ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ପରଂପରା ହେଲାଣି ଲୁପ୍ତ
ତାହା ହେବା ପୁନର୍ଜୀବିତ
ନୁହେ ସହଜସାଧ୍ୟ କାର୍ଯ
ଅଥବା ନୁହେ ଅନିବାର୍ଯ
ଯାହା ହୋଇଗଲାଣି ମୃତ
ତାହା ହେଲାଣି ସ୍ମୃତିଗତ
ସେହି ରୂପରେ ତାହା ଥାଉ
ଅତୀତ ତୃପ୍ତିଦାୟୀ ହେଉ
ଇତିହାସରେ କରି ବାସ
ଯେ ପାଏ ଅଦ୍ଭୁତ ସଂତୋଷ
ତାହାର ମନୋବୃତ୍ତି ସ୍ଥିର
ହୁଏନି କେବେ ଅଗ୍ରସର
ବ୍ୟକ୍ତି ହୋଇ ଅତୀତାସକ୍ତ
ପ୍ରାଚୀନତାର ବଡ଼ ଭକ୍ତ
ନିଜେ ହିଁ ପାଏ ସର୍ବସୁଖ
ପରିଜନଂକୁ ଦିଏ ଦୁଃଖ
ଏପରି ଲୋକଂକ ସହିତ
ହେଲେ ହେଁ କେହି ଏକମତ
ତାଂକ ଆଚାର, ବ୍ୟବହାର
ହୁଅଇ ଭିନ୍ନ ପ୍ରକାରର
ପ୍ରାଚୀନପଂଥୀ ସହ ତର୍କ
କରିବା ନୁହେ ଆବଶ୍ଯକ
ତାଂକୁ କେ ପାରେନି ବୁଝାଇ
ଚଳଂତି ନିଜ ଅନୁଯାୟୀ
ଯିଏ ଯାହାର ବାଟ ଧରି
ସଂସାର ହେଉଥାଂତି ପାରି
ଯେହେତୁ ନାହିଁ ଏକାଦର୍ଶ
ଅଲୋଡ଼ା ସକଳ ସଂଘର୍ଷ
କପାଳରେ କର ମାରିଣ
କହୁଛୁଁ ‘ ଆହେ ଭଗବାନ ‘
ତେବେ ବି ହେଉନି ନିଶ୍ଚିହ୍ନ
ଭାଷା ଓ ଜାତିର ଦୁର୍ଦିନ
ମହାନ୍ ଥିଲା ଏ ଏକଦା
ଏହି ବିଷୟ ଜାଣି ସୁଦ୍ଧା
ଏବେ କିଆଁ ହୋଇଛୁଁ ନ୍ୟୂନ
କରିହେଉନି ଅନୁମାନ
ପରିବର୍ତନ ପ୍ରତି ଭୀତି
ଦ୍ବାରା ଆକ୍ରାଂତ ଲୋକ ମତି
ଗଢ଼ିପାରୁନି ଭଲ କୃତି
କ୍ରମଶଃ ହଜୁଛି ସଂସ୍କୃତି
ଯାହା ଯେମିତି କରୁଁ ଏବେ
ତାହା କରିବା ଯଦି ସର୍ବେ
ମିଳିବ ପୂର୍ବ ଭଳି ଫଳ
ହୋଇବା ଆହୁରି ଦୁର୍ବଳ
ନୂଆ ପାଇବା ପାଇଁ ମନ
କରିଲେ ନୂଆ କାମମାନ
ମନରୁ ପଳାଇବ ଭୟ
ମିଳିବ ନୂଆ ପରିଚୟ
ଏ ମନ ଶାଂତିନିକେତନ
ନୁହଇ ଭୌଗୋଳିକ ସ୍ଥାନ
ବଦଳାଇଲେ ମନୋବୃତ୍ତି
ଘଟେ ଅପୂର୍ବ ଅଗ୍ରଗତି
Comments are closed.