ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୮
ଜଣେ ବନ୍ଧୁକ ବିକ୍ରେତା ଉପରେ ଏମିତିରେ ଅଧିକ କିଛି ଲେଖିବାର ଆବଶ୍ୟକତା ନାହିଁ । ଆଜିକାଲି ଅନେକେ ହାତରେ ଅଥବା ମଥାରେ ଗୋଟିଏ ଗୋଟିଏ ବନ୍ଧୁକ ଧରି ପ୍ରାୟତଃ ଆତଯାତ ହେଉଛନ୍ତି । ଉପଯୁକ୍ତ ଗରାଖ ପାଇଲେ ତାହାକୁ ସ୍ଥାନାନ୍ତର କରିପାରିଲେ ହେଲା।
ଆମେମାନେ ସେଇ ବନ୍ଧୁକ ବିକ୍ରେତାମାନଙ୍କଠାରୁ ନିଜକୁ କେତେ ସୁରକ୍ଷିତ କରି ରଖି ପାରିବା, ସେଇଟି ହେଉଛି ସମକାଳର ବଡ କଥା।
କହିବାର କଥା ହେଉଛି ସମକାଳରେ ଯେତେବେଳେ ଆମ ଭିତରେ ରହିଥିବା ସ୍ୱାଭାବିକତାଠାରୁ ଆମେ ଯେତେବେଳେ ଅଧିକ ହିଂସକ ଆଉ ଉଗ୍ର ହୋଇ ଉଠୁଛୁ ,ତାହାର ଯାହାକିଛି କାରଣ ହେଉନା କାହିଁକି, ଯେତେ ଯାହା ବିରୋଧାଭାସ ତାହା ପଛରେ ଥାଉନା କାହିଁକି, ସେତେବେଳେ ଆମର ହିଂସାର ସଫଳ ପ୍ରୟୋଗର ବିଭିଷିକାକୁ ପ୍ରତ୍ୟକ୍ଷ କରି ଦେଖିବା ଭଳି ଏକ ପୈଶାଚିକ ଆଗ୍ରହ ଆମର ରହିଛି।
ସମାଜ ସଚେତନ ଆଉ ବିଶ୍ୱକୁ ଅମୃତମୟ ଭାବୁଥିବା ଜଣେ ମଣିଷ ପାଖରେ ସମ୍ପ୍ରତି ସମାନ ସମୟରେ ଜଣେ ବନ୍ଧୁକ ବିକ୍ରେତାକୁ ସ୍ୱୀକାର ଏବଂ ଅସ୍ୱୀକାର କରିବା ଭଳି ଉଭୟ ସଂସ୍ଥିତିର ଏକତ୍ର ଆବଶ୍ୟକତା ରହିଛି।
ଏଇଠି ଯେଉଁ ବନ୍ଧୁକ ବିକ୍ରେତାଙ୍କ କଥା କୁହାଯାଉଛି ତାଙ୍କୁ ଜଣେ ବନ୍ଧୁକ ବିକ୍ରେତା ହିସାବରେ ହୁଏତ ଅନେକଙ୍କୁ ଜ୍ଞାତ ନଥାଇ ପାରେ ମାତ୍ର ଯଦି ତାଙ୍କର ନାଆଁକୁ ଉଲ୍ଲେଖ କଲେ ସଭିଏଁ ତାଙ୍କୁ ଜଣେ ବିଶ୍ୱର ଚର୍ଚ୍ଚିତ କବି ବୋଲି ଘଡିଏ ଚିନ୍ତା ନକରି ବିନା ଦ୍ୱିଧାରେ କହିଦେଇପାରିବେ।
ସେ ମୂଳତଃ କବି। କବିତାର ବହି ଯଦିଓ ତାଙ୍କର ମରଣୋପରାନ୍ତ ପ୍ରକାଶିତ ହୋଇଛି । ଏଣୁ ସେ ମୂଳତଃ କବିତା ବିକ୍ରି କରିଥାନ୍ତି ବୋଲି କହିଲେ କୌଣସି ଅସମ୍ମାନର କଥା ହେବ ନାହିଁ ମାତ୍ର ସେ ଜଣେ ବନ୍ଧୁକ ବିକ୍ରେତା ବୋଲି କହିଲେ ହୁଏତ କାହାକୁ କିଛି ପରିମାଣରେ ଅଦ୍ଭୁତ ଲାଗିପାରେ। ଅବଶ୍ୟ ତାଙ୍କର ଜୀବନଚର୍ଯ୍ୟାକୁ ତର୍ଜମା କଲେ ଏଇ ଭଳି ଏକ ବ୍ୟତିକ୍ରମ କାହାକୁ ଅସହଜ ଲାଗିବ ନାହିଁ ।
ଟିକିଏ ଆତ୍ମଜୈବନୀକ ହେବାର ଲୋଭକୁ ସମ୍ଭାଳି ନପାରି ଏଇଠି ଉପସ୍ଥିତ ଲେଖକ କହିବାକୁ ଚାହୁଁଚି ଯେ,ତାହାର ବାଲ୍ୟକାଳରେ ସେ ଏପରି ଗୋଟିଏ ଘର ଦେଖିଥିଲା ,ଯାହା ଜଣେ ଲେଖକଙ୍କର ପୈତୃକ ଗୃହ ,ସେଇଠି ସେ କିନ୍ତୁ ରହୁନଥିଲେ ,ସେଇଠି ଗୋଟିଏ କାଠପଟାରେ ଲେଖାଥିଲା,”ଏଇଠି ବନ୍ଧୁକ ବିକ୍ରୀ ହୁଏ “।
ସେ ଯାହା ହେଉ ,ଏଠାରେ ଉଲ୍ଲେଖରେ ଥିବା କବି ଆଉ ବନ୍ଧୁକ ବିକ୍ରେତାଙ୍କ ନାଆଁ ହେଉଛି ଆର୍ଥର୍ ରାମ୍ବୋ ।
୧୮୭୫ ମସିହାର କଥା। ରାମ୍ବୋଙ୍କ ବୟସ ସେତେବେଳକୁ ଏକୋଇଶ।
ଆଗରୁ କିଛି ବର୍ଷ, ମଦ୍ୟପାନ,ଉତ୍କଟ ନିଶା ସେବନ,କବି ଭେରଲାଇନ୍ ଙ୍କ ସହ ଅନୈତିକ ଉତ୍ସୃଙ୍ଖଳ ଯୌନଜୀବନ , ନିଜର ସମସ୍ତ ବନ୍ଧୁ ଏବଂ ସାହିତ୍ୟିକ ପୃଷ୍ଠପୋଷକମାନଙ୍କଠାରୁ ସ୍ୱେଚ୍ଛାକୃତ ଭାବରେ ବିଚ୍ଛିନ୍ନ,ଏଇ ଭଳି ଅନେକ କିଛି କାରଣରୁ ସେ କବିତା ର ଜଣେ ନିନ୍ଦିତ ବାଳକ, ଏନଫାଣ୍ଟେ ଟେରେବଲ୍ ଅଫ୍ ପୋଏଟ୍ରି ସେତେବେଳକୁ।
ରାମ୍ବୋ ହୁଏତ ଏଥିରେ ଏକ ପ୍ରକାର ନିଃଶେଷିତ ହୋଇଯାଇଥିଲେ ବିଶେଷତଃ କବି ଭେରଲାଇନ୍ ଙ୍କ ସହିତ ତାଙ୍କର ସମ୍ପର୍କ ଶେଷ ହୋଇଯିବା କାରଣରୁ ସେ ଅତ୍ୟଧିକ ବ୍ୟଥିତ ହୋଇପଡିଥିଲେ । ତେଣୁ ସେ ହଠାତ୍ ପ୍ରତିଜ୍ଞା କରି ବସିଲେ ଯେ,ଏହାପରଠାରୁ ସେ ଭଲ ମଣିଷ ହେବେ,ନୀତିବାନ ର ଜୀବନ ବଞ୍ଚିବେ,ନିଜର ସମସ୍ତ ପ୍ରୟୋଜନୀୟତା କୁ ପୂରଣ କରିବା ପାଇଁ ପ୍ରଚୁର ଅର୍ଥ ଉପାର୍ଜନ କରିବେ ।
ନିଜ ନିକଟରେ କରିଥିବା ପ୍ରତିଜ୍ଞା ଅନୁସାରେ ସେ ଭିନ୍ନ ଭିନ୍ନ କାମ କରିବାକୁ ଆରମ୍ଭ କରିଥିଲେ । ତାହାପରେ ଅର୍ଥ ଉପାର୍ଜନ ପାଇଁ ରାମ୍ବୋ କେତେବେଳେ ସୈନିକ ହୋଇଛନ୍ତି ତ କେତେବେଳେ କନଷ୍ଟ୍ରକସନ୍ କାମରେ ସୁପରଭାଇଜର୍ ହୋଇଛନ୍ତି । ଏପରିକି ସେ କିଛିଦିନ ଗୋଟିଏ ସର୍କସ ର ସୁପରଭାଇଜର୍ ରହିଥିଲେ।
ଅର୍ଥ ଉପାର୍ଜନ ପାଇଁ ରାମ୍ବୋ ଚାରିଆଡେ ଉପଯୁକ୍ତ ସୁଯୋଗର ସନ୍ଧାନରେ ଘୁରିବୁଲୁଥିଲେ । ଏହା ତାଙ୍କୁ ତାଙ୍କର ପୂର୍ବତନ ଉତ୍ସୃଙ୍ଖଳ ଜଗତଠାରୁ ଦୂରରେ ରଖି ତାଙ୍କର ବ୍ୟକ୍ତିତ୍ୱର ଏକ ପ୍ରକାର ପରିବର୍ତ୍ତନ ସହାୟକ ହେଉଥିଲା । ଏହା ଭିତରେ ସେ ବାସ୍ତବ ବିଷୟବୁଦ୍ଧି ସମ୍ପନ୍ନ ହୋଇ ଉଠୁଥିଲେ ।
ସେତେବେଳେ ସେ ଲୋହିତ ସାଗରରେ ଯାତ୍ରା କରି ପୂର୍ବ ଆଫ୍ରିକୀୟ ଉପକୂଳରେ ପହଞ୍ଚିଥାଆନ୍ତି । ସେଇଠି ତାଙ୍କର ମଥାକୁ ଏଇ ନୂତନ ଆଇଡିଆଟି ଆସିଥିଲା, ବନ୍ଧୁକ ବିକ୍ରୀ। ପୂର୍ବ ଆଫ୍ରିକାର ଶୋଆ ବୋଲି ଗୋଟିଏ ରାଜ୍ୟର ରାଜା ମେନେଲିକ ଦ୍ୱିତୀୟ ସେତେବେଳେ ବିଶ୍ୱ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଥାନ୍ତି । ବସ୍ତୁତଃ ଯିଏ ଯେତିକି ବାସ୍ତବ ଜଗତ ଠାରୁ ବିଚ୍ଛିନ୍ନ ଆଉ କ୍ଷୁଦ୍ର ତାହାର ବିଶ୍ୱବିଜୟର ଅଭିଳାଷ ସେତିକି ସେତିକି ପ୍ରଖର । ସେ ଦୃଷ୍ଟିରୁ ଶୋଆ ରାଜ୍ୟର ମହାମହିମ ସମ୍ରାଟ ମେନେଲିକ ଦ୍ୱିତୀୟଙ୍କ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ଏକ ନୂତନ ସହଯୋଗୀ ହୋଇଗଲେ ଆମର ଏଇ କବି ଆର୍ଥର୍ ରାମ୍ବୋ । ଶୋଆର ରାଜାଙ୍କ ସହିତ ରାମ୍ବୋଙ୍କର ଚୁକ୍ତିନାମା ହୋଇଥିଲା। ଚୁକ୍ତି ଅନୁସାରେ ସେଇ ପୂର୍ବ ଆଫ୍ରିକୀୟ ରାଜ୍ୟର ରାଜାଙ୍କୁ ରାମ୍ବୋ ବନ୍ଧୁକ ଯୋଗାଣ କରିବେ। ସେହି ଚୁକ୍ତିକୁ ସମ୍ପନ୍ନ କରିବା ପାଇଁ ରାମ୍ବୋ ଏବଂ ତାଙ୍କର ସହଯୋଗୀ ମାନେ ୨୦୪୦ ଟି ରାଇଫଲ୍ ସଂଗ୍ରହ କରିଥିଲେ ।
ଏକଥା ସତ ଯେ,ରାମ୍ବୋ ସେଇ ଚୁକ୍ତି ପୂରଣର ଉଦ୍ଦେଶ୍ୟରେ ସଂଗ୍ରହ କରିଥିବା ରାଇଫଲ୍ ଗୁଡିକ ଇଉରୋପୀୟ ସେନାବାହିନୀ ଦ୍ୱାରା ପରିତ୍ୟକ୍ତ ଏବଂ ସେତେବେଳର ଯୁଦ୍ଧସମୟର ଅନୁସାରେ ଅଚଳନ୍ତି ଥିଲା, ତଥାପି ରାମ୍ବୋଙ୍କ ସହଯୋଗୀମାନେ ଦାବୀ କରି କହୁଥିଲେ ଯେ,ରାମ୍ବୋ ଏପରି ଜଣେ ତୀକ୍ଷଣ ବୁଦ୍ଧି ସମ୍ପନ୍ନ ବେପାରୀ ଯିଏ ତାହାର ମୂଳର ପାଞ୍ଚଗୁଣ ଅଧିକ ଦାମରେ ଏହାକୁ ବିକ୍ରୀ କରିଦେଇପାରନ୍ତି ।
ମାତ୍ର ପ୍ରକୃତରେ ଏଇ ଚୁକ୍ତି ସମ୍ପାଦନ କରିବା ସମୟରେ ବନ୍ଧୁକଗୁଡିକର ଯୋଗାଣଦେବାକୁ ଗଲାବେଳେ ରାମ୍ବୋଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ହୋଇଥିଲା। ସେଇ ପୂର୍ବ ଆଫ୍ରିକୀୟ ରାଜ୍ୟ ଶୋଆର ରାଜଧାନୀ ଏନତୋତୋ କୁ ଯିବାକୁ ହେଲେ ଜଣକୁ ପ୍ରାୟ ଚାରିଶ ମାଇଲ୍ ବିଶିଷ୍ଟ ସ୍ଥଳପଥ,ଡକାୟତ ପ୍ରବଣ ଜଳାଭୂମୀ ଅଞ୍ଚଳକୁ ଅତିକ୍ରମ କରିବାକୁ ହୋଇଥିଲା। ବନ୍ଧୁକ ଯୋଗାଣ ପାଇଁ ଯାଉଥିବା ବାଟରେ ରାମ୍ବୋଙ୍କର ଦୁଇଜଣ ସହଯୋଗୀ ଅସୁଖ କାରଣରୁ ମୃତ୍ୟୁମୁଖରେ ପଡିଥିଲେ ତାହା ଛଡା ମଝିରେ ମଝିରେ ତାଙ୍କର ଏଇ ଦଳ ଉପରେ ବେଶ୍ କେତେଥର ଆକ୍ରମଣ ବି ହୋଇଥିଲା । ଶେଷରେ ରାଜଧାନୀ ଏନତୋତୋରେ ରାମ୍ବୋ ବନ୍ଧୁକ ଗୁଡିକୁ ବିକ୍ରି କରିବାକୁ ସମର୍ଥ ହେଲେ କିନ୍ତୁ ସେ ଯାହା ଚାହୁଁଥିଲେ ତାହା ପାଇଲେ ନାହିଁ। ତାଙ୍କର ଏଇ ପ୍ରକଳ୍ପ ରେ ଅର୍ଥଲଗାଣ କରିଥିବା କେତେଜଣ ବନ୍ଧୁ ,ଜଣେ ବନ୍ଧୁଙ୍କ ସ୍ଥାନୀୟ ପତ୍ନୀ ସେମାନଙ୍କର ପ୍ରାପ୍ୟ ଦାବୀ କରିଥିଲେ। ସେମାନଙ୍କର ଦାବୀ ସବୁକୁ ପୂରଣ କରାଯାଇଥିଲା।
ପରେ ଭାରି ମନ ଦୁଃଖରେ ରାମ୍ବୋ ମାଆଙ୍କ ପାଖକୁ ଗୋଟିଏ ଚିଠି ଲେଖିଥିଲେ : ” ଏଇ ବେପାରରେ ମୋର ମୂଳଧନର ଶତକଡା ଷାଠିଏ କ୍ଷତି ହୋଇଗଲା,ଏକୋଇଶ ମାସର ଅକ୍ଳାନ୍ତ କଷ୍ଟକର ଆଉ ଚାପ ପୂର୍ଣ୍ଣ ସମୟର କଥା ପଛକୁ ଥାଉ।”
ରାମ୍ବୋ କ’ଣ ସତରେ ଏଥିରେ ବିଫଳ ହୋଇଥିଲେ ?
ରାମ୍ବୋଙ୍କ ଜୀବନୀକାର ଗ୍ରାହାମ ରବ୍ ଅନେକ ପରିଶ୍ରମ କରି ଯେଉଁ ତଥ୍ୟ ସଂଗ୍ରହ କରିଛନ୍ତି ତାହା ଅନୁସାରେ ଦେଖାଯାଇଛି ଯେଉଁ ଲୋକ ସେଇ ବେପାରରୁ ସବୁ ଖର୍ଚ୍ଚବାର୍ଚ ଯାଇ ମାତ୍ର ୬୦୦୦ଫ୍ରାଙ୍କ ପାଇଛି ବୋଲି କହୂଥିଲା ସେ ଅସଲରେ ମିଛ କହିଛି। ରାମ୍ବୋ ସେଇ ବନ୍ଧୁକ ବିକ୍ରିରୁ ଅସଲରେ ବ୍ୟାଙ୍କରେ ୧୬,୦୦୦ ଫ୍ରାଙ୍କ୍ ଡିପୋଜିଟ୍ କରିଥିଲେ । ଏହାର ମୂଲ୍ୟ ଏବେ ଏକଲକ୍ଷ ଡଲାର୍ ରୁ ଉର୍ଦ୍ଧ୍ୱ ହେବ । ଅନେକ ଅନେକ ଟଙ୍କା।
୧୮୭୧ ସାଲକୁ ଫେରିବା।
ରାମ୍ବୋ ନିଜର ଉତ୍ସୃଙ୍ଖଳ ଆଉ ଅନୈତିକ ଜୀବନକୁ ଶେଷ କରି ଅର୍ଥ ଉପାର୍ଜନ ଆଉ ଏକ ନୀତିବାନ ଜୀବନ ଯାପନ କରିବେ ବୋଲି ପ୍ରତିଜ୍ଞା କରିଥିଲେ ସେଦିନ ।
ଏହା ସହିତ ସେ ଆଉ ଗୋଟିଏ ପ୍ରତିଜ୍ଞା ବି କରିଥିଲେ ,ଅର୍ଥ ଉପାର୍ଜନ ଆଉ ନୀତିବାନ ଜୀବନ ଯାପନ କରିବା ବ୍ୟତୀତ ସେ ଆଉ କବିତା ଲେଖିବେ ନାହିଁ ।
୧୮୭୧ ପରଠାରୁ ନିଜପାଖରେ ନିଜେ କରିଥିବା ପ୍ରତିଜ୍ଞା ଅନୁସାରେ ସେ ଆଉ କେବେ କବିତା ଲେଖି ନାହାଁନ୍ତି ।
ତାଙ୍କର ବ୍ୟାଙ୍କର ସମସ୍ତ ଡେବିଟ୍-କ୍ରେଡିଟ୍ ର ତଥ୍ୟ ଉଲ୍ଲେଖ କରିବା ସହିତ ରାମ୍ବୋଙ୍କ ଜୀବନୀକାର ଗ୍ରାହାମ ରବ୍ ଶେଷରେ ଏଇ କଥାଟି ଯୋଡିଛନ୍ତି :
ରାମ୍ବୋ କବିତାକୁ ପରିତ୍ୟାଗ କରିଦେଲେ ସିନା ସେ କିନ୍ତୁ କାହାଣୀକୁ ଛାଡି ପାରି ନାହାଁନ୍ତି।
ତେଣୁ ଆମକୁ ଏଇଠି ଏଇ ଆଲେଖର ଉପସଂହାରର ଧାଡିଟି ମିଳିଗଲା,କାହାଣୀର ଗୋଟିଏ ସଂଜ୍ଞା ରୂପରେ :
ଯେଉଁ ମିଛକୁ ସତ ଭଳି କୁହାଯାଇପାରେ ତାହା ହିଁ କାହାଣୀ ।
Comments are closed.