Latest Odisha News

BREAKING NEWS

ଭାଷା ଭାଗବତ : ନିତ୍ୟ ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ

କେତେ ମୁଁ ଲେଖିଛିଁ ଗଣିନି
କାହିଁକି ଲେଖୁଛିଁ ଜାଣିନି
ଲିପି ରୂପରେ ଅବସ୍ଥାନ
କରେ ମୋ ଅନିତ୍ୟ ଜୀବନ

ଏହା ମୋ ଜିଇଁବାର ଢଂଗ
ଲେଖାରେ ଭାବନା ତରଂଗ
ସର୍ବଦା ଉଠେ ପୁଣି ପଡ଼େ
ଭାବ ସହିତ ଶବ୍ଦ ଯୋଡ଼େ

ଯଶ ବା ଧନ ଲାଭ ପାଇଁ
ଯେହେତୁ କିଛି ଲେଖେଁନାହିଁ
ଲେଖିଲେ ପାଏଁ ମୁଁ ସଂତୋଷ
ସମାଜେ କରେଁ ବସବାସ

ବୟସ ଯେଣୁ ଗୋଟେ ସଂଖ୍ୟା
କରେଁନି ତହିଁର ସମୀକ୍ଷା
ଶରୀର ହେଲେ ସୁଦ୍ଧା ବୃଦ୍ଧ
ମନ ହୁଏନି ଅବରୁଦ୍ଧ

ମନରେ ଚିଂତା ମାଳ ମାଳ
ହୁଅଂତି ଚଳ ଓ ପ୍ରଚଳ
ତହିଁରୁ ଅଳ୍ପ କିଛି ବାଛି
ଅକ୍ଷର କରି ମୁଁ ରଖୁଛିଁ

ମୁଁ ନିଜେ ନିଜର ପାଠକ
ମୁଁ ନିଜେ ମେଘ ଓ ଚାତକ
ହୋଇ ରହିଛିଁ ଏବେ ଜିଇଁ
ଗତ, ଆଗତ ଜଣା ନାହିଁ

ଯେଣୁ ମୁଁ ବର୍ତମାନାଶ୍ରିତ
ରହିଛିଁ ସକ୍ରିୟ, ଜାଗ୍ରତ
ବର୍ଜନ କରି କର୍ମକୁଂଠା
ଲେଖୁଛିଁ ପୃଷ୍ଠା ପରେ ପୃଷ୍ଠା

ନୁହେଁ ମୁଁ ଦ୍ରଷ୍ଟା କିଂବା ସ୍ରଷ୍ଟା
କରୁଛିଁ ଯଥାସାଧ୍ୟ ଚେଷ୍ଟା
ଲେଖୁଛିଁ ନିଜ ଅନୁଭୂତି
ରଖୁଛିଁ ଯତନେ ସାଇତି

ଏ କାର୍ଯ କେତେ ପ୍ରୟୋଜନ
ତାହା ବି ଜାଣେନି ମୋ ମନ
ତଥାପି କରୁଛିଁ ଲିଖନ
କିଛି ନା କିଛି ପ୍ରତି ଦିନ

Comments are closed.