ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକଙ୍କ କଥା ଆଲୋଚନା କରିବା ସମୟରେ, ମନରେ ପ୍ରଶ୍ନ ଆସେ, ଦୈନିକ ସେବା ଓ ପର୍ବପର୍ବାଣୀର ସେବା ଛଡା କିଛି ବିଶେଷ ସେବା ତ ନିଶ୍ଚୟ ଥିବ। ତେବେ ସେଗୁଡିକ କଣ ଓ କିପରି ଆସନ୍ତୁ ଜାଣିବା ସେହିପରି ଏକ ସେବା “ବଣିଆ ସେବା “। ଏମାନେ ମଧ୍ଯ ଶାଢ଼ୀବନ୍ଧା ଶୁଦ୍ର ସେବକ, ଏହି ସେବା ମଧ୍ଯ ବଂଶାନୁକ୍ରମିକ ଭାବରେ କରିଥାନ୍ତି। ମୁଖ୍ୟତଃ ଅଣସର ସମୟରେ ଭଣ୍ଡାର ମେକାପଙ୍କ ଠାରୁ ସୋଲଚିତା ନେଇ ସେଥିରେ ସୁନା ଓ ରତ୍ନ ପଥର ଲଗାଇ ନୂତନ ଚିତା ନିର୍ମାଣ କରିଥାନ୍ତି। ଶ୍ରୀଗୁଣ୍ଡିଚା ଦିନ ଦିଅଁମାନେ ରଥମାନଙ୍କ ଉପରେ ବିଜେ ହେବା ପରେ ଘଣ୍ଟ, କାହାଳି ବଜାଇ ଛତ୍ର ଆଦି ସହିତ ବଣିଆ ସେବକ ନିଜେ ନୂଆ ବସ୍ତ୍ର ଧାରଣ କରି ନୂଆ ଚାଙ୍ଗୁଡ଼ିରେ ନୂତନ ବସ୍ତ୍ର ଚାଙ୍ଗୁଡ଼ିରେ ପକାଇ ତହିଁ ଉପରେ ସୁବର୍ଣ୍ଣ ଚିତା ରଖି ମହା ଆଡମ୍ବର ରେ ନେଇ ରଥ ଉପରେ ଦଇତା ସେବକଙ୍କୁ ଦେଇଥାନ୍ତି। ଉକ୍ତ ଚିତା ଶ୍ରୀଜୀଉମାନଙ୍କ ମସ୍ତକରେ ଦଇତା ସେବକ ମାନେ ସଠିକ ଭାବରେ ପିନ୍ଧାଇଥାନ୍ତି ।
ସେହିପରି ଜନ୍ମାଷ୍ଟମୀ ଦିନ ସୁନାର କୃଷ୍ଣମୂର୍ତ୍ତି, ରୁପାର ଶତଦଳ ପଦ୍ମ, ଗିନା, ଶାମୁକା, ଖୁର ଇତ୍ୟାଦି କରି ଦେଉଳକରଣଙ୍କ ଜିମାରେ ଦେଇଥାନ୍ତି ସୁନିଆ ଦିନ ସୁନାରେ ବାମନ ମୂର୍ତ୍ତି ନିର୍ମାଣ କରି ମନ୍ଦିରରେ ଦେଇଥାନ୍ତି, କୁମାର ପୂର୍ଣ୍ଣିମାରେ ବିଧି ପାଳନ ପାଇଁ (ଲଷ୍ମୀ ନାରାୟଣ ଜୁଆ ଖେଳ ନୀତି )ରୁପାର କଉଡ଼ି ତିଆରି କରି ମନ୍ଦିରରେ ପ୍ରଦାନ କରନ୍ତି। ଠିକ ବଣିଆ ଙ୍କ ଭଳି ସେବା ଯୋଗାଉ ଥିବା ଅନ୍ୟ ଏକ ସେବା ହେଲା ତାମରା ବିଶୋଇ ସେବା। ଏମାନେ ମଧ୍ଯ ଶାଢ଼ୀ ବନ୍ଧା ତଥା ବଂଶାନୁକ୍ରମିକ ସେବା ମୁଖ୍ୟତଃ ଏମାନେ ସୁବର୍ଣ୍ଣ ବଦଳରେ ତମ୍ବାରେ କାମ କରନ୍ତି ତେଣୁ ନାମକରଣ ହୋଇଛି ତାମରା ବିଶୋଇ ସେବକ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପଡୁଥିବା ତ୍ରୟୋଦଶୀ ଦିନ, ତଥା ରଥଯାତ୍ରା ଓ ବାହୁଡ଼ାଯାତ୍ରା ର ବିଧି ଅନୁସାରେ ତାମ୍ରପଟା ଇତ୍ୟାଦି ତିଆରି କରି, ବାହୁଟ ଓ ସେନାପଟାରେ ତାମ୍ର ଦିଅନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ମୁଖ୍ୟତଃ ରଥଯାତ୍ରାର ପ୍ରସ୍ତୁତି ରେ ନିୟୋଜିତ ସେବକଙ୍କ କଥା। ବର୍ତ୍ତମାନ ସମୟ ଆରାଧନା ଓ ନିୟମିତ ଭାଗବତ ପଠନର ।
ଉପାଧି ବର୍ଜିତ ଈଶ୍ୱର
ଫେନ ବିନାଶେ ଯେହ୍ନେ ନୀର ।
ସେ ହରି ସର୍ବଶକ୍ତି ଧରେ
ସୃଷ୍ଟି ଇଚ୍ଛଇ ଯେତେବେଳେ ।
ସୃଜଇ ମାୟା ଯୋଗ ବଳେ
ହେ ନୃପନାଥ ଶୁଣ ଭଲେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )