ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭଜନ, କୀର୍ତନ ବା ସ୍ତବ
ନ ହୁଏ କେବି ବି ବାସ୍ତବ
କେବଳ ତୀବ୍ର ଜନରବ
ଧ୍ବନିତ ହେବା ହିଁ ସଂଭବ
କରୁଛୁଁ ଯାହାଂକୁ ଗୁହାରି
ସେ ସବୁ ଦାବି ଶୁଣି ସାରି
କରିବେ କିଛି ପ୍ରତିକାର
ଏ ଆସ୍ଥା ରହିଛି ଆମର
ଏଣୁ ତ ଲୋକଂକ ଅବସ୍ଥା
କଥା କରୁନୁ କେହି ଚିଂତା
ନିଜେ ନିଜର ସ୍ବାର୍ଥ ଜଗି
ହୋଇଛୁଁ ଈଶ୍ବରାନୁରାଗୀ
ଏପରି ଛଦ୍ମଭକ୍ତି ଧରି
କେହି ପାରୁନି କିଛି କରି
କେବଳ ପ୍ରଭୁଂକୁ ସୁମରି
ଶକ୍ତି, ସମୟ ଦେଉଁ ସାରି
ଭକ୍ତି ଓ ପ୍ରୀତିରେ ଛଳନା
ମିଶାଇ ହେଉଁ ଯଦି ବଣା
ଭାଷାରେ ଗାଉଁ ବହୁ ଗୀତ
ହୁଏନାହିଁ ତ କାହା ହିତ
କଥାରେ ନାହିଁ ନିର୍ଦିଷ୍ଟତା
ତେଣୁ ଆମର କଷ୍ଟ, ବ୍ୟଥା
କ୍ରମଶଃ ଯାଏ ସିନା ବଢ଼ି
ଅଭ୍ୟାସ ପାରୁନାହୁଁ ଛାଡ଼ି
ଯାହାର ଯେଉଁପରି ରୁଚି
ସେ ଯଦି ସେମିତି କରୁଛି
ଆମର ସମୂହ ସଂପୃକ୍ତି
ଦେଇପାରୁନି ଟିକେ ତୃପ୍ତି
ଭାଷାରେ ଦୁଇ ପକ୍ଷ ମୁଖ୍ୟ
ଲେଖକ ସହିତ ପାଠକ
ହେଉନାହାଂତି ଯେଣୁ ଯୋଡ଼ି
ଭାଷା ରହିଛି ତଳେ ପଡ଼ି
ଲେଖକେ ଯେତେ ଲେଖିଲେ ବି
ପାଠକ କହେନି ‘ ପଢ଼ିବି ‘
ବୁଝଂତୁ ଭାଷା ଅନୁରାଗୀ
କିଏ ବୋଲାଏ ଭାଷାତ୍ୟାଗୀ ?
Comments are closed.