ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୬
ଭାଷୀଏ କଲେ ବ୍ୟବହାର
ଘଟଇ ଭାଷାର ପ୍ରସାର
ଅନ୍ୟ ଉପାୟ ଯେଣୁ ନାହିଁ
ରୋଦନ କରିବା କିପାଇଁ ?
ଗଠନ କଲେ ଅନୁଷ୍ଠାନ
କିଏ ପାଇବ କେଉଁ ସ୍ଥାନ
ତାହା ହିଁ ହୁଏ ମୁଖ୍ୟ କଥା
କାମ ବେଳକୁ ଅବ୍ୟବସ୍ଥା
ଏବେ ଶିଶୁଂକୁ ଦେଇ ଶିକ୍ଷା
କରିଲେ ଭାଷାର ସୁରକ୍ଷା
ହୁଏତ ଆଗାମୀ ସମୟ
ନିମଂତେ ରହିବନି ଭୟ
ଶାସ୍ତ୍ରୀୟ ଭାଷା ଆଖ୍ୟା ପାଇ
କେବଳ ଉଲ୍ଲସିତ ହୋଇ
କରିଚାଲିଲେ କାଳ କ୍ଷୟ
ହେବ କିପରି ଅଭ୍ୟୁଦୟ ?
ସହଜସାଧ୍ୟ କାମ କରି
ହେବନି ଅବସ୍ଥା ସୁଧାରି
କରିବା ପାଇଁ ପରିଶ୍ରମ
ସ୍ବଭାଷୀ କିପାଇଁ ଅକ୍ଷମ ?
ଶାସନ, ବେପାର, ବିଚାର
ଏହି ଭାଷାକୁ ଦରକାର
ତେବେ ବି ନ କରି ସଂସ୍କାର
କହୁଁ ‘ ସ୍ବଭାଷା ଅନୁର୍ବର ‘
ପ୍ରଶ୍ନ ଉଠୁଛି ବାରଂବାର
ମିଳୁନି କେବେ ବି ଉତ୍ତର
ବାର୍ଷିକ ଉତ୍ସବ ପାଳନ
ନୁହଇ ସ୍ଥାୟୀ ସମାଧାନ