ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଯିଏ ନିଜକୁ ଯାହା ଭାବୁଁ
ତାହା ଯେହେତୁ ନୁହେ ସବୁ
ଯେ ଯାହା ପାରିଅଛୁଁ ହୋଇ
ତାହା ବି ଯଥେଷ୍ଟ ନୁହଇ
ବ୍ୟକ୍ତିର ସବୁ ସଂଭାବନା
ବ୍ୟକ୍ତ କରିବା କଳା ଜଣା
ନ ଥାଏ, ତେଣୁ ଅସଂପୂର୍ଣ
ସଂସାରେ ମଣିଷ ଜୀବନ
ନିଜେ ହିଁ ନିଜର ଆଦର୍ଶ
ହୋଇ ଚଳିଲେ କେତେ ବର୍ଷ
ସାଧନା ହୁଅଇ ଅଭ୍ୟାସ
ତହିଁରୁ ବ୍ୟକ୍ତିତ୍ୱ ବିକାଶ
ଘଟିବା ସର୍ବଦା ସଂଭବ
ଯେ ଏହା କରି ଅନୁଭବ
ଚଳଇ ସେହି ଅନୁସାରେ
ଡରାଏନାହିଁ କିଂବା ଡରେ
ନିଜର ଅନନ୍ୟ ବ୍ୟକ୍ତିତ୍ବ
ବର୍ଧନ କଲେ ବିଶ୍ବହିତ
ହେବାର ମୂଳ ପରଂପରା
ଏବେ ହୋଇଛି ଦିଶାହରା
ହେଲେ ହେଁ ଅମୃତ ସଂତାନ
ଏବେ ବିଶ୍ବବାସୀଂକ ମନ
ହେବାରୁ ସୀମିତ, ସଂକୀର୍ଣ
ସ୍ଥଗିତ ନବଜାଗରଣ
ସମୂହ ହୋଇ ବହୁ ଭାଗ
ସ୍ବାଗତ କରିଲେ ଦୁର୍ଭାଗ୍ୟ
ସଂଭବ ନୁହେ ପ୍ରତିକାର
ତେବେ ବି କରୁନୁ ସ୍ବୀକାର
ସ୍ବେଚ୍ଛାଚାର ଓ ସ୍ବାଧୀନତା
ନ ହେଲେ ସୁଦ୍ଧା ଏକା କଥା
ସ୍ବତଂତ୍ରତାକୁ କରି ଆଳ
କେହି ପାଇନି ଶୁଭଫଳ
Comments are closed.