ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୩
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଉତ୍ପତ୍ତି ସ୍ଥଳ, ବର୍ତ୍ତମାନର ଶ୍ରୀଗୁଣ୍ଡିଚା ମନ୍ଦିର ସନ୍ନିକଟ ତୀର୍ଥ ପୁଷ୍କରିଣୀ ହେଉଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ। ଶ୍ରୀକ୍ଷେତ୍ରରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନାମରେ ନାମିତ ଏକ ମାତ୍ର କୃତି। ଯେଉଁ ରାଜା ନିଜେ ନିଜ ବଂଶ ଲୋପ ପାଇଁ ପ୍ରଭୁଙ୍କୁ ପାର୍ଥନା କରିଥିଲେ, କାରଣ କାଳେ ତାଙ୍କର ବଂଶଧରମାନେ ଶ୍ରୀମନ୍ଦିରକୁ ନିଜର ବୋଲି ଦାବି କରିବେ ଓ ତାଙ୍କର ଧର୍ମ ନଷ୍ଟ ହେବ, ସେ କଣ ନିଜ ନାମରେ ଏହି ପୁଷ୍କରିଣୀ ସୃଷ୍ଟି କରାଇ ଥିବେ ?
ଏହି ପ୍ରଶ୍ନ ନିଶ୍ଚିତ ଭାବରେ ମନକୁ ଆସେ ଓ ଆଦିକବି ସାରଳା ଦାସ ରଚିତ ମହାଭାରତ ର ବନପର୍ବରେ ବର୍ଣ୍ଣିତ “ଯୁଧିଷ୍ଠିରଙ୍କ ତୀର୍ଥଯାତ୍ରା ” ପ୍ରସଙ୍ଗ ମନକୁ ଆସେ। ପ୍ରସଙ୍ଗଟି ଏହିପରି, ସ୍ୱର୍ଗରୁ ଫେରି ରାଜା ଇନ୍ଦ୍ରଦ୍ୟୁମ୍ନ, ଶ୍ରୀକ୍ଷେତ୍ରରେ ବାସ କରୁଥିବା ମାର୍କଣ୍ଡେୟ ଋଷିଙ୍କ ପାଖକୁ ଗଲେ କିନ୍ତୁ ଋଷି ମାର୍କଣ୍ଡ ତାଙ୍କୁ ଚି଼ହ୍ନଟ କରିପାରିଲେନି। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଅନୁରୋଧରେ ଦୁହେଁ ପ୍ରାଚୀନ ଭଲ୍ଲୁକ ପ୍ରାବlରକର୍ଣଙ୍କ ନିକଟକୁ ଗଲେ। ସେଠାରେ ନିରାଶ ହୋଇ ତାଙ୍କଠାରୁ ଆହୁରି ପ୍ରାଚୀନ ନାଡକ୍ଷୀଜଙ୍ଘ ବକଙ୍କ ପାଖରେ ପହଞ୍ଚିଲେ। ବକ ମଧ୍ୟ ଅସମର୍ଥ ହୋଇ ତାଙ୍କଠାରୁ ଆହୁରି ପ୍ରାଚୀନ ଅକୁପାର ନାମକ ଏକ କଛପଙ୍କ ନିକଟକୁ ପଠାଇଲେ। ଏହି କଛପ ଇନ୍ଦ୍ରଦ୍ୟୁମ୍ନଙ୍କ ପରିଚୟ ଦେବାକୁ ଯାଇ କହିଲେ ହେ ଋଷି ପ୍ରବର ଏହି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା କରାଯାଇଥିଲା ଯଜ୍ଞ ଓ ଏଥିରେ ଦାନ ପାଇଁ ସଂଗୃହିତ ଗୋରୁ (ଗାଇ ଓ ବାଛୁରୀ )ମାନଙ୍କ ଖୁରାରେ ଖୋଦିତ ଏହି ସରୋବରରେ ହିଁ ମନ୍ଦିର ନିର୍ମାଣ ରେ ନିୟୋଜିତ ଆମ୍ଭେ କୂର୍ମ ମାନେ ବାସ କରୁଛୁ। ତେଣୁ ଯଥାର୍ଥରେ ଇନ୍ଦ୍ରଦ୍ୟୁମ୍ନ ହିଁ ଏସବୁର ସ୍ରଷ୍ଠା। ହୁଏତ ସେହିଦିନଠାରୁ ଏହାର ନାମକରଣ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ହୋଇ ଥାଇପାରେ.!! ସେ ଯାହାବି ହେଉ କପିଳ ସଂହିତା କିନ୍ତୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ମାହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା କରି କହିଥାଏ :-
“ଇନ୍ଦ୍ରଦ୍ୟୁମ୍ନସରସ୍ତତ୍ର ଇଁଦ୍ରେଣ ସମ ପୂଜିତମ, ତମାସାଦ୍ୟ ନରୋବିପ୍ରl ଇଁଦ୍ରେଣ ସହ ମୋଦତେ. ତତ୍ରସ୍ଥଂ ନରସିଂହ ଚ ଶଙ୍କରଂ ନୀଳକନ୍ଦରଂ, ଦୃଷ୍ଟୱା ନତ୍ୱl ପୂଜୟିତ୍ୱା ଜ୍ୟୋତିର୍ଲୋକଂ ବ୍ରଜେନ୍ନରଃ ।” ଅର୍ଥାତ ଇନ୍ଦ୍ରଙ୍କ ସହ ସମାନ ମହିମା ଯୁକ୍ତ, ଏହି ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନ କଲେ ଇନ୍ଦ୍ରଲୋକ ପ୍ରାପ୍ତ ହୁଏ। ଏଠାରେ ସ୍ନାନ ସାରି ଏହାରି ତଟରେ ପୂଜିତ ନୃସିଂହ ଓ ନୀଳକଣ୍ଠଙ୍କୁ ଦର୍ଶନ କଲେ ମନ୍ୟୁଷ ଜ୍ୟୋତିର୍ଲୋକ ପ୍ରାପ୍ତ ହୁଅନ୍ତି। ଆଗକୁ ଆହୁରି ମହିମା ଜାଣିବା, ଏବେ ଆରାଧନା ଓ ଭାଗବତ ପଠନର ସମୟ ।
ହରି ଚରଣ କଲା ସାର
ତେଜିଲା ମାନ ଅହଂକାର ।
ନିର୍ମଳ ଚିତ୍ତ ମୋ ଚରଣେ
ବୁଲେ ଅବନୀ ପର୍ଯ୍ୟଟନେ ।
ମୋର ପଦାରବିନ୍ଦ ଧ୍ୟାନେ
କିଛି ନ ଜlଣେ ରାତ୍ର ଦିନେ ।
ଫିଟିଲା ଅଶେଷ ବନ୍ଧନ
ମୋହର ପାଦେ ହେଲା ଲୀନ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )