Latest Odisha News

ଭାଷା ଭାଗବତ : ବ୍ୟକ୍ତି ଓ ଉକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୫ 

ବ୍ୟକ୍ତିର ଉକ୍ତିକୁ ଖଂଡନ
ଅଥବା ସ୍ବୀକାର ମଂଡନ
କରିଲେ ହୁଏନାହିଁ କ୍ଷତି
ସୁସ୍ପଷ୍ଟ ହୁଏ ଲୋକମତି

ବ୍ୟକ୍ତିକୁ ଦେଲେ ଅପମାନ
ଭାଷା ମର୍ଯାଦା ହୁଏ କ୍ଷୁଣ୍ଣ
ବ୍ୟକ୍ତିକୁ କଲେ ହୀନମାନ
ଭାଷାଟେ ହୁଅଇ ବିପନ୍ନ

ବ୍ୟକ୍ତି ଓ ଉକ୍ତି ଭିନ୍ନ ଭିନ୍ନ
ଏ କଥା ବୁଝେ ଯାହା ମନ
ବ୍ୟକ୍ତିକୁ ଜଣାଇ ଆଦର
ସେ କରେ ଉକ୍ତି ଅସ୍ବୀକାର

ଉକ୍ତି-ଆଶ୍ରୟୀ ଆଲୋଚନା
କରିଲେ ସତ୍ୟ ପଡ଼େ ଜଣା
ବ୍ୟକ୍ତିକୁ କରିଲେ ବିଷୟ
ଚର୍ଚା ହୁଅଇ ବିଷମୟ

ଗଢ଼ି ଅଯଥା ବ୍ୟକ୍ତିଗୋଷ୍ଠୀ
କରିଲେ ବିଚଳନ ସୃଷ୍ଟି
ଭାଷା ଭୋଗଇ ଅପପୁଷ୍ଟି
ବ୍ୟାହତ ହୁଏ ଦୂରଦୃଷ୍ଟି

ବ୍ୟକ୍ତିକୁ ବଳୟରୁ ତଡ଼ି
ଅଥବା ଗୋଷ୍ଠୀରୁ ଘଉଡ଼ି
ଭାଷାର ବିକାଶ ବର୍ଧନ
କେବଳ କ୍ଷଣିକ ସପନ

ସ୍ବଭାଷା ସୁରକ୍ଷା ନିମଂତେ
ଯାହା ଦ୍ବାରା ସଂଭବ ଯେତେ
ବିଷୟନିଷ୍ଠ ମତାମତ
ବକ୍ତବ୍ୟ ଲୋଡ଼ା ଅବିରତ

ଉକ୍ତିକୈଂଦ୍ରିକ ବାର୍ତାଳାପ
ନ ହେଲେ ପ୍ରଳାପ, ବିଳାପ
ବିଷୟ ହୁଅଇ ସୁସ୍ପଷ୍ଟ
ଭାଷା ବି ଆପେ ପରିପୁଷ୍ଟ

ଯେ କେହି ଏହି ସୂତ୍ର ଧରି
ପାରିବେ ଆଲୋଚନା କରି
ସ୍ବାଧୀନ ମତର ପ୍ରକାଶ
ଘଟାଏ ଭାଷାର ବିକାଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.