Latest Odisha News

BREAKING NEWS

ଭାଷା ଭାଗବତ : ଖଂଡ ଖଂଡ ବିଶ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

 

ଦେଶଜ ଶବ୍ଦକୁ ଉପେକ୍ଷା

କଲେ ଭାଷା ପାଏନି ରକ୍ଷା

ଶିକ୍ଷିତ ଲୋକେ ଲୋକଚ୍ୟୁତ

ହୋଇଲେ କମିବ ମହତ୍ତ୍ବ

 

ଥିଲେ ହେଁ ବହୁବିଧ ବ୍ୟାଧି

ମିଳୁନି ନିଶ୍ଚିତ ଔଷଧି

ପରଂପରାରେ ହୋଇ ବାଂଧି

କରିହୁଏନି ଚିତ୍ତ ଶୁଦ୍ଧି

 

ସ୍ମୃତିର ମୌଳିକ ପ୍ରବୃତ୍ତି

ସଂଭବ ହୁଏନି ବିଲୁପ୍ତି

ପୁରୁଣା ଦୃଶ୍ୟ ମନେ ରଖି

କବି ହୁଅଂତି ସ୍ମୃତି-ରକ୍ଷୀ

 

ସ୍ମୃତି ସହିତ ସ୍ବାନୁଭୂତି

ହୋଇଲେ ସାହିତ୍ୟର ସାଥୀ

ପ୍ରତିଟି ଅଂଗେନିଭା ଲେଖା

ହୁଅଇ ପାଠକଂକ ସଖା

 

ଏପରି ଲେଖାର ପ୍ରଭାବ

ପାଠକେ କରି ଅନୁଭବ

ହୁଅଂତି ପଠନ-ତତ୍ପର

ଭାଷା ବି ହୁଏ ମନୋହର

 

ବହି ପଢ଼ି ଲେଖିଲେ ବହି

ପାରେନି ଦୀର୍ଘକାଳ ରହି

ପାଠକେ ହୋଇଲେ ବିରକ୍ତ

ସାହିତ୍ୟ ହୁଏ ଅନାଦୃତ

 

ବିଶ୍ୱରେ ଚଳେ ଯେତେ ଭାଷା

ପ୍ରତିଟି ସବଳ ସରସା

କିଂତୁ କରିହେଉନି ଆଶା

ସର୍ବେ ଭୋଗିବେ ସମ ଦଶା

 

ନିୟଂତା ଗଢ଼ିଛଂତି ବିଶ୍ବ

ମଣିଷ ଗଢ଼ିଥାଏ ଦେଶ

ବିଶ୍ବକୁ କରି ଖଂଡ ଖଂଡ

ମଣିଷ ପାଉଥାଏ ଦଂଡ

 

ନାହିଁ କେଉଁଠି ବିଶ୍ବପ୍ରୀତି

ତେଣୁ ତ ଘଟୁନି ଉନ୍ନତି

ନିଜ ସ୍ବାର୍ଥରକ୍ଷାରେ ମାତି

ଲୋକେ କରଂତି ନିଜ କ୍ଷତି

 

ତୁଂଡ କହିଲେ ବି ‘ ଆଜ୍ଞା ହଁ ‘

ହାତ କେବେ ଚଳାଉନାହଁ

ତେଣୁ ଏଠାରେ ଚର୍ଚା ଚାଲେ

ପରିଣାମ କେବେ ନ ମିଳେ

 

କହିବା ନିମଂତେ ବ୍ୟାକୁଳ

ରହିଛଂତି କଥାଳୁ ଦଳ

ଠାଆକୁ ଠାଆ ବୁଲି ବୁଲି

ପୂର୍ବକଥା ଯାଆଂତି ଭୁଲି

 

ଶିକ୍ଷିତ ଲୋକମାନେ ସୁଦ୍ଧା

ମନେ ପୋଷଂତି ବହୁ ଦ୍ବିଧା

ଭାଷା ନିମଂତେ ନାହିଁ ଶ୍ରଦ୍ଧା

ଏହା ହିଁ ବଡ଼ ଅସୁବିଧା

 

ନିର୍ବହି ଘରେ କରି ବାସ

ପାଆଂତି ଅବୁଝା ଉଲ୍ଲାସ

କଥା କହଂତି ବାରଂବାର

ସତେ ଯେମିତି ନିରକ୍ଷର

 

ଯାହା ଯଥାର୍ଥ, ପାଳନୀୟ

କାହାକୁ କରୁଁ ମିଛେ ଭୟ ?

ଯାହା ବି ଭାବୁଛେଁ ଉଚିତ

ତାହା ହିଁ କରୁଁ ପ୍ରକାଶିତ

 

ଖେଳି ଖେଳି ଓ ହସି ହସି

ପିଲେ ଶିଖିଲେ ହେବେ ଖୁସି

ପାରଂପରିକ ଶିକ୍ଷା ନୀତି

ଯୋଗୁଁ ତ ହୋଇନି ଉନ୍ନତି !

 

ଅଫଳପ୍ରସୂ ପରଂପରା

ଯୋଗୁଁ ଗଢ଼ା ହୋଇଛି କାରା

ତାହାର ନାମ ବିଦ୍ୟାଳୟ

କରିବା ନୂତନ ଉପାୟ

 

ନ ହେଲେ ଭାଷା ଅବକ୍ଷୟ

ମନେ ସୃଷ୍ଟି କରିବ ଭୟ

ଏହା ତ ନୁହେ ବାଂଛନୀୟ

କେମିତି ହେବ ଜ୍ଞାନୋଦୟ ?

 

ଭାଷାରେ କିଛି ଦୋଷ ନାହିଁ

ପାରୁନୁ ବୁଝି ଓ ବୁଝାଇ

 

Leave A Reply

Your email address will not be published.