Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : କବି ଓ କାଗଜ ଡଙ୍ଗା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୪ 

 

ଜଣେ କବି ଥିଲେ ।

 

ଏଇ କବିଙ୍କର ଆସକ୍ତିମାନଙ୍କ ଭିତରୁ ଗୋଟିଏ ପ୍ରମୁଖ ଆସକ୍ତି ଥିଲା କାଗଜଡଙ୍ଗା।

 

ଯଦି ପାଖରେ ତାଙ୍କର କିଛି ବଳକା ସମୟ ରହିଥାଏ ତେବେ ଯେଉଁଠି ଗୋଟିଏ ବହମାନ ଜଳର ଉତ୍ସ ସେ ଦେଖିବାକୁ ପାଆନ୍ତି ତତକ୍ଷଣାତ୍ ସେଇଠି ନିଜ ହାତରେ ଗୋଟିଏ କାଗଜ ଡଙ୍ଗା ତିଆରି କରି ସେ ସେଥିରେ ଭସାଇ ଦେଇଥାନ୍ତି। ଖାଲି ଖଣ୍ଡିଏ କାଗଜ କି ଗୋଟିଏ କାଗଜ ଡଙ୍ଗା ତିଆରି କରି ସାମ୍ନାର ଜଳପ୍ରବାହରେ ଭସାଇ ଦେଇ ଅତି ଖୁସିମନରେ ସେ ଫେରି ଆସିଥାଆନ୍ତି ବୋଲି କହିଲେ କଥାଟି ଆଦୌ ଠିକ୍ ହେବ ନାହିଁ। ଏକରେ ସମୟ ଅଛି ଆଉ ଦ୍ୱିତୀୟରେ ଜଳପ୍ରବାହ ଅଛି ମାନେ ସେ ପାଖରେ ଥିବା କାଗଜରୁ ଖଣ୍ଡିଏ ଭାଙ୍ଗି ସେଥିରେ ଗୋଟିଏ କାଗଜ ଡଙ୍ଗା ତିଆରିକରି ତାହାକୁ ଅତି ଯତ୍ନରେ ଭସାଇଦେବା ପରେ ତାହାର ଭାସି ଭାସି ଯାଉଥିବାର ମନୋରମ ଦୃଶ୍ୟକୁ ଅପଲକ ନୟନରେ ଚାହିଁ ରହୁଥିଲେ। ଯେତେବେଳେ ସେଇ କାଗଜ ଡଙ୍ଗାଟି ଭାସି ଭାସି ତାଙ୍କର ଦୃଷ୍ଟିପଥରୁ ଆଢୁଆଳ ହୋଇ ଯାଉଥିଲା ସେ ତାହାପରେ ଘଡିଏ ଦୀର୍ଘଶ୍ୱାସ ଛାଡି ପୁଣି ପ୍ରକୃତିସ୍ଥ ହୋଇ ବାହାର କରୁଥିଲେ ଆଉ ଖଣ୍ଡିଏ କାଗଜ ଆଉ ସେଥିରେ ତିଆରି କରୁଥିଲେ ଆଉ ଗୋଟିଏ କାଗଜ ଡଙ୍ଗା ଆଗଭଳି। ତାହାକୁ ବି ସେ ଆଗ ଭଳି ସେମିତି ଭସାଇ ଦେଉଥିଲେ । ସେଇଟି ଯେମିତି ତାଙ୍କର ଦୃଷ୍ଟିପଥରୁ ଅନ୍ତର୍ଦ୍ଧାନ ହୋଇଯାଏ ତାହାପରେ ସେ ତିଆରି କରି ବସୁଥିଲେ ଆଉ ଗୋଟିଏ କାଗଜ ଡଙ୍ଗା। ଏମିତି ଗୋଟିକ ପରେ ଗୋଟିଏ କାଗଜ ଡଙ୍ଗା।

 

ତେଣୁ ପାଖରେ ବଳକା ସମୟ ଆଉ ବହମାନ ଜଳଧାରା ରହିଛି ଅର୍ଥ ଏଇ କବି ଜଣକ ନିଜପାଖରେ ବଳକା ବୋଲି ଭାବୁଥିବା ଯେତେକ କାଗଜ ରହିଛି ସେଇ ସବୁକୁ କାଗଜଡଙ୍ଗା କରି ଭସାଇଦେବା ପରେ ହିଁ ଯାଇ ସେ ସେହି ସ୍ଥାନକୁ ପରିତ୍ୟାଗ କରୁଥିଲେ। ଅନ୍ୟ ଭାବରେ କହିଲେ ପାଖରେ ଡଙ୍ଗା ତିଆରି କରିବା ଭଳି କାଗଜ ଯେତେବେଳେ ଆଉ କବିଙ୍କ ପାଖରେ ରହୁନଥିଲା ସେତେବେଳେ ଯାଇ ସେ ସେଇଠୁ ସାମ୍ନାର ଜଳପ୍ରବାହକୁ ନିର୍ବିଘ୍ନରେ ନିଜର ଚିରତର ପ୍ରବାହକୁ ଧାରଣ କରି ନିଜ ମାର୍ଗରେ ଯିବା ଭଳି ନିଜପଣର ଅବସ୍ଥାରେ ଛାଡି ଦେଇ ଚାଲି ଆସୁଥିଲେ ଅନ୍ୟତ୍ର।

 

କବି ଆଉ କାଗଜ ଡଙ୍ଗାର ପରବର୍ତ୍ତୀ ପ୍ରସଙ୍ଗକୁ ଯିବା ପୂର୍ବରୁ କାଗଜ ଡଙ୍ଗାକୁ ନେଇ ସତରେ ଆମମାନଙ୍କ ଭିତରେ ରହିଥିବା ଧାରଣାଟି କ’ଣ ସେଇକଥା କୁ ବିଚାର କରାଯାଉ। ଏହା ହୁଏତ ଏଇଭଳି : ଆମମାନଙ୍କ ଭିତରେ ଯେଉଁମାନେ ସାଧାରଣ ସେମାନେ ନିଜର ରଫଖାତାକୁ ଚିରି ସେଇ କାଗଜରେ କାଗଜ ଡଙ୍ଗା ତିଆରି କରି ଭସାଇ ଥାନ୍ତି । ଯେଉଁମାନଙ୍କ ଭିତରେ ସାମାନ୍ୟ କବିତ୍ୱ ଥାଏ ସେମାନେ ନିଜର ଅଂକଖାତାକୁ ଚିରି ଡଙ୍ଗା କରିପକାନ୍ତି । ମାତ୍ର ଆମ ମାନଙ୍କ ଭିତରେ ଯେଉଁମାନେ ଅସଲରେ କବି ସେମାନେ ନିଜର ସମସ୍ତ “ପ୍ରୋଗ୍ରେସ୍-କାର୍ଡ” କୁ ଅବଲୀଳାକ୍ରମେ ଡଙ୍ଗା କରି ଦେଇଥାଆନ୍ତି।

 

ବିଶେଷ ଭାବରେ କହିଲେ କାଗଜ ଡଙ୍ଗା ଆମର ଶୈଶବ ସହ ଜଡିତ ସ୍ମୃତି ଭାରାଚ୍ଛନ୍ନ ଭାସମାନତା ର ଏକ ଝଲକ ଦେଉଥିବା ମନୋମୟ ଅତୀତ କାଳ । ଆମେ କାଗଜ ଡଙ୍ଗାକୁ ସେଇଭଳି ଏକ ଧାରଣାର ସବୁବେଳେ ସ୍ଥାପିତ କରି ରଖିଥାଉ ।

 

ଏଇଠି ଯେଉଁ କବି ଆଉ ତାଙ୍କର କାଗଜ ଡଙ୍ଗାର ର ଆସକ୍ତି ଯାହାକୁ ଆମେ ତାଙ୍କର ଏକ ପ୍ରକାର ନିଶାଗ୍ରସ୍ତତା ବା “ଆଡିକ୍ସନ” ବୋଲି ସହଜରେ କହିପାରିବା ତାହା ତାଙ୍କର ଶୈଶବର କଥା ନୁହଁ,ନିଜ ଜୀବନର ଶେଷ ଯାଏଁ ସେ ଏମିତି ପ୍ରବହମାନ ଜଳଧାରା ଦେଖିଲେ ବଳକା କାଗଜରେ ଆପେ ଡଙ୍ଗା ତିଆରି କରି ତାହାକୁ ଭସାଇଦେବା ଭଳି କାର୍ଯ୍ୟରୁ ନିଜକୁ ନିବୃତ୍ତ କରି ଆଦୌ ରଖିପାରୁନଥିଲେ।

 

କାଗଜ ଡଙ୍ଗା ପ୍ରତି ଅହେତୁକ ଆକର୍ଷଣରେ ପ୍ରପୀଡିତ ଏଇ ବିଚିତ୍ର କବି ଜଣକଙ୍କର ନାଆଁ ହେଉଛି ପ୍ରାସି ବିଶି ଶେଲୀ । ଜନ୍ମ ୪ ଅଗଷ୍ଟ ୧୭୯୨।

 

ଶେଲୀଙ୍କର କାଗଜ ଡଙ୍ଗା ପ୍ରତି ରହିଥିବା ଆସକ୍ତିକୁ ବୁଝିବାକୁ ହେଲେ କବିଙ୍କର ବିଚାରାଧାରା କୁ ଜାଣିବା ଆବଶ୍ୟକ । ଶେଲୀ ଏକ ସ୍ୱଚ୍ଛଳ ସମ୍ଭ୍ରାନ୍ତ ପରିବାରର ଉତ୍ତରଧୀକାରୀ ଥିଲେ ମଧ୍ୟ ସେ ଏଇ ସମସ୍ତପ୍ରକାର ଆଭିଜାତ୍ୟ ଏବଂ ସ୍ୱଚ୍ଛଳତା ସହିତ ଅସଂଲଗ୍ନ ରହିଥିଲେ । ପ୍ରକୃତି ଏବଂ ବିଚାର ସହିତ ଜୀବନ ଯାପନ କରିବାରେ ହିଁ ନିଜର ଗୁଣ ଭାଗ ନିହିତ ରହିଛି ବୋଲି ସେ ବିଚାର କରୁଥିଲେ । ବିଶିଷ୍ଟ ରାଜନୈତିକ ଚିନ୍ତକ ଥମାସ ହବସ୍ ଙ୍କ ଭଳି ସେ ମନେ କରୁଥିଲେ ଯେ ସମାଜର ଦ୍ରୁତ ଅବନତି ଘଟି ଚାଲିଛି ଏବଂ ତାହାକୁ ତାହାର ପଚମାନ ଅବସ୍ଥାରୁ ଉଦ୍ଧାର କରିବାକୁ ପଡିବ। ଥମାସ ହବସ୍ ଯେମିତି ସମାଜକୁ ସୁସ୍ଥ ସୁନ୍ଦର କରିବା ପାଇଁ ଏକ ମହାସମ୍ମତ ଶକ୍ତି ଅର୍ଥାତ୍ ଲେଭିଆଥାନ୍ ର ଦୃଢ ଉପସ୍ଥିତି ରହିଥିବାର କଥା ଉପସ୍ଥାପନ କରିଛନ୍ତି ,ଶେଲୀ ସମଭାବରେ ଇଲ୍ଲେଖ କରିଛନ୍ତି କବିର କଥା। କବି ଆଉ କବିତା କଥା କହିବା ବେଳେ,

” କବିମାନେ ହେଉଛନ୍ତି ଅସଲରେ ପୃଥିବୀର ଅସ୍ୱୀକୃତ ବିଧାୟକ ” ଏଇ ଭଳି ଯେଉଁ ଆପ୍ତବାକ୍ୟ ସହିତ ଆମେମାନେ ପରିଚିତ ସେଇ ବିଚାରଟି ହେଉଛି କବି ଶେଲୀଙ୍କର ।

 

ଶେଲୀଙ୍କ ବିଚାରରେ ବସ୍ତୁତଃ ପୃଥିବୀର “ଅସ୍ୱୀକୃତ ବିଧାୟକ” ଯେଉଁ କବି ତାହାର ଏପରି ଏକ ଅବସ୍ଥାନ ପଛରେ ଅସଲରେ ଥାଏ କ’ଣ ? କେଉଁ ବିଚାର ର ଶକ୍ତି ବଳରେ କବି ଏପରି ଏକ ଆସ୍ଥାନରେ ରହିପାରିବ ? ସେ ଏହିକଥାକୁ ଶେଲୀ ” ଏ ଡିଫେନ୍ସ ଅଫ୍ ପୋଏଟ୍ରି ” ନାମକ ଏକ ପ୍ରବନ୍ଧରେ ପରିଭାଷିତ କରିଛନ୍ତି । କବିତା ତାଙ୍କ ପାଇଁ ଆନନ୍ଦ ଆଉ ନୂତନତାର ଦୃଶ୍ୟମାନ ଚତୁରପଣ ନୁହଁ,ଏହା ସାମାଜିକ ପରିବର୍ତ୍ତନ ପାଇଁ ଏକ ନୈତିକ ସଂବେଦନଶୀଳତାର ଦିଗଭାଷ ବା ପ୍ରୋଫେସି। ତାଙ୍କପାଇଁ ବସ୍ତୁତଃ ଏହାର ଆଧାର ହେଉଛି ସୁନ୍ଦରପଣ ଆଉ ନିରୀଶ୍ୱରବାଦ । ନିଜର ସାହିତ୍ୟ ସୃଜନରେ ଶେଲୀ ଏହି ନିରୀଶ୍ୱରବାଦ ପାଇଁ ନିଜର ପରିବାର ତଥା ପରିସର ଠାରୁ ଏକ ପ୍ରକାର ଅସଂଲଗ୍ନ ହୋଇ ରହିବା ଭଳି ଯାତନା ଭୋଗିଛନ୍ତି ।

 

ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ହେଉଛି, ” ମଣିଷ ଯଦି ବିଶେଷ ଭାବରେ ଭଲ/ଉତ୍ତମ ହେବାକୁ ଚାହୁଁଥାଏ ,ତାହାହେଲେ ସେ ଗମ୍ଭୀର ଆଉ ପୂର୍ଣ୍ଣାଙ୍ଗ ଭାବରେ କଳ୍ପନା କରିବା ଉଚିତ, ସେ ନିଜକୁ ଅନ୍ୟ ଏକ ସ୍ଥାନରେ ଆଉ ତାହାପରେ ଅନ୍ୟତ୍ର ବହୁ ସ୍ଥାନରେ ଯେମିତି ଦେଖିପାରୁଥିବ। ” ଏହାଫଳରେ ମଣିଷର ସହଜାତ ପ୍ରାକୃତିକ ପ୍ରେମ ପରିଭାଷିତ ହୋଇପାରିବ । ସେଥିରୁ ଆସିବ ସୁନ୍ଦରପଣ ଆଉ ଆନନ୍ଦ।

 

 

ଶେଲୀଙ୍କ ସମ୍ପର୍କରେ ତାଙ୍କର ବିଦୂଷୀ ପତ୍ନୀ ତଥା ” ଫ୍ରାଙ୍କେଷ୍ଟାଇନ୍” ନାମକ ବିଶ୍ୱରେ ଚର୍ଚ୍ଚିତ ଉପନ୍ୟାସ ର ଲେଖିକା ମେରୀ ଶେଲୀ କହିଛନ୍ତି : ” କବି ହିସାବରେ ଶେଲୀ ବିଶୁଦ୍ଧ ଭାବରେ ସତ୍,ନିଜର ସୃଜନ ପ୍ରତି ସଂପୂର୍ଣ୍ଣ ସମର୍ପିତ ଏବଂ ନୀରିହ। ତାଙ୍କ ଭିତରେ ରାଜନୈତିକ ଚତୁରତା ନଥିଲା,ଥିଲା ଗୋଟିଏ ବିଚକ୍ଷଣ ବାଳକର ଉନ୍ମେଷଶାଳିନୀ ପ୍ରଜ୍ଞା ।”

 

ଶେଲୀଙ୍କ ସୃଜନ ଚରିତ୍ରର ଏଇ କଥାତକ ଉଲ୍ଲେଖ କରିବା ପଛରେ କେବଳ ଏତିକି ଉଦ୍ଦେଶ୍ୟ ଯେ ବୟସ ବଢିବା ସତ୍ତ୍ୱେ ତାଙ୍କର କାଗଜ ଡଙ୍ଗାକୁ ନେଇ ଅଧିକରୁ ଅଧିକ ଆସକ୍ତ ହୋଇପଡିବା ଘଟଣାକୁ ଏକ ତାତ୍ତ୍ୱିକ ପରିପ୍ରେକ୍ଷ୍ୟ ପ୍ରଦାନ କରିବା। ଅନ୍ୟ ଭାବରେ କହିଲେ ତାଙ୍କର ଜୀବନରେ କାଗଜ ଡଙ୍ଗାର ଆସକ୍ତିର ପଛରେ ପ୍ରତୀକାତ୍ମକତା ର କୌଣସି ଚିହ୍ନ ରହିଛି କି ନାହିଁ ,ସେଇ କଥାକୁ ବିଚାର କରିବା । ପିଲା ଦିନରେ ସେ ବିଜ୍ଞାନ ପ୍ରତି ତଥା ଭିନ୍ନ ଭିନ୍ନ କେମିକାଲ୍ କୁ ନେଇ ଖେଳିବାକୁ ଭଲପାଉଥିଲେ,ନିଆଁର ଊତ୍ତାପରେ ଉଡାଯାଉଥିବା ବେଲୁନ୍ କୁ ଦୂର ଆକାଶକୁ ଉଡାଇବା ପାଇଁ ଭଲ ପାଉଥିଲେ । ପରେ ତାଙ୍କର ଏଇ ସବୁ ପଦାର୍ଥ ପ୍ରତି ଆଉ କୌଣସି ଅନୁରକ୍ତି ରହିଲା ନାହିଁ ,ସେ କାଗଜ ଡଙ୍ଗା ପ୍ରତି ଏକ ପ୍ରକାର “ଅବସେସଡ୍” ହୋଇପଡିଲେ ।

 

କାଗଜ ଡଙ୍ଗା ସହିତ ଜୀବନର ସାଦୃଶ୍ୟ ରହିଛି।

ଜୀବନ ଆଉ କାଗଜ ଡଙ୍ଗା ଉଭୟ କ୍ଷଣସ୍ଥାୟୀ।

ଏଇ ଦୁଇଜଣ ଅନ୍ୟ ଦ୍ୱାରା ଚାଳିତ ହେଉଥାନ୍ତି।ଜଣେ ଘଟଣା ଏବଂ କାଳ ଦ୍ୱାରା ଆଉ ଆରଜଣକ ଚାଳିତ ହେଉଥାଏ ଜଳ ପ୍ରବାହ ଦ୍ୱାରା।

କାଗଜ ଡଙ୍ଗା ଆଉ ଜୀବନ,ଉଭୟ,

ଏକପ୍ରକାରେ ପାରିପାର୍ଶ୍ୱିକ ସହିତ ଅସଂଲଗ୍ନ ।

କାଗଜ ଡଙ୍ଗା ଆଉ ଜୀବନ ଉଭୟ ସୁନ୍ଦରପଣର ସ୍ୱାକ୍ଷର ,ଆନନ୍ଦର ଅବବୋଧ ପ୍ରଦାନ କରିଥାନ୍ତି ।

 

ଶେଲୀ ହୁଏତ ନିଜର ବିକଳ୍ପକୁ ଏଇଥିପାଇଁ କାଗଜ ଡଙ୍ଗାରେ ନିଛକ ଭାବରେ ଦେଖୁଥିଲେ। ଯାହା ଆଗରୁ କୁହାଯାଇଛି , ବହମାନ ଜଳଧାରାଟିଏ ଦେଖିଲେ ଯଦି ଶେଲିଙ୍କ ପାଖରେ ସମୟ ଥାଏ ତେବେ ସେ ପାଖରେ ଥିବା ଅଦରକାରୀ କାଗଜରେ ଗୋଟିକ ପରେ ଗୋଟିଏ ଡଙ୍ଗା ତିଆରି କରି ସେଇଠି ପାଣିରେ ଭସାଇ ଦେଉଥିଲେ।

 

ଶେଲିଙ୍କର ମୃତ୍ୟୁ ୮ ଜୁଲାଇ ୧୮୨୨ରେ ଗୋଟିଏ ଡଙ୍ଗାବୁଡିରେ ହୁଏ। ମୃତ୍ୟୁର ବେଶ୍ କିଛି ଦିନ ପରେ ତାଙ୍କର ଗଳିତ ଶବକୁ ଉଦ୍ଧାର କରାଯିବା ପରେ ତାହାକୁ ସଠିକ ଚିହ୍ନଟ କରିବା ଅସୁବିଧାଜନକ ଥିଲା। ମାତ୍ର ତାଙ୍କର ପକେଟରୁ ବାହାରି ଥିବା ହଣ୍ଟ-ପ୍ରକାଶିତ କବି ଜନ କିଟସ୍ ଙ୍କର ଖଣ୍ଡିଏ କବିତାର ଆଲୋଚନା ବହିରୁ ତାଙ୍କର ଶବକୁ ଚିହ୍ନଟ କରାଯାଏ ।

ଏଇ କରୁଣ ତଥ୍ୟଟିକୁ ଏଠାରେ ଉଲ୍ଲେଖ କରିବାର ଅର୍ଥ ହେଉଛି ଶେଲିଙ୍କ ପକେଟରୁ ବାହାରିଥିବା ସେଇ ହଣ୍ଟଙ୍କ ପ୍ରକାଶିତ ଜନ୍ କିଟସ୍ ଙ୍କ କବିତାର ଆଲୋଚନା ବହିରେ “ଇନର୍” ପୃଷ୍ଠାଟି ନଥିଲା। ଆଗରୁ କୁହାଯାଇଛି ଯେ ଶେଲି ନିଜ ପାଖରେ ଥିବା ସମସ୍ତ ଅଦରକାରୀ କାଗଜକୁ ଯଦି ତାଙ୍କପାଖରେ ସେମିତି ବଳକା ସମୟ ଥାଏ ତେବେ ତାହାକୁ ଡଙ୍ଗା କରି ଭସାଇ ଦେଉଥିଲେ। ସେଇଥିପାଇଁ ତାଙ୍କର ଅଧିକାଂଶ ଫାଇଲ୍ ର ଫୋଲଡର୍ ମାନ ଚିରା ଥିଲା,କିଛି ବହିର “ଇନର୍” ପୃଷ୍ଠାମାନ ରହିଥିଲା ଅଦୃଶ୍ୟ ।

ଆଉ ଗୋଟିଏ ଶେଲି ସମ୍ପୃକ୍ତ ଗଜ ଡଙ୍ଗାର କାହାଣୀ ସହ ଏଇ ଆଲେଖର ଶେଷ।

ଦିନେ କବି ଗୋଟିଏ ନଈକୂଳରେ ପହଞ୍ଚିଥିଲେ ଏକାକୀ । ଏକାକୀ ଆଉ ନଈକୂଳର ଅର୍ଥ ହେଉଛି ଶେଲିଙ୍କ ପାଇଁ କାଗଜ ଡଙ୍ଗା ତିଆରି କରିବାର ଏକ ସୁଖକର ବେଳ । କିନ୍ତୁ ସେତେବେଳକୁ କବିଙ୍କ ପାଖରେ କାଗଜ ପତ୍ର କି ବହି କିଛି ହେଲେ ନଥାଏ । ସାମ୍ନାରେ ପ୍ରବହମାନ ଜଳଧାରାକୁ ଦେଖି କବିଙ୍କ ଦେହମୁଣ୍ଡ ଶିରିଶିରି କରି ଉଠୁଥାଏ । କାଗଜ ଡଙ୍ଗା ତିଆରି କରିବାର ନିଶାରେ ସେ ଟଳମଳ ହେବାକୁ ଆରମ୍ଭ କରନ୍ତି । ହେଲେ ପାଖରେ ତ କାଗଜ ଖଣ୍ଡିଏ ନାହିଁ । ଏତିକି ବେଳେ ଗୋଟିଏ କଥାରୁ ଆମେ ସୁନ୍ଦରର ଆଉ ଆନନ୍ଦର ଏଇ କବିଙ୍କ କାଗଜ ଡଙ୍ଗା ପ୍ରତି ଆସକ୍ତିର ମାତ୍ରା ଆଉ ସ୍ୱରୂପକୁ ହୁଏତ ବୁଝିପାରିବା।

କବି ପ୍ରାସି ବିଶି ଶେଲି ତାହାପରେ ନିଜର ପର୍ସରେ ଥିଫା ନୋଟ ଖଣ୍ଡିକୁ ବାହାର କରିବା ପରେ ସେଥିରେ ଡଙ୍ଗା ତିଆରି କରି ତାହାକୁ ସାମ୍ନାର ଜଳଧାରାରେ ଭସାଇ ଦେଇଥିଲେ ।

ତାଙ୍କର ଆନନ୍ଦ କିନ୍ତୁ ବେଶି ସମୟ ରହିଲା ନାହିଁ । ସେଇ ବ୍ୟାଙ୍କ ନୋଟ ଖଣ୍ଡିକ ର ମୂଲ୍ୟ ଯଥେଷ୍ଟ ଅଧିକ ଥିଲା। ଆଜିକାଲିର ଭାରତୀୟ ମୁଦ୍ରାରେ ଦେଖିଲେ ତାହା ପାଞ୍ଚହଜାର ଟଙ୍କାରୁ ଅଧିକ ହେବ। ଅନ୍ୟପକ୍ଷରେ ନିଜର ବିଚାରଗତ ପ୍ରତିବଦ୍ଧତା କାରଣରୁ ଶେଲି ଯଦିଓ ଜଣେ ସମ୍ଭ୍ରାନ୍ତ “ବାରୋନ୍” ର ସନ୍ତାନ ତଥାପି ତାଙ୍କର ପରିବାରର କାହାରି ସହିତ ସୁସମ୍ପର୍କ ନଥିଲା। ସେ ପାଠ ପଢିବା ବେଳେ ତାଙ୍କର ବାପା ସାର୍ ଟିମୋଥି ଯେତେବେଳେ ତାଙ୍କୁ ଦୁଇଶହ ପାଉଣ୍ଡର ମାସିକିଆ ଖର୍ଚ୍ଚ ଦେବାକୁ ଠିକ୍ କରୁଥାନ୍ତି ସେଇ ଖବର ଶୁଣିବାମାତ୍ରକେ ଶେଲି ସର୍ବପ୍ରଥମେ ଯେଉଁ କାମଟି କରିଥିଲେ ତାହା ହେଉଛି ହେନେରିଆଟା ନାମକ ଗୋଟିଏ ଷୋହଳ ବର୍ଷ ବୟସର ଝିଅକୁ ବିବାହ । ତେଣୁ ସ୍ୱାଭାବିକ ଭାବରେ ତାଙ୍କର ମାସିକିଆ ଖର୍ଚ୍ଚ ସ୍ଥଗିତ ରହିଥିଲା । ହେନେରିଆଟା ସହ ତାଙ୍କର ପରେ ବିବାହ ବିଚ୍ଛେଦ ହୁଏ। ଏଇଠି କହିବା କଥା ହେଉଛି ଜଣେ ସଂଭ୍ରାନ୍ତର ସନ୍ତାନ ହୋଇ ମଧ୍ୟ ଶେଲି ଅସ୍ୱଚ୍ଛଳତାର ଜୀବନ ଯାପନ କରୁଥିଲେ ।

ତେଣୁ ସେଦିନର ତାଙ୍କର ସେଇ କାଗଜ ଡଙ୍ଗାଟି ଅନ୍ୟଦିନ ଭଳି ଏକ କାଗଜ ଡଙ୍ଗା ନଥିଲା,ଯାହାର ଅପସୃୟମାନ ହୋଇଯିବା ଭଳି ଦୃଶ୍ୟକୁ ସେ ଆଗଭଳି ଉପଭୋଗ କରିପାରିବେ ଅପଲକ ଦୃଷ୍ଟିରେ । ଏଇ କାଗଜ ଡଙ୍ଗାଟି ଭିନ୍ନ , ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ତାଙ୍କର ଝିଅର ଅସୁଖ ଆଉ ତାଙ୍କର ଅର୍ଥର ପ୍ରଚୁର ପ୍ରୟୋଜନ ରହିଛି।

ଏଇ ନିରୀଶ୍ୱରବାଦୀ କବିକୁ ଈଶ୍ୱର ସହାୟ ହୋଇଥିଲେ ବୋଲି କହିବି ନାହିଁ ,ପ୍ରକୃତି ଦମକାଏ ପବନ ହୋଇ କୂଳରେ ଛିଡା ହୋଇଥିବା ଏଇ ଉଦବିଗ୍ନ କବିଟିର ହାତକୁ ଫେରାଇଦେଇଥିଲା ତାହାର ହାତଗଢା ଏଇ ବିଶେଷ କାଗଜ ଡଙ୍ଗାକୁ ସେଦିନ ।

 

Comments are closed.