ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅତିଲେଖକ କେତେ ଜଣ
କରିଲେ ଲେଖା ଉତ୍ପାଦନ
ଲିଖନ କାର୍ଯ ହୁଏ ଶିଳ୍ପ
ପ୍ରଭାବ ପଡ଼ିଥାଏ ଅଳ୍ପ
ଯାହା ପଢ଼ିଲେ ଭାବାଂତର
ମନରେ ହୁଏନି କାହାର
ସେପରି ଲିଖନ ଉଦ୍ୟୋଗୀ
ହୋଇ ନ ପାରେ ଉପଯୋଗୀ
ଜ୍ଞାନକୁ କଲେ ସୂତ୍ରାୟିତ
ଭାବକୁ କଲେ ନିୟଂତ୍ରିତ
ଭାଷା ବି ହୁଏ ସୁସଂହତ
ଶବ୍ଦାବଳି ସୁପରିଚିତ
ପାଠକ ନ ପଡ଼ିଲେ ଝୁଂଟି
ହୁଏ ନିଶ୍ଚୟ ବହୁପାଠୀ
ଲୋଡ଼ା ପଡ଼େନି ଅଭିଧାନ
ଆପେ ବଢ଼େ ଲେଖାର ମାନ
ଦେଖାଇ ପରୋକ୍ଷ ପାଂଡିତ୍ୟ
ଲେଖାକୁ କଲେ ବିମଂଡିତ
ଗୌରବ ବଢ଼େ ଲେଖକର
ଲୋକେ କହଂତି ‘ ଚମତ୍କାର ‘
ଏହି ତୁଚ୍ଛ ମଂତବ୍ୟ ପାଇଁ
ଦୁର୍ବୋଧ୍ୟ ଶବ୍ଦଂକୁ ପୂରାଇ
ଯେ ଲେଖେ ପୃଷ୍ଠା ପରେ ପୃଷ୍ଠା
ସଂଦେହାବୃତ ତା’ର ନିଷ୍ଠା
ଲେଖକେ ହେଲେ ଯଶ-ରଂକା
ମନରେ ରହିଥାଏ ଶଂକା
ଭାଷା ନ ହେଲେ ଅଳଂକୃତ
ତତ୍କାଳ ହୋଇବେ ବିସ୍ମୃତ
ଭାଷା ହୋଇଲେ ଅବାସ୍ତବ
ତହିଁରେ ଲୁଚିରହେ ଭାବ
ଦିଶେନି ନିତ୍ୟ ଅନୁଭବ
ତେଣୁ ତ ପଡ଼େନି ପ୍ରଭାବ
ଚଳିତ କାଳକୁ ଉପେକ୍ଷା
କରି ଯାହା ବି ହୁଏ ଲେଖା
ତହିଁର ଉପାଦେୟ ଗୁଣ
କରି ହୁଏନି ନିର୍ଧାରଣ
Comments are closed.