ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସଂସାରେ ଅଛୁଁ ଆମେ ରହି
ସ୍ବତଃ ଶରଣାପନ୍ନ ହୋଇ
ଇଚ୍ଛା ଅନିଚ୍ଛା ନିରପେକ୍ଷ
ପ୍ରୟାସ ସବୁ ନିରର୍ଥକ
ସୃଷ୍ଟିର ଅଂଶଟିଏ ହୋଇ
ସ୍ରଷ୍ଟାଂକୁ ମାଗୁଛୁଁ କିପାଇଁ ?
ଜୀବଧର୍ମ ହିଁ ସର୍ବୋତ୍ତମ
ଜୀବ ମାତ୍ରକେ କରେ କର୍ମ
ଏଡ଼େ ବୈଚିତ୍ର୍ୟମୟ ସୃଷ୍ଟି
ଥିଲେ ବି ଲୋଡ଼ୁଁ କୃପାବୃଷ୍ଟି
ତେଣୁ ତ ହେଉଁନୁ ସଂତୁଷ୍ଟ
ନିଜକୁ ନିଜେ କରୁଁ ନଷ୍ଟ
ବୁଝିଲେ ନିଜର ଦାୟିତ୍ବ
ରହିବ ସୃଷ୍ଟିର ମହତ୍ତ୍ବ
ବଡ଼ ସୃଷ୍ଟିର ସାନ ଅଂଶ
ହୋଇ ବଢ଼ାଉଁ ନିଜ ବଂଶ
ଭାଷାର ବିଶାଳ ସଂସାର
ତହିଁର ଅଂଶ ଅଧିକାର
କରିବା ସାମର୍ଥ୍ୟ କାହାର
ନାହିଁ ତ କିଆଁ ଏ ଚିତ୍କାର ?
ଯାହାର ଯେତିକି ଉଡ଼ାଣ
ତହିଁରୁ ବହୁ ବେଶି ଗୁଣ
କରିଲେ ସ୍ବେଚ୍ଛାରେ ବଖାଣ
ବଢ଼େନି ମର୍ଯାଦା, ସମ୍ମାନ
ଅତିଶୟୋକ୍ତି ଭରା ଭାଷା
ସଂଚାର କରେନାହିଁ ଆଶା
ବିଶ୍ବାସ, ଆସ୍ଥା କି ଭରସା
ତେଣୁ ତ ଭୋଗୁଛୁଁ ଏ ଦଶା
ବାସ୍ତବତାକୁ ଆଡ଼ କରି
କେହି ହୁଏନି ହିତକାରୀ
ପ୍ରକୃତ ସତ୍ୟ ସମ୍ମୁଖୀନ
ହେଲେ ହିଁ ସଂଭବ ଉତ୍ଥାନ
ଯାହା ବହୁତ୍ର ପ୍ରମାଣିତ
ନ ରହି ତାହାର ସହିତ
ଯିଏ ବି ଗଢ଼େ ଭିନେ ଗୋଠ
ସମସ୍ୟା କରେ ସେ ଉତ୍କଟ
Comments are closed.