ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୫
ବହିଟିର ନାଆଁ ହେଉଛି,”ଦି ବୁକ୍ ଅଫ୍ ମାର୍ଜେରି କେମ୍ପେ”।ଏହି ବହିଟି ର ପ୍ରକାଶ କାଳ ହେଉଛି ଖ୍ରୀଅ ୧୪୩୦। ବହିଟି ଇଂରେଜୀ ଭାଷାରେ ଲିଖିତ।ଏହି ବହିଟି ସାହିତ୍ୟ ସମାଲୋଚକଙ୍କ ମତରେ ଏଯାବତ୍ ଉପଲବ୍ଧ ଆତ୍ମଜୀବନୀମୂଳକ ପୁସ୍ତକ ହିସାବରେ ଲିଖିତ ପ୍ରଥମ ପୁସ୍ତକ।ଏବଂ ଏଇଠି ଏଇ କଥା ମଧ୍ୟ କହିଦେବା ଉଚିତ ହେବ ଯେ,ଯେଉଁ ପରି ବିଶ୍ୱ ସାହିତ୍ୟ ରେ ସର୍ବପ୍ରଥମ ଯେଉଁ କବିର ନାଆଁ ଆମକୁ ମିଳିଛି ଅର୍ଥାତ୍ ଏନହେଦୁଏନା(୨୨୮୫ ଖ୍ରୀପୂ ରୁ ୨୨୫୦ ଖ୍ରୀପୂ),ବିଶ୍ୱସାହିତ୍ୟ ର ସର୍ବପ୍ରଥମ ଉପନ୍ୟାସକାର ମୁରାସାକି ଶିକିବୁ(ଖ୍ରୀଅ ୯୭୩ ରୁ ଖ୍ରୀଅ ୧୦୧୪),ଠିକ୍ ସେହିପରି ବିଶ୍ୱସାହିତ୍ୟର ସର୍ବ ପ୍ରଥମ ଆତ୍ମଜୀବନୀକାର ମାର୍ଜେରି କେମ୍ପେ ହେଉଛନ୍ତି ଜଣେ ମହିଳା।ଇଂଲଣ୍ଡର ନରଫୋକ୍ ସହର ନିକଟବର୍ତ୍ତି ଏକ ଗ୍ରାମରେ ଜନ୍ମିତ ମାର୍ଜେରିଙ୍କ ସମୟ କାଳ ହେଉଛି ଖ୍ରୀଅ ୧୩୭୩ ରୁ ଖ୍ରୀଅ ୧୪୩୮।
ଏଇଠି ଯେଉଁ ପ୍ରସଙ୍ଗ କଥା ଆମକୁ ଆଗ ମନେ ରଖିବାକୁ ପଢିବ ଯେ, କବିତାଠାରୁ ଆତ୍ମଜୀବନୀଠାରେ ପହଞ୍ଚିବା ପାଇଁ ଆମକୁ ଆନୁମାନିକ ଖ୍ରୀପୂ ୨୨୦୦ ଠାରୁ ଆସି ଖ୍ରୀଅ ୧୪୦୦ ରେ ଭଳି ଏକ ଦୀର୍ଘ ସମୟ ଅର୍ଥାତ୍ ଦୀର୍ଘ ୩୬୦୦ ବର୍ଷ ଲାଗିଛି।ଆଉ ଏହାର ପାଖାପାଖି ମଝି ସମୟରେ ଆମକୁ ଉପନ୍ୟାସ ମିଳିଛି।କହିବା କଥା ହେଉଛି କବିତା,ଉପନ୍ୟାସ ଆଉ ଆତ୍ମଜୀବନୀ ମଧ୍ୟରେ ଏହି ଦୀର୍ଘକାଳର ଦୂରତ୍ୱ କାହିଁକି? ଏଇ ଦୂରତ୍ୱ ଭିତରେ ଆମେ ମଣିଷର ସୃଜନଶୀଳ ସତ୍ତାର ବିବର୍ତନକୁ ଦେଖିପାରିବା। ସଂକ୍ଷେପରେ କହିଲେ ସାହିତ୍ୟରେ କ୍ରମଶଃ ସାମୁହିକ ଉତ୍ସବର ଗୀତ,ଦେବ ବନ୍ଦନା,ଦେବ କାହାଣୀ,ପ୍ରକୃତିର ଚିତ୍ର, ରାଜକାହାଣୀ, ବୀର କାହାଣୀ ଓ ତତ୍ଜନୀତ ପ୍ରେମ ଓ ଶୃଙ୍ଗାର ଭିତରେ ଯେଉଁ ସମଷ୍ଟିଗତ କଥା ଓ ଯେଉଁ ଉଚ୍ଚବର୍ଗର କଥା ବିକଶିତ ହୋଇ ଆସିଛି, ତାହା ସାଧାରଣ ବର୍ଗର ଜୀବନର ଅନ୍ତରଙ୍ଗ କଥାକୁ ଧାରଣ କରିବା ଭଳି କ୍ଷେତ୍ର ପ୍ରସ୍ତୁତି ପାଇଁ ଏତିକି ସମୟ ହିଁ ଆବଶ୍ୟକ କରିଛି।
ଶ୍ରୀମତୀ ମାର୍ଜେରି କେମ୍ପେ ଜଣେ ସାଧାରଣ ଖ୍ରୀଷ୍ଟାନ୍ ମହିଳା। ସବୁବେଳେ ତାଙ୍କୁ ସ୍ୱପ୍ନରେ ଦିବ୍ୟଦୃଶ୍ୟ ଏବଂ ଦିବ୍ୟବାଣୀ ମାନ ଆସୁଥିଲା।ଯଦିଓ ସେ କୌଣସି ନନ୍ ଙ୍କ ଭଳି କୌଣସି ଚର୍ଚ୍ଚ ସହ ଜଡିତ ନଥିଲେ ତଥାପି ସେ ଅତ୍ୟନ୍ତଧର୍ମପରାୟଣ ମହିଳା ଥିଲେ।ଅନେକ ସମୟରେ ସେ ଧର୍ମପର୍ଯ୍ୟଟନରେ ଯାଉଥିଲେ।ରୋମ୍ ଆଉ ଜେରୁଜେଲମ୍ କୁ ସେ ଯାତ୍ରାକରିଛନ୍ତି।ଯିବା ବେଳେ ସେ ଦରିଦ୍ର କୁ ନିଜର ସର୍ବସ୍ୱ ଅର୍ପଣ କରି ରାସ୍ତାରେ ଭିକ୍ଷାବୃତ୍ତି କରୁଥିଲେ।ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବାବେଳେ ସେ ଅନେକ ସମୟରେ ଅତି ଉଚ୍ଚକଂଠରେ କାନ୍ଦୁଥିଲେ ବା ଚର୍ଚ୍ଚର କାନ୍ଥରେ ନିଜର ମୁଣ୍ଡ କୋଡି ହେଉଥିଲେ। ଅନେକେ ଏହାକୁ ଧର୍ମାଚାରଣର ବିରୁଦ୍ଧକଥା ବୋଲି ମନେ କରୁଥିଲେ ବି ତାଙ୍କ ବିରୁଦ୍ଧରେ କିଛି କଠୋର କାର୍ଯ୍ୟାନୁଷ୍ଠାନ କରିପାରୁ ନଥିଲେ।
ମାର୍ଜେରି କେମ୍ଫେ ତାଙ୍କର ଏହି “ବୁକ୍” ରେ ନିଜର ଧର୍ମାନ୍ୱେଷଣ କଥା ସହିତ ନିଜର ସମସ୍ତ ବ୍ୟକ୍ତିଗତ ଦୁଃଖ ର କଥା ଲେଖିଛନ୍ତି।ସେଇ ଦୁଃଖ ହେଉଛି ଖ୍ରୀଷ୍ଟାନ୍ ଧର୍ମର ଜଣେ ଶୁଦ୍ଧଚାରିଣୀ ହୋଇ ନ ରହି ପାରିବାର ଦୁଃଖ। ଏଥିପାଇଁ ତାଙ୍କର ସ୍ୱାମୀଙ୍କୁ ସେ ଦାୟୀ କରିଛନ୍ତି।ତାଙ୍କର ସ୍ୱାମୀ ଦାମ୍ପତ୍ୟ ଜୀବନର ସୁଖ ପାଇଁ ସବୁବେଳେ ତାଙ୍କୁ ବାଧ୍ୟ କରି ଆସିଛନ୍ତି। ତେଣୁ ମାର୍ଜେରୀଙ୍କ କାହାଣୀ ଏକ ପାପବୋଧର କାହାଣୀ।
ଏଇ ବିଶେଷ ପୁସ୍ତକର ଶେଷ କଥା ଟି ହେଉଛି, ମାର୍ଜେରି କେମ୍ଫେ ନିଜର ଜୀବନରେ ଚଉଦଟି ସନ୍ତାନର ଜନନୀ ହେବାର ସୁଖ ଭୋଗ ବି କରିଛନ୍ତି ଆଉ ସେଇଥିପାଇଁ ଏହାକୁ ଏକ ଧର୍ମ ପୁସ୍ତକ ବଦଳରେ ଏକ ଆତ୍ମଜୀବନୀ ବୋଲି କୁହାଯାଏ।
Comments are closed.