ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଯିଏ ବି ଶିଖେ ଯାହାଠାରୁ
ସିଏ ହିଁ ବାସ୍ତବିକ ଗୁରୁ
ତା ହେଉ ବ୍ୟକ୍ତି ଅବା ସ୍ଥିତି
ଉନ୍ନତ କରେ ଲୋକମତି
ଏ ସତ୍ୟ ହେବାରୁ ବିସ୍ମୃତ
କମିଛି ଗୁରୁଂକ ଗୁରୁତ୍ବ
ଏ ସତ୍ୟ ହେଲେ ଅନୁଭୂତ
ବଢ଼ିବ ଗୁରୁଂକ ମହତ୍ତ୍ୱ
ଜ୍ଞାନ, ବିଦ୍ୟା ହୋଇଛି ପଣ୍ୟ
ଗୁରୁଂକର ସ୍ଥାନ ନଗଣ୍ୟ
ହାଟ ଓ ବଜାରେ ଦୋକାନ
ବିକଂତି ସୁଶୋଭିତ ଜ୍ଞାନ
ଚାଲିଛି ଅପୂର୍ବ ଭେଳିକି
ଏ କଥା ବୁଝିବାନାହିଁ କି?
କେବଳ ‘ ଦିବସ ପାଳନ ‘
କଲେ ଦୁର୍ଲଭ ହୁଏ ଜ୍ଞାନ
ସମାଜେ ଯାହା ପ୍ରଚଳିତ
ନ ବୁଝି ତା’ର ହିତାହିତ
ଅକାରଣେ କଲେ ବିରୋଧ
ଆରଂଭ ହୁଏ କଥା-ଯୁଦ୍ଧ
ଚଳିଲେ କଥା କଟାକଟି
ସମାଜ ହୋଇଯାଏ ବାଂଟି
କହି କହି ଛିଂଡିଲେ ତଂଟି
ପ୍ରସଂଗ ହୋଇଯାଏ ମାଟି
କରୁଁ ବହୁତ ଅବା ଅଳ୍ପ
କର୍ମର ନ ଥାଏ ବିକଳ୍ପ
କିଛି ନ କରି କଲେ ଚିଂତା
ତା ହୁଏ ମନରେ ସାଇତା
ନିଜେ ଜିଇଁଲେ ନିଜ ପରି
ଜ୍ଞାନ ମିଳଇ ଅସୁମାରୀ
ସେ ଜ୍ଞାନ ଅଟେ ସଦା ସ୍ଥାୟୀ
ଚଳୁଁ ତହିଁର ଅନୁଯାୟୀ
ବ୍ୟକ୍ତି ନିଜେ ହିଁ କରୁ ସ୍ଥିର
ନିଜର ରୁଚି, ବ୍ୟବହାର
ଅନ୍ୟ କାହାର ଅଧିକାର
ନାହିଁ ବୋଲି କରୁ ସ୍ବୀକାର
ବିଦେଶୀ, ବିଦେଶିନୀମାନେ
ଏଣିକି ହୋଇ ଜଣେ ଜଣେ
ଶିଖିବେ ଆମର ଏ ଭାଷା
କ୍ରମଶଃ ବଦଳିବ ଦଶା
ଆମେ ତ ହୋଇନୁ ପ୍ରସ୍ତୁତ
ହେବାକୁ ଭାଷା ଅଗ୍ରଦୂତ
ବର୍ଜନ କରି ସବୁ କୁଂଠା
କରୁଁ ଚଂଚଳ ବେଶି ଚେଷ୍ଟା
Comments are closed.