ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୬
ତର୍କ ଚଳିଲେ ଦୀର୍ଘକାଳ
ସଂପର୍କ ହୋଇଲେ ଦୁର୍ବଳ
ଆଘାତ ଆଉ ପ୍ରତ୍ୟାଘାତ
କରଂତି ସଭିଂକୁ ଆହତ
ପ୍ରତ୍ୟେକ ପ୍ରଶ୍ନର ଉତ୍ତର
ଯେହେତୁ ନୁହେଁ ଦରକାର
ଯିଏ ଯାହା ସଂକଳ୍ପ ଧରି
ହୁଅଂତି ଭାଷା ସେବାକାରୀ
ତର୍କଣା ଦ୍ବାରା ମତ ସିଦ୍ଧ
ହୁଏନି,… ଯଦି ଏହି ବୋଧ
ବ୍ୟକ୍ତି ପାରେନି ମନେ ଧରି
ସମୟ ସାରେ ତର୍କ କରି
ଏପରି ତର୍କକାରୀ ସଂଗ
ଯିଏ ସ୍ବେଚ୍ଛାରେ କରେ ତ୍ୟାଗ
ହୁଏନାହିଁ ଅସ୍ଥିରଚିତ୍ତ
ରହେ ଆନଂଦେ କର୍ମରତ
ତା’ର କାମର ପରିଣାମ
ନ ହେଲେ ସୁଦ୍ଧା ସର୍ବୋତ୍ତମ
ତାହାକୁ ମିଳେ ଶାଂତି, ତୃପ୍ତି
ତାହା ହିଁ ଅମୂଲ୍ୟ ସଂପତ୍ତି
ଭାଷା ଭାବନା ବ୍ୟକ୍ତିଗତ
ଉଚିତ ଅବା ଅନୁଚିତ
କରିଲେ ଅଯଥା ବିଚାର
ହୁଏନି କାହା ଉପକାର
ନିଜର ରୁଚି, ପ୍ରୟୋଜନ
ଜାଣି ଯେ ଫିଟାଏ ବଚନ
ଅଥବା ଦେଖାଏ ଲିଖନ
ରଖେ ସେ ସ୍ବଭାଷାର ମାନ
ଶ୍ରୋତା, ପାଠକ ବିବେଚନା
ନିମଂତେ ନାହିଁ କଟକଣା
ତଦନୁରୂପ ଆଲୋଚନା
ଉଡ଼ାଇପାରେ ଭାଷା ବାନା
ନିର୍ଦିଷ୍ଟ ପ୍ରଶ୍ନର ଉତ୍ତର
କରି ସ୍ବମନରୁ ବାହାର
କରିଲେ ତାହାକୁ ସ୍ବୀକାର
ଅଲୋଡ଼ା ହୁଏ ମତାଂତର
ଭାଷାର କାମ ବହୁବିଧ
ଚଳିଲେ ହୋଇ ନିର୍ବିରୋଧ
ସବୁ ସ୍ତରରେ ବ୍ୟବହୃତ
ହୁଏ ଓ କରେ ସର୍ବହିତ
କେବଳ ଲିଖିତ ସାହିତ୍ଯ
ଯୋଗୁଁ ଭାଷାର ସର୍ବହିତ
ସାଧନ ଯେଣୁ ଅସଂଭବ
ବଢ଼ୁନି ତାହାର ଗୌରବ
ସର୍ବସ୍ତରୀୟ ବ୍ୟବହାର
ହୋଇଲେ ଭାଷାର ପ୍ରସାର
ହେବାଟା ହୁଏ ସୁନିଶ୍ଚିତ
ବିକାଶ ଗତି ହୁଏ ଦ୍ରୁତ
Comments are closed.