ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଚେଇଁଥିବା ବେଳେ କର୍ମଠ
ହେଲେ ଶୋଇବା ବେଳେ କଷ୍ଟ
ହେବାର ନାହିଁ ସଂଭାବନା
ଏହା ତ ଅନେକଂକୁ ଜଣା
ଦେହକୁ କରିଲେ ହାଲିଆ
ମନରେ ପଶେନି ଅଳିଆ
କେବଳ କର୍ମକୁଂଠ ଲୋକ
ଭୋଗଂତି ନିଜଗଢ଼ା ଦୁଃଖ
ମନରେ ସୁଖ ଉତ୍ପାଦନ
କରିଲେ ଆନଂଦେ ଜୀବନ
ଯାପନ ହୁଏ ପ୍ରୀତିପ୍ରଦ
ଉଭେଇଯାଏ ଦ୍ବିଧା, ଦ୍ବଂଦ୍ବ
ରଖିଲେ ଅଲୋଡ଼ା ସଂପର୍କ
କରିଲେ ବାରଂବାର ତର୍କ
ବଳ, ସଂବଳ ହୁଏ କ୍ଷୟ
ବଦଳେ ମନେ ପଶେ ଭୟ
ଯୁକ୍ତିରେ ଯାଏ ଯିଏ ଜିଣି
ଗଣିପାରେନି ନିଜ ହାନି
କିପରି କଥା ଯୋଗୁଁ ହୁଏ
ଅଯଥା ମନସ୍ତାପ ପାଏ
ଏଠି ଅନେକ ବାକ୍ୟବୀର
ପ୍ରସଂଗ ନ କରି ବିଚାର
ସ୍ବମତ କରଂତି ପ୍ରଚାର
ନ ଥାଏ କୃତିତ୍ୱ ତାଂକର
ସ୍ବାନୁଭୂତିରୁ ସବୁ ଶିଖି
ଯେ ରହେ ସତରେ ଏକାକୀ
ତାହାର ଅଟଳ ବିଶ୍ବାସ
ହୁଏନି ଧ୍ବସ୍ତ ଅବା ଶେଷ
ନିଜ ଉପରେ ରଖି ଆସ୍ଥା
ଗୋଷ୍ଠୀରେ ପାଳି ନିରବତା
ଯେ କରିଚାଲେ ନିଜ କାର୍ଯ
ଅବଶ୍ୟ ହୁଅଇ ସ୍ବୀକାର୍ଯ
ବ୍ୟକ୍ତିଟେ ହେଲେ ହେଁ ଆରାଧ୍ୟ
କୃତି ନ ଥିଲେ, ସିଏ ମଧ୍ୟ
ନିଶ୍ଚୟ ହୁଅଇ ନିଶ୍ଚିହ୍ନ
କୃତିତ୍ୱ ବିକଳ୍ପବିହୀନ
Comments are closed.