ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୧୦
ଯେତେଟା ଭାଷା ଅଛିଁ ଜାଣି
ସ୍ବଭାଷା ଭାବି, ଥାଏଁ ଗଣି
ଯେତେଟା ସ୍ଥାନରେ ରହିଛିଁ
ସ୍ବସ୍ଥାନ ବୋଲି ହିଁ କହିଛିଁ
ଯେତେଟା ଘର ମୋର ଅଛି
ପ୍ରତିଟି ସ୍ବଗୃହ ବୋଲୁଛିଁ
ସ୍ବଗ୍ରାମ ସ୍ବଭୂମି ସ୍ବଦେଶ
ଭାବିଲେ ପାଉଛିଁ ସଂତୋଷ
ଲିଖିତ ରଚନାରୁ ଅର୍ଥ
କାଢ଼ଇ ପାଠକ ସମର୍ଥ
ଦର୍ପଣ ତୁଲ୍ୟ ହେଲେ ଲେଖା
ପାଠକ ଦିଏ ସେଠି ଦେଖା
ଯେଉଁ ବାଟରେ ଯାଏଁ ଚାଲି
ତାହା ସ୍ବପଥ ମାନେ ବୋଲି
ସ୍ବଗତି ହୁଏ ନିରଂତର
ଅଲୋଡ଼ା ହୁଏ ପଥାଂତର
‘ ସ୍ବ ‘ ଅର୍ଥ ‘ ନିଜ ‘ ବୋଲି ବୁଝେଁ
ଅନ୍ୟାର୍ଥ କେବେ ବି ନ ଖୋଜେଁ
‘ ଆତ୍ମ ‘ ଓ ‘ ପର ‘ ର ପ୍ରଭେଦ
ସ୍ବଜ୍ଞାନ ସକାଶେ ପ୍ରମାଦ
କରୁଛିଁ ସାଦୃଶ୍ୟ ସଂଧାନ
ପାର୍ଥକ୍ଯ ଏବେ ଅଂତର୍ଧାନ
Comments are closed.