Latest Odisha News

ସ୍ୱଳ୍ପ ଗଳ୍ପ : ରାଜାଙ୍କ ବାସ୍ନା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୦ 

ଖ୍ରୀପୂ ୨୧୦ ର କାହାଣୀ।

କାହାଣୀ କହିଲେ ତ କେବଳ ଗୋଟିଏ ଅବସ୍ଥାନ। ବେଳେ ବେଳେ ନିର୍ଦ୍ଦିଷ୍ଟ,ବେଳେବେଳେ ଅନିର୍ଦ୍ଦିଷ୍ଟ ।

କାହାଣୀ କିନ୍ତୁ ପୁରାତନ ହୁଏ ନାହିଁ। ଯେତେବେଳେ ଦେଖିବ ଆଗ ଭଳି ବେଶ୍ ସତେଜ,ବେଶ୍ ପରିଚ୍ଛନ୍ନ, ବେଶ୍ ପ୍ରସ୍ତୁତ।

ଯେତେ ଝଡବର୍ଷା ଆଉ ଯେତେ କାଳର ବ୍ୟୁତ୍ପାତ ହେଉ ପଛକେ ସେ ଯେମିତି ଆରମ୍ଭରୁ ନିଜର ଦୁଇପଟରେ ସମକାଳର ଦୁଇଟି ଅଦ୍ଭୁତ ଡେଣା ଖଞ୍ଜି ଆମର ସାମ୍ନାରେ ଉପସ୍ଥିତ ହୋଇଥାଏ, ଯେମିତି ଆଉ ଟିକକ ପରେ ତାହାର ଉଡାଣର ବେଳା ଧାର୍ଯ୍ୟ ଅଛି ।

ଆମେ ଜାଣୁ ଏଇ କାହାଣୀ ପକ୍ଷୀଟି ସାଧାରଣତଃ ଆମେ ଅଶକତ ଥିବା ବେଳେ ଉଡି ଉଡି ଯିବ ସୁଦୂର ଏକ ଦିଗବିହୀନ ରାଜ୍ୟକୁ । ସେଇଠି ପଡିରହିଥିବ ଖଣ୍ଡିଏ ସୁବୃହତ ପଥର ,ଆମର ଗୋଷ୍ଠୀଗତ ଚେତନା ଭଳି ବିଶାଳ,ଆମର ସ୍ମୃତି ସତ୍ତା ଭଳି ବ୍ୟାପକ। ସେଇଠି ପହଞ୍ଚିଯାଇ ଆମର ଏଇ କାହାଣୀ-ପକ୍ଷୀଟି ତାହାର ଚଂଚୁ ସେହି ପଥର ଖଣ୍ଡରେ ଘଷି ଘଷି ଧାରୁଆ କରୁଥିବ । କାହାଣୀ ପକ୍ଷୀର ଏମିତି ନିଜର ଚଂଚୁକୁ ଧାର ଦେଉଥିବା ପ୍ରକ୍ରିୟାରେ ପଥରର କିଛିକିଛି କ୍ଷୟ ହେଉଥାଏ । ଆଉ ଏମିତି ଯେଉଁଦିନ ସେହି ସୁବୃହତ ପଥର ଖଣ୍ଡର ଆଉ ଟିକିଏ ବୋଲି ଅବଶେଷ ନଥିବ ,ସେଇଦିନ ହିଁ, ସେଇ ସମୟ ହିଁ, ମଣିଷ ସଭ୍ୟତାରେ ଶାଶ୍ୱତର ଆବିର୍ଭାବର ଦିନ , ଆବିର୍ଭାବର ସମୟ।

କାହାଣୀର ଏଇ ଉପକ୍ରମ ସହ ଆମେ ତାହାର ପରବର୍ତ୍ତୀ ଉପକ୍ରମକୁ ଯିବା।

ଏହି ଉପକ୍ରମରେ ଆମେ ଜାଣିଅଛୁ ଯେ, ସେମାନଙ୍କର ସହିତ ଆଉ ଯାହା ଯାହା ଥାଉ ନା କାହିଁକି ଗୋଟିଏ ପଦାର୍ଥ ନିଶ୍ଚିତ ଭାବରେ ରାଜ୍ୟ ଶାସନର ସୁବିଧା ଆଉ ସ୍ଥିରତା ଦୃଷ୍ଟିରୁ ସବୁବେଳେ ରହିଥିବା ଆବଶ୍ୟକ । ସେହି ପଦାର୍ଥଟି ହେଉଛି ରାଜାଙ୍କର ବାସ୍ନା।

ରାଜାଙ୍କର ବାସ୍ନା କହିଲେ ତାହା ହେଉଛି ସଚରାଚର ଏହିଭଳି ଗୋଟିଏ ବାସ୍ନା ଯାହା ଖାସ୍ ରାଜାଙ୍କ ନିକଟରୁ,ଖାସ୍ ରାଜାଙ୍କର, ଖାସ୍ ରାଜାଙ୍କ ଦ୍ୱାରା ଏବଂ ଖାସ୍ ରାଜାଙ୍କ ପାଇଁ ଉପଗତ ହୋଇଥାଏ। ସେହି କାରଣରୁ ରାଜା ଯେ ଅତି ନିକଟରେ ଉପସ୍ଥିତ ଅଛନ୍ତି ସେଇ ଧାରଣାଟି ଏଇ ବାସ୍ନାର କାରଣରୁ,
ଆଖପାଖରେ ଖେଳି ଯାଉଥାଏ ।

ରାଜା ତ ରାଜ୍ୟର ସମସ୍ତଙ୍କ ନିକଟରେ ସବୁଦିନ ନିଜର ଉପସ୍ଥିତିର ପ୍ରମାଣ ଉପସ୍ଥାପନା କରିବା ସମ୍ଭବ ପର ନୁହଁ। ତେଣୁ ରାଜାଙ୍କ ବାସ୍ନାଟି ବିକଳ୍ପ ହିସାବରେ ଉପସ୍ଥିତ ରହିଲେ ରାଜ୍ୟ ଶାସନ ସୁରକ୍ଷିତ ରହିଥାଏ।

କାହାଣୀର କାଳ ତ ଖ୍ରୀପୂ ୨୧୦ ବୋଲି ପ୍ରଥମରୁ କୁହାଯାଇଛି । ଆଉ ତାହାପରେ ସେଥିରେ ଦେଶ ଆଉ ପାତ୍ରକୁ ସଂଯୋଜନ କରିବାକୁ ହେବ ।

କାହାଣୀର ଦେଶ ଚାଇନା ଆଉ କାହାଣୀର ପାତ୍ର ଜଣେ ରାଜା,ତାଙ୍କର ନାଆଁ ଶି ହୁଆଙ୍ଗ ଦି।

ରାଜାମାନେ ସବୁବେଳେ ଅମରତ୍ୱରେ ଅଭିଳାଷୀ। ସେଇଥିପାଇଁ ତ କିଏ ଉତ୍ତୁଙ୍ଗ ନଅର ନିର୍ମାଣ କରେ, ଲୁଣ୍ଠନ କର୍ମର ସଫଳ କ୍ଷମତା ପ୍ରୟୋଗରେ ପ୍ରଜାଙ୍କ ମଧ୍ୟରେ ହାହାକାର ନିର୍ମାଣ କରେ,ବିଦେଶ ପର୍ଯ୍ୟଟନ କରିଥାଏ ।

ସେତେବେଳର ପ୍ରବଳ ଶକ୍ତିମାନ ଚାଇନା ଦେଶର ସମ୍ରାଟ ଶି ହୁଆଙ୍ଗ ଦି ଚାଇନା ଦେଶର ପୂର୍ବ ଉପକୂଳକୁ ଯାତ୍ରା କରିଥିଲେ। ତାଙ୍କର ଯାତ୍ରାର ଉଦ୍ଦେଶ୍ୟ ଥିଲା ଅମରତ୍ୱ। ଯେଉଁ ପଣ୍ଡିତମାନେ ରାଜା ଶି ହୁଆଙ୍ଗ ଦିଙ୍କୁ ତାଙ୍କର ନଅରରେ ସର୍ବଦା ଉପସ୍ଥିତ ରହି ତାଙ୍କୁ ଶାସ୍ତ୍ରାର୍ଥ ଏବଂ ଶାସ୍ତ୍ର ଜ୍ଞାନ ପ୍ରଦାନ କରୁଥିଲେ ସେମାନଙ୍କର କହିବା ଅନୁସାରେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଭଳି ପୂର୍ବୋଦୟରେ ଅମରତ୍ୱର ଅସଲ ତତ୍ତ୍ୱ ମହଜୁଦ ରହିଅଛି। ସେଇଠୁ କେବଳ ସେଇ ଅମରତ୍ୱକୁ ସଂଗ୍ରହ କରିବାର ଅଛି । ସେଇ କାରଣରୁ ଅମରତ୍ୱର ଯଥାବିଧି ଜ୍ଞାନକୁ ସେଇଠାରୁ ସଂଗ୍ରହ କରି ଜଣେ ନିଶ୍ଚିତ ଭାବରେ ଅମରତ୍ୱକୁ ପ୍ରାପ୍ତ ହୋଇପାରିବ। ସେଇଥିପାଇଁ ରାଜା ଶି ହୁଆଙ୍ଗ ଦି ପୂର୍ବ ଉପକୂଳ ଅଞ୍ଚଳକୁ ଯାତ୍ରା କରିଥିଲେ ।

କାହାଣୀରେ ବିରୋଧାଭାଷ ଥାଏ ।

ରାଜା ଶି ହୁଆଙ୍ଗ ଦି ଅମରତ୍ୱର ସନ୍ଧାନରେ ଚାଇନାର ପୂର୍ବ ଉପକୂଳରେ ଯାତ୍ରା କରୁଥିବା ସମୟରେ ଆକସ୍ମିକ ଭାବରେ ମୃତ୍ୟୁ ବରଣ କରନ୍ତି । ଅମୃତ ସନ୍ଧାନୀ ଏଇ ପ୍ରବଳ ପରାକ୍ରମୀ ସମ୍ରାଟଙ୍କର ସମୁଦ୍ରସ୍ନାନ କରିବା ସମୟରେ ମୃତ୍ୟୁ ଘଟେ। ସମ୍ରାଟ ଶି ହୁଆଙ୍ଗ ଦିଙ୍କୁ ଚାଇନାର ପୂର୍ବ ଉପକୂଳର ସମୁଦ୍ର ତୁଙ୍ଗ୍ ହାଇ ଯାହା ପ୍ରଶାନ୍ତ ମହାସାଗରର ଏକ ଅଂଶବିଶେଷ ତାହା ଅତ୍ୟନ୍ତ ଆକର୍ଷଣୀୟ ମନେ ହୁଏ। ନିୟମିତ ସମୁଦ୍ରସ୍ନାନ ଯେ ଅମରତ୍ୱ ମିଳିବା ନିମନ୍ତେ ସାଧାନାର ଅନ୍ୟତମ ପାହାଚ , ବିଦ୍ୱାନମାନଙ୍କର ଏଇ ଭଳି ଉପଦେଶକୁ ରାଜା ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ।

ଅମରତ୍ୱର ସନ୍ଧାନୀ ଏଇ ଚୈନିକ ସମ୍ରାଟଙ୍କର ସମୁଦ୍ର ସ୍ନାନରେ ମୃତ୍ୟୁ ହଠାତ୍ ରାଜ୍ୟପାଇଁ ଅନେକ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ବିଦ୍ୱାନମାନଙ୍କର ଅମରତ୍ୱ ସମ୍ପର୍କିତ ସମସ୍ତ ପ୍ରବଚନ ବୃଥା ହେବା ଏ ସଂକ୍ରାନ୍ତରେ କୌଣସି ବଡକଥା ନୁହଁ । ଏଇଠି ବଡ କଥା ହେଉଛି ରାଜା ନଥାଇ ଏମିତି ଗୋଟିଏ ବଡ ସାମ୍ରାଜ୍ୟର ସୁଚାରୁରୂପରେ ପରିଚାଳନା କରାଯାଇ ପାରିବ କେମିତି ?

ରାଜା ଶି ହୁଆଙ୍ଗ ଦି ଙ୍କ ମନ୍ତ୍ରୀ ଙ୍କ ନାଆଁ ଲି ସି।ଲି ସି ଅତ୍ୟନ୍ତ ବୁଦ୍ଧିମାନ । ସେ ହିଁ ସେତେବେଳେ ରାଜାଙ୍କର ବାସ୍ନା କଥାଟି ର ଉଦ୍ଭାବନ କରିବା ସହିତ ଏହାର ସାର୍ଥକ ଉପଯୋଗ କରିପାରିବାକୁ ସମର୍ଥ ହୋଇପାରିଥିଲେ ।

ଲି ସି ରାଜା ଶି ହୁଆଙ୍ଗ ଦିଙ୍କୁ ଅମରତ୍ୱରେ କବର ଦେବାର ପରିକଳ୍ପନା କରିଥିଲେ। ତାହାର ପ୍ରଥମ ସର୍ତ୍ତ ଅନୁସାରେ ତାଙ୍କୁ ଆଉ ସର୍ବସାଧାରଣରେ ଦୃଶ୍ୟବାନ ହେବା ବର୍ଜିତ ହୋଇଥିଲା। ଅମରତ୍ୱ ଅର୍ଜନ କରିଥିବା ବ୍ୟକ୍ତି ଉପରେ ଯଦି କୌଣସି ମରଣଶୀଳ ପଦାର୍ଥର ଦୃଷ୍ଟି ପଡିଯାଏ ତେବେ ଆଉ ଅମରତ୍ୱର ଅବସ୍ଥାନରେ ରହିପାରିବ ନାହିଁ ।

ବିଶେଷରେ ଅମର ଆଉ ମରଣଶୀଳତାର ଏଇ ସଂପର୍କକୁ ନିଜର ଗବେଷଣାରେ ବେଶ୍ ଭଲଭାବରେ ବୁଝାଇଛନ୍ତି ପ୍ରଖ୍ୟାତ ଅଷ୍ଟ୍ରୀୟ ପଦାର୍ଥବିଜ୍ଞାନୀ ଏରୱିନ୍ ଶ୍ରୋଡିଙ୍ଗର । ତାଙ୍କର ଏଇ ଗବେଷଣାକୁ “ଶ୍ରୋଡିଙ୍ଗରଙ୍କ ବିରାଡି” ବୋଲି କୁହାଯାଇଥାଏ। ଅତି ସରଳରେ କହିଲେ ଏହା ହେଉଛି,ବିରାଡିଟି ଯେତେବେଳଯାଏଁ ସଭିଙ୍କ ଦୃଷ୍ଟିର ଆଢୁଆଳରେ ଥିବ ସେତେବେଳ ଯାଏଁ ସେ ଅମର । ସମସ୍ତଙ୍କର ଅର୍ଥାତ୍ ସମସ୍ତ ମରଣଶୀଳ ପଦାର୍ଥଙ୍କର ଦୃଷ୍ଟିକୁ ଆସିଯିବାମାତ୍ରକେ ବିରାଡିର ମରଣକାଳ ଆରମ୍ଭ ହୋଇଯିବ।

ପୂର୍ବ ଉପକୂଳରୁ ରାଜଧାନୀକୁ ଫେରିବା ପାଇଁ ଦୁଇମାସ ସମୟ ଲାଗେ। ସେଇ ଦୁଇମାସ ନିଜର ରଥରେ ଗୋପନରେ ରହିଥିଲେ ରାଜା ଶି ହୁଆଙ୍ଗ ଦି। ମନ୍ତ୍ରୀ ନିୟମିତ ଭାବରେ ତାଙ୍କ ନିକଟକୁ ଯାଉଥିଲେ ଆଉ ସେଇଠୁ ବାହାରକୁ ଆସିବାପରେ ସମସ୍ତେ ଉପଲବ୍ଧି କରୁଥିଲେ ସେ ଯେମିତି ଏଇଲେ ରାଜାଙ୍କର କୌଣସି ସଦ୍ୟ ଆଦେଶକୁ ତାମିଲ୍ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ଏଇ ଦୁଇମାସର ରାଜା ଶି ହୁଆଙ୍ଗ ଦିଙ୍କ ଅମରତ୍ୱର ଯାତ୍ରା ରେ କେଉଁଠାରେ କିଛି ଅନୁପସ୍ଥିତି ନଥିଲା । ସମସ୍ତେ ଅନୁଭବ କରୁଥିଲେ ଚର୍ମଚକ୍ଷୁରେ ଦେଖାଯାଉନଥିଲେ ମଧ୍ୟ ରାଜା ଉପସ୍ଥିତ ଅଛନ୍ତି ।

ପରବର୍ତ୍ତୀ ଉତ୍ତରାଧିକାର ଟି ସ୍ଥିରିକୃତ ହେବାଯାଏ ରାଜା ଶି ହୁଆଙ୍ଗ ଏମିତି ଅମରତ୍ୱର ଆଢୁଆଳରେ ଥିଲେ ଆଉ ତାହାପରେ ନୂତନ ସମ୍ରାଟ ତାଙ୍କୁ ଭବ୍ୟତା ଆଉ ଦିବ୍ୟତାର ସହ ଚିର ଅମର ରାଜ୍ୟକୁ ପ୍ରେରଣ କରିଥିଲେ ।

ଏମିତିରେ ଦେଖିଲେ ଜଣେ ରାଜାର ଅନ୍ତ୍ୟେଷ୍ଟି ହିଁ ସର୍ବତ୍ର ଅପେକ୍ଷାକୃତ ଭାବରେ ମହାସମାରୋହରେ ପାଳିତ ହୋଇଥାଏ ।

କାହାଣୀ-ପକ୍ଷୀର ଡେଣାରେ ଯେଉଁ ସମକାଳ ରହିଥାଏ,ଏଇଠି ତାହା ହେଉଛି ରାଜାଙ୍କ ବାସ୍ନା। ରାଜାଙ୍କର ଉପସ୍ଥିତିର ଘ୍ରାଣ-ପ୍ରମାଣ।

ପୂର୍ବ ଉପକୂଳରୁ ଫେରିବା ସମୟରେ ମନ୍ତ୍ରୀ ଲି ସି ଦୀର୍ଘ ଦୁଇମାସ ଧରି ରାଜା ଶି ହୁଆଙ୍ଗ ଦିଙ୍କର ବାସ୍ନାଟିକୁ ସେମିତି ବଳବତ୍ତର କରି ରଖିଥିଲେ। ନିଜର ରଥର ଯେଉଁ ପ୍ରକୋଷ୍ଟରେ ରାଜା ଶି ହୁଆଙ୍ଗ ଅମରତ୍ୱ ଅର୍ଜନ କରି ଏକାନ୍ତବାସରେ ରହିଛନ୍ତି ତାହାର ଚାରିପଟକୁ ବେଶ୍ କିଛି ଶୁଖୁଆରେ ମନ୍ତ୍ରୀ ଲି ସି ବେଢାଇ ରଖିଥିଲେ ।

ରାଜା ଙ୍କର ବାସ୍ନା ଯେ ଉତ୍କଟ,ଏଥିରେ କାହାର ଦ୍ୱିମତ ନାହିଁ। ଠିକ୍ ସେମିତି ଲି ସି ଙ୍କ ଭଳି ମନ୍ତ୍ରୀମାନେ ଯେ ରାଜାଙ୍କର ବାସ୍ନାର ସବୁବେଳେ ପ୍ରବାହକ,ଏଥିରେ ବି କିଏ ଦ୍ୱିମତ ନୁହଁ।

Comments are closed.