Latest Odisha News

BREAKING NEWS

ଭାଷା ଭାଗବତ : ପ୍ରକୃତି ବିଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ସମ୍ପର୍କ୍କିତ କି ସଂପର୍କିତ
ସମ୍ବର୍ଦ୍ଧିତ କି ସଂବର୍ଧିତ
ବାଛିଲେ ଦ୍ବିତୀୟ ପ୍ରକାର
ଲିପିର ଗତି ଦ୍ରୁତତର

ହେବାର ଅଛି ସଂଭାବନା
ତେବେ ବି ହେଉନାହିଁ ଘେନା
ମନରେ କେଉଁ ଦୁର୍ଭାବନା
ରଖି କରିଚାଲିଛୁଁ ମନା

ଯେ କେହି ଦେଲେ ବି ପ୍ରସ୍ତାବ
ଯଦି ତା ଉପକାରୀ ହେବ
ତାହାକୁ କରିଲେ ପ୍ରୟୋଗ
ଭାଷାରୁ ହଟିବ ଦୁର୍ଯୋଗ

ଅଭ୍ୟାସ ବଡ଼ କି କର୍ତବ୍ୟ
ତାହା କରିଲେ ଅନୁଭବ
ଭାଷାର ଉନ୍ନୟନ ପାଇଁ
ଅଭ୍ୟାସ ହେବ ଛାଡ଼ିଦେଇ

କନ୍ଦର୍ପ୍ପ ହେବ କି କଂଦର୍ପ
ଲେଖିବା ପାଇଁ ନାହିଁ ଚାପ
ଗନ୍ଧର୍ବ୍ବ ନୋହିଲେ ଗଂଧର୍ବ
ସନ୍ଦର୍ଭ୍ଭ ଅଥବା ସଂଦର୍ଭ

ଯାହା ଲେଖିଲେ ତାହା ହେବ
ଲୋକଂକୁ ସବୁଠି ଦିଶିବ
ସରଳ ବନାନ ଚଳାଇ
ଭାଷାକୁ ପାରିବା ବଢ଼ାଇ

ଅନ୍ତର୍ଦ୍ଦାହ କି ଅଂତର୍ଦାହ
ନିଜେ ବୁଝି ବୁଝାଇ କହ
ଗାମ୍ଭୀର୍ଯ୍ୟ ଅଥବା ଗାଂଭୀର୍ଯ
କେଉଁଟି କରିବା ସ୍ବୀକାର୍ଯ

ଅଯଥା ହୋଇ ତର୍କଶୀଳ
ସାରିଲେ ମୂଲ୍ୟବାନ୍‌ ବେଳ
ମିଳିବନାହିଁ ସମାଧାନ
ଏହା ହିଁ ପ୍ରକୃତି ବିଧାନ

ଅର୍ଦ୍ଧାଙ୍ଗିନୀ ଓ ଅର୍ଧାଂଗିନୀ
ଉଭୟ ସମାର୍ଥକ ଜାଣି
କରିଲେ ସରଳ ଲିଖନ
ଭାଷା ହୋଇବ ବର୍ଧମାନ

ଅନ୍ତର୍ଦ୍ଦୃଷ୍ଟି କି ଅଂତର୍ଦୃଷ୍ଟି
ସମାର୍ଥକ ତ ଏ ଦୁଇଟି
ବୁଝିବା ସୁଦୃଶ୍ୟ କେଉଁଟି
ତାହା ହିଁ ରଖିବା ସାଉଁଟି

Comments are closed.