ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ମନୁଷ୍ୟ ଭାଷାବଂତ ପ୍ରାଣୀ
ଏତିକି ପାରୁନାହିଁ ଜାଣି
ଜାଣିଲେ ପାରୁନାହିଁ ମାନି
ଏହା ତା ସଭ୍ୟତା କାହାଣୀ
ସୂକ୍ଷ୍ମ ଭାବନା କରି ଚିଂତା
କହିବା, ଲେଖିବା ଦକ୍ଷତା
କରିଛି କେବଠୁଁ ଅର୍ଜନ
ତେବେ ବି ସଦା ସଂଦିହାନ
ନିଜର ବ୍ୟକ୍ତିଗତ ଖୋଇ
ଭାଷାରେ ପ୍ରାୟ ଭରିଦେଇ
କରଇ ଯାହା ବି ପ୍ରକାଶ
ହୁଏ ଶବ୍ଦର ଅର୍ଥନାଶ
ଭାଷାକୁ କରି କଷ୍ଟକର
ଦେଖାଏ ପାଂଡିତ୍ୟ ତାହାର
ଘଟାଏ ସରଳତା ହାନି
ହୁଏତ ଜାଣି ବା ନ ଜାଣି
ଭାବଠୁଁ ଜ୍ଞାନ ହେଲେ ବଡ଼
ଭାଂଗେନି ମୂର୍ଖତା ପାହାଡ଼
ଭାବବିହୀନ ହେଲେ ଭାଷା
ହରାଏ ଲୋକଂକ ଭରସା
ଲୋକଂକ ସହ ଭାଷା ଯୋଡ଼ି
ସର୍ବେ ପାରିବା ଆଗେ ବଢ଼ି
କିଂତୁ ଜ୍ଞାନୀଂକ ଗର୍ବ ଭାବ
ଯୋଗୁଁ ହିଁ ପଡ଼ୁଛି ଦୁର୍ଯୋଗ
ଏହାର ପ୍ରତିକାର ପାଇଁ
କେହି ଚେଷ୍ଟା କରଂତିନାହିଁ
ତେଣୁ ଭାଷାର ଅବକ୍ଷୟ
ଦେଖିଲେ ମନେ ପଶେ ଭୟ
ଅଳଂକାର କିଂବା ଆୟୁଧ
କରେ ଭାଷାର ପଥରୋଧ
ଏହା ତ ସର୍ବଜଣା କଥା
ଦ୍ବିମତ କାହିଁକି ଅଯଥା ?
ଭାଷାର ପ୍ରଧାନ ଲକ୍ଷଣ
ଭାବ ଓ ଜ୍ଞାନ ପ୍ରସାରଣ
ହେଲେ, ହୁଅଇ ହିତକାରୀ
ସହଜେ ଯାଏନାହିଁ ସରି
ଭାଷାରେ ଜୀବନ ସଂଚାର
କରିବା ଦାୟିତ୍ବ ଆମର
ଆମେ ହିଁ କରି ସଂପାଦନ
ବଢ଼ାଉଁ ସ୍ବଭାଷାର ମାନ
Comments are closed.