ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଯାହା ମୋ ତୁଂଡର ବଚନ
ତାହା ହିଁ ଅଟେ ସୁଶାସନ
ମାନୁଛ ଅଥବା ନ ମାନ
ଭିନ୍ନ ଦଳର ନେତାଗଣ
ଜନତା କଲା ମୋତେ ନେତା
ଶୁଣି ମାନୁଛି ମୋର କଥା
ସ୍ବଦେଶ କରୁଛି ଉନ୍ନତି
ସଭିଏଁ ସ୍ପଷ୍ଟ ଦେଖୁଛଂତି
ବିରୋଧ ନିମଂତେ ବିରୋଧ
କରିଲେ ଯୁବକ ଓ ବୃଦ୍ଧ
ଏ ଦେଶ ହେବ କି ସମୃଦ୍ଧ?
ଉତ୍ତର ଦିଅଂତୁ ଅବୋଧ
ଅତି କଳହପରାୟଣ
ଲୋକଂକ କଥା କିଆଁ ଶୁଣ
ଶୁଣୁଛ ବେଳ କରି ନଷ୍ଟ
ଅଯଥା ହୁଅ ଲକ୍ଷ୍ୟଭ୍ରଷ୍ଟ
ସ୍ବଭାବେ ଯିଏ ଶାଂତ, ଶିଷ୍ଟ
ତା ମନେ ଉପୁଜାଇ କଷ୍ଟ
କରୁଛ ଉତ୍କଟ ଚିତ୍କାର
ଅଶାଂତି କରୁଛ ସଂଚାର
ଲୋକେ କରିଲେ ନିର୍ବାଚିତ
ତେଣୁ ମୁଁ ହେଲି ସେବାରତ
କରିନାହିଁ ମୁଁ କେବେ କ୍ଷତି
ଉତ୍ତ୍ୟକ୍ତ କିଆଁ ତୁମ ମତି ?
ମୁଁ ଏଠୁ ଯାଏଁ ଯଦି ହଟି
କିଏ କରିବ ମୋ ପାଇଟି
କରିପାରୁନ ଥରେ ଚିଂତା
ତେଣୁ କି ଏତେ ଅସ୍ଥିରତା ?
ଅଛି କି ଆମର ବିକଳ୍ପ ?
ନ କହି ଶୁଣାଇଲେ ଗଳ୍ପ
କେ କିଆଁ କରିବ ବିଶ୍ବାସ ?
ଲୋକେ କରିବେ ଉପହାସ
ଯେତେ ସ୍ବଦେଶୀ ନାଗରିକ
ସହିତ ବିଦେଶର ଲୋକ
କରଂତି ଯାହା କୀର୍ତି ଗାନ
ସିଏ ସତରେ ଅସାମାନ୍ୟ
ଛିନ୍ନମୂଳ ବିରୋଧୀ ଜନ
କରଂତି ଦୁର୍ଗୁଣ ବଖାଣ
ଅଥଚ କୌଣସି ପ୍ରମାଣ
ନ ଦେଇ ରହଂତି ମଉନ
ଏହା ଲୋକ-ନେତାଂକ ବାଣୀ
ଏଣୁ ତେଣୁ ପ୍ରତ୍ୟହ ଶୁଣି
ଲୋକେ ତ କରଂତି ବିଶ୍ବାସ
ଘଟାଂତି ବ୍ୟକ୍ତି ସତ୍ତା ନାଶ
ବ୍ୟକ୍ତି-ପ୍ରଧାନ ଯେତେ ଦଳ
ନ ମାନି ନୀତି ଓ କୌଶଳ
କରଂତି ବୃଥା କୋଳାହଳ
ମିଳେନି କେବେ କିଛି ଫଳ
Comments are closed.