ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୬
ସ୍ବଭାଷା କହି ଶିଖି ଶିଶୁ
ବିଦ୍ୟାଳୟରେ ପଶୁ ପଶୁ
ଶୁଣେ ଓ ଲେଖେ ଭିନ୍ନ ଭାଷା
ଏହା ହିଁ ଅସଲ ଦୁର୍ଦଶା
ପରିବାରରୁ ଶିଖା ଭାଷା
କହିଲେ ହୁଏ ଲୋକହସା
ତହିଁରୁ ତୁଟିଲେ ଭରସା
ଉଭେଇଯାଏ ସବୁ ଆଶା
ଅହିତକର ପରଂପରା
ଚଳୁଛି ଏବେ ଦେଶ ସାରା
ମୂଳ ଭାଷାକୁ ଅନାଦର
କରି ଚଳୁଛି କାରବାର
ଶିଶୁଟେ ଯାହା ଥାଏ ଜାଣି
ତାହାକୁ ସଦା ତୁଚ୍ଛ ମଣି
ଶିକ୍ଷକ ଦେଲେ ଅପମାନ
ଶିଶୁର ମନ ହୁଏ କ୍ଷୁଣ୍ଣ
ବିଦ୍ୟାଳୟ ଯେ ଯାଏନାହିଁ
ସେ ମଧ୍ୟ ଜାଣେ କଥା କହି
ଚିହ୍ନି ନ ଥିଲେ ହେଁ ଅକ୍ଷର
କଥା ତାହାର ପରିଷ୍କାର
ଲିପିର ଲିଖନ କୌଶଳ
ବତାଇ ଦେଲେ ହିଁ କେବଳ
ଶିଶୁ ଲେଖଂତା ଯାହା ଜଣା
ହୁଅଂତା ନାହିଁ ଆନମନା
କିଂତୁ ଆମ ଶିକ୍ଷକଗଣ
ଘୋଷାଂତି ତାକୁ ସବୁ ବର୍ଣ
ଯାହା କାମରେ ଲାଗେନାହିଁ
ତାହା ବି ଦିଅଂତି ଲେଖାଇ
ଏ ନିରର୍ଥକ ଶିକ୍ଷା ଧାରା
ବୋଲାଏ ଆମ ପରଂପରା
ଘୋଷିବା ପ୍ରଥା ଥାଏ ଚଳି
ଭାଷାଟି ବଢ଼ିବ କିଭଳି ?
ଯେଉଁ ଶବ୍ଦର ବ୍ୟବହାର
କଥା କି ଲେଖାରେ କାହାର
ହୁଏନି କେବେ ବି ସଂଭବ
ବୋଲାଏ ଭାଷାର ବିଭବ
ଅଜଣା ଶବ୍ଦର ଲିଖନ
ଅଭ୍ୟାସ କରି ଶିଶୁଗଣ
ପ୍ରାୟତଃ ହୁଅଂତି ବିରକ୍ତ
ମୂଳଦୁଆ ହୁଏନି ଶକ୍ତ
ଟିକିଏ ବଡ଼ ହେବା ପରେ
ଯୁବକ ନିଜ ବାଟ ଧରେ
ହୁଏ ସେ ବିଶ୍ବ ପାଇଁ ଯୋଗ୍ୟ
ଅର୍ଜନ କରେ ତା ସୌଭାଗ୍ୟ
ମୂଳଭାଷାକୁ ଦେଇ ଛାଡ଼ି
ସମର୍ଥ ଭାଷା ସହ ଯୋଡ଼ି
ହୋଇ ଦେଖାଏ ତା ପ୍ରତିଭା
ତାହା ତ ସତେ ମନଲୋଭା
Comments are closed.