ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୯
” ଆମର ସାହିତ୍ୟ ଆକାଶ
ପ୍ରଥିତଯଶାଂକ ନିବାସ
ପ୍ରତ୍ୟେକେ ଉଜ୍ଜ୍ବଳ ତାରକା
ଜାଜ୍ବଲ୍ୟମାନ ଏକା ଏକା
ସ୍ବୀୟ ପ୍ରତିଭା ବଳେ ସର୍ବେ
ଧ୍ବଜୋତ୍ତୋଳନ କରି ଗର୍ବେ
ଭାଷାର ସଂଧିକ୍ଷଣ ବେଳେ
ସାହିତ୍ୟ ଲେଖି ବଂଚାଇଲେ
ଗୌରବଶାଳୀ ହେଲା ଭାଷା
ଚଳିଲା ବହୁ ପେଟପୋଷା
ପ୍ରତିଭାଧାରୀ ଭାଷାଭାଷୀ
ଭାଷଣ ଦେଇ ହେଲେ ଖୁସି
ଗ୍ରାମ ସହର ବୁଲି ବୁଲି
ଅର୍ପଣ କଲେ ଶ୍ରଦ୍ଧାଂଜଳି
ଶୁଭିଲା ଖାଲି କରତାଳି
ଉତ୍ସବମୟ ରାସ୍ତା, ଗଳି
ଏପରି ସାହିତ୍ୟ ସାଧକ
ଭାଷାର ଜୀବନ ରକ୍ଷକ
ହେଲେ ବି ଜନସାଧାରଣ
କଲେନି ଠିକ୍ ମୂଲ୍ୟାୟନ
ଅନ୍ୟତ୍ର ଜନ୍ମ ନେଇଥିଲେ
ଦୁର୍ଲଭ ସାଧନାର ବଳେ
ବିଶ୍ବବଂଦିତ ହୋଇଥାଂତେ
ଏଠାରେ ହେବ ତା କେମଂତେ ? ”
ନିର୍ଦିଷ୍ଟ ତିଥି ବାର ଗଣି
ଏପରି ବାଣୀ ଦେଇ ବୁଣି
ମୂଳ ଗ୍ରଂଥକୁ କଷ୍ଟକର
କରଂତି ସୁବାଗ୍ମୀ ପ୍ରବର
ଆଗ ପ୍ରଦୀପ ପ୍ରଜ୍ବଳନ
ଫଟୋରେ କୁସୁମ ଅର୍ପଣ
କରିଲେ ସ୍ବଭାଷୀ ସଂତାନ
ହୁଏ ସଭାର ଉଦ୍ଘାଟନ
ଏହା ହେଲାଣି ପ୍ରଥାଧୀନ
ସ୍ମୃତିସଭାରେ ଶ୍ରୋତୃଗଣ
କରଂତି ଆଗ୍ରହେ ଶ୍ରବଣ
ପୂର୍ବକଥିତ ବାକ୍ୟମାନ
ଅଳ୍ପ କେତେଟା ବିଶେଷଣ
‘ ମର୍ମସ୍ପର୍ଶୀ, ମର୍ଯାଦାପୂର୍ଣ
ମନଲୋଭା ଓ ଚମତ୍କାର ‘
ପଡ଼େ କାନରେ ବହୁବାର
ହୁଅଂତୁ ଯେ କେହି ଲେଖକ
ଏହି ପ୍ରକାରେ ତାଂକ ଟେକ
ରଖଂତି ସଭା ଆୟୋଜକ
ସଭିଏଁ ସ୍ବଭାଷା ରକ୍ଷକ
ସୁଖାଦ୍ୟ ପୁଡ଼ିଆ ବଂଟନ
କରଂତି ସ୍ବେଚ୍ଛାକର୍ମୀଗଣ
ଭୋଜନ ସହିତ ଶ୍ରବଣ
କରଂତି ଉପସ୍ଥିତ ଜନ
ବର୍ଷକେ ଆଠ ଦଶ ଥର
ହୁଏ ଏପରି କାରବାର
ବାଲ୍ୟକାଳରୁ ଶୁଣି, ଦେଖି
ମୁହିଁ ହୋଇଛିଁ ମୂକ ସାକ୍ଷୀ
Comments are closed.