ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ମନୋଦ୍ଭୂତ ସକଳ ଚିଂତା
ହେଉ କି ନ ହେଉ କବିତା
ଶୁଣାଇଦିଏ ମନୋଦଶା
ତାହା ହିଁ ବାସ୍ତବିକ ଭାଷା
ତଦ୍ଭିନ୍ନ ଅନ୍ୟ କିଛି ଲେଖି
ଭାଷାକୁ ହୁଏନାହିଁ ଦେଖି
ଲୋକଂକଠାରୁ ହେଲେ ଦୂର
ଭାଷାକୁ ମିଳେନି ଆଦର
ମୌଳିକ ପ୍ରବୃତ୍ତିକୁ ନିଂଦା
କରିବା କାହିଁକି ସର୍ବଦା ?
କରିଚାଲିଲେ ନିଜ କାମ
ଜୀବନ ଲାଗିବ ଉତ୍ତମ
ଅଳ୍ପ ଟିକିଏ ସତର୍କତା
ବଢ଼ାଇଥାଏ ଗୁଣବତ୍ତା
ଘଷି ମାଜିଲେ ହାତଲେଖା
ହୁଅଇ ସାହିତ୍ୟର ସଖା
ଗୋଠରୁ ଗୁହାଳକୁ ଗାଈ
ଆକାଶୁଁ ନୀଡ଼କୁ ଚଢ଼େଇ
ନିଶ୍ଚୟ ବାଟ ପାରେ ପାଇ
ମଣିଷ ବଂଚେ ବଣା ହୋଇ
କେବଳ *ମୁଁ, ମୋର* କହି
ସଂସାରେ ସମୟ ସାରଇ
ପାରେନି ନିଜଠୁଁ ମୁକୁଳି
ତାହାର ସ୍ବଭାବ ଏଭଳି
ପାଦରେ ଲାଗିନାହିଁ ଆଖି
ଯାତ୍ରୀ ପାରେନି ବାଟ ଦେଖି
ହୁଏ ଯାହାର ଅନୁଚର
ସେ ମଧ୍ୟ ସେହି ପ୍ରକାରର
ଲକ୍ଷ୍ୟ ତ ହୋଇନାହିଁ ସ୍ଥିର
ବଦଳୁଥାଏ ବାରଂବାର
ବାହାରି ଯାଇ, ଫେରି ଆସି
ବାଟୋଇ ପାଉଥାଏ ଖୁସି
ଏପରି ଗମନାଗମନ
ହେଲାଣି ମଣିଷ ଜୀବନ
ଫଳସ୍ବରୂପ ସୀମାୟତ୍ତ
ହୋଇଛି ମଣିଷର ଚିତ୍ତ
ନାହିଁ ସଂକଳ୍ପ, ନାହିଁ ସ୍ପୃହା
ତେଣୁ ତ ମିଳୁନାହିଁ ରାହା
ଯେ ନିଏ ଅନ୍ୟ କାହା ସାହା
କେବଳ ଶୁଣେ ‘ ଆହା ଆହା ‘
ଏତେ ଅଧିକ ଦୟାସ୍ପଦ
ହେବାରୁ ମଣିଷର ହୃଦ
ଏବେ ତ ହେଲାଣି ଦୂଷିତ
କିପରି ହେବ ବିଶ୍ବହିତ
ତୁଛାକୁ କଲେ ବେଶି ଯୁକ୍ତି
କମେ ମନର ଅଂତର୍ଶକ୍ତି
ସଂଭାଳି ରଖୁଁ ଅନୁରକ୍ତି
ହୋଇବା ଉପକାରୀ ବ୍ୟକ୍ତି
Comments are closed.