ଡମ୍ବରୁଧର ବେହେରା
ଚୈତାଳି…..
ତୁମେ ଆସ ଫାଲଗୁନୀର
ଅବିର ଭରା ପଣତ କାନିର
ପଛେ ପଛେ
ଝଡ଼ା ପତ୍ରର ଲଣ୍ଡା ମୁଣ୍ଡରେ ଠେଙ୍ଗା
ପହାର କଲା ଭଳି
କାଣ୍ଡ,ମୂଳ,ଶାଖା ପ୍ରଶାଖାରେ
ଛପି ଛପି
ମୃଦୁ ମଳୟର
ହାୱାରେ
ଝାଞ୍ଜି ଖରାର
ମୁଲାୟମ ଦେହେ……!
ବୈଶାଖୀ….
ତୁମେ ଆସ
କାଳ ବୈଶାଖୀର
ରୁଦ୍ର ରୂପ ଆବରଣେ
ତପ୍ତ ମରୁର
ତୃଷ୍ନାରେ
ଶୁଷ୍କ ନଈ, ନାଳ,କେନାଲ
କିଆଁ,କେତକୀ,ବୁଦା ମୂଳରେ
ସ୍ୱେଦ ବାସ୍ନା ଦୁର୍ଗନ୍ଧ ଶରୀରେ… !
ବର୍ଷା….
ତୁମେ ଏଥର
ବିନା ନିମନ୍ତ୍ରଣରେ
ଅକାଳରେ
ଅଚାନକ ଆସିବା
ହୁଏତ ତୁମକୁ
ସୁଆଉ ଥିବ
ନିର୍ବାସନ ଦଣ୍ଡ ଭୋଗିବାକୁ
ଅଭିଶପ୍ତ ଅହଲ୍ୟା ଭଳି !
ଆଉ, ମୁଁ…
ଅପେକ୍ଷାର
ଅନ୍ତରାଳେ
ଉପେକ୍ଷିତ
ଉଗ୍ର ଉନ୍ମାଦ
ବନ୍ୟା,ବାତ୍ୟା,ସୁନାମିର
ବହୁରୂପୀ ଏଣ୍ଡୁଅ ସମ
ନିଜକୁ ବଦଳାଇବାକୁ
ଗନ୍ଧ ହିନ,ରଙ୍ଗ ହିନ
ପତ୍ର ହିନ ,ଫୁଲ ହିନ
ମଣିଷ ଗଛର
ପତ୍ର ଆଉ ଡାଳରେ …!
ଏକା ସାଥିରେ
ଏକା ପ୍ରକାରେ
ଏକା ଏକା
ଏକଲା ପଣରେ
ଚୈତାଳି ,ବୈଶାଖୀ,ବର୍ଷା ଆଉ ମୁଁ….!!
ନବୋଦୟ ବିଦ୍ୟାଳୟ
ସୁରଳ (ଗଞ୍ଜାମ)