Latest Odisha News

BREAKING NEWS

ଭାଷା ଭାଗବତ : ନିରବତାର ଉପାସନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୩

କହିଲେ ନିଜେ ନିଜ କଥା
ବୋଲାଏ ତା ସ୍ବାର୍ଥପରତା
କହିଲେ ନିଜ ଗାଆଁ ଦୁଃଖ
ବୋଲାଇଥାଉଁ ଆଂଚଳିକ

କହିଲେ ଦେଶର ଯଂତ୍ରଣା
ବୋଲାଇଥାଉଁ ନୀଚମନା
କହିଲେ ବିଶ୍ବର ଅବସ୍ଥା
ମିଳଂତିନାହିଁ ଜଣେ ଶ୍ରୋତା

ମନରେ ଥାଏ ଭାଷା ଜ୍ଞାନ
ନ କହି ରହିଲେ ମଉନ
ମିଳଇ ଆଦର ସମ୍ମାନ
ଏପରି ଲୋକ-ଆଚରଣ

ଏ ମହା ପରଂପରା ପାଳି
ସର୍ବେ ସୁଖରେ ଯାଉଁ ଚଳି
ନିରବତାର ଉପାସନା
କରିବା ପାଇଁ ନାହିଁ ମନା

ଭାବନା ରଖିଲେ ଲୁଚାଇ
ଭାଷାକୁ ପାରିବା ବଂଚାଇ
ଏପରି ଧାରଣାର ଫଳ
ଆମେ ହିଁ ଭୋଗୁଛୁଁ କେବଳ

ମୁଖରେ ଅନିର୍ଦିଷ୍ଟ ହସ
ଦେଖିଲେ ବଢ଼ାଇ ସାହସ
ପ୍ରମାଣ କରୁଁ ବାରଂବାର
ଅଲୋଡ଼ା ଭାଷା ବ୍ୟବହାର

କେବଳ ପୁନରୁକ୍ତି କରି
ସବୁ ସମୟ ଦେଉଁ ସାରି
ଯାହା ଲିଖିତ ବାରଂବାର
ତାହାକୁ ଜଣାଉଁ ଆଦର

କେ କଲେ ନୂଆ କିଛି ଚିଂତା
ତାହାକୁ କହି ‘ ପ୍ରଥା ହଂତା ‘
କରୁଁ ଅଜସ୍ର ନିଂଦା, କୁତ୍ସା
ତହିଁରୁ ଜାତ ଏ ଦୁର୍ଦଶା

ଭାଷା ଘୂରିଲେ ବୃତ୍ତ ପଥ
ଉନ୍ନତି, ପ୍ରଗତି ସ୍ଥଗିତ
ହେବା ଅଟଇ ସ୍ବାଭାବିକ
ବୁଝଂତି ଅତି ଅଳ୍ପ ଲୋକ

Leave A Reply

Your email address will not be published.