ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସରଳ ପ୍ରଶ୍ନର ଉତ୍ତର
ଦେବାକୁ ନ ହୋଇ ତତ୍ପର
କରେ ଯେ ପ୍ରଶ୍ନ ବିଶ୍ଳେଷଣ
ସେ କରେ ଜ୍ଞାନ ପ୍ରଦର୍ଶନ
ସ୍ଥୂଳ ଓ ସୂକ୍ଷ୍ମର ପାର୍ଥକ୍ଯ
ବୁଝି ନ ପାରି ବହୁ ଲୋକ
କରଂତି ଦୀର୍ଘ ଆଲୋଚନା
ନିଷ୍କର୍ଷ ପଡ଼େନାହିଁ ଜଣା
ଏପରି ବିଶେଷଜ୍ଞ ସଭା
ଦିଶିଲେ ସୁଦ୍ଧା ମନଲୋଭା
ହୁଏ ସମୟ ମିଛେ କ୍ଷୟ
ମିଳେନି କୌଣସି ନିର୍ଣୟ
ମାଗଣା ଭ୍ରମଣ, ଭୋଜନ
କରି ଦେଶର ଜ୍ଞାନୀଗଣ
ବଢ଼ାଂତି ନିଜ ପରିଚୟ
ହୁଏନି କାହା ଜ୍ଞାନୋଦୟ
ଭାଷାର ଅପବ୍ୟବହାର
କରିବା ଅଭ୍ୟାସ ଯାହାର
ହୋଇଥାଏ ଭାଷଣଖୋର
ବୋଲାଏ ସୁବାଗ୍ମୀ ପ୍ରବର
ଜଣେ କହିଲେ ଦଳେ ଶୁଣି
କରଂତି ସ୍ବଭାଷାର ହାନି
ହୁଏନି ଭାବ ବିନିମୟ
ଘଟେ ଭାଷାର ଅବକ୍ଷୟ
ଏବେ ତ ବକ୍ତା ଓ ଲେଖକ
ହେଲେଣି ଏକମୁଖୀ ଲୋକ
ଜନତା ସହିତ ସଂପର୍କ
ନାହିଁ, ତେଣୁ ସେମାନେ ମୂକ
ସମସ୍ୟା ଥିଲେ ହେଁ ଅନେକ
ଆମର ବାଗ୍ମୀ ବେଧଡ଼କ
କହଂତି ସର୍ବଜଣା କଥା
ନ ଥାଏ ନୂଆ ଭାବ, ଚିଂତା
ଏପରି ଲୋକଂକର କଥା
ନ ଥିଲେ ସୁଦ୍ଧା ସାରବତ୍ତା
ଶୁଣଂତି ଆଗ୍ରହେ ଜନତା
ଏପରି ହେଲାଣି ଅବସ୍ଥା
Comments are closed.