Latest Odisha News

BREAKING NEWS

ବିଶେଷଣ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ବିଶେଷ୍ୟ ପଦକୁ ଯିଏ ବିଶେଷିତ ବା ଗୁଣାନ୍ୱିତ କରେ, ତାହାକୁ ବିଶେଷଣ କୁହାଯାଏ । ବିଶେଷ୍ୟର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ଆଦି ବିଶେଷ୍ୟ ପଦର ନିର୍ଦ୍ଦେଶକ ପଦ ଅର୍ଥରେ ବିଶେଷଣ ପଦର ବ୍ୟବହାର ହୋଇଥାଏ । ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ରେ କୁହାଯାଇଛି- “ବିଶେଷ୍ୟର ଗୁଣ ବା ଅବସ୍ଥା ଏବଂ ବିଶେଷଣ ତିନିପ୍ରକାର । ଯଥା: କ) ବିଶେଷ୍ୟର ବିଶେଷଣ-ମିଷ୍ଟଫଳ, ଖ)
ବିଶେଷଣ ବିଶେଷଣ- ପରମ ଧାର୍ମିକ, ଗ) କ୍ରିୟାର ବିଶେଷଣ- ଶୀଘ୍ର ଯାଉଅଛି” (ପଞ୍ଚମଖଣ୍ଡ, ପୃ-୫୭୪୬) ଆମେ କହିପାରିବା ଯେ, ବିଶେଷଣ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା, ବା ପରିମାଣକୁ ପ୍ରକାଶ କରିଥାଏ । ପିତା, ମିଠା, ସୁନ୍ଦର, ଶାନ୍ତଶିଷ୍ଟ, ସାଧୁ, ଦୁଷ୍ଟ, ନୂଆ, ପୁରୁଣା, ଉଜ୍ଜ୍ୱଳ, ଉତ୍ତପ୍ତ, ବଡ଼, ଭଲ, ଖରାପ, ଭଙ୍ଗା ବହୁତ ଆଦି ବିଶେଷଣର ଉଦାହରଣ । ବିଶେଷ୍ୟ ବା ସର୍ବନାମପଦର ଗୁଣ, ଅବସ୍ଥା, ଭାବ ଆଦିର ନିର୍ଦ୍ଦେଶକ ପଦ ଅର୍ଥରେ ବିଶେଷଣ ପଦର ବ୍ୟବହାର ହୋଇଥାଏ । ଆମେ କହିପାରିବା ଯେ, ଯେଉଁପଦ ଅନ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା,
ପରିମାଣ ଆଦିର ପ୍ରକାଶ କରିଥାଏ ତାହା ବିଶେଷଣ । ବିଶେଷଣ କହିଲେ ବୁଝାଯାଏ, ପଦର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ବା ନିର୍ଦ୍ଦିଷ୍ଟତାର ପ୍ରକାଶ । ଆଉଟିକେ ବୁଝାଇ କହିଲେ କୁହାଯାଇପାରେ, ଯେଉଁ ପଦ ଅନ୍ୟପଦର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ଓ କୌଣସି ନିର୍ଦ୍ଦିଷ୍ଟତା ପ୍ରକାଶ କରେ ସେହି ପଦକୁ ବିଶେଷଣ କୁହାଯାଇଥାଏ । ଏହା ସାଧାରଣତଃ ଦୁଇପ୍ରକାରର – ନାମ ବିଶେଷଣ ଓ ଭାବ ବିଶେଷଣ ।

ନାମ ବିଶେଷଣ- ବିଶେଷ୍ୟ ଓ ସର୍ବନାମପଦକୁ ବିଶେଷିତ କରୁଥିବା ବିଶେଷଣ ପଦକୁ ଆମେ ନାମ ବିଶେଷଣ କହିଥାଉ । ଏହା ବିଶେଷ୍ୟର ବିଶେଷଣ, ସର୍ବନାମର ବିଶେଷଣ, ସଂଖ୍ୟାବାଚକ ବିଶେଷଣ ଓ ପୂରଣବାଚକ ବିଶେଷଣ ଏହିପରି କ୍ରମରେ ବୁଝାଯାଇପାରେ ।

ବିଶେଷ୍ୟର ବିଶେଷଣ –

ବୀର ଗଜପତି
ଚତୁରୀ କିଶୋରୀ
ଲୋହିତ ହ୍ରଦ
ସୁନ୍ଦର ପୁଅ
ବୁଦ୍ଧିମାନ ଛାତ୍ର
ସର୍ବନାମର ବିଶେଷଣ – ସେ ସରଳ ।
ତୁ ଦୁଷ୍ଟ ।
ଆପଣ ସଚ୍ଚୋଟ ।
ଆମେ ଧର୍ମଭୀରୁ ।
ସେମାନେ ଗାନ୍ଧିବାଦୀ ।

ସଂଖ୍ୟାବାଚକ ବିଶେଷଣ :

ଶ୍ରୀମନ୍ଦିରରେ ବାଇଶି ପାହାଚ ।
ବାରମାସରେ ତେର ଯାତ୍ରା ।
ଶ୍ରୀକ୍ଷେତ୍ରର ଅଠରନଳା ପ୍ରସିଦ୍ଧ ।

ପୂରଣବାଚକ ବିଶେଷଣ :

ପ୍ରାପ୍ତି ତୃତୀୟଶ୍ରେଣୀରେ ପଢ଼େ ।
ପଙ୍କଜ ପଞ୍ଚମଥର ପାଲା ଦେଖିଲା ।
ଭାଗବତର ଦଶମ ସ୍କନ୍ଦଟି ତତ୍ତ୍ୱପୂର୍ଣ୍ଣ ।

ଗୁଣବାଚକ ବିଶେଷଣ :

ସତ୍ୟବାଦୀ, ଭୋକିଲା, ଜନପ୍ରିୟ, ବିକାଶଶୀଳ, ଦୟାଳୁ, ମଧୁର, ଉଚ୍ଚ, ଅବୋଧ, ନିରୀହ, ଜ୍ଞାନୀ, ନମ୍ର, ବ୍ୟସ୍ତ, ଶୀତଳ, ଉତ୍ତପ୍ତ, ରାଗୀ, ଭଲ, ଖଟା, ମିଠା, ପିତା, ନିର୍ମଳ, ଉଜ୍ଜ୍ୱଳ ।

ଜ୍ଞାନୀ ବ୍ୟକ୍ତିମାନେ ନମ୍ରତା ପ୍ରଦର୍ଶନ କରନ୍ତି ।

ଅବସ୍ଥାବାଚକ ବିଶେଷଣ :

ଲୁଣିଆ, ଭଙ୍ଗା, କୋହଲା, ମେଘୁଆ, ଓଦା, ପାଣିଆ, ତଟକା, ପାଚିଲା, କାଦୁଆ, ସଜ, ଖାଲୁଆ, ଚିରା, ନୂଆ, ଛିଣ୍ଡା, ଗରମ, ହିଂସ୍ର, ବୃଦ୍ଧ, ଦଦରା ।

ଦଦରା ନାଆରେ ନଈ ପାରହେବା କଠିନ ।

ସଂଖ୍ୟାବାଚକ ବିଶେଷଣ:

ଅସଂଖ୍ୟ, ଅଗଣିତ, ଶହେ, ହଜାରେ, ଚାଳିଶ, ଶତ, ପଚାଶ, ପାଞ୍ଚ, ସହସ୍ର, ଗୋଟିଏ ।

ଗୋଟିଏ ଲକ୍ଷ୍ୟରେ ସାଧନା କଲେ ସଫଳତା ମିଳେ ।

ପରିମାଣବାଚକ ବିଶେଷଣ:

ଅଳପ, ଅମାପ, ବହୁତ, କମ୍‌, ବେଶି, ଟୋପାଏ, ବସ୍ତାଏ, ସାମାନ୍ୟ, ଢୋକେ, ପ୍ରଚୁର, ପୋଷେ, ଆଞ୍ଜୁଳାଏ, ଗୁଡ଼ାଏ, ଟିକେ, ଅସରାଏ, ଲିଟରେ ।

ଲିଟରେ କ୍ଷୀରର ଦର ଚଉରାଳିଶ ଟଙ୍କା ।

ପୂରଣବାଚକ ବିଶେଷଣ:

ପଞ୍ଚମ, ତୃତୀୟ, ଷଷ୍ଠ, ଅଷ୍ଟମ, ଦଶମ, ପ୍ରଥମ, ଏକାଦଶ । ସେ ପ୍ରଥମ ଶ୍ରେଶୀରେ ଉତ୍ତୀର୍ଣ୍ଣ ହେଲା ।

କ୍ରିୟା ବିଶେଷଣ:

ଚଞ୍ଚଳ, ସଅଳ, ମନ୍ଦମନ୍ଦ, ମିଞ୍ଜିମିଞ୍ଜି, ହୁତୁହୁତୁ, ଘୁଘୁ, ଶୋଇଲା, ଚାଲିଲା । ଶୋଇଲା ପୁଅର ଭାଗନାହିଁ ।

କ୍ରମଶଃ

Leave A Reply

Your email address will not be published.