରି ସେଇଠିକୁ ଆସିଥିଲା । ସେ ସମୟରେ ପ୍ରଥମେ ଏକ ବାଜି ନିରୂପିତ ହୋଇ କୁସ୍ତିଯୁଦ୍ଧ ର ଆରମ୍ଭ ହେଉଥିଲା। କହିବାକୁଗଲେ ଏହି ଭଳି ଗୋଟିଏ ଅତ୍ୟନ୍ତ ସଂଭ୍ରାନ୍ତ କୁସ୍ତିଯୁଦ୍ଧର ଯଥାଯୋଗ୍ୟ ସମ୍ମାନଜନକ ବାଜିର ମାପକାଠି ଥିଲା ଏକ ସହସ୍ର ଘୋଡା।

ରାଜକନ୍ୟାଙ୍କ ସହିତ ସେଦିନର ସେହି ରାଜକୁମାର ର କୁସ୍ତିଯୁଦ୍ଧକୁ ପ୍ରତ୍ୟକ୍ଷ କରିଥିଲେ ସେ ସମୟର ଅନ୍ୟତମ ପ୍ରବୀଣ ଇତିହାସର ପର୍ଯ୍ୟଟକ ଭେନିସ୍ ର ଅଧିବାସୀ ମାର୍କୋ ପୋଲୋ । ମାର୍କୋ ପୋଲୋ ହେଉଛନ୍ତି ସେହି ଚର୍ଚ୍ଚିତ ପରିବ୍ରାଜକ ଯାହାର ଲିଖିତ ବିବରଣୀ ପାଶ୍ଚାତ୍ୟ ଜଗତରେ ପ୍ରାଚ୍ୟଦେଶ ମାନଙ୍କର ଅନ୍ତର୍ନିହିତ କୁହୁକ ପ୍ରତି ସର୍ବପ୍ରଥମେ ଏକ ଅପରିସୀମ କୌତୁହଳ ଆଉ ଆକର୍ଷଣ ସୃଷ୍ଟି କରିଥିଲା।

୧୨୮୦ ଖ୍ରୀଷ୍ଟାବ୍ଦର ଇଏ ଏକ ଘଟଣାବହୁଳ କଥା ।

ମାର୍କୋପୋଲୋ ସେଦିନର ସେହି ରାଜପୁତ୍ର ଆଉ ରାଜକନ୍ୟାଙ୍କ ଭିତରେ ସଂଘଟିତ ହୋଇଥିବା କୁସ୍ତିଯୁଦ୍ଧ ର ବିଶେଷ ବିବରଣୀ ଦେବାକୁ ଯାଇ ଲେଖିଛନ୍ତି,ସେମାନେ ପରସ୍ପରର ବାହୁକୁ ଏମିତି କୌଶଳପୂର୍ଣ୍ଣ ଭାବରେ ଧରି ପରସ୍ପରକୁ ଅଟକାଇ ରଖିଥାନ୍ତି,ଦୀର୍ଘ ସମୟ ,ଦୁଇଜଣକ ଭିତରୁ କେହି ଜଣେ ଅନ୍ୟ ଉପରେ ନିଜକୁ ସାବ୍ୟସ୍ତ କରିପାରୁନଥାଏ,ଉଭୟଙ୍କ ନାକପୁଡାରୁ ବିଷଧର ସାପ ଭଳି ଫଁଫଁ ନିଃଶ୍ୱାସର ଶବ୍ଦ ସମସ୍ତଙ୍କୁ ଶୁଭୁଥାଏ ।

ମାର୍କୋ ପୋଲୋ ଙ୍କ ଭଳି ଅନ୍ୟ ସମସ୍ତ ଦର୍ଶକ ଏପରିକି ରାଜକନ୍ୟାଙ୍କ ପିତାମାତା ମଧ୍ୟ ଚାହିଁ ବସିଥାନ୍ତି ସେଇ ପ୍ରତିକ୍ଷିତ ମୁହୂର୍ତ୍ତକୁ , କେତେବେଳେ ରାଜକନ୍ୟା ନିଜର ପରାଜୟକୁ ବରଣ କରିବେ ! ଅପେକ୍ଷାରତ ସମୟରେ ସମସ୍ତଙ୍କ ଆଖିରେ ଏଇ ଯୁଦ୍ଧରତ ରାଜକୁମାର ଜଣକ ଅଧିକରୁ ଅଧିକ ସୁନ୍ଦର ଦିଶୁଥାନ୍ତି ।

ରାଜକନ୍ୟାଙ୍କ ନାଆଁ ଖୁତଲୁନ୍। ତାଙ୍କର ପିତା ମଧ୍ୟ ଏସିଆର ଜଣେ ଶକ୍ତିସଂପନ୍ନ ସମ୍ରାଟ,କ୍ୱାଇଦୁ ଖାନ୍ । ଖୁତଲୁନ୍ ଏମିତିରେ ଦେଖିଲେ ଦୁର୍ଦ୍ଧଷ ମଙ୍ଗୋଲ ଶାସକ ଚେଙ୍ଗିଜ୍ ଖାନ୍ ଙ୍କ ବଂଶର ଚତୁର୍ଥ ପୁରୁଷର ଜଣେ ରାଜକନ୍ୟା। ଏବଂ କୁବଲାଇ ଖାନ୍ ଙ୍କ ଭ୍ରାତୃଷ୍ପୁତ୍ରୀ। କୁବଲାଇ ଖାନ୍ ଉପରେ କବିତା ରଚନା କରି କବି ସାମୁଏଲ ଟେଲର୍ କଲରିଜ୍ ତାଙ୍କୁ ବିଶ୍ୱପ୍ରସିଦ୍ଧ କରିଦେଇଛନ୍ତି । ସେ ଯାହାହେଉ ରାଜକନ୍ୟା ଖୁତଲୁନ୍ ଜଣେ ଯଥାର୍ଥ ମଙ୍ଗୋଲୀୟ ଭଳି ଯୁଦ୍ଧରେ ସବୁବେଳେ ଆଗ୍ରହୀ। ପିଲାଟି ଦିନରୁ ସେ ଘୋଡା ଦୌଡ,ବର୍ଚ୍ଛା ନିକ୍ଷେପ ଭଳି ବିଶେଷ ମଂଗୋଲୀୟ ଯୁଦ୍ଧ କଳାରେ ଯଥେଷ୍ଟ ଦକ୍ଷ ଥିଲେ । ତାଙ୍କର ଦକ୍ଷତାକୁ ବିଚାରକୁ ନେଇ ତାଙ୍କୁ ଅନେକ ସମୟରେ ଯୁଦ୍ଧକ୍ଷେତ୍ରରେ ପିତା କ୍ୱାଇଦୁ ଖାନ୍ ଙ୍କ ସହିତ ସୈନ୍ୟ ପରିଚାଳନା କରିବାକୁ ପଡୁଥିଲା।

ତ୍ରୟୋଦଶ ଶତାବ୍ଦୀର ଶେଷ ପ୍ରାନ୍ତରେ ମଂଗୋଲୀୟ ମାନଙ୍କର ପାରସ୍ପରିକ ସଂଘର୍ଷ କାଳରେ ମଧ୍ୟ ଏସିଆର ପୃଷ୍ଠଭୂମିରେ , ପିତା କ୍ୱାଇଦୁ ଆଉ ପୁତ୍ରୀ ଖୁତଲୁନ୍ ଙ୍କର ଯୋଡି ଯୁଦ୍ଧକ୍ଷେତ୍ରରେ ଏକ ସ୍ୱାଭାବିକ ଦୃଶ୍ୟ ଥିଲା।
ମାର୍କୋ ପୋଲୋଙ୍କ ବିବରଣୀ ଅନୁସାରେ ରାଜକନ୍ୟା ଖୁତଲୁନ୍ ମଙ୍ଗୋଲୀୟ ପରଂପରାର ଜଣେ ସମର୍ଥ ଉତ୍ତରାଧିକାରୀ ଥିଲେ। ଚେଙ୍ଗିଜ୍ ଖାନ୍ ଙ୍କ ସମୟରେ ସେ ସ୍ୱୟଂ ଯୁଦ୍ଧକ୍ଷେତ୍ରରେ ନିଜର ପୁତ୍ରମାନଙ୍କ ତୁଳନାରେ ନିଜର କନ୍ୟାମାନଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ। ୧୩୦୧ ଖ୍ରୀଷ୍ଟାବ୍ଦରେ ଏକ ଭ୍ରାତୃବିବାଦ-ଯୁଦ୍ଧରେ ଯେତେବେଳେ କ୍ୱାଇଦୁ ଖାନ୍ ଙ୍କର ମୃତ୍ୟୁ ହୁଏ ସେତେବେଳେ ସେହି ଯୁଦ୍ଧରେ ଯଥେଷ୍ଟ କ୍ଷତବିକ୍ଷତ ହୋଇଥିବା ଏଇ ରାଜକନ୍ୟା ଖୁତଲୁନ୍ ଙ୍କୁ ହିଁ ରାଜ୍ୟର ପରବର୍ତ୍ତୀ ଖାନ୍ କରାଯାଏ । ଆଉ ତାହାପରେ ସେ ପରବର୍ତ୍ତି ପାଞ୍ଚ ବର୍ଷ ତାଙ୍କର ରାଜ୍ୟକୁ ଶତ୍ରୁମାନଙ୍କଠାରୁ ସୁରକ୍ଷିତ ରଖିବାକୁ ସମର୍ଥ ହୁଅନ୍ତି। ଏହି ସମୟ କାଳ ଭିତରେ ଜଣେ ଅପରାଜିତ ଖାନ୍ ତଥା ସଫଳ ଯୁଦ୍ଧ ପରିଚାଳନାକାରୀ ହିସାବରେ ତାଙ୍କର ନାଆଁ କିମ୍ବଦନ୍ତୀ ପର୍ଯ୍ୟାୟର ହୋଇଯାଏ।

ଜଣେ ଯେତେବେଳେ କିମ୍ବଦନ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଯାଏ ତାହାର ବାସ୍ତବ ଜୀବନ ଉପରେ ଆଉ କାହାର ସେମିତି କୌତୁହଳ ରହିନଥାଏ। ସେମିତି ରାଜକନ୍ୟା ଖୁତଲୁନ୍ ଜଣେ ଖାନ୍ ଆକାରରେ ଯେତେବେଳେ ମୃତ୍ୟୁ ଆଗରେ ୧୩୦୬ ଖ୍ରୀଷ୍ଟାବ୍ଦରେ ମାତ୍ର ଛୟାଳିଶ ବର୍ଷ ବୟସରେ ଶେଷ ଥର ପରାସ୍ତ ହୋଇଯାଇଥିଲେ ତାହାର କୌଣସି ଚର୍ଚ୍ଚା ହୁଏନାହିଁ । କହିବାକୁ ଗଲେ ତାଙ୍କର ରାଜତ୍ର ସେଇ ପାଞ୍ଚୋଟି ବର୍ଷର କୌଣସି ବିବରଣୀ ନାହିଁ,ଯାହା ଅଛି ତାହା କେବଳ ତାଙ୍କର ଯୁଦ୍ଧକ୍ଷେତ୍ରରେ ଆପରାଜିତ ରହିବା ଭଳି ବିଶେଷପଣର ପୁନଃପୌନିକ କାହାଣୀ।
ଏହା ସହିତ ବି ଜଡିତ ରହିଛି ତାଙ୍କର କୁସ୍ତି ଲଢିବାର ଅଦ୍ଭୁତ ଦକ୍ଷତା ଏବଂ ତାଙ୍କର ଅପରାଜିତ ରହିବାର ବିମୁଗ୍ଧ ବିବରଣୀ। ସେଇଥିପାଇଁ ତ ରାଜକନ୍ୟା ଖୁତଲୁନ୍ ବିବାହଯୋଗ୍ୟା ହେବାପରେ ନିଜର ବିବାହପାଇଁ ରଖିଥିଲେ ଏଇଭଳି ଗୋଟିଏ ସର୍ତ୍ତ,ଯିଏ ତାଙ୍କୁ କୁସ୍ତିରେ ପରାସ୍ତ କରିଦେବ ସିଏ ହିଁ ତାଙ୍କର ସ୍ୱାମୀ ଆଉ ଏଇ କୁସ୍ତି ଲଢିବା ପାଇଁ ବାଜି ହେଉଛି ଏକ ସହସ୍ର ଉତ୍ତମ ପ୍ରଜାତିର ମଙ୍ଗୋଲୀୟ ଅଶ୍ୱ।

ଢେର୍ ହେଲା। ଆଉ ନୁହଁ ।
୧୨୮୦ ସାଲ୍ ର ସେହି କୁସ୍ତିଯୁଦ୍ଧ ।

କୋଡିଏ ବର୍ଷ ବୟସୀ କିଶୋରୀ ରାକକନ୍ୟା ଖୁତଲୁନ ଏବଂ ଅନାମ ରାଜକୁମାରଙ୍କ ଭିତରେ ସେଦିନର ସେହି କୁସ୍ତିଯୁଦ୍ଧ । ଇତିହାସର ପ୍ରବୀଣ ପ୍ରାଚ୍ୟଦେଶ ପର୍ଯ୍ୟଟକ ମାର୍କୋ ପୋଲୋ ଯାହାକୁ ପ୍ରତ୍ୟକ୍ଷ କରିଥିଲେ ଆଉ ଯେଉଁଠି ରାଜକନ୍ୟାଙ୍କର ପିତାମାତା ଏବଂ ଜନସାଧାରଣ ଚାହୁଁଥିଲେ ଯେ ,ଏଥର ରାଜକନ୍ୟା ପରାସ୍ତ ହୁଅନ୍ତୁ। ଢେର୍ ହେଲା ,ଆଉ ନୁହଁ।

ପିତା କ୍ୱାଇଦୁ ଖାନ୍ ଚାହୁଁଛନ୍ତି ଏଥର ଏହି ପ୍ରଚଳିତ ଲୋକାପବାଦର ଅନ୍ତ ହେଉ। ରାଜକନ୍ୟା ଖୁତଲୁନ୍ ଙ୍କର ତାଙ୍କର ପିତା କ୍ୱାଇଦୁ ଖାନ୍ ଙ୍କ ସହିତ ଅନ୍ତରଂଗତା ଯଥେଷ୍ଟ ଅଧିକ ଆଉ ଏହି ଅନ୍ତରଂଗତା ଅନେକ ସମୟରେ ପିତା-ପୁତ୍ରୀ ସଂପର୍କକୁ ଅତିକ୍ରମ କରିଯାଉଛି ଯାହା ଫଳରେ ରାଜକନ୍ୟା ଖୁତଲୁନ୍ ନିଜର ବିବାହ ପାଇଁ ଏପରି ଏକ ଛଳ ପରାଜୟର ସର୍ତ୍ତ ରଖିଛନ୍ତି ଆଉ ତାଙ୍କର ଅପରାଜିତ ରହିବା ଏଦୃଷ୍ଟିରୁ ସଂପୂର୍ଣ୍ଣ ଇଚ୍ଛାକୃତ।

ଏବେ ଫେରିବା ରାଜକନ୍ୟା ଖୁତଲୁନ ଏବଂ ସେହି ଅନାମ ସୌମ୍ୟଦର୍ଶନ ରାଜକୁମାର ଙ୍କ ନିକଟକୁ ,କୁସ୍ତିଯୁଦ୍ଧର ଫୁଲକା ଉପରକୁ,ଯେଉଁଠି ପରସ୍ପର ର ବାହାକୁ ଧରି ଯଥେଷ୍ଟ ବଳପ୍ରୟୋଗ କରି ପରସ୍ପର ପରସ୍ପରକୁ ଅଟକାଇ ରଖିଛନ୍ତି,କେହି କାହାରି ଉପରେ ପ୍ରଭାବୀ ହୋଇପାରୁନାହିଁ,ଉଭୟଙ୍କ ନାକପୁଡାରେ ବିଷଧର ସାପ ଭଳି ଫଅଁ ଫଅଁ ହେଉଛି ନିଃଶ୍ୱାସ,ସେଇ ଭଳି ଗୋଟିଏ ସମୟକୁ।

ଘଟଣା ଘଟିବା ପାଇଁ ଆଉ ଅଧିକ ସମୟ ଲାଗିନାହିଁ । ଅନାମ ରାଜକୁମାର ର ସମସ୍ତ ସୁନ୍ଦରପଣକୁ ଧୂଳିସାତ୍ କରି ରାଜକନ୍ୟା ଖୁତଲୁନ୍ ତାହାକୁ ସଂପୂର୍ଣ୍ଣ ଚିତ୍ କରି ଫୋପାଡି ଦେଇଛନ୍ତି ଫୁଲକା ଉପରକୁ ପରାଜୟର ଅଂଧାରକୁ ଆଉ ତାହାପରେ ଅଧିକ ଏକ ସହସ୍ର ଘୋଡାଙ୍କୁ ଖାଦ୍ୟପାନୀୟ ଯୋଗାଣର ବ୍ୟୟବରାଦ କରିବାକୁ ପଡିଛି ତାଙ୍କୁ ।

ମାର୍କୋ ପୋଲୋଙ୍କ ବିବରଣୀ ଅନୁସାରେ ସେତେବେଳେ ରାଜକନ୍ୟା ଖୁତଲୁନ୍ ଙ୍କ ଅସ୍ତାବଳରେ ଥିଲେ ପ୍ରାୟ ଦଶ ହଜାର ଉତ୍ତମ ପ୍ରଜାତିର ମଙ୍ଗୋଲୀୟ ଅଶ୍ୱ।

ସର୍ତ୍ତ,ଅପରାଜେୟ ଏବଂ ବିବାହବିହୀନତାର ଏକ ଅଦ୍ଭୁତ ରାଜକୀୟ ସଂଯୋଜନ। ଠିକ୍ ଯେମିତି ବାସ୍ତବତାର କାହାଣୀ ସହ ସଂପର୍କ।

ରାଜକନ୍ୟା ଖୁତଲୁନ୍ ଙ୍କର ଏହାର ଅଳ୍ପଦିନ ପରେ କିନ୍ତୁ ବିବାହ ହୋଇଥିଲା । କିନ୍ତୁ ଏହି ବିବାହ ର ପୂର୍ବରୁ କୌଣସି କୁସ୍ତିଯୁଦ୍ଧ ଲଢା ଯାଇନଥିଲା କି କୌଣସି ଜୟ-ପରାଜୟର ସର୍ତ୍ତ ସାମାଜିକ ଭାବରେ ପ୍ରତିଷ୍ଠିତ ହୋଇ ନଥିଲା। ଜଣେ ରାଜକନ୍ୟା ଯଦି ପ୍ରେମରେ ପଡେ ଆଉ ତାହାର ପ୍ରେମିକ ଜଣକ ଯଦି କାମଧଂଦା କିଛି କରେନାହିଁ,ଗଛବୃଚ୍ଛ ସହିତ ଏକାନ୍ତରେ କଥାବାର୍ତ୍ତା ହୁଏ ଆଉ ତାହାର ଦକ୍ଷତା କହିଲେ ଯଦି ଏତିକି ଯେ,ସେ ପାଟିରେ ଭଲ ହୁଇସିଲ୍ ମାରିପାରେ ଆଉ ସେହି ହୁଇସିଲ୍ କୁ ଶୁଣି କୁଆଡୁ କୁଆଡୁ ପକ୍ଷୀମାନେ ଆସି ତା’ ନିକଟରେ ଜମା ହୋଇଯାଆନ୍ତି ଆଉ ସେଥିରୁ କେହି କେହି ତାହାର ଦେହରେ ମୁଣ୍ଡରେ ବସିଯାଆନ୍ତି ,ସେମିତି ଗୋଟିଏ କଷ୍ଟକର ପ୍ରେମକୁ ପାଳିବା ପାଇଁ ନିଜର ସୁବିଧାନୁସାରେ ସର୍ତ୍ତର ଆଢୁଆଳଟିଏ ବିକଳ୍ପ ଭାବରେ ରହିବା ତ ନିତାନ୍ତ ସ୍ୱାଭାବିକ।

ମାର୍କୋପୋଲୋଙ୍କ ୧୨୮୦ ମସିହାର ଅପରାଜିତ ରାଜକନ୍ୟା ଖୁତଲୁନ୍ ଙ୍କୁ ଏହାର ପାଖାପାଖି ପାଞ୍ଚଶହ ବର୍ଷ ପରେ ଅର୍ଥାତ୍ ୧୭୧୦ ସାଲ୍ ରେ କାହାଣୀ ର ରୂପ ପ୍ରଦାନ କରିଥିଲେ ଜଣେ ଫରାସୀ ବିଦ୍ୱାନ,ନାଆଁ ଫ୍ରାଙ୍କୋଇ ପେତିସ୍ ଦି ଲା କ୍ରୋଇସ୍ । ସେ ଚେଙ୍ଗିଜ୍ ଖାନ୍ ଙ୍କର ଖୋଟିଏ ଜୀବନୀ ପାଇଁ ତଥ୍ୟ ସଂଗ୍ରହ କରୁଥିବା ବେଳେ ଏହି କୁସ୍ତିବୀର ରାଜକନ୍ୟାର ସଂଧାନ ପାଇଥିଲେ । ସେ ଗୋଟିଏ କଳ୍ପିତ ଚୀନା ରାଜକୁମାର ର ପାଣିଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିବା ସମୟରେ କୁସ୍ତିଯୁଦ୍ଧର ଏହିଭଳି ସର୍ତ୍ତ ରଖିବା କଥାର ଉଲ୍ଲେଖ କରିଥିଲେ। ପରେ ଏହି ସର୍ତ୍ତଯୁକ୍ତ କାହାଣୀଟି ସମଗ୍ର ଇଉରୋପ୍ ଏବଂ ଅନ୍ୟତ୍ର ଘୁରିବୁଲିଲା ,ଯେଉଁଠି ରାଜକନ୍ୟା ଖୁତଲୁନ୍ ର ଭିନ୍ନ ଭିନ୍ନ ନାଆଁ ରହିଥିଲା ଆଉ ସେ ବିବାହପାଇଁ କିଛି କଠିନ ସର୍ତ୍ତ ରଖିଥିଲେ ମଧ୍ୟ ଶେଷକୁ ନିଜଆଡୁ ସେହି ସର୍ତ୍ତକୁ ନିଜେ ଭାଙ୍ଗିଦେଉଥିଲା ।

ଏହି ଭଳି ସର୍ତ୍ତ-ନିରପେକ୍ଷ ରାଜକନ୍ୟା ମାନଙ୍କ କାହାଣୀ ସହ ଆମର ପରିଚିତି ଅଛି।

ବାସ୍ତବରୁ କାହାଣୀ ହୋଇଥିବା ରାଜକନ୍ୟା ଖୁତଲୁନ୍ କିନ୍ତୁ କାହାଣୀରୁ ବେଳେବେଳେ ବାସ୍ତବତାକୁ ଓହ୍ଲାଇ ଆସେ। ସେତେବେଳେ ସେ ପ୍ରତୀକ ।

ମଙ୍ଗୋ ଲୀୟ ସଂସ୍କୃତିରେ ରାଜକନ୍ୟା ଖୁତଲୁନ୍ ତେଣୁ ଏହି ଭଳି ସମସ୍ତଙ୍କର ସ୍ମୃତିରେ ଅଛି।ଅପରାଜିତ ଖୁତଲୁନ୍ କୁ ତାହା ସମ୍ମାନ ପ୍ରଦର୍ଶନ । କୁସ୍ତି ଲଢିବା ବେଳେ ସେମାନେ ଯେଉଁ ପୂରା ହାତ ଗେଞ୍ଜିଟି ପିନ୍ଧିଥାନ୍ତି ତାହାର ସାମ୍ନା ପଟ ଫାଙ୍କା ।

ଗେଞ୍ଜିର ସାମ୍ନା ପଟ ଫାଙ୍କା ଏଇଥିପାଇଁ ଯେ ଉପସ୍ଥିତ ସମସ୍ତେ ଜାଣନ୍ତୁ ,ସେମାନଙ୍କର ସ୍ତନ୍ୟ ଦୁଇଟି ନାହିଁ ।

Comments are closed.