ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୧
ଲିପିତ୍ୟାଗୀ ହେଲେ ଲେଖକ
ରହେନାହିଁ ଭାଷାର ଟେକ
ଦୃଶ୍ୟ, ଧ୍ବନି ମାୟାରେ ପଡ଼ି
ଅଯଥା ଲିପି ଦେଲେଛାଡ଼ି
ଅଦୃଶ୍ୟ ହୋଇବ ଅକ୍ଷର
ହେବନାହିଁ ବ୍ୟାପକତର
ଏ କାର୍ଯ ନୁହେ ହିତକର
ଜାଣି କରୁଛୁଁ ବାରଂବାର
କେଜାଣେ କିଏ କ’ଣ ଭାବି
କବିଂକୁ କରିଦେଲେ ଛବି
କାଂଥରେ ରଖିଲେ ଝୁଲାଇ
ଫୁଲ ଚଂଦନ ଧୂପ ଦେଇ
କବିଂକୁ କଲେ ପୂଜାସ୍ପଦ
ଭାଷାକୁ ପଡ଼ଇ ବିପଦ
ବହି ରହିଲେ ଅପଠିତ
ସାହିତ୍ଯ ହୁଏନି ଗଠିତ
ଧରିଲେ ସହଜିଆ ବାଟ
ସମସ୍ୟା ହୁଅଇ ଉତ୍କଟ
ଗ୍ରଂଥ ଯେଉଁଠି ହୁଏ ବସ୍ତୁ
କିଏ କି କହିବ ‘ ତଥାସ୍ତୁ ‘ ?
ରୂପ, ସ୍ବରରେ ହୋଇ ଭୋଳ
ଲୋକେ କରିଲେ ଗଂଡଗୋଳ
ଏହାର ନାହିଁ ପ୍ରତିକାର
ଅଥବା ସୁସ୍ପଷ୍ଟ ବିଚାର
ଯାହାର ଯେତେ ପ୍ରୟୋଜନ
ସେ କଲେ ସେତିକି ଲିଖନ
ସଭିଏଁ ହେବେ ସୀମାବଦ୍ଧ
ଚାଲିବନାହିଁ ଶବ୍ଦଯୁଦ୍ଧ
ନିଜ ଅସ୍ତିତ୍ୱ ଜଗି ନିଜେ
ଲାଗିରହିଲେ ନିଜ କାର୍ଯେ
ନିଜେ ହିଁ ନିଜର ଆଦର୍ଶ
ତେଣୁ ଅଲୋଡ଼ା ପରାମର୍ଶ
ଭାଷା, ସାହିତ୍ୟ ବ୍ୟକ୍ତିଗତ
ହେଲେ ହେଁ କରେ ସର୍ବହିତ
କ’ଣ ଉଚିତ, ଅନୁଚିତ
ଶୁଣି ହେବାନି ବିଚଳିତ
ଶବ୍ଦ ବ୍ୟକ୍ତିର ପ୍ରତିନିଧି
ରୂପରେ ହୁଏନାହିଁ ବାଂଧି
ପାଠକେ କଲେ ଅର୍ଥନ୍ୟାସ
ସଂଭବ ଭାଷାର ବିକାଶ
Comments are closed.