ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପ୍ରତ୍ୟେକ ଭାଷାଭାଷୀ ବ୍ୟକ୍ତି
ଯୋଗାଂତି ସ୍ବଭାଷାକୁ ଶକ୍ତି
ଆବଶ୍ୟକତା ଅନୁସାରେ
ଭାଷା ବିବିଧ ରୂପ ଧରେ
ମଣିଷ ସ୍ବରୁଚି ସଂଭାଳି
କହେ ଓ ଲେଖେ ଭଳି ଭଳି
କେହି ନୁହଂତି କାହା ପରି
ସର୍ବେ ସମାନ ଅଧିକାରୀ
ନିଜ ରୁଚିରେ ଶବ୍ଦ ବାଛି
ମଣିଷ କହୁଛି, ଲେଖୁଛି
ତେଣୁ ଭାଷା ରହିଛି ବଂଚି
ସ୍ମୃତି ଓ ଅନୁଭୂତି ସଂଚି
ଯିଏ ଯାହା ଧାରଣା ଧରି
ହୋଇଲେ ଭାଷା ବ୍ୟବହାରୀ
ଭାବନା ପାଏ ଜୀବନ୍ୟାସ
ଘଟଇ ଭାଷାର ବିକାଶ
ଭାବର ନାହିଁ ନିଜ ରୂପ
ତେଣୁ ତ ତହିଁର ସ୍ବରୂପ
ଦେଖାଇଦେବା ପାଇଁ ଭାଷା
ଲିପିକୁ କରଇ ଭରସା
ସରଳ, ସଫା ହେଲେ ଲିପି
କାଳସୀମାକୁ ଯାଏ ଟପି
ଅଧିକ ସ୍ଥଳେ ପାରେ ବ୍ୟାପି
ନିଶ୍ଚିହ୍ନ ହୁଏନି କଦାପି
Comments are closed.