Latest Odisha News

ଭାଷା ଭାଗବତ : ସହଜ, କଠିନ କାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ସହଜ କାମ ଶୀଘ୍ର କରି
ଯାଉଛୁଁ ଯଦି ଆମେ ହାରି
କଠିନ କାମ ବାଛି କରୁଁ
କାହାକୁ କେବେ ବି ନ ଡରୁଁ

କରିଲେ ଅଭିନବ ଚିଂତା
ବଦଳେ ଭାଷାର ଅବସ୍ଥା
ପାଠକେ ନବୀନତା ପ୍ରିୟ
ଗ୍ରହଣଶୀଳ ବୀତଭୟ

ଗତରେ ଗଡ଼ୁଥିଲେ ଗାଡ଼ି
ଧରାବଂଧା ପଥକୁ ଛାଡ଼ି
ଅମଡ଼ା ବାଟରେ ଯାଏନି
ସାମାନ୍ୟ ପ୍ରଗତି ହୁଏନି

ପୂର୍ବଲିଖିତ ବାକ୍ୟାବଳି
ପୁନଶ୍ଚ ଲେଖି ଗଲେଚଳି
ଭାଷାର ସର୍ଜନାତ୍ମକତା
ହରାଇଦିଏ ନିଜ ସତ୍ତା

ଭାଷାର ଗୋଟିଏ ପ୍ରକାର
ଦିଶିଲେ ନିତି ବାରଂବାର
ପଠନାଗ୍ରହୀ ବହୁ ଲୋକ
ହୁଅଂତି ପଠନ-ବିମୁଖ

ବିଷୟାଶ୍ରୟୀ ଲେଖା, କଥା
ଭାଷାରେ ଭରି ବିଭିନ୍ନତା
ପ୍ରକଟ କଲେ ଭାବ, ଜ୍ଞାନ
ଘଟଇ ଇଚ୍ଛିତ ଉତ୍‌ଥାନ

ଲେଖକଗଣ କର୍ମକୁଂଠ
ହୋଇ କରିଲେ ଭାଷା ନଷ୍ଟ
କେବେ ବି ଅନ୍ୟ ଜଣେ କେହି
ଅଯଥା ଦାୟୀ ହୁଏନାହିଁ

ତଥ୍ୟ-ପୂରିତ ଶୁଦ୍ଧ ଭାଷା
ସଂଚାର କରେ ନୂଆ ଆଶା
ପାଠକେ ହୋଇ ଉଲ୍ଲସିତ
ହୁଅଂତି ସାହିତ୍ୟ-ସଂପୃକ୍ତ

Comments are closed.