Latest Odisha News

ଅନୁବାଦ କବିତା : ଏହାଠାରୁ ଅଧିକ

ସୈୟଦ ଶାମସୁଲ୍ ହକ୍ ( ଜନ୍ମ ୨୩- ୧୨-୧୯୩୫ ) ଆଧୁନିକ ବାଂଲାଦେଶୀ ସାହିତ୍ୟ ଜଗତର ଏକ ପ୍ରଖ୍ଯାତ ଲେଖକ। କବିତା ଗଳ୍ପ , ଉପନ୍ୟାସ, କାବ୍ୟ ନାଟ୍ୟ ଓ ପ୍ରବନ୍ଧମାନଙ୍କୁ ନେଇ ପ୍ରାୟ ଦୁଇ ଶହ ପୁସ୍ତକର ସ୍ରଷ୍ଟା। କବିତା ପାଇଁ ଆଦମଜୀ ସାହିତ୍ୟ ପୁରସ୍କାର, କ୍ଷୁଦ୍ରଗଳ୍ପ ପାଇଁ ଅନେକ ସ୍ଵର୍ଣ୍ଣ ପଦକ ତଥା ପୁରସ୍କାରରେ ସମ୍ମାନିତ।

ମୂଳ ବାଂଲା : ସୈୟଦ ଶାମସୁଲ୍ ହକ୍

ଏହାଠାରୁ ବି ଅଧିକ
ଖରାପ ହୋଇ ପାରିଥାନ୍ତା
ମୋର ସମୟ,
ମୋ କବିତା ବି ହୋଇ ପାରିଥାନ୍ତା
ଏହାଠାରୁ ହେୟ।
ଗ୍ରେନେଡ ଦ୍ୱାରା ଛିନ୍ନଛତ୍ର ଓ ରକ୍ତାକ୍ତ
ହୋଇପାରିଥାନ୍ତା
ମୋର ଭାଷା
ବିସ୍ଫୋରଣରେ ଉଡ଼ିଯାଇ ପାରିଥାନ୍ତା
ଶବ୍ଦମାନ ସଙ୍କଳିତ ଥିବା
ମୋର କବିତାର ଖାତା
ବାରୁଦର ତୀବ୍ର ଗନ୍ଧରେ
ଗୋଲାପ ମୃତ ହୋଇ ପାରିଥାନ୍ତା
ଦିନକୁ ଧର୍ଷଣ କରୁଛି ରାତି
ଏହାଠାରୁ ଅଧିକ ଧର୍ଷିତ
ହୋଇ ପାରିଥାନ୍ତା
ଆମର ଆଦାନ ପ୍ରଦାନର ବାର୍ତ୍ତା।

କିନ୍ତୁ ଭାଷା ଏବେବି
ଭାଷା ଭିତରେ ଅଛି
ଆଉ ଗୋଲାପ ବି ଅଛି ଗୋଲାପରେ
ଏବଂ କବିତା କଲମ ମୂନରେ ।

ମାଟି କେବେ ବି ପାଦତଳୁ
ଯାଏନା ଅପସରି
ଭାଷା ଚାଲିଯାଏନା ଜିଭକୁ ଛାଡ଼ି
ଫୁଲରୁ ପଲାଇ ଯାଏନା ସୁବାସ
ଇତିହାସରୁ ଲିଭିଯାଏନା
ବିଜୟର ଉଲ୍ଲାସ।

ବରଂ ଏଇ ବାରୁଦ ଗନ୍ଧ ଯୋଗୁଁ
ଗୋଲାପକୁ
ମନେ ପଡ଼ୁଛି ଅତିଶୟ
ଏଇ ବିସ୍ଫୋରଣ ପାଇଁ
ମୋର ଶବ୍ଦ ସମୂହର
ଆମ ଭାଷାର ବାକ୍ଯ ସମ୍ଭାରରେ
ପାଲଟୁଛି ଅତୁଟ ଓ ଅକ୍ଷୟ
କବିତା ପାଇଁ ଏହାଠାରୁ ଅଧିକ
ଭଲ ସମୟ କାହାକୁ କହିବା?
ଏହାଠାରୁ ଭଲ ବେଳା
ପାଇବକି ଗୋଲାପ ହୃଦୟର
ରକ୍ତିମ ପ୍ରତିଭା?

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.